Spread the love

ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭାରମ୍ଭ : ଜିଲ୍ଲାରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବୁଲିବ ୭ ରଥ

କଟକ ତା ୦୭/୦୯: ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଇବା ନିମନ୍ତେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଶ୍ରୀ ପ୍ରକାଶ ଆର., ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ପ୍ରମୁଖ ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହତାବ କହିଥିଲେ ଯେ ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କର ଅଧିକାର ବିଷୟ ରେ ସଚେତନତା ସୃଷ୍ଟି କରିବା, ସ୍ବାସ୍ଥ୍ୟ ଏବଂ ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା, ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ଡିଜିଟାଲ ଆର୍ଥିକ ସାକ୍ଷରତାକୁ ଉତ୍ସାହିତ କରିବା ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ସେମାନଙ୍କୁ ସଶକ୍ତ କରିବା।
ବିଧାୟକ ଶ୍ରୀ ସେଠୀ ସୁଭଦ୍ରା ଯୋଜନାକୁ ଯୁଗାନ୍ତକାରୀ ଯୋଜନା ଭାବେ ଅଭିହିତ କରିବା ସହିତ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହା ସହିତ ଏହି ମହତ୍ ଯୋଜନାରେ ସମସ୍ତ ହିତାଧିକାରୀ କିଭଳି ଭାବେ ଅନ୍ତର୍ଭୁକ୍ତ ହୋଇ ପାରିବେ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ। ହିତାଧିକାରୀମାନେ ବ୍ୟସ୍ତ ନ ହେବା ସହିତ ଫର୍ମ ଦାଖଲ ନିମନ୍ତେ ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ର ମାନଙ୍କରେ ଅତ୍ୟଧିକ ଗହଳି ନକରି ଶାନ୍ତି ଶୃଙ୍ଖଳାର ସହ ନିର୍ଭୁଲ ଭାବେ ଫର୍ମ ପୂରଣ କରି ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି।
ଜିଲ୍ଲାର ୧୪ଟି ବ୍ଲକର ୧୬୨୬ଟି ସାଧାରଣ ସେବା କେନ୍ଦ୍ର ଓ ୩୬୨ଟି ମୋ ସେବା କେନ୍ଦ୍ରରେ ବିନା ମୂଲ୍ୟରେ ଫର୍ମ ଉପଲବ୍ଧ ହେବା ସହ ପଞ୍ଜିକରଣ କରାଯାଉଛି।

ସୁଭଦ୍ରା ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ବିଭିନ୍ନ ବ୍ଲକ ଓ ଗ୍ରାମପଞ୍ଚାୟତ ଭ୍ରମଣ କରିବା ସହ ବାଙ୍କୀ, ଆଠଗଡ, ଚୌଦ୍ଵାର ସହରାଞ୍ଚଳ ସଂସ୍ଥା ଏବଂ କଟକ ମହାନଗର ନିଗମ ଅଞ୍ଚଳ ଭ୍ରମଣ କରିବ।
ଆଜିର ଏହି ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡ଼ା ପରିଚାଳନା କରିଥିବାବେଳେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସ୍ୱାଗତିକା ପରିଡ଼ା ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ବିଭିନ୍ନ ବ୍ଲକ ଓ ପଂଚାୟତ ଗୋଷ୍ଠୀ ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *