Spread the love

ବିଶ୍ୱ ଦେଖ ମଧୁମୟ ରେ ଜୀବନ!

ବିଶ୍ୱ ଦେଖ ମଧୁମୟ ରେ ଜୀବନ! ବିଶ୍ୱ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟ ରେ ଜୀବନ!
-ଗଙ୍ଗାଧର ମେହେର, ଅର୍ଘ୍ୟଥାଳୀ, ୧୯୧୪

ଶ୍ରାବଣପୂର୍ଣ୍ଣିମା ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ପବିତ୍ର ଜନ୍ମଦିନ। ୧୮୬୨ ମସିହା ଅଗଷ୍ଟ୯ ତାରିଖ ଶନିବାର, ଶ୍ରାବଣପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲାର ବରପାଲିଠାରେ ସେ ଜନ୍ମଗ୍ରହଣ କରିଥିଲେ।

ଆଜିଠୁଁ ପ୍ରାୟ ଶହେ ବର୍ଷ ତଳେ, ୪ ଏପ୍ରିଲ୍ ୧୯୨୪ରେ ତାଙ୍କର ବିୟୋଗ ଘଟିଥିଲା। ଆଜି ମୃତ୍ୟୁର ଶତବର୍ଷ ପରେ ମଧ୍ୟ ତାଙ୍କର କବିଖ୍ୟାତି ମଳିନ ପଡ଼ିନାହିଁ।
୧୯୧୮ରେ ପ୍ରକାଶିତ ‘ଅର୍ଘ୍ୟଥାଳୀ’ ଗଙ୍ଗାଧର ମେହେରଙ୍କର ଏକ ପ୍ରସିଦ୍ଧ କାବ୍ୟକୃତି। ସେଥିରେ ସଂକଳିତ ‘ଅମୃତମୟ’ ଓ ‘ମଧୁମୟ’ ତାଙ୍କର ଦୁଇଟି ପ୍ରସିଦ୍ଧ କବିତା। ଏହି ଦୁଇ କବିତା ଯଥାକ୍ରମେ ଜୁନ୍ ଓ ଅଗଷ୍ଟ, ୧୯୧୪ରେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଥିଲା।
‘ଉତ୍କଳ ଲକ୍ଷ୍ମୀ’ ପରି କାବ୍ୟର ରଚୟିତା ଗଙ୍ଗାଧରଙ୍କର ବିଶ୍ୱଦୃଷ୍ଟି ଏହି କବିତାରେ ପ୍ରତିଫଳିତ। ତାଙ୍କ ଦୃଷ୍ଟିରେ ଏ ବିଶ୍ୱ ମଧୁମୟ। ନିଜକୁ ତଥା ସମଗ୍ର ମାନବଙ୍କୁ ‘ଜୀବନ!’ ବୋଲି ସମ୍ବୋଧନ କରି ସେଥିରେ ସେ କହିଛନ୍ତି- ବିଶ୍ୱର ସେହି ମଧୁ ଝରଣରେ ତୁମର ସମସ୍ତ ପାପ ଓ ମରଣଭୟ ହରଣ ହୋଇଯିବ।
ଏହି ମଧୁଝରଣ ସେ ଦେଖିଛନ୍ତି ଜନନୀର ସ୍ନେହରେ, ପତ୍ନୀର ପ୍ରଣୟରେ, ବୁଧ-ବନ୍ଧୁଙ୍କ ସତ୍ ଆଳାପରେ, ପିତାଙ୍କ ସ୍ନେହରେ। ତାଙ୍କ ଦୃଷ୍ଟିରେ ଏସବୁ ଗୋଟିଏ ଗୋଟିଏ ମଧୁଝର। ଏହି ମଧୁଝର ସବୁ ତାପ ବିଦୂରିତ କରି ଜୀବନକୁ ଶୀତଳ କରେ।
ଏହିପରି ଭାବରେ, ନୂତନ କର୍ମ, ନୂତନ ମର୍ମ ଓ ନୂତନ ଜ୍ଞାନ ଭିତରେ ସେ ଜୀବନ ପାଇଁ ନୂତନ ଆଲୋକ ଦେଖିଛନ୍ତି। କହିଛନ୍ତି- ରେ ଜୀବନ! ଏହି ମଧୁଝରର ସଂଖ୍ୟା ଶତ ଶତ। ଏଣୁ ଜୀବନ ମଧୁମୟ।

Leave a Reply

Your email address will not be published. Required fields are marked *