Spread the love

ଅସରନ୍ତି ଶ୍ରୀଜଗନ୍ନାଥ ଅନୁରାଗ ଉପାଖ୍ୟାନ

ତିନି ଠାକୁର ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ। କାଲି ଛାଡ଼ି ପହରଦିନ ବାହୁଡ଼ା ଯାତ୍ରା। ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାଦ୍ ଦେଇ ଓଡ଼ିଆ ଆତ୍ମ ପରିଚିତି ବା ଅନନ୍ୟତାର ଅବତାରଣା ଓ ପରିକଳ୍ପନା ଅସମ୍ଭବ। ଅନନ୍ୟତା ଓ ଆତ୍ମ ପରିଚିତିର ଅନ୍ୟ ନାମ ଅସ୍ମିତା ଯାହାର ଅର୍ଥ ଅସ୍ତିତ୍ବ ଠାରୁ କାହିଁ କେତେ ଗୁଣରେ ଏବଂ ପ୍ରକାରେ ଅଲଗା ଆଉ ଅଧିକ।

ଚୁମ୍ବକରେ କହିଲେ ଅସ୍ତିତ୍ବ ଶରୀର ହେଲେ ଅସ୍ମିତା ପ୍ରାଣ, ଆତ୍ମା ଓ ହୃଦୟ। ଓଡ଼ିଆ ଅସ୍ମିତାର ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କୁ ନେଇ ଅନେକ ଐତିହାସିକ ତଥ୍ୟ, ଐତିହ୍ୟ ବଖାଣ, କାହାଣୀ, ଉପାଖ୍ୟାନ, କିଂବଦନ୍ତି ଓ ଲୋକକଥା ଉପଲବ୍‌ଧ ଯେଉଁ ସବୁର ପ୍ରଭାବ ଓଡ଼ିଆ ଜନମାନସକୁ ସର୍ବଦା ଅଭିଭୂତ କରିଥାଏ।

ଅନ୍ୟ ସମୟରେ ଓ ବିଶେଷ କରି ବାର୍ଷିକ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ଭକ୍ତ, ଅନୁରାଗୀ ଓ ଉପାସକ-ଉପାସିକାଙ୍କ କଥା ମଧ୍ୟ ଉଠିଥାଏ। ଭକ୍ତଙ୍କୁ ଦର୍ଶନ ଦେବା ପାଇଁ କାଳିଆ ଠାକୁର ଭାଇ ଓ ଭଉଣୀଙ୍କ ସହ ଶ୍ରୀମନ୍ଦିରରୁ ବାହାରି ରଥରେ ବଡ଼ଦାଣ୍ଡ ହୋଇ ଗୁଣ୍ଡିଚା ମନ୍ଦିର ଯାତ୍ରା କରନ୍ତି। ଶ୍ରୀଜଗନ୍ନାଥ ଚେତନାର ଏକ ବଡ଼ ଦିଗ ହେଲା ଏହା ଖାଲି ଧର୍ମ ଧାରଣାରେ ସୀମିତ ନ ରହି ସଂସ୍କୃତି, ଆଧ୍ୟାତ୍ମିକତା ଓ ଓଡ଼ିଆ ଅସ୍ମିତା କ୍ଷେତ୍ରକୁ ସଂପ୍ରସାରିତ। ଯେବେ ଯେବେ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ କୁହାଯାଏ ସେବେ ସେବେ ତାଙ୍କ ଭକତଙ୍କ ପ୍ରସଙ୍ଗ ଜୈବିକ ସୂତ୍ରରେ ଗୁନ୍ଥି ହୋଇଯାଏ। ସାରଳା ଦାସ ଭଣିଥିଲେ- ”ଜୟ ଜୟ ଜଗନ୍ନାଥ ଜଗତ କାରଣ/ଜୟ ନୀଳଗିରିବାସୀ ଭକତ ଜୀବନ”। ଜଗନ୍ନାଥ ଦାସଙ୍କ ଭାଷାରେ- ”ନମସ୍ତେ ପ୍ରଭୁ ଜଗନ୍ନାଥ। ଅନାଥ ଲୋକଙ୍କର ନାଥ।।/ନମସ୍ତେ ପ୍ରଭୁ ବାସୁଦେବ। ଭକତ ଜନଙ୍କ ବିଶ୍ବାସ।।”। ପୁଣି ସାଲବେଗଙ୍କ ରଚନା ଗାଇଥିଲା- ”ଏକା ତୋ’ ଭକତ ଜୀବନ/ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ।। ଭକତ ତୋ’ ପିତାମାତା ଭକତ ତୋ’ ବନ୍ଧୁ/ଭକତ ହିତରେ ତୋର ନାମ କୃପାସିନ୍ଧୁ।। ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ/ଭକତ ପଛରେ ତୁହି ଥାଉ ସେହି ଭାବେ।।”।

ମାଦଳା ପାଞ୍ଜିର ଅଦ୍ବିତୀୟ ମହତ୍ତ୍ବ ସର୍ବଜନବିଦିତ। ସେଥିରେ ଠାଏ ଉଲ୍ଲେଖ ରହିଛି ନିତେଇ ଧୋବଣୀଙ୍କ ବିଷୟରେ। ନିତେଇ (ନେତେଇ) ଥିଲେ ଜଣେ ସିଦ୍ଧି ଲାଭ କରିଥିବା ତନ୍ତ୍ର ସାଧିକା। ତାଙ୍କ ସହ ଯେତେବେଳେ ଚୋଡ଼ଗଙ୍ଗ ଦେବଙ୍କ ପ୍ରଥମ ସାକ୍ଷାତ ହୋଇଥିଲା, ସେତେବେଳେ ସିଏ ନିଜ ଗୋଡ଼କୁ ଜାଳେଣି ଭାବେ ଚୁଲିରେ ପୂରେଇ ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ। କାଖରେ ଥିଲା ତାଙ୍କ ଶିଶୁ ପିଲା। କୁହାଯାଏ ନିତେଇଙ୍କ ମାର୍ଗଦର୍ଶନ ମିଳିଥିଲା ଚୋଡ଼ଗଙ୍ଗ ଦେବଙ୍କୁ ଓ ଚୋଡ଼ଗଙ୍ଗ ସିଂହାସନ ଆରୋହଣ କରିବେ ବୋଲି ସିଏ ଭବିଷ୍ୟବାଣୀ ଶୁଣେଇଥି‌େଲ। ଆଗରୁ ଲୋକଙ୍କୁ ଡାହାଣୀ ଲାଗୁଥିଲେ ସେମାନଙ୍କୁ କାଉଁରୀ କାମାକ୍ଷାଙ୍କ ଶରଣ ନେବାକୁ ପଡୁଥିଲା। କିନ୍ତୁ ନିତେଇ ପ୍ରମୁଖ ମନ୍ତ୍ରଯନ୍ତ୍ର ଓ ଗୁଣିଗାରେଡ଼ି ବିଦ୍ୟାରେ ଏମିତି ବିଦୁଷୀ ଥିଲେ ଯେ ଲୋକମୁଖରେ ନୂ୍ଆ ଯାଦୁକରୀ ଉଚ୍ଚାରଣ ରୂପ ନେଲା ଏଇଭଳି- ନିତେଇ ମା’ ଧୋବଣୀ/ପିତେଇ ମା’ ସଉରୁଣୀଙ୍କ/କୋଟି କୋଟି ଅଜ୍ଞା।

ଟିକକ ଆଗରୁ ‌େଯଉଁ ଅତି ସଂକ୍ଷିପ୍ତ ବର୍ଣ୍ଣନା ନିତେଇ ଧୋବଣୀଙ୍କୁ ନେଇ କରାଗଲା ସେତିକିରେ ନିତେଇ ଧୋବଣୀ ଉପାଖ୍ୟାନ ସରି ଯାଏନି। ନିତେଇ ଥିଲେ ପରମ ଜଗନ୍ନାଥ ଭକ୍ତ ବା ଉପାସିକା। ଗଙ୍ଗବଂଶର ଚୋଡ଼ଗଙ୍ଗ ଦେବଙ୍କ ପ୍ରତି ତାଙ୍କ ସମର୍ଥନ ବୃଦ୍ଧି ପାଉଥିଲା ବେଳେ ତାଙ୍କର ଜଣେ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିଲେ ‌ଅଘୋର ମାର୍କଣ୍ଡେୟ ଶିବ ଭକ୍ତ ଓ ତାନ୍ତ୍ରିକ ଗୁରୁ ସୂର୍ଯ୍ୟବଂଶ ଅନୁଗତ ଆଚାର୍ଯ୍ୟ ସୋମେଶ୍ବର। ଦୁହିଁଙ୍କ ଭିତରେ କିଏ ବଡ଼ ସ୍ଥିର କରିବା ପାଇଁ ମହାଚଷୁକୁଟା ପରୀକ୍ଷା ଆୟୋଜିତ ହେଲା। ସୋମେଶ୍ବରଙ୍କ ପ୍ରୟା‌ସ ଚଷୁକୁଟାରେ ହିଁ ରହିଗଲା। କିନ୍ତୁ ନିତେଇଙ୍କ ଉଦ୍ୟମ ସଫଳ ହେଲା, ଚଷୁରୁ ବାହାର କରିପାରିଲେ ସିଏ ଚାଉଳ। ତନ୍ତ୍ର ବିଦ୍ୟାରେ ତାଙ୍କ ନୈପୁଣ୍ୟ ଏଭଳି ଥିଲା ଯେ ସିଏ କହିବା ମାତ୍ରକେ କୁଆଡ଼େ ଢିଙ୍କି ଉଡ଼ି ପାରୁଥିଲା! ଚଇତ ମଙ୍ଗଳବାର ଓଷା ଆସିଲେ ତାଙ୍କୁ ସ୍ମରଣ କରାଯାଏ! ବିଶ୍ବାସ କରାଯାଏ, ଏବେ ବି ନିତେଇ ସ୍ବର୍ଗପୁରରେ ଚଇତ ମଙ୍ଗଳବାର ଓଷା କରନ୍ତି! ନିତେଇ ନାମଟି ମଧ୍ୟ ଏକ ‘ସମୂହ ପରମ୍ପରା’ ସହ ଯୋଡ଼ା ଯାହା ଭିନ୍ନ ଭିନ୍ନ ସମୟରେ ଓ ସ୍ଥାନରେ ସାତ ଭଉଣୀ ତଥା ସପ୍ତ ମାତୃକା ନାମ ଧାରଣ କରିଥାଏ! ଅନ୍ୟ ଛ’ ଭଉଣୀ ବା ମା’ ହେଲେ- ଗାଙ୍ଗୀ ଗଉଡୁଣୀ, ଶୁଆ ତେଲୁଣୀ, ଲୁହୁକୁଟି ଲୁହୁରାଣୀ, ଶୁକୁଟୁ ଚମାରୁଣୀ, ଜ୍ଞାନଦେଇ ମାଲୁଣୀ ଓ ପତ୍ରପିନ୍ଧି ଶଉରୁଣୀ। କେତେକ କ୍ଷେତ୍ରରେ ଭୁଆଶୁଣୀ ପୂଜା ଓ ଗ୍ରାମ ଦେବତୀ ଉପାସନାର ନିତେଇ ପରମ୍ପରା ସହ ସାମଞ୍ଜସ୍ୟ ସାବ୍ୟସ୍ତ ହୋଇପାରିଲେ ଆଦୌ ବିସ୍ମିତ ହେବା କଥା ନୁହେଁ। ଭକ୍ତି, ଉପାସନା, ସାଧନା, ଅନୁରାଗ ଓ ବିଦ୍ୟା କ’ଣ କେତେକ ପ୍ରଭୁତ୍ବ ସଂପନ୍ନ ସାମାଜିକ ବର୍ଗର ଏକଚାଟିଆ ଅଧିକାର?

ଅସାଧାରଣ ଗାୟକ, ଗୀତିକାର, ଲେଖକ, ନିର୍ଦ୍ଦେଶକ ଓ କଳାକର୍ମୀ ଅକ୍ଷୟ ମହାନ୍ତିଙ୍କ ଅନ୍ୟ ଅନେକ ଅମର ଅବଦାନ ଭିତରୁ ଦୁଇଟି ପ୍ରମୁଖ ଅବଦାନ ହେଲା ଯା’ ଯା’ରେ ଭାସି ଭାସି ଯା’ ଓ କାଞ୍ଚି ଅଭିଯାନ ଗାୟନ ପରିବେଷଣ। କହିବା ବାହୁଲ୍ୟ କାଞ୍ଚି ଅଭିଯାନ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁଥିରେ ମାଣିକ ଗଉଡୁଣୀଙ୍କ ବାବଦରେ ଅବତାରଣା କରାଯାଇଛି। କାଞ୍ଚି ଅଭିଯାନରେ ନିଜକୁ ସାମିଲ କରିଥିଲେ ଜଗନ୍ନାଥ ଓ ବଳଭଦ୍ର କଳାଘୋଡ଼ା ଏବଂ ଧଳାଘୋଡ଼ା ଚଢ଼ି। କାରଣ ସ୍ପଷ୍ଟ- ସେ ଅଭିଯାନ ଅନ୍ତରାଳେ ରାଜାଙ୍କ ସମ୍ମାନ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା ମହାପ୍ରଭୁଙ୍କ ପ୍ରତି ଅପମାନ ପ୍ରଶ୍ନ। ଦୁଇ ଠାକୁର ବରଦାସ୍ତ କରନ୍ତେ କେମିତି? ଗୋପବନ୍ଧୁ ଲେଖିଥିଲେ- ”ନିଜେ ନିରଞ୍ଜନ ଜଗତ ଈଶ୍ବର/ଧରିଣ ସୈନିକ ନର କଳେବର/ଉତ୍କଳର ଯଶ ପ୍ରତିଷ୍ଠା ରକ୍ଷଣେ/ବିଜେ କଲେ ଘୋର ସମର ପ୍ରାଙ୍ଗଣେ।”ଦିବ୍ୟ ପୁରୁଷଙ୍କ ସୈନିକ ବେଶ ଆଚମ୍ବିତ କଲା ଭଳି ଘଟଣା ନିଶ୍ଚୟ।

ବାଟରେ ଦୁଇ ଭାଇଙ୍କୁ ବହୁତ ଶୋଷ ଲାଗିଲା। ଦହି ବିକୁଥିବା ମାଣିକ ଗଉଡୁଣୀ ଠାରୁ ଦୁହେଁ ଦହି ପିଇଲେ। ପାଖରେ କଉଡ଼ି ନ ଥିବାରୁ ରତ୍ନ ମୁଦି ଦେଇ ଦୁହେଁ ଚାଲିଗଲେ। କହିଲେ ପଛରେ ରାଜା ଆସୁଛନ୍ତି। ସିଏ ପାଊଣା ଦେଇଦେବେ। ମାଣିକ ହାତରେ ଠାକୁରଙ୍କ ସେ ମୁଦି ଦେଖି ବିସ୍ମୟ ବିମୂଢ଼ ହୋଇପଡ଼ିଲେ ରାଜା ଏବଂ ଜାଣିଲେ ମହାପ୍ରଭୁ ତାଙ୍କ ସହ ଅଛନ୍ତି। ସେ ଅଞ୍ଚଳର ନାମ ହୋଇଗଲା ମାଣିକ ପାଟଣା। ”କାଞ୍ଚି ଅଭିଯାନ”ର ଏଇ କେଇପଦ ସମସ୍ତଙ୍କର ଗୋଷ୍ଠୀ ଚୈତନ୍ୟ ଓ ସାଂସ୍କୃତିକ ସ୍ମୃତିର ଅବିଚ୍ଛେଦ୍ୟ ଉପାଦାନ। ସେ ପଦ, ଶବ୍ଦମାନ ହେଲା- ଟପ୍‌ଟପ୍. ଟପ୍‌ଟପ୍ ଘୋଡ଼ା ଚାଲେ, ଘୋ‌ଡ଼ା ଚାଲେ/ଭରା ଦି’ପହର ଖରାବେଳେ, ଖରାବେଳେ। ଏବଂ, ଆ’ରେ ପାଇକ ଆ’/ଆ’ରେ ପାଇକ ଆ’।

ଭକ୍ତକବି ରାମ ଦାସ ବିରଚିତ ‘ବୃହତ୍ ଦାଢ଼୍ୟତା ଭକ୍ତି’ ଓ ଏକାଧିକ ଅନ୍ୟ ସୂତ୍ରରୁ ପରମ ଜଗନ୍ନାଥ ଭକ୍ତ ଦାସିଆ ବାଉରୀଙ୍କ ବାବଦରେ ଜାଣିବାକୁ ମିଳେ। ”ଦାସିଆ ବାଉରୀ ସମ୍ବାଦ” ଶୀର୍ଷକ ସୃଷ୍ଟିରେ ରାମ ଦାସ ବୋଲିଥିଲେ ଏଇଭଳି- ”ଶୁଣ ସୁମନ ମହାରଥା/କହଇ ବିଷ୍ଣୁ ଭକ୍ତି କଥା/କ୍ଷେତ୍ରକୁ ଛାଡ଼ି ବେନି କୋଶ/ବାଲିଗ୍ରାମରେ ତା’ର ବାସ/ଜାତିରେ ଅଟଇ ଖଦାଳ/ ନ ଜାଣେ ପାପ ପୁଣ୍ୟ ଫଳ/ନାମ ତା’ ଦାସିଆ ବାଉରୀ/ଶବର ଜାତି ତୁଲେ ସରି/ନାହିଁ ତା’ ପୁତ୍ର-ପୁତ୍ରୀ ଧନ/ଅତି ଦରିଦ୍ର ତା’ ଜୀବନ/ପତ୍ନୀ ସହିତେ ବେନି ପ୍ରାଣୀ/ଦିନ ବଞ୍ଚନ୍ତି ଲୁଗା ବୁଣି।।” ବାଲିଗଁାର ଦାସିଆ ବାଉରୀ ପୀଠରେ ଭୋଗ ଲାଗେ ଜାଉ ଓ ଶାଗ। ଜାଉ ମଝିରେ ଥିବା ଶାଗ ଖାଇବାକୁ ଗଲାବେଳେ ଦାସିଆଙ୍କୁ ଦିଶିଥିଲା କାଳିଆ ଠାକୁରଙ୍କ ଚକା‌ନୟନ। ସିଏ ଖାଇବା ଛାଡ଼ି ତଲ୍ଲୀନ ଭକ୍ତି ଭାବରେ ନାଚି ଉଠିଥିଲେ। ଗ୍ରାମବାସୀଙ୍କ ହାତରେ ଶ୍ରୀଜଗନ୍ନାଥଙ୍କ ପାଖକୁ ନଡ଼ିଆ ପଠେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭୁଜ ବଢ଼େଇ ସେ ନଡ଼ିଆ ନେଇଥିଲେ। ପ‌େର ଦେଖିବାକୁ ମିଳିଥିଲା ପଡ଼ିରହିଛି। ଖାଲି ଷଢ଼େଇ। ସେ ସମ୍ବନ୍ଧରେ ରାମ ଦାସ ଭଣିଥିଲେ ଦାସିଆଙ୍କ ବଚନ ଏତାଦୃଶ- ”ଏ ମୋ ଶ୍ରୀଫଳ ‌ଗୋଟି ଧରି/ଗରୁଡ଼ ପଛେ ରହି କରି/ବୋଲିବ ବାଲିଗ୍ରାମ ଦାସ/ଦେଇଛି ନିଅ ପୀତବାସ/ସେ ଯେବେ ଶ୍ରୀହସ୍ତ ବଢ଼ାଇ/ତୁମ୍ଭର ହସ୍ତରୁ ଛଡ଼ାଇ/ଘେନିବେ ତେବେ ତାଙ୍କୁ ଦେବ/ନୋହିଲେ ଆଣି ମୋତେ ଦେବ।।” ଆଉଥରେ ଦାସିଆ ପାଚିଲା ଆମ୍ବ ପଠାଇଥିଲେ ଶ୍ରୀମନ୍ଦିର। ରତ୍ନବେଦି ପାଖରେ ଆମ୍ବ ଟାକୁଆ ଓ ଚୋପା ଦେଖି ସଭିଏଁ କାବା ହୋଇଯାଇଥିଲେ ଏବଂ ଦାସିଆଙ୍କ ଜୟ ଜୟକାର କରିଥିଲେ। ଦାସିଆଙ୍କ ଗଁାରୁ ତୁଳସୀ ଯାଏ ପୁରୀ। ସେଇ ଗଁାର ଗୋଠଗାଡ଼ିଆ ପାଣିର ପ୍ରତିବିମ୍ବରେ ରଥଯାତ୍ରା ଦେଖେଇଥିଲେ ଦାସିଆ ନିଜ ପତ୍ନୀଙ୍କୁ। ଯେଉଁ ଜାଗାରେ, ଏକା ମାଧ୍ୟମରେ ମଧ୍ୟ ଏକଦା ପଞ୍ଚସଖା ସମାନ ଦୃଶ୍ୟ ଅବଲୋକନ କରିଥିଲେ ବୋଲି କୁହାଯାଏ। ଦାସିଆ ସୃଷ୍ଟ ଭାଗବତ କଥା ଏବେ ଅଧିକରୁ ଅଧିକ ଜାଣିବାକୁ ମିଳୁଛି। ଯାହା ଆଗକୁ ନିଶ୍ଚୟ ଚମତ୍କାର ତୁଳନାତ୍ମକ ଅଧ୍ୟୟନରେ ସହାୟକ ହେବ।

ଅମୂଲ୍ୟ ଓ ଅସରନ୍ତି ଶ୍ରୀଜଗନ୍ନାଥ ଅନୁରାଗ ଉପାଖ୍ୟାନ ଭିତରୁ ନିତେଇ ଧୋବଣୀ, ମାଣିକ ଗଉଡୁଣୀ ଓ ଦାସିଆ ବାଉରୀ ଦୃଷ୍ଟାନ୍ତ ସୂଚକ ମାତ୍ର। ସାଲବେଗ ଓ ବନ୍ଧୁ ମହାନ୍ତିଙ୍କ ବିଷୟ ଏବଂ ଅନ୍ୟ ଅନେକ ପ୍ରସଂଗ ଭିନ୍ନ ଅବସରରେ ଆଲୋଚନା କରିବା ଉଚିତ ହେବ। ଏ ସବୁ ଓ ଆହୁରି କେତେ ଉପାଖ୍ୟାନ ଆଧାରିତ ଅସ୍ମିତା ବିମର୍ଶ ଇଙ୍ଗିତ ଦିଏ ଅନେକ କିଛି ଜଗତର ନାଥଙ୍କ ଉଦାରତା ଓ ମହାନୁଭବତା ସମ୍ବନ୍ଧରେ ଯାହାକି ଆମ ଅସ୍ମିତାକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିଚାଲିଛି। ଜଗନ୍ନାଥଙ୍କର ଜୟ ହେଉ। ଜଗନ୍ନାଥ ଭକ୍ତିର ଜୟ ହେଉ। ଜଗନ୍ନାଥଙ୍କର ଓ ଜଗନ୍ନାଥ ଭକ୍ତିର ଜୟ ମାନେ ଓଡ଼ିଶା, ଭାରତବର୍ଷ ଓ ବିଶ୍ବର ମଙ୍ଗଳ।

Related Post

Leave a Reply

Your email address will not be published. Required fields are marked *