ରହସ୍ୟ
ସୃଷ୍ଟି ସ୍ବୟଂ ଏକ ରହସ୍ୟ। ସେହି ରହସ୍ୟର ଅନ୍ତରାଳରେ ଅନ୍ୟ ଏକ ରହସ୍ୟ ଏପରି ଭାବରେ ଲୁକ୍କାୟିତ ହୋଇ ରହିଛି ତାହା ସୃଷ୍ଟି ପାଇଁ ଅଧିକ ରହସ୍ୟମୟ ହୋଇଉଠେ।ତାହା ସେହି, ଯିଏ ସେହି ସୃଷ୍ଟିର ସ୍ରଷ୍ଟା ଭାଵରେ ଲୋକ ମୁଖରେ ମୁଖରିତ ହୋଇ ଅଲୌକିକତାର ପରିସରକୁ ଟାଣିନିଏ ସୃଷ୍ଟିକୁ। ତଥାପି ତାର ଅନ୍ତ ନାହିଁ।ନା ସେ କେବେ ଆତ୍ମପ୍ରକାଶ କରେ ସର୍ବ ସମ୍ମୁଖରେ ନା ସ୍ବୟଂ ପ୍ରତିଭାତ ହୋଇ ନିଜର ଦାବୀ ରଖେ ସ୍ରଷ୍ଟା ଭାବରେ।ତାରି ପରିଚୟରେ ପରିଚିତ ହେବାର ଅଭିପ୍ସାନେଇ ସୃଷ୍ଟି କେଉଁ ଅନାଦି କାଳରୁ ତାର ଅନୁସନ୍ଧାନ କରି ଚାଲିଛି ତାର ମଧ୍ୟ କୌଣସି ହିସାବ କେହି ରଖିନି।ଏକକ ଏବଂ ସାମୁହିକ ଭାବରେ ସେହି ରହସ୍ୟର ଉନ୍ମୋଚନ କରିବାର ପ୍ରକ୍ରୀୟା କିଛି ଅଗ୍ରସର ହେବାପରେ କାହିଁକି କେଜାଣି ସେଇଠି ଅଟକିଯାଏ,ଯାହାର ଗୋଲକଧନ୍ଦାରେ ଅନିସନ୍ଧିତ୍ସୁ ଜୀବଟି ତାର ସୀମିତ ପ୍ରଜ୍ଞାରେ ସ୍ବୟଂ ଛନ୍ଦି ହୋଇପଡେ କେଉଁ ଅଜଣା ଅଲୌକିକତାର ଐନ୍ଦ୍ରଜାଲିକ ପ୍ରକ୍ରୀୟା ମଧ୍ୟରେ। ରହସ୍ୟ ମଧ୍ୟରେ ରହସ୍ୟମାନଙ୍କ ସମ୍ମିଳିତ ତତ୍ତ୍ବକୁ ତାତ୍ତ୍ବିକ ଦୃଷ୍ଟିକୋଣରୁ ହେଉ ବା ଭୌତିକ ଦୃଷ୍ଟିକୋଣରୁ ହେଉ ସବୁଥିରେ ମାୟାର ମହତ୍ତ୍ଵ ଉପଲବ୍ଧି କରେ ଜଣେ ଅନୁସନ୍ଧିତ୍ସୁ ଜିଜ୍ଞାସୁ ଜୀଵ।ସେ ହୋଇପାରେ ବିଶ୍ବର ସର୍ବଶ୍ରେଷ୍ଠ ମାନବ ବା ମାୟା ପୃଥିଵୀର କେଉଁ ରହସ୍ୟମୟ ଆଲିୟାନ୍ ଯାହା ପଛରେ ପୃଥିବୀର ଅନେକ କିଛି ଗବେଷଣାଧର୍ମି ବିଜ୍ଞାନୀଙ୍କର ସମ୍ମିଳିତ ପ୍ରଚେଷ୍ଟା ଏବେ ମଧ୍ୟ ଲାଗି ରହିଛି ତାର ଅସ୍ତିତ୍ବ ଜାଣିବାର ଆଗ୍ରହକୁ ନେଇ।
ରହସ୍ୟର ରହସ୍ୟ ଉନ୍ମୋଚନ ପାଇଁ ଆଧ୍ୟାତ୍ମବାଦ ଏବଂ ବସ୍ତୁବାଦ ମଧ୍ୟରେ ଆବାହମାନ କାଳରୁ ଏକ ବୌଦ୍ଧିକ ଦ୍ଵନ୍ଦ ଲାଗି ରହିଥିବା ବେଳେ ବିଜ୍ଞାନ ଏବଂ ଯୁକ୍ତିବାଦ ଆଧୁନିକ ଚେତନାରେ ଭିନ୍ନ ମାର୍ଗ ଉନ୍ମୋଚନ କରିବା ଅନ୍ୟ କିଛି ରହସ୍ୟରେ ସମାହିତ ହୋଇଥାଏ।ଜଡରୁ ଜୀବନ ଯେପରି ଅଲୌକିକତାର ପ୍ରଦର୍ଶନ କରିଥାଏ ଜୀବନରୁ ଜଡତା ମଧ୍ୟ ତତୋଧିକ ରହସ୍ୟରେ ବସ୍ତୁବାଦକୁ ପରାହତ କରି ଆଧ୍ୟାତ୍ମିକତାକୁ ଚେତନଶୀଳ କରିଦିଏ। ଏହା କୌଣସି ବୌଦ୍ଧିକ ବିଜ୍ଞାନର ପରିସରରେ ଗବେଷଣାକୁ ବିଭ୍ରାନ୍ତ କରିବା ବିଚିତ୍ର ମନେ ହୁଏନା। ପୁଣି ସମସ୍ତ ଆଧ୍ୟାତ୍ମିକତାର ଗବେଷଣାତ୍ମକ ତଥ୍ୟ କୌଣସି ଗାଣିତିକ ସିଦ୍ଧାନ୍ତରେ ସର୍ବ ସମକ୍ଷକୁ ଆଣିବା ବସ୍ତୁବାଦୀ କିମ୍ବା ବିଜ୍ଞାନ ପାଇଁ ଏକ ବିଫଳତା କିମ୍ବା ଅସମ୍ଭବ ପ୍ରଚେଷ୍ଟା ଏହି ସ୍ପଷ୍ଟ ବାର୍ତ୍ତା ଅନ୍ୟ ଏକ ରହସ୍ୟ ଏଥିରେ ସନ୍ଦେହ ନାହିଁ।
ଅଡ଼ୁଆ ସୂତାର ଖିଅଟିଏ ପାଇଗଲେ ଯେ ତାର ଶେଷର ସନ୍ଧାନ ସରଳ ହୋଇ ଉଠିବ ତାହା ହୁଏତଃ ଆଶାର ଅପମୃତ୍ୟୁ ପାଇଁ ଗୋଟିଏ ପରେ ଅନ୍ୟ ଗୋଟିଏ ଦ୍ବାର ଉନ୍ମୁକ୍ତ କରିଦିଏ।ପୁଣି ଅପମୃତ୍ୟୁର ଅନ୍ତିମ ପର୍ଯ୍ୟାୟରେ ସେହି ଆଶାର ନୂତନ ଆଲୋକ ଅନ୍ୟ ଏକ ଆଶାର ସୃଷ୍ଟି ସଞ୍ଚାର କରି ଭିନ୍ନ ଏକ ପରିବେଶକୁ ଜନ୍ମଦିଏ।ସହସ୍ରମୁଖି ସୂତାର ଗୋଟିଏ ଖିଅ ଅନିସନ୍ଧିତ୍ସୁ ପାଇଁ କିଛି ଅର୍ଥ ରଖେ ନାହିଁ ବରଂ ଅନିସନ୍ଧିତ୍ସୁଟି ସେହି ଅଡୁଆ ସୂତାରେ ସ୍ବୟଂ ଛନ୍ଦି ହୋଇପଡେ, ଯେଉଁଥିରୁ ସେ ନିଜେ ମୁକୁଳି ପାରେନାହିଁ କିମ୍ବା ନିଜେ ସେଥିରେ ଛନ୍ଦିହୋଇ ପଡିବାର ତ୍ରୁଟିକୁ ସୁଧାରିବା ମଧ୍ୟ ଅନେକ ସମୟରେ ଅସମ୍ଭବ ହୋଇପଡେ ତାହା ତାକୁ ଜଣାପଡ଼େ ନାହିଁ।ଶରୀର ଶବରେ ପରିଣତ ହେବାପରେ ପୋଷ୍ଟମର୍ଟମ ନା ତାକୁ ଜୀବନ୍ୟାସ ଦେବାରେ ସକ୍ଷମ ହୁଏ ନା ମୃତ୍ୟୁ ପଛର ପ୍ରକୃତିକ ପ୍ରକ୍ରୀୟାର ପଥ ରୋଧ କରିବାରେ ସମର୍ଥ ହୁଏ। ମାତ୍ର କିଞ୍ଚିତ ତଥ୍ୟ ଯାହା ପ୍ରକାଶକରି ଆତ୍ମସନ୍ତୋଷ ଲାଭ କରିବା ବ୍ୟତୀତ ତଥ୍ୟ ଉପସ୍ଥାପନାରେ ଥିବା ରହସ୍ୟର ସୂକ୍ଷ୍ମ ଅନୁଶୀଳନକୁ ବ୍ୟାଖ୍ୟା କରିବାର ବିଫଳତାରୁ ସ୍ବୟଂ ମୁକ୍ତ ହୋଇପାରେ।
ଜୀବନ ଏକ ଗଭୀର ରହସ୍ୟମୟ ଅନୁଶୀଳନର ଉପାଦାନ। ଯେଉଁ ଜୀବନ ଆଧ୍ୟାତ୍ମିକ, ଭୌତିକ ବାଦର ସମ୍ମିଶ୍ରଣରେ ବା ବ୍ୟତୀରେକ ଏକ ନୂତନ ମଦବାଦର ଅଭ୍ୟୁଦୟ ହୋଇ ଉଭୟଙ୍କ ମଧ୍ୟରେ ବିବାଦ କିମ୍ବା ବିବାଦର ସମାଧାନର ସୂତ୍ରପାତ କରିଥାଏ ତାହା ହେଉଛି ଯୁକ୍ତିବାଦ। ସେହି ଯୁକ୍ତିବାଦର ବିଶେଷତ୍ତ୍ୱ ହେଉଛି ସତ୍ୟର ଅନୁସନ୍ଧାନ ଏବଂ ତାର ପ୍ରୟୋଗ ବିଧିରେ ଆଦର୍ଶଗତ ତଥ୍ୟର ଉପସ୍ଥାପନା । ଯେଉଁ ଯୁକ୍ତି ଯେତେ ଶାଣିତ ତାହା ସେତେ ପ୍ରତିଷ୍ଠିତ। ସୂକ୍ଷ୍ମ ଓ ସ୍ଥୁଳ ଚେତନାର ସମୁଚିତ ଉପସ୍ଥାପନା ବୌଦ୍ଧିକ ଯୁକ୍ତିକୁ ଅଧିକ ଗ୍ରହଣୀୟ କରିଥାଏ ଯାହା ବିଜ୍ଞାନ ଓ ଦର୍ଶନର ସାମୁହିକ ପ୍ରକ୍ରୀୟାରେ ରହସ୍ୟର ଉନ୍ମୋଚନ କରିବା କିଛିଟା ସହଜ ମନେହୁଏ ସତ୍ୟ ମାତ୍ର ତାହା ମଧ୍ୟ ସ୍ବୟଂସଂପୂର୍ଣ୍ଣ ହୋଇ ପାରେନାହିଁ।ପ୍ରକଛତିର ପରିବର୍ତ୍ତନୀୟ ପଦ୍ଧତିରେ ରହସ୍ୟହିଁ ମୁଖ୍ୟ ସଞ୍ଚାଳକର ଦାୟିତ୍ବ ବହନ କରିଥାଏ।ତାହା ପ୍ରକୃତିକୁ ଯେତିକି ସରଳ ପଥରେ ପରିଚାଳିତ କରେ ତତୋଧିକ ଜଟିଳ ତତ୍ତ୍ଵର ଆଧାରରେ ମାୟାମୟ କରି ଗଢିତୋଳେ। ବାସ୍ତବ କ୍ଷେତ୍ରରେ ସୂକ୍ଷ୍ମ ଅନ୍ବେଷଣର ଚେତନା ଭିନ୍ନତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ଭିନ୍ନତାର ସୂତ୍ରପାତ କରି ଗଢିତୋଳେ। ଆଖି ଯାହା ଦେଖେ,ଶରୀର ଯାହା ଅନୁଭବ କରେ,ଭାବନା ଯାହା ଭାବେ ତାହା କ୍ଷଣକରେ ପରିବର୍ତ୍ତନ ହୋଇ ସେ ସବୁର ଅନ୍ତରାଳରେ ହୁଏତଃ ସେ ସବୁର ଭିନ୍ନ ଚିତ୍ର ପ୍ରକୃତିରେ ପ୍ରତିଭାତ ହୋଇଥାଏ ଯାହାର ପୃଷ୍ଠଭାଗରେ ଏକ ରହସ୍ୟ ଲୁକ୍କାୟିତ ହୋଇ ରହିଥାଏ ଏବଂ ତାହା ସୃଷ୍ଟିର ସମସ୍ତ ଦୃଷ୍ଟିକୁ ଏଡାଇ ଦେବାରେ ସମର୍ଥ ହୋଇଥାଏ।ଏହା ସେହି ରହସ୍ୟ ମଧ୍ୟରେ ମାୟାର ଉପସ୍ଥିତିକୁ ସ୍ପଷ୍ଟ କରୁଥିଲେ ମଧ୍ୟ ପ୍ରାମାଣିକ ତଥ୍ୟର ଅଭାବରେ ସଂଗୁପ୍ତ ସଂଯୋଗରେ କ୍ରୀୟାଶୀଳ ହୋଇଥାଏ। ସମସ୍ତ ଜୀବନ୍ତ ଓ ଜଡତ୍ବ,ସ୍ଥିତି ଓ ଅନୁପସ୍ଥିତି ମଧ୍ୟରେ ରହସ୍ୟ ଏକ ଅବିଚ୍ଛେଦ୍ୟ ଭୂମିକା ନିର୍ବାହ କରି ପ୍ରକୃତିକୁ ବୈଚିତ୍ର୍ୟତା ମଧ୍ୟକୁ ଟାଣିନିଏ ଏଥିରେ ସନ୍ଦେହ ନାହିଁ।ଜୀବନ କେବଳ ଯେ ସେହି ରହସ୍ୟର ଏକ ଅଂଶ ବିଶେଷ ତାହା ଅନସ୍ବୀକାର୍ଯ୍ୟ ଏବଂ ଅବାରିତ।ପ୍ରବାହମାନ କାଳଚକ୍ର ସେହି ରହସ୍ୟରେ ବାସ୍ତବତାର ନିରବ ଦ୍ରଷ୍ଟା ଓ ସ୍ମୃତି ସ୍ମାରକୀର ଅଲିଖିତ ଇସ୍ତାହାର।
ସଞ୍ଜୟ ✍️