Spread the love

ଅଧେ_ଜହ୍ନ

ରଙ୍ଗର ପର୍ବ ହୋଲିରେ ତା ଜୀବନଟା ଯେ ଏତେ ବିବର୍ଣ୍ଣ ହୋଇଯିବ ଏ କଥା ସେ କଣ ଜାଣିଥିଲା ?

ଏତେ ବଡ ଦୁନିଆଁଟାରେ ତାର ନିଜର ବୋଲି କେହି ନାହିଁ । ମା ଚାଲିଗଲା ପରେ ବାପା ଦ୍ଵିତୀୟ ବିବାହ କଲେ । ମା ଛେଉଣ୍ଡ ପିଲାଟିର ଛାଇ ପଡ଼ିଲେ ସୁମିତ୍ରା ଦେବୀଙ୍କ ଲାହି ଡିଏଁ । ସୁମିତ୍ରା ଦେବୀଙ୍କ ନିଷ୍ଠୁର ଆଚରଣ ଦିନକୁ ଦିନ ବଢୁଥାଏ ସିନା ଥମିବାର ନାମ ନେଉନଥାଏ । ଦୀପ୍ତିର ବାପା ଚିନ୍ତାରେ ଏକପାଖିଆ ପାରାଲିସିସର ଶିକାର ହେଲେ । ଆହା ହତଭାଗିନୀ ସେ ।
କିନ୍ତୁ ଖୁବ ମେଧାବୀ ଛାତ୍ରୀ । ସାହିତ୍ୟ ପ୍ରତି ତାର ଅହେତୁକ ଦୁର୍ବଳତା । ଗୋଟିଏ ଘରୋଇ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତା ସେ ।

ଏକାକୀନି ହୋଇ ଧ୍ୟାନସ୍ଥ ଯୋଗୀଟିଏ ପରି ତା ନିଜ ଭିତରର ପୃଥିବୀରେ ସେ ସର୍ବଦା ଘୁରୁଥାଏ । ନିଜ ଆକାଶରେ ସେ ସ୍ୱପ୍ନ ବୁଣେ । ନିଜ ଭିତର ଆଗ୍ନେୟଗିରିଟିକୁ ସେ ପିଇଯାଏ । ଆଉ ଯେବେ ଇଚ୍ଛା କରେ ଡାଏରୀର ସାଦା ପୃଷ୍ଠାରେ ଲାଭା ସବୁ ଉଦ୍’ଗାଳି ଦେଇ କବିତାର ରୂପ ଦେଇ ବସେ ।ନିଜକୁ ପ୍ରଶମିତ କରିବାକୁ ତା ପାଖରେ ଏତଦ୍ ଭିନ୍ନ ଉପାୟ ନ’ଥାଏ । ସାହିତ୍ୟ ଜଗତରେ ଜଣେ ଉଦୀୟମାନ ଯୁବ ପ୍ରତିଭା ହିସାବରେ ସେ ବେଶ ଜଣାଶୁଣା । ହେମିପ୍ଲେଗିଆ(Hemiplegia) ରୋଗରେ ଶିକାର ହୋଇ ପାଟି ଅକାମି ହୋଇଥିବାରୁ ତା ବାପା ଯଦିଓ କିଛି ପ୍ରକାଶ କରିବା ପାଇଁ ଅସମର୍ଥ କିନ୍ତୁ ଦୀପ୍ତି ପାଇଁ ଅନ୍ତରରେ ଖୁବ ଗର୍ବ ଅନୁଭବ କରନ୍ତି । ଦୀପ୍ତିକୁ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ରୂପେ ଦେଖିବା ତାଙ୍କର ବହୁ ପୁରୁଣା ସ୍ୱପ୍ନ । ଯାହା ଏବେ ସାକାର ହେଉଥିଲା ।

ଆଜକୁ ଠିକ ପାଞ୍ଚ ବର୍ଷ ପୂର୍ବେ ଗୋଟିଏ ହୋଲି କବିତା ଆସରରେ ତାର ଦେଖା ହୁଏ ଦେବଦତ୍ତ ସହ । ଦୀପ୍ତି ଓ ଦେବଦତ୍ତ ଦୁଇଜଣ ପରସ୍ପର ସହ ସ୍ଥୂଳ ଭାବେ ସେତେଟା ପରିଚିତ ନ’ଥାଇ ମଧ୍ୟ ଫେସବୁକର ସୂକ୍ଷ୍ମ ସେତୁ ଦ୍ୱାରା ଅଜାଣତରେ ପରସ୍ପର ପ୍ରତି ଆକର୍ଷିତ ହେବାକୁ ଲାଗିଥିଲେ। ଉଭୟେ ଉଭୟଙ୍କ କବିତାର ପ୍ରଶଂସକ ।

ନିମନ୍ତ୍ରଣ ପତ୍ରର ସମ୍ବର୍ଦ୍ଧିତ ଯୁବ ପ୍ରତିଭାରେ ଦୀପ୍ତି ମହାପାତ୍ର ନାମ ।ଆଃ ! ୟା ଠାରୁ ବଳି ସୁବର୍ଣ୍ଣ ସୁଯୋଗ ଆଉ ଅଧିକ କଣ ଥାଇପାରେ ଦେବଦତ୍ତ ପାଇଁ ? ଖୁବ କମ ସଭା ସମିତିରେ ଯୋଗ ଦେଉଥିବା ଦେବଦତ୍ତ ସେ ଦିନ କିନ୍ତୁ ଆଗ୍ରହ ପ୍ରକାଶ କରିଥିଲା ଉକ୍ତ ସାହିତ୍ୟ ସଭାରେ ଯୋଗଦେବାକୁ । ଉଦ୍ଦେଶ୍ୟ କେବଳ ଆଉ କେବଳ ଦୀପ୍ତିକୁ ଭେଟିବା । ଦୀପ୍ତି ବି ମନେ ମନେ ଭାରି ଖୁସି । ଏତେ ବର୍ଷ ଧରି ଯାହା ସମ୍ପର୍କରେ ଜାଣିବା ପାଇଁ ସେ ପ୍ରବଳ ଇଛୁକ, ତାକୁ ଆଜି ପ୍ରତ୍ୟକ୍ଷ ପାଇବ ସେ ।
ଦେବଦତ୍ତ ଆସି ଠିକ ତା ପାଖ ଚେୟାରରେ ବସିଗଲା । କିଛି ଔପଚାରିକତାରୁ ବୁଣିହୁଏ ସମ୍ପର୍କର ପ୍ରଥମ ବୀଜ। ସଭା ପରେ ଯିଏ ଯା ରାସ୍ତାରେ । ଫୋନ ହିଁ ସାଜିଥାଏ ଭାବ ଆଦାନ ପ୍ରଦାନର ଏକ ମାତ୍ର ମାଧ୍ୟମ । ସାହିତ୍ୟ ଚର୍ଚ୍ଚା କରୁକରୁ କେତେବେଳେ ଦୁହେଁ ଏତେ ନିକଟତର ହେଇଗଲେ ଯେ ଦୁହିଁଙ୍କୁ ଏହାର ଟେର୍ ନ’ଥିଲା । ଏହାପରେ ନିଜ ଆବେଗର ସ୍ୱୀକୃତି ପାଇଁ ଦେବଦତ୍ତ ଥରେ ହିଁ ଆସିଥିଲା ଦୀପ୍ତି ସହ ଦେଖାକରିବା ଲାଗି । ସେ ଦିନ ଥିଲା ହୋଲି ।ଅବିରର ମୁଠାଏ ରଙ୍ଗ ସେ ଦୀପ୍ତିର ଗୋରା ଗାଲରେ ବୋଳିନ’ଥିଲା ତ ତା ରଙ୍ଗହୀନ ଜୀବନରେ ଯେମିତି ରଙ୍ଗ ଭରିଥିଲା । ସେହି ସ୍ନେହ ସ୍ପର୍ଶ ଧୀରେ ଧୀରେ ତା ଆତ୍ମାକୁ ସଞ୍ଚରିବାରେ ଲାଗିଥିଲା। ଏବେ ସେ ଗୋଟାପଣେ ଦେବଦତ୍ତର । ଏତେ ବଡ଼ ଆକାଶରେ ନିଜର ଗୋଟିଏ ତାରାଟିଏ ପାଇଗଲା ସେ ।

କିନ୍ତୁ ତା ଆଶାୟୀ ଗଛରୁ ଧୀରେ ଧୀରେ ପତ୍ର ସବୁ ଝଡିଯାଏ ନିର୍ଦ୍ଦୟ ବସନ୍ତରେ । ଦେବଦତ୍ତଙ୍କୁ କଣ ସତରେ ମୁଁ ମନେ ପଡୁନ’ଥିବି ? ପାଞ୍ଚ ବର୍ଷର ସମ୍ପର୍କ ଭିତରେ ସେ କେବଳ ଦୁଇ ଥର ହିଁ ଦେଖା କରିବା ପାଇଁ ଆସିଛନ୍ତି । ଏତେ ଧୈର୍ଯ୍ୟ ଏତେ ସଞ୍ଜମତା କେଉଁଠୁ ଆଣନ୍ତି ସେ ?
ଫୋନ ରିଙ୍ଗରେ ପ୍ରକୃତିସ୍ଥ ହୁଏ ଦୀପ୍ତି ।
_ ହେଲୋ !
_ ଦୀପ୍ତି ! ମୋବାଇଲ ସାଇଲେଣ୍ଟ ଥିଲା । କେତେବେଳେ କଲ କରିଛ ଜାଣିପାରିଲିନି । କଣ କିଛି କହୁନ ଯେ ? ରାଗିଛ ?
ତଥାପି ଦୀପ୍ତି ନିରବ ।
_ ଏଇ ! କାନ୍ଦୁଛ ? ଏତେ ଶୀଘ୍ର ମୁଁ ମରୁନି ମନେ ରଖିଥାଅ । ଆରେ ବାବା ମୁଁ ଶୀଘ୍ର ଦେଖା କରିବି । ବାବା ମମିଙ୍କୁ ଏଇଠି ଏକୁଟିଆ ବେଙ୍ଗାଲୁରୁରେ ଛାଡ଼ି କଣ କହି ଓଡ଼ିଶା ଯିବି କହିଲ ?
ଦୀପ୍ତି ବହୁତ କାନ୍ଦେ ।
_ ଦେବ ! ମୋ ଦୁଃଖ ସମୟରେ ମୋ ପାଖରେ କେହି ନାହାନ୍ତି ।ମୋର ଏ ଲୁହ ପୋଛିବା ପାଇଁ ଏଡ଼େ ବଡ଼ ଦୁନିଆରେ ଗୋଟିଏ ହାତ ବି ନାହିଁ । ମୁଣ୍ଡ ରଖି କାନ୍ଦିବା ପାଇଁ ଗୋଟେ କାନ୍ଧଟିଏ ନାହିଁ ।
_ ଶୁଣ ଦୀପ୍ତି । କାନ୍ଦ ଫାନ୍ଦ ବେଶୀ ହୋଇଗଲା । ତମକୁ ତମ ବାପାଙ୍କ ସ୍ବପ୍ନ ପୁରଣ କରିବାକୁ ପଡିବ । ଏବେ ଯୁବ ପୁରସ୍କାର ପାଇଁ ନୋଟିସ୍ ବାହାରିଛି । ତମେ ଆପ୍ଲାଇ କରୁଛ ତ ?

ଅଭିମାନରେ ଫୋନ କାଟି ଦେଇଛି ଦୀପ୍ତି । ତା ଅଭିମାନ ସ୍ୱାଭାବିକ।ଯେବେ ସେ ଭେଟିବା କଥା କୁହେ କିଛି ନା କିଛି ବାହାନା କରି ଦେବଦତ୍ତ ଓହରି ଯାଏ । ବେଶୀ ଦେଖାକରିବା ଦ୍ୱାରା ଦୀପ୍ତି ପଥଚ୍ୟୁତ ହେବାର ଭୟ ଦେବଦତ୍ତ ଭିତରେ ଘର କରିବସିଥିଲା ।ସେ ଚାହୁଁଥିଲା ଦୀପ୍ତି ତା ସାହିତ୍ୟରେ ଅଧିକ ମନୋନିବେଶ କରୁ ।ପ୍ରତିଷ୍ଠିତ ସାହିତ୍ୟିକ ହେଉ । ରହିଲା ଦେଖା କରିବା କଥା । ଠିକ ସମୟ ଆସିଲେ ନିଜେ ଯାଇ ଦୀପ୍ତିର ହାତ ମାଗିଆସିବ ସେ ।

ଦୀପ୍ତିର ପଞ୍ଚମ କବିତା ସଙ୍କଳନ ଉନ୍ମୋଚିତ ହୋଇସାରିଛି । କିନ୍ତୁ କଥା ଦେଇ ଦେବଦତ୍ତ ଆସିନ’ଥିଲା ଉନ୍ମୋଚନ ସଭାକୁ । ତାହାର ସବୁ ଦରମା ସୁମିତ୍ରା ଦେବୀ ଜବତ କରି ଦିଅନ୍ତି । ତଥାପି ନିଜ ଖର୍ଚ୍ଚରୁ କାଟି ସେ ଦେବଦତ୍ତ ପାଇଁ କେବେଠାରୁ କିଣିଆଣିଛି ଦୁଇଟି ଟିସାର୍ଟ । କିନ୍ତୁ ସବୁଥର ପରି ଏ ଥର ମଧ୍ୟ ଦେବଦତ୍ତ ଦୀପ୍ତିର ନିରୁତା ଭଲପାଇବାକୁ କଠୋର ମାର୍ଗଦର୍ଶକ ପରି ଏଡ଼େଇ ଦେଇଛି । ସଭାରେ ଦୀପ୍ତି ପାଇଁ ମେଞ୍ଚାଏ ପ୍ରଶଂସା ଅଜାଡି ଦେଇଛନ୍ତି ବରିଷ୍ଠ ଲେଖକ । ତଥାପି ତା ମନରେ ଏତେ ତୃଷ୍ଣା ? ତା ହୃଦୟ ତଳେ ଏତେ କୋହ ? ତା ଏକାକୀ ଆଖିରେ ଜମାଟ ବାନ୍ଧୁଥାଏ ଅନେକ ଲୁହ । ଟି ସାର୍ଟର ଭାଗ୍ୟ ଯେମିତି ସେଇ ଲୁହ ସବୁକୁ ପୋଛିବା ପାଇଁ ହିଁ କିଣାଯାଇଛି ।

     ଘରକୁ ଫେରି ଦୀପ୍ତି ଦେଖେ ତ ରାତ୍ର ଭୋଜନ ପାଇଁ ଥାଳିରେ ଥାଳିଏ ଗାଳି ଆଉ ଗିନାରେ ଗିନେ ଭତ୍ସନା ରଖାଯାଇଛି ।

ଆର ପଟ ଘରୁ ଶୁଣାଗଲା ….
ପୋଡ଼ାମୁହଁକୁ ଲାଜ କି ସରମ ଅଛି ? ବୋପା ପଛକେ ବିଛଣାରେ ସଢୁଥାଉ । ଝିଅର କିନ୍ତୁ ଥେଇ ଥେଇ ନ ସରୁ । ରାନ୍ଧିକି ଯାଇଥିଲୁ ଗେମ୍ଫା ମାରିବାକୁ ଆସିଗଲୁ ? ଗୋଟିଏ ଗ୍ଲାସ ଲୁହରେ ହିଁ ଦୀପ୍ତିର ପେଟ ପୁରିଗଲା । ତା ରୁମକୁ ଯାଇ ଦେବଦତ୍ତକୁ ଫୋନ ଲଗାଇଲା । ଦୁଇଟା ରିଙ୍ଗ ପରେ ଦେଵଦତ୍ତ ଫୋନ ଉଠେଇ କହିଲା । ଜାଣିଛି ତୁମେ ରାଗିଛ । ଆଗୁଆ କହିଦଉଛି ସରି ଦୀପ୍ତି ।
_ ଦେବ ! ବୋଉ ମୋ ବାହାଘର ତାଙ୍କର ସମ୍ପର୍କୀୟ ପୁତୁରା ସହ କରିଦେବେ ବୋଲି ଆଜି ସକାଳେ ଫୋନରେ କାହାକୁ କହୁଥିଲେ ।

ଦୀପ୍ତିକୁ ଆଶ୍ୱାସନା ଦେଇ ଆସନ୍ତା ସୋମବାର ଦିନ ଘରକୁ ପ୍ରସ୍ତାବ ନେଇ ଆସିବା ପାଇଁ କଥା ଦେଲା ଦେବଦତ୍ତ। ରବିବାର ରାତି ପରି ଏତେ ପ୍ରଲମ୍ବିତ ସମୟ କେବେ ବି ଦୀପ୍ତି ଜୀବନରେ ପୂର୍ବରୁ ଆସିନାହିଁ । କାଲିର ସକାଳ ନିଶ୍ଚିତ ରୂପେ ନୂତନ ଆଶା ଓ ଉଦ୍ଦୀପନା ନେଇଆସିବ । ଏହା ନିଃସନ୍ଦେହ ।

ସକାଳ ସୁନେଲି କିରଣରେ ପୂର୍ବାପେକ୍ଷା ସେ ଦିଶୁଥିଲା ଆହୁରି ଲାବଣ୍ୟବତୀ। ସ୍ୱପ୍ନରେ ଭାରି ଆଖିରେ ନିଦ ବା କାହୁଁ ଆସିବ ?ତଥାପି ତା ମୁହଁରେ କ୍ଲାନ୍ତିର ନ’ଥିଲା ବିନ୍ଦୁ କି ବିସର୍ଗ ।
ଆଜାନୁ ଲମ୍ବିତ କେଶକୁ ଖୋଲା କରି ଦର୍ପଣ ସାମ୍ନାରେ ନିଜ ମୁହଁ ଦେଖି ସେ ଲାଜ କଲା । ନିଜ ହାତ ସ୍ପର୍ଶରେ ମଧ୍ୟ ଏକ ଅପୂର୍ବ ଉଷ୍ଣତା ଅନୁଭବ କରୁଥିଲା ସେ । ଓଃ ଏ ଶିହରଣ । ଖୁସିରେ ମରିଯିବନି ତ ଦୀପ୍ତି !

କିନ୍ତୁ ସେ ସରଳ ପ୍ରାଣ କାହୁଁ ବୁଝିବ ତା ଖୁସିର ଆୟୁଷ ଖୁବ ଅଳ୍ପ । ସକାଳରୁ ସଞ୍ଜ ଯାଇ ପୁଣି ରାତି ଆସିଗଲା ହେଲେ ଦେବଦତ୍ତର ଦେଖା ଦର୍ଶନ ନାହିଁ । ଦୀପ୍ତିର ଆଖି ତା ଘର କବାଟ ଆଉ ମୋବାଇଲରେ ହିଁ ଅଟକି ରହିଥାଏ । ତା ଅତନ୍ଦ୍ର ଆଖିରେ ପ୍ରତୀକ୍ଷାର ଛାପ ଅଧିକ କରୁଣତର ଲାଗୁଥିଲା । ଦେବଦତ୍ତର ମୋବାଇଲ ବି ଅଫ ଆସୁଛି । ନାନା ଚିନ୍ତା ଦୁଶ୍ଚିନ୍ତା ଭିତରୁ ଭିତରୁ ଖାଇଯାଉଛି ତାକୁ । ଗୋଟିଏ ଗୋଟିଏ ନିଶ୍ୱାସ ତା ପାଇଁ ଯେମିତି ବୋଝ । ମଙ୍ଗଳବାର ଠିକ ସକାଳ ଛ’ଟାରେ ଦେଵଦତ୍ତର ହଠାତ କଲ…
_ କଣ ଇଏ ଦେଵ ?
ସରି ଦୀପ୍ତି ! କାଲି ହଠାତ କମ୍ପାନୀ ମିଟିଙ୍ଗରେ ଆଉଟ ଅଫ ଷ୍ଟେସନ ଥିଲି । ସେଠି ପହଞ୍ଚି କଲ କରିବି ଭାବିଲି କିନ୍ତୁ ନେଟୱର୍କ ନ’ଥିଲା । ଘରକୁ ଆସି ଆଗେ ତମକୁ ହି କଲ କରିଛି । ହୋପ ୍ ୟୁ ଅଣ୍ଡର୍ ଷ୍ଟାଣ୍ଡ୍ । ସେୟା ହି ତ କରି କରି ଆସୁଛି ଦେବ ।
ଗୋଟିଏ ଅବୋଧ ଶିଶୁ ପରି ଭୋ ଭୋ କାନ୍ଦିଚାଲିଛି ଦୀପ୍ତି । ଏତେ ବର୍ଷର ଶ୍ୱାସରୋଧୀ ଯନ୍ତ୍ରଣାକୁ ଏକା ଥରକେ ଏଇ ଲୁହରେ ଯେମିତି ଧୋଇଦେଵ ସେ ।
_ପ୍ଲିସ୍ ଦୀପ୍ତି ! ପିଲାଳିଆମି ଛାଡ଼ । ତମେ ତମ ଲେଖା ଉପରେ ଫୋକସ କର । କଥା ଦେଲି ଏଇ ମାସ ଶେଷ ସପ୍ତାହକୁ ମୁଁ ନିଶ୍ଚିତ ତୁମକୁ ଦେଖା କରିବି । ଦୀପ୍ତି ପାଇଁ ଏଇ ମିଛ ପ୍ରତିଶୃତି କିଛି ନୁଆ ନ’ଥିଲା । ସେ ସ୍ରୋତରେ ଭାସୁଥିବା କୁଟାଖିଅ ପରି ହାତ ଟେକିଦେଲା । ଯେଉଁ କୂଳକୁ ଦଇବ ନେବ ନେଉ । ଆଉ ଜାଣିବା ବାକିନ’ଥିଲା ସେ ଓ ଦେବଦତ୍ତ ଦୁଇଟି ସମାନ୍ତର ସରଳରେଖା । ଯାହା ପରସ୍ପର ସମାନ ଗତିରେ ସାହିତ୍ୟ ପଥରେ ସହଚର୍ଯ୍ୟ ତ ହୋଇପାରିବେ ସତ କିନ୍ତୁ ସେମାନଙ୍କ ମିଳନ ବିନ୍ଦୁ ଆଶା କରିବା ମୃଗତୃଷ୍ଣା ।

        ଦେବଦତ୍ତ ଅଫିସ ଯିବା ପାଇଁ ବ୍ୟସ୍ତ ହୋଇପଡୁଥାଏ । ତା ମମି ଦେବଦତ୍ତର ବ୍ୟାଗରେ ଲଞ୍ଚ ବକ୍ସ ରଖୁଥିଲେ ।

“କିରେ ଟୋକା ! ଏ ବକ୍ସଟି ଭାଙ୍ଗିଗଲାଣି । ଆଉ ଗୋଟିଏ ନୂଆ କିଣି ଆଣିଲେ ହୁଅନ୍ତାନି ?”
ଦେବର ମନେ ପଡିଗଲା ଦୀପ୍ତି ତା ପାଇଁ ଗୋଟିଏ ଟିଫିନ ବକ୍ସ କିଣିଛି । ବିଚାରି କେତେ ନା ତା ପାଇଁ ଆଶା ପାଳିରଖିଛି । ଏହିଥର କିନ୍ତୁ ଦେବଦତ୍ତ ନିଶ୍ଚିତ ଯିବ ତା ପାଖକୁ । ସୁମିତ୍ରା ଦେବୀଙ୍କ ଗୋଡ ତଳେ ପଡି ଦୀପ୍ତିର ହାତ ମାଗିବ । ଏତେ ବି ଦୂରତା ଆଦୌ ଠିକ ନୁହେଁ ।
_ “ମମି ମୋର ସାଙ୍ଗଟିଏ ପରା ମୋ ପାଇଁ କିଣିଦେଇଛି । ତା ବକ୍ସ ରେ ହିଁ ମୁଁ ଲଞ୍ଚ ନେବି ।”
_ କିଏ ? ଦୀପ୍ତି ନୁହେଁ ତ ??

ଦେବଦତ୍ତ ଟିକିଏ ମୁରୁକି ହସା ମାରି ନିଜ ମୁଣ୍ଡକୁ କୁଣ୍ଡାଇ ପକାଇଲା।
ମା ପୁଅ ଦିହେଁ ମିଶି ହସିବାକୁ ଲାଗିଲେ ।

ଦେବଦତ୍ତକୁ ଆଜି ଭାରି ଇଚ୍ଛା ହେଉଛି ଦୀପ୍ତିର ସେଇ ସଦ୍ୟ ଗୋଲାପ ପାଖୁଡା ପରି ଦେହକୁ ଟିକିଏ କୋଳାଇ ନିଅନ୍ତା । ତା ଆଖିର ସମସ୍ତ ଲୁହ, ଓଠର ଯାବତୀୟ କୋହକୁ ଏକାସାଙ୍ଗରେ ପିଇ ଦିଅନ୍ତା । କଲ କରି ଚାଲିଛି ଦେଵଦତ୍ତ । କିନ୍ତୁ ଆଶ୍ଚର୍ଯ୍ୟ ! ଦୀପ୍ତିକୁ ପାଞ୍ଚ ଥର କଲ ପରେ ମଧ୍ୟ ସେ ଦେଵଦତ୍ତର ଫୋନ ଉଠାଇନି ।ଏମିତି ତ କେବେ ବି ଘଟିନାହିଁ । ଦେଵଦତ୍ତ କଲ କରିବ ଆଉ ଦୀପ୍ତି ନ’ଉଠେଇବ । ତାକୁ ଗୋଟିଏ ବଡ ଖୁସି ଖବରଟେ ଶୁଣାଇବ ଦେଵଦତ୍ତ । ଦୀପ୍ତିର କବିତା ସଙ୍କଳନ ଯୁବ ପୁରସ୍କାର ପାଇଁ ମନୋନିତ ହୋଇଛି ।

ଆଃ ! ମୋ ପାଦ ତଳେ ଲାଗୁନି ଆଜି ।

ତାକୁ ସାହିତ୍ୟ ମନସ୍କ କରିବା ପାଇଁ ଦେଵଦତ୍ତ ନିଜକୁ ତା ଠାରୁ ଦୂରେଇ ରଖିଛି । ଏକା ଏକା ବିରହର ଗରଳରେ ଦଗ୍ଧ ହୋଇଛି କେବଳ ସେ ହିଁ ଜାଣେ । କିନ୍ତୁ ଦୀପ୍ତି ଏକବାରେ ଗାୟବ । ତା’ ମେସେଜ ଚେକ ପାଇଁ ଦେଵଦତ୍ତ ନିଜ ଫୋନରେ ଡେଟା ଅନ କରିଛି ।

ଫେସବୁକରେ ଅନେକ ସାହିତ୍ୟିକ ଦୀପ୍ତିର ଫୋଟୋ ପୋଷ୍ଟ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କମେଣ୍ଟରେ ଓଁ ଶାନ୍ତି ହିଁ ଯାହା …।
ଏତିକି ବେଳେ ଅନ୍ୟ ରୁମରୁ ଦେବଦତ୍ତର ବାପାଙ୍କ ସ୍ୱର…

_ତୋ ପାଇଁ ପାର୍ସଲ୍ ଟିଏ ଆସିଛି । ଦୁଇଟି ଟି ସାର୍ଟ, ଗୋଟିଏ ଲଞ୍ଚ ବକ୍ସ ।
★★★
ଦୀପିକା ଦାଶ, ବ୍ରହ୍ମପୁର
7735696442

Leave a Reply

Your email address will not be published. Required fields are marked *