Spread the love

ପତିତପାବନ ବାନା ଆଉ କେତେବେଳକୁ

ମୋଗଲ ରାଜତ୍ୱର ସମୟ l ଉତ୍କଳର ରାଜା ଥାନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକନିଷ୍ଠ ଭକ୍ତ, ଗଜପତି ଦ୍ଵିତୀୟ ରାମଚନ୍ଦ୍ରଦେବ l ସେହି ସମୟରେ କଟକ ଠାରେ ଅବସ୍ଥାପିତ ଥାନ୍ତି ମୋଗଲ ସୁବାଦାର ତକି ଖାଆଁ l ଦିନେ ତକିଖାଁର ଶ୍ୟେନ ଦୃଷ୍ଟି ପଡ଼ିଲା ହିନ୍ଦୁ ଜଗତର ମଉଡ଼ମଣି ଶ୍ରୀଜଗନ୍ନାଥ ଆଉ ଶ୍ରୀମନ୍ଦିର ଉପରେ l ସେ ମନେ ମନେ ସ୍ଥିରକଲା, ଉତ୍କଳୀୟ ବିଶ୍ୱାସର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ମାଟିରେ ମିଶାଇ ଦେଇ, ଏ ସାମ୍ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେବି l ଏମିତି ବିଚାର କରି ଦିନେ ତକି ଖାଁ ଆକ୍ରମଣ କରିଦେଲା ଶ୍ରୀମନ୍ଦିର ଉପରେ l
ଜଗନ୍ନାଥଙ୍କୁ ସୁରକ୍ଷିତ ରଖିବାପାଇଁ ରାଜା ରାମଚନ୍ଦ୍ର ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଲେ l କିନ୍ତୁ ତାଙ୍କର ଶକ୍ତି ନଥିଲା କ୍ରୂର ଯବନ ସେନାଙ୍କୁ ପ୍ରତିହତ କରିବାକୁ l ଫଳରେ ମରି ଶୋଇଲେ ଶହ ଶହ ପ୍ରଜା, ପାଇକ, ଭକ୍ତ ଓ ସେବାୟତ l
ରାମଚନ୍ଦ୍ର ଦେବ ଦେଖିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଉ ସୁରକ୍ଷିତ ନୁହଁନ୍ତି l କୌଶଳକରି ମହାପ୍ରଭୁଙ୍କୁ ଚିଲିକା ମଧ୍ୟ ଦେଇ ଅପସାରଣ କରା ଗଲା ଶରଣ ଶ୍ରୀକ୍ଷେତ୍ର ଆଠଗଡ଼ ରାଜ୍ୟର ମାରଦାକୁ l ଜଗତର ଆଶ୍ରୟଦାତା ମହାପ୍ରଭୁ ନିଜେ ଆଶ୍ରୟ ହୀନ ହୋଇ ରହିଲେ ଯାଇ କେଉଁ ବଣପାହାଡ଼ ଘେରା ଅପନ୍ତରା ରାଇଜରେ l ଗଜପତି ରାଜା ରାମଚନ୍ଦ୍ର ଦେବ ଲୁହା ପିଞ୍ଜରାରେ ଆବଦ୍ଧ ହୋଇ ଯାଇ ବନ୍ଦୀରେ ରହିଲେ ବାରବାଟି ଦୁର୍ଗ ମଧ୍ୟରେ l
ମହାପ୍ରଭୁଙ୍କ କି ବିଚିତ୍ରଲୀଳା l ବାରବାଟୀରେ ବନ୍ଦୀ ଥିବାବେଳେ ଦିନେ ରାଜା ରାମଚନ୍ଦ୍ର ଦେବଙ୍କ ଭେଟ ହେଲା ତକି ଖାଁର ସୁନ୍ଦରୀ ଭଉଣୀ ରିଜିଆଙ୍କ ସହ l କ୍ରମେ ଏହା ପରିଣତ ହେଲା ପ୍ରେମ ଓ ଵିଵାହରେ l ଉତ୍କଳର ଠାକୁରରାଜା ମୁସଲମାନ ଲଳନା ବିବାହ କରି ହେଲେ ବିଧର୍ମୀ l ଉତ୍କଳର ଇତିହାସ ସବୁଦିନ ପାଇଁ ଏକ ଭିନ୍ନମୋଡ଼ ନେଲା l ତକି ଖାଁ ଭଉଣୀକୁ ଖୁସି କରାଇବା ପାଇଁ ରାମଚନ୍ଦ୍ର ଦେବଙ୍କ ସହ ଏକ ଚୁକ୍ତି କଲା, “ତୁମେ ମୋ ଭଉଣୀ ରିଜିଆକୁ ବିବାହ କରିବ ତ ମୁଁ ତୁମକୁ ଏହି ବଦ୍ଧ ପଞ୍ଜୁରାରୁ ମୁକ୍ତ କରି ଦେବି l ତୁମେ ପୁନଃ ସ୍ଵାଧୀନ ଭାବେ ଜୀବନ କାଟି ଖୋର୍ଦ୍ଧା ରାଜବାଟିରେ ରାଜତ୍ଵ କରିବ” l
ରାମଚନ୍ଦ୍ରଦେବ ଚିନ୍ତାରେ ପଡ଼ିଲେ l କଅଣ କରିବେ କିଛି ସ୍ଥିର କରି ପାରିଲେନାହିଁ l ଶେଷରେ ସେ ସ୍ଥିର କଲେ, “ହେଉ, ମୁଁ ରିଜିଆକୁ ଵିଵାହ କରିବି l କିନ୍ତୁ ଜଗନ୍ନାଥ ସୁରକ୍ଷିତ ରହିବେ ତ”! ଏଇତ ସୁଯୋଗ ସେ ତକିଖାଁ ସହ ଏକ ସର୍ତ୍ତ କରିନେଲେ, ହଉ ତୁମ ଭଉଣୀଙ୍କୁ ମୁଁ ଵିଵାହ କରୁଛି l ତୁମେ ଆଉ କେବେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଏଣିକି କରିବ ନାହିଁ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷିତ ରଖିବ l
ତକିଖାଁ ଦେଖିଲା ଉତ୍କଳର ରାଜା ମୋର ଭିଣୋଇ ହେବେ l ଯବନୀ କନ୍ୟାର ପାଣି ଗ୍ରହଣ କରି ଧର୍ମ ଛଡ଼ା ହେବେ l ଏହାଠାରୁ ବଡ଼ କଥା, ଆଉ କଅଣ ଥାଇପାରେ, ସେ ରାଜି ହୋଇଗଲା l ଶ୍ରୀଜଗନ୍ନାଥ ସୁରକ୍ଷିତ ରହିଲେ l ରାଜା ରାମଚନ୍ଦ୍ରଦେବ ଯବନୀ ରିଜିଆର ପାଣି ଗ୍ରହଣ କରି ଇସଲାମ ଧର୍ମ ଗ୍ରହଣ କଲେ ଓ କଲମାପଢ଼ି ହାଫିଜ୍‌ କାଦର୍‌ ୟାର ଜଙ୍ଗ ନାମରେ ନାମିତ ହୋଇ, ବନ୍ଦୀ ମୁକ୍ତ ହେଲେ ଏବଂ ଖୋର୍ଦ୍ଧା ରାଜ ନଅରକୁ ଫେରି ଆସିଲେ |
ଯବନକନ୍ୟାକୁ ବିବାହ କରିଛନ୍ତି ରାମଚନ୍ଦ୍ର ଦେବ l ଏ ସମ୍ବାଦ ବିଦ୍ୟୁତ୍ ବେଗରେ ଉତ୍କଳରେ ପ୍ରଚାରିତ ହୋଇଗଲା l ଉତ୍କଳର ଠାକୁର ରାଜା, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଲୋକ ଯାହାଙ୍କୁ ଚଳନ୍ତିବିଷ୍ଣୁ ବୋଲି ମାନନ୍ତି ସେ ଏପରି ଧର୍ମଭ୍ରଷ୍ଟ ହୋଇ ପତିତ ହେବେ ଏହାକୁ ମୁକ୍ତି ମଣ୍ଡପର ପଣ୍ଡିତ ମାନେ ଗ୍ରହଣ କଲେ ନାହିଁ l ରାମଚନ୍ଦ୍ର ଦେବ ଜାତିଛଡ଼ା ଧର୍ମଛଡ଼ା ହୋଇ ହରାଇ ବସିଲେ ଶ୍ରୀମନ୍ଦିର ପ୍ରବେଶ ଅଧିକାର ଏବଂ ମହାପ୍ରଭୁଙ୍କ ସମସ୍ତ ସେବାର ଅଧିକାର l
ରାଜା ଧର୍ମାନ୍ତରିତ ଏକଥା ଶୁଣି ପାଟରାଣୀ ଲଳିତା ମହାଦେଈ, ପୁତ୍ର ଜେନାମଣି ଭାଗୀରଥ କୁମାରଙ୍କୁ ସଙ୍ଗରେ ଘେନି ପିତ୍ରାଳୟ ଚାଲିଗଲେ l ଅନ୍ୟ ଦୁଇ ରାଣୀ ମଧ୍ଯ ସେମାନଙ୍କ ପୁତ୍ରମାନଙ୍କୁ ଧରି ନିଜ ନିଜ ପିତ୍ରାଳୟକୁ ପଳାଇଗଲେ l ରାଜା ରାମଚନ୍ଦ୍ର ଦେବ ବନ୍ଧୁବାନ୍ଧବ ସମସ୍ତଙ୍କ ଦ୍ଵାରା ପରିତ୍ୟକ୍ତ ହୋଇ ଏକ ଯନ୍ତ୍ରଣାମୟ ଜୀବନ ଅତିବାହିତ କଲେ l ରିଜିଆକୁ ବିବାହକରି ମଧ୍ଯ ରାଜା ତାକୁ ଖୋର୍ଦ୍ଧା ରାଜବାଟୀକୁ ଆଣିପାରି ନଥିଲେ l ତକିଖାଁର ନିର୍ଦ୍ଦେଶ ଅନୁଯାୟୀ ସେ ତାଙ୍କୁ ସପ୍ତାହରେ ଥରେ ଯାଇ ଲାଲ ବାଗ ଦୁର୍ଗ ମଧ୍ୟରେ ଭେଟୁଥିଲେ l
ଶ୍ରୀମନ୍ଦିର ଉପରେ ଆକ୍ରମଣର ଭୟ ଦୂର ହେବାରୁ
ଠାକୁରମାନେ ପୁଣି ଫେରିଆସିଲେ ରତ୍ନବେଦୀକୁ l
ମହାପ୍ରଭୂଙ୍କ ସୁରକ୍ଷା ପାଇଁ ସିନା ତାଙ୍କ ପରମ ଭକ୍ତ ରାଜା ଧର୍ମଛଡ଼ା ହେଲେ l ସେ ଭୁଲି ପାରୁ ନଥିଲେ କିନ୍ତୁ ମହାପ୍ରଭୁଙ୍କ ସହ ତାଙ୍କର ଭାବକୁ, ସମ୍ପର୍କକୁ l ପ୍ରତିଦିନ ନିଶାର୍ଦ୍ଧରେ ରାମଚନ୍ଦ୍ର ଦେବ ଅଶ୍ଵ ଛୁଟାଇ ଦେଉଥିଲେ ଖୋର୍ଦ୍ଧାରୁ ପୁରୀକୁ ଏବଂ ପହଞ୍ଛୁ ଥିଲେ ସିଂହଦ୍ଵାର ନିକଟରେ, କେବଳ ରୁଦ୍ଧ ସିଂହ ଦ୍ଵାରକୁ ଚାହିଁ ଆଖିରୁ ଲୋତକ ଝରାଇବା ପାଇଁ l ମହାପ୍ରଭୁ ତ ତାଙ୍କୁ ମନା ହେଲେ, ଆଉ କଅଣ କରନ୍ତେ ସିଏ ନୀଳଚକ୍ରରେ ଉଡୁଥିବା ନେତକୁ ମୁଣ୍ଡିଆଟିଏ ମାରି ଫେରି ଆସନ୍ତି ଖୋର୍ଦ୍ଧା ରାଜ ନଅରକୁ l
ସବୁଦିନ ପରି ସେଦିନ ମଧ୍ଯ ରାଜା ରାମଚନ୍ଦ୍ର ଦେବ ସିଂହଦ୍ଵାର ଅରୁଣ ସ୍ତମ୍ଭ ନିକଟରେ ପହଁଚିଲେ l ଦୁଇ ହାତ ଉର୍ଦ୍ଧ୍ବକୁ ତୋଳି କହିଲେ, ପ୍ରଭୁ ଆପଣ କଅଣ ମୋ ମନର ଭାବକୁ ବୁଝି ପାରିଲେ ନାହିଁ l କେଉଁଥି ପାଇଁ ମୁଁ ଆଜି ପତିତ l କେଉଁଥି ପାଇଁ ମୁଁ ଆପଣଙ୍କ ଦର୍ଶନରୁ ଆଜି ବଞ୍ଚିତ l ମୁଁ ଯବନ ନ ହୋଇ ଥିଲେ ଆପଣେ କଣ ଆଜି ରତ୍ନସିଂହାସନରେ ସ୍ଥିର ଭାବେ ବସିପାରି ଥାଆନ୍ତ ! ମୁଁ ପଛେ ପତିତହୁଏ ଆପଣଙ୍କ ମାନରହିଥାଉ ମହାପ୍ରଭୁ ଆପଣଙ୍କ ମାନରହିଥାଉ l ରାମଚନ୍ଦ୍ର ଦେବ କ୍ରନ୍ଦନ କରିବାକୁ ଲାଗିଲେ l
ଭକ୍ତର କୋହଭରା କ୍ରନ୍ଦନରେ ଭକ୍ତଭାବଗ୍ରାହୀ ଥୟ ଧରି ବସି ପାରିଲେ ନାହିଁ ସିଂହାସନରେ l ମହାପ୍ରଭୁ ରତ୍ନ ସିଂହାସନ ତ୍ୟାଗକରି ଚାଲିଆସିଲେ ପାଖକୁ l ରାମଚନ୍ଦ୍ର ଦେବ ଚକ୍ଷୁପୁରାଇ ପ୍ରଭୁଙ୍କୁ ଦର୍ଶନକଲେ l ପ୍ରଭୁଙ୍କ ଦର୍ଶନରେ ସେଦିନ ପରମ ତୃପ୍ତି ଲାଭ କରି ରାଜା ଫେରି ଆସିଥିଲେ ରାଜବାଟିକୁ l
ସକାଳ ହେଲା l ଶ୍ରୀମନ୍ଦିରର ମୁଦ ଖୋଲା ହେଲା l ସେବକମାନେ ମଣିମା ମଣିମା ଡାକଦେଇ ଭିତରେ
ପ୍ରବେଶ କରି ଦେଖନ୍ତି ତ, ଜୟ ବିଜୟ ଦ୍ଵାର ଠାରୁ ଅଙ୍ଗଲଗା ଦୟଣା ଫୁଲ ସବୁ ଏଣେତେଣେ ବିଛାଡି ହୋଇ ପଡ଼ିଛି l କଅଣ ହେଲା କଅଣହେଲା ବୋଲି ଚହଳ ପଡ଼ିଗଲା ଶ୍ରୀକ୍ଷେତ୍ରରେ l
ସେବକ ମାନେ ଗମ୍ଭୀରା ଭିତରେ ପ୍ରବେଶ କଲେ l ଏ କଅଣ ସେମାନେ ଦେଖୁଛନ୍ତି ! ଶେଯରୁ ଶ୍ରୀମୁଣ୍ଡ ମୁଚୁଳା, ଲୁଗାପଟା ସବୁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି l ଠାକୁରଙ୍କ ପରିଧାନ ଏଣେ ତେଣେ ପଡ଼ିଛି l ଏପରି କଲା କିଏ ? ଏପରି ପ୍ରତିଦିନ ଘଟି ଚାଲିଲା l ପ୍ରତିଦିନ ରାତିରେ ମହାପ୍ରଭୁ ଦାଣ୍ଡକୁ ଆସନ୍ତି ରାଜା ରାମ ଚନ୍ଦ୍ର ଦେବଙ୍କୁ ଦର୍ଶନ ଦେବା ପାଇଁ l ପ୍ରତିଦିନ ଏପରି ଅଘଟଣ ଘଟିଲା l କାରଣ ଜାଣିବାକୁ ଦିନେ ସାନ ପରିଚ୍ଛା କାଷ୍ଠା ଊପାସ କରି ଅଧିଆ ପଡ଼ିଲେ l ରାତି ଅଧ ହେବ l ମହାପ୍ରଭୁ ସ୍ବପ୍ନରେ ଦେଖା ଦେଇ ସାନ ପରିଚ୍ଛାଙ୍କୁ କହିଲେ,”ମୋର ପରମଭକ୍ତ ରାଜା ରାମଚନ୍ଦ୍ର ଦେବଙ୍କୁ, ତୁମେ ମାନେ ମନ୍ଦିରକୁ ଛାଡ଼ିଲ ନାହିଁ l ମୋ ଦର୍ଶନରୁ ରାଜାଙ୍କୁ ବଞ୍ଚିତ କଲ l ତାଙ୍କୁ ଦର୍ଶନ ଦେବାପାଇଁ ପ୍ରତିଦିନ ମୋତେ ସିଂହ ଦ୍ଵାରକୁ ଯିବାକୁ ପଡ଼ୁଛି l ଆଜି ଠୁଁ ମୁଁ ସିଂହଦ୍ୱାର ଗୁମୁଟରେ ଅବସ୍ଥାନ କରିବି ଯେପରି ରାଜା ରାମଚନ୍ଦ୍ର ମୋତେ ପ୍ରତିଦିନ ଦର୍ଶନ କରି ପାରିବ” l
ସକାଳ ହେବା ମାତ୍ରେ, ସାନ ପରିଚ୍ଛା ଗତ ରାତ୍ରୀର ସ୍ଵପ୍ନାଦେଶ ମୁକ୍ତିମଣ୍ତପ ପଣ୍ତିତ ସଭାକୁ ଜଣାଇଲେ |
ପଣ୍ଡିତସଭାର ମନୋଭାବ ବଦଳିଲା l ମହାପ୍ରଭୁଙ୍କ ପରମ ଭକ୍ତ ଯେ ରାଜା ରାମଚନ୍ଦ୍ରଦେବ ଏହା ଆଉ କାହାକୁ ଅଜଣା ରହିଲା ନାହିଁ l ଗଜପତି ରାମଚନ୍ଦ୍ର ଦେବଙ୍କ ପାଇଁ ପ୍ରତିଷ୍ଠାହେଲା ସିଂହଦ୍ୱାର ଗୁମୁଟରେ ପ୍ରଭୁ ପତିତପାବନଙ୍କ ବିଗ୍ରହ l ଶ୍ରଦ୍ଧାଳୁ ମାନେ ଆଜି ଶ୍ରୀମନ୍ଦିର ପ୍ରବେଶ ପୁର୍ବରୁ ସର୍ବ ପ୍ରଥମେ, ମହାପ୍ରଭୁ ପତି ତପାବନଙ୍କ ଦର୍ଶନ କରିଥାନ୍ତି ଏବଂ ଉର୍ଦ୍ଧ୍ବବାହୁ ହୋଇ ଭାବବିହ୍ବଳ ଚିତ୍ତରେ ଗାଇଥାନ୍ତି:-
ପତିତପାବନ ବାନା ଆଉ କେତବେଳକୁ l
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ll
!!! ଜୟ ପ୍ରଭୁ ପତିତପାବନ !!!

Leave a Reply

Your email address will not be published. Required fields are marked *