କେନ୍ଦ୍ର ବଜେଟ:
ଅଭିବୃଦ୍ଧି ପ୍ରତିକୂଳ, ଜନବିରୋଧୀ ତଥା ଓଡିଶା ବିରୋଧୀ
-ସନ୍ତୋଷ ଦାସ
——————–/—————————–
ନିଜ ଦଳର ସଂଖ୍ୟା ଗରିଷ୍ଠତା ନଥାଇ ମେଣ୍ଟଭୁକ୍ତ ଦଳମାନଙ୍କ ଆଶାବାଡି ଧରି କ୍ଷମତାସୀନ ହୋଇଥିବା ତୃତୀୟ ମୋଦି ସରକାରର ପ୍ରଥମ ବଜେଟ କେବଳ ଏହି ଆଶାବାଡି ତୁଷ୍ଟିକରଣର ଲକ୍ଷ୍ୟ ବହନ କରିଛି।ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲେ ଓଡିଶା ଉପକୃତ ହେବ ବୋଲି ମୋହଗ୍ରସ୍ତ ହୋଇଥିବା ଓଡ଼ିଶାବାସୀଙ୍କୁ ଏହି ବଜେଟ ନିରାଶ କରିଛି। କେବଳ ମିଳିଛି ପୂର୍ବୋଦୟ ଯୋଜନାର ଉପରଠାଉରିଆ ପ୍ରତିଶ୍ରୁତି ଓ ପର୍ଯ୍ୟଟନ ବିକାଶର ଆଶ୍ୱାସନା।
କେବଳ ଓଡ଼ିଶାବାସୀ କାହିଁକି, ସାରା ଦେଶର କୃଷିଜୀବୀ ଓ ଶ୍ରମଜୀବୀ ଜନସାଧାରଣଙ୍କୁ ମଧ୍ୟ ଏହି ବଜେଟ ନିରାଶ କରିଛି। ଋଣଗ୍ରସ୍ତ ଚାଷୀର ଋଣଭାର ଲାଘବ କରିବା କିମ୍ବା ଫସଲର ଲାଭଜନକ ଦରକୁ ସୁନିଶ୍ଚିତ କରିବା ପାଇଁ ଏହି ବଜେଟରେ ବ୍ୟବସ୍ଥା ନାହିଁ। ଚାଷୀର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଁ ସାର ସମେତ ଅନ୍ୟାନ୍ୟ କୃଷି ଉପକରଣ ଉପରେ ରିହାତି ବଢ଼ାଇବାର କୌଣସି ପ୍ରସ୍ତାବ ବଜେଟରେ ଦେଖିବାକୁ ମିଳେନା।
ଯେତେବେଳେ ଦେଶର ଯୁବକ ଯୁବତୀଙ୍କ ମଧ୍ୟରୁ ଶତକଡ଼ା 83 ଭାଗ ବେକାର ଅଛନ୍ତି ଓ ବେକାରୀ ବୃଦ୍ଧି ହାର 8.1 ଶତାଂଶରେ ପହଁଚିଛି, ସେତେବେଳେ ବେକାର ସମସ୍ୟାର ପ୍ରତିକାରକୁ ଛାଡି ଦିଆଯାଇଛି ଦକ୍ଷତା ବିକାଶ ତାଲିମ ଓ ଆତ୍ମନିଯୁକ୍ତି ପାଇଁ ମାମୁଲି ପରିମାଣର ବ୍ୟାଙ୍କ ଋଣ ଯୋଗାଣ ଉପରେ। କେନ୍ଦ୍ର ସରକାରଙ୍କ ନିଜସ୍ଵ ସ୍ୱୀକାରୋକ୍ତି ଅନୁଯାୟୀ କେନ୍ଦ୍ର ସରକାରୀ ଚାକିରୀରେ ଖାଲିପଡିଥିବା 9 ଲକ୍ଷ 79 ହଜାର ପଦବୀ ପୂରଣ ପାଇଁ ଯଦି ବଜେଟରେ ବ୍ୟବସ୍ଥା କରାଯାଇଥାନ୍ତା, ତାହା ହୁଏତ ଦେଶର ବେକାର ବାହିନୀକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥାନ୍ତା
ବଜେଟରେ ଗରିବ ଲୋକ ତଥା ଚାଷୀ ଓ ଶ୍ରମଜୀବୀଙ୍କ ଆୟ ଓ ରୋଜଗାର ବୃଦ୍ଧି ବଦଳରେ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ପ୍ରତିଷ୍ଠିତ ହୋଇଥିବା ଅନୁଷ୍ଠାନଗୁଡିକର ବାମପାର୍ଶ୍ଵରେ “ପ୍ରଧାନମନ୍ତ୍ରୀ” ଶବ୍ଦଟିକୁ ସଂଯୋଗକରି ଯଶ ଆତ୍ମସାତର ପ୍ରୟାସକୁ ଅଧିକ ଦୃଢ଼ୀଭୂତ କରାଯାଇଛି।
ମୁଦ୍ରାସ୍ଫୀତି ଶତକଡା ଚାରି ଭାଗରେ ସୀମିତ ରହିବ ବୋଲି ବଜେଟରେ ଯେଉଁ ଘୋଷଣା କରାଯାଇଛି, ତାହା ଏକ ଫମ୍ପା ଆବାଜ ବ୍ୟତୀତ ଅନ୍ୟ କିଛି ନୁହେଁ। ଏକ ପକ୍ଷରେ ପେଟ୍ରୋଲ, ଡିଜେଲ ଓ ଖାଦ୍ୟ ସାମଗ୍ରୀ ତଥା ନିତ୍ୟପ୍ରୟୋଜନୀୟ ଜିନିଷପତ୍ରକୁ ମହଙ୍ଗା ରଖି ଏବଂ ଅନ୍ୟପକ୍ଷରେ ସୁନା, ରୂପା କିମ୍ବା ପ୍ଲାଟିନମକୁ ଶସ୍ତା କରି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିବ ବୋଲି କହିବା ଫମ୍ଫା ଆବାଜ ବ୍ୟତୀତ ଅନ୍ୟ କିଛି ନୁହେଁ।
2024-25ର କେନ୍ଦ୍ର ବଜେଟ ହେଉଛି ଅନ୍ତସାର ଶୂନ୍ୟ, ଅଭିବୃଦ୍ଧି ପ୍ରତିକୂଳ, ଜନବିରୋଧୀ ତଥା ଓଡିଶା ବିରୋଧୀ।