Spread the love

*🥀🌸ଗାନ୍ଧୀ ଦୃଷ୍ଟି: ବାପୁଙ୍କ ପ୍ରିୟ ରାମଗୀତା*

୧୯୩୪ ମସିହା ମେ ମାସରେ ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କଲାବେଳେ ନିଜ ପାଖରେ ‘ରାମଗୀତା’ ନାମକ ଏକ ଆଧ୍ୟାତ୍ମିକ ପୁସ୍ତକ ରଖିଥିଲେ। ବହୁ ସମୟରେ ସେ ତାକୁ ପଢୁଥିଲେ। ପୁରୀ ଚନ୍ଦନପୁରରେ ରାତ୍ରିଯାପନ ସମୟରେ ଗୁଜୁରାଟୀରେ ଲେଖା ରାମଗୀତାର ଏକ କପି ବି, ଚିଠି ସହ ଗାନ୍ଧୀଜୀ କସ୍ତୁରବାଙ୍କ ପାଖକୁ ପଠାଇ ଦେଇଥିଲେ। ସେ ବର୍ଷ ଗାନ୍ଧୀଙ୍କ ସହ କସ୍ତୁରବା ଓଡ଼ିଶା ଆସି ନ ଥିଲେ।

ପ୍ରତ୍ୟେକ ଓଡ଼ିଶା ଯାତ୍ରାରେ, ଜାଣତରେ ହେଉ ବା ଅଜାଣତରେ, ଗାନ୍ଧୀ ଓଡ଼ିଶାରୁ କିଛି ଜିନିଷ ନେଇଥାନ୍ତି। ପରେ ଏହା ସ୍ମୃତି ହୋଇଯାଇଛି। ୧୯୩୮ ମସିହା ମାର୍ଚ୍ଚ ମାସରେ ଡେଲାଙ୍ଗ ବେରବୋଇର ଅଧିବେଶନରୁ ଗାନ୍ଧୀ ନିଜ ପାଇଁ ବାଉଁଶ ବାଡ଼ିଟିଏ ନେଇଥିଲେ ଏବଂ ୧୯୩୪ ପଦଯାତ୍ରା ସମୟରେ ପତ୍ନୀଙ୍କ ପାଇଁ ନେଇଥିଲେ ରାମଗୀତା।

ରାମଗୀତା ହେଉଛି ବନବାସରେ ଥିବାବେଳେ ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କୁ ଦେଇଥିବା ତତ୍ୱଜ୍ଞାନ। ଲକ୍ଷ୍ମଣ ତାଙ୍କ ମନ ଭିତରେ ଥିବା କିଛି ପ୍ରଶ୍ନର ଉତ୍ତର ପ୍ରଭୁ ଶ୍ରୀରାମଙ୍କଠାରୁ ଚାହିଁଥିଲେ। ସେ ପ୍ରଶ୍ନ ଭିତରେ ଥିଲା, ବୈରାଗ୍ୟ କ’ଣ? ଭକ୍ତି, ଜ୍ଞାନ, ମାୟାର ସ୍ୱରୂପ କ’ଣ? ଜୀବତ୍ମା ଓ ପରମାତ୍ମା ଭିତରେ ପ୍ରାର୍ଥକ୍ୟ କ’ଣ? ଭଗବାନ ଶ୍ରୀରାମଙ୍କ ଉତ୍ତର ଖୁବ୍‌ ସରଳ ଓ ସାବଲୀଳ ଥିଲା। ପୂର୍ବ ଆଧ୍ୟାତ୍ମିକ ଜ୍ଞାନ ନଥିବା ଯେ କୌଣସି ସାମାନ୍ୟ ବ୍ୟକ୍ତିଟି ପାଇଁ ବି ଏହା ବୁଝିବାରେ କିଛି ଅସୁବିଧା ହୁଏନି।

୧୯୩୪ରେ ଗାନ୍ଧୀଙ୍କ ପଞ୍ଚମ ଓଡ଼ିଶା ଯାତ୍ରା ଥିଲା ୧୯୩୩ ନଭେମ୍ବରରେ ଅସ୍ପୃଶ୍ୟତା ଦୂରୀକରଣ ଓ ଦଳିତଙ୍କ ମନ୍ଦିର ପ୍ରବେଶକୁ ନେଇ ୱାର୍ଦ୍ଧାରୁ ଗାନ୍ଧୀ ଆରମ୍ଭ କରିଥିବା ୯ ମାସ ବ୍ୟାପୀ ଏକ ବୃହତ୍ ଯାତ୍ରାର ଏକ ଅଂଶ। ନାଁ ଥିଲା ‘ହରିଜନ ଯାତ୍ରା’। ଓଡ଼ିଶାରେ ଏ ଯାତ୍ରା ଆରମ୍ଭ ହୋଇଥିଲା ମେ ୫ ତାରିଖରେ ଝାରସୁଗୁଡ଼ାରୁ। ଗାନ୍ଧୀଜୀ ମେ ମାସ ସାତ ତାରିଖ ସନ୍ଧ୍ୟାରେ ପୁରୀରେ ପହଞ୍ଚି ଚକ୍ରତୀର୍ଥ ରୋଡ୍‌ର ଭାଗଲପୁର କୋଠିରେ ରହିଥିଲେ। ମେ ମାସ ୮ ତାରିଖରେ ଗାନ୍ଧୀଜୀ ସିଂହଦ୍ୱାର ଠାରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ପୁରୀର ‘ତରୁଣ ସାହିତ୍ୟ ସମାଜ’ ଓ ପୁରୀ ନାଗରିକ କମିଟି ଗାନ୍ଧୀଙ୍କୁ ସ୍ୱାଗତ ଜଣାଇ ଯଥାକ୍ରମେ ୨୧ ଟଙ୍କା ଓ ୪୦୦ ଟଙ୍କା ଅର୍ଥ ସାହାଯ୍ୟ ଦେଇଥିଲେ ଏବଂ ମେ ମାସ ୯ ତାରିଖ ସକାଳେ ଆରମ୍ଭ ହୋଇଥିଲା ଗାନ୍ଧୀଜୀଙ୍କ ‘ହରିଜନ ପଦଯାତ୍ରା’। ସେଦିନ ଗାନ୍ଧୀଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ଅସଂଖ୍ୟ ଜନଗହଳି ଥିଲା। ଦୁଇ ପାଖେ ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ଫୁଲ ବିଞ୍ଚୁଥିଲେ। ଖରା ଦିନର ତାତିକୁ କାହାର ଖାତିର ନଥିଲା। ଯାତ୍ରା ଆରମ୍ଭରେ ସମବେତ ଜନତାଙ୍କୁ ଲକ୍ଷ୍ୟ କରି ଗାନ୍ଧୀଜୀ କହିଲେ, ପୁରୀ ପରି ଏକ ପବିତ୍ର ତୀର୍ଥ ଭୂଇଁରୁ ସେ ଯାତ୍ରା ଆରମ୍ଭ କରି ବେଶ୍ ଖୁସି। ସେତେବେଳେ ଗାନ୍ଧୀଙ୍କ ବୟସ ଥିଲା ୬୫ ବର୍ଷ।

ମେ ୯ ତାରିଖ ଦିପହରେ ଗାନ୍ଧୀଜୀ ବୀରହରେକୃଷ୍ଣପୁରରେ ବିଶ୍ରାମ ନେଇ ଅପରାହ୍‌ଣରେ ଚନ୍ଦନପୁର ଅଭିମୁଖେ ଯାତ୍ରା କରିଥିଲେ। ଚନ୍ଦନପୁରରେ ପଦଯାତ୍ରୀ ଦଳ ରାତି ସାଢ଼େ ସାତଟାରେ ପହଞ୍ଚିଲେ। ଅନ୍ଧାର ରାତି। ପାଖ ତାଳ ଗଛରେ ବନ୍ଧାଯାଇ ଗୋଟେ ଦୁଇଟା ଲଣ୍ଠନ ଜଳୁଥିଲା। ଗାନ୍ଧୀଜୀଙ୍କ ସହ ଯାଇଥିବା ଅନ୍ୟ ପଦଯାତ୍ରୀ ଖୋଲା ପଡ଼ିଆରେ ଶୋଇଯାଇଥିଲେ। ମା’ ରମାଦେବୀ, ମୀରା ବେନ୍‌, ସୁଶୀଳାଙ୍କ ପରି ମହିଳାମାନେ ଏଥିରେ ଥିଲେ। ଗାନ୍ଧୀଜୀଙ୍କ ପଇଁ ପତ୍ର କୁଡ଼ିଆଟିଏ ତିଆରି ହୋଇଥିଲା। ତଳେ କିଛି କୁଟା ଛଣ ପଡ଼ିଥିଲା। ଏ ଥିଲା ଗାନ୍ଧୀଙ୍କ ପଇଁ ବିଛଣା। ଦିନ ସାରା ଯାତ୍ରାରେ ଗାନ୍ଧୀଜୀ କ୍ଳାନ୍ତ ହୋଇ ପଡ଼ିଥିବା ହେତୁ ଶୀଘ୍ର ଶୋଇ ପଡ଼ିଥିଲେ। ନିଦ ଭାଙ୍ଗିଲା ବେଳକୁ ରାତି ଗୋଟାଏ। ସେଇ ଗୋଟାଏ ରାତିରେ ଲଣ୍ଠନ ଆଲୁଅରେ ଗାନ୍ଧୀଜୀ ପତ୍ନୀ କସ୍ତୁରବାଙ୍କ ପାଖକୁ ଚିଠି ଲେଖି ବସିଲେ-

‘ବା’ ଏ ପର୍ଯ୍ୟନ୍ତ ତୁମ ପାଖରୁ ମୁଁ କୌଣସି ଚିଠି ପାଇବାକୁ ନାହିଁ। ଯେଉଁ ସ୍ଥାନରୁ ମୁଁ ଆଜି ଏ ଚିଠି ତୁମ ପାଖକୁ ଲେଖୁଛି ସେ ସ୍ଥାନ ପୁରୀଠାରୁ ଦଶ ମାଇଲ ଦୂର। ବର୍ତ୍ତମାନ ରାତି ଗୋଟାଏ। ମୁଁ ଉଠି ଦାନ୍ତ ଘଷି ସାରିଲିଣି। ମୁଁ ତୁମ ପାଖକୁ ଏ ଚିଠି ଲେଖୁଛି। କାଲି ସକାଳୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମେ ଠିକ୍‌ କଲୁ, ମୁଁ ପଦଯାତ୍ରା କରିବି। ଚାଲି ଚାଲି ଯାତ୍ରା କରିବି। ଜଣେ ଟ୍ରେନ କିମ୍ବା ବସରେ ଯାତ୍ରା କରି ଧର୍ମ ପ୍ରଚାର କରି ପାରିବ ନାହିଁ। ସ୍ଥାନୀୟ ନେତା ଏବଂ ଠକ୍କର ବାପା ବି ଏଥିରେ ରାଜି ହେଲେ। କାଲି ଅର୍ଥାତ୍‌ ୯ ତାରିଖ ସକାଳେ ଆମେ ପଦଯାତ୍ରା ଆରମ୍ଭ କଲୁ। ଏ ଯାତ୍ରା ମୋତେ ନୂଆ ଶକ୍ତି ଦେଇଛି। ପ୍ରଥମ ଦିନ ଆମେ ୮ ମାଇଲ ଚାଲିଛୁ। ମୁଁ କିନ୍ତୁ କ୍ଳାନ୍ତ ଅନୁଭବ କରୁନି। ଏପରି ଅବେଳାରେ ଉଠି ପଡ଼ିଥିଲେ ବି ମୋତେ ସତେଜ ଲାଗୁଛି। ବହୁ ସଂଖ୍ୟାରେ ଲୋକମାନେ ଆସୁଛନ୍ତି।

ଲୋକଙ୍କ ସମାଗମ ସତ୍ତ୍ବେ ଶାନ୍ତି ରହୁଛି। କିଛି ଠେଲା ପେଲା ନାହିଁ। ବହୁତ କାମ ତେଣୁ କରି ହେଉଛି। ଯାତ୍ରାରେ ଚାଲୁଥିବା ମହିଳାଙ୍କ ଭିତରେ ସୁଶୀଲା, ପ୍ରଭାବତୀ, ଓମ, ମୀରା ଅଛନ୍ତି। ତାଙ୍କ ସହ ପୁରବାଈ, ସୁନାମଣୀ (ଯିଏ ଆଶ୍ରମରେ ଥିଲେ), ରମାବାଈ (ଗୋପବନ୍ଧୁ ବାବୁଙ୍କ ସ୍ତ୍ରୀ) ଆମ ପାଖରେ ଅଛନ୍ତି। ମୁଁ କଟକରୁ ତିନିଦିନ ପାଇଁ ପାଟଣା ଯିବି। ପାଟଣାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ମିଟିଙ୍ଗ ବସୁଛି। ପାଟଣା ମିଟିଙ୍ଗ ପରେ ମୁଁ ଏକାକୀ ପୁଣି ଓଡ଼ିଶା ଫେରି ଆସିବି। ଏବଂ ଓଡ଼ିଶା ପଦଯାତ୍ରା ଶେଷ କରିବି। ଅବଶ୍ୟ ଏ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ। ସହଯୋଗୀଙ୍କ ସହ ଆଲୋଚନା ପରେ ସ୍ଥିର ହେବ। ‘ରାମଦାସ, ନିମୁ, ଦେବଦାସ, ଲକ୍ଷ୍ମୀ ଏବଂ ତାଙ୍କ ଛୋଟ ପିଲାମାନେ ନିଶ୍ଚୟ ଭଲ ଥିବେ।

ଏ ଚିଠି ସହ ମୁଁ ତୁମ ପାଖକୁ ‘ରାମଗୀତା’ ବହି ପଠାଇଲି। ତୁମେ ଏହାକୁ ପଢ଼ି ବୁଝିବାରେ କିଛି ଅସୁବିଧା ହେବନି। ଯଦି ତୁମର ଏ ବହିରୁ ଆଉ ଗୋଟିଏ କପି ଦରକାର, ମୋତେ କହିବ। ଏ ବହିଟି ତୁମେ କିନ୍ତୁ ତୁମ ପାଖରେ ରଖିଥିବ। ଅନ୍ୟ କାହାକୁ ଦେବନି। ତୁମେ ଜେଲ୍‌ରୁ ଫେରିବା ପରେ ମୁଁ ଯେମିତି କହିଥିଲି ସେମିତି କରିବ। କିମ୍ବା ତୁମକୁ ଯାହା ଭଲ ଲାଗିବ, କରିବ। ବାପୁ।’

ଲବଣ ସତ୍ୟାଗ୍ରହରେ ଭାଗ ନେଇ କସ୍ତୁରବା ଜେଲ ଯାଇଥିବାରୁ ଗାନ୍ଧୀଜୀଙ୍କ ହରିଜନ ପଦଯାତ୍ରାରେ ଓଡ଼ିଶାରେ ଯୋଗ ଦେଇ ପାରି ନଥିଲେ। ପୁଣି ଥରେ ପୁରୀ ଆସିବାକୁ କସ୍ତୁରବା ଅନେକ ଥର ଅନୁରୋଧ କରିଥିଲେ ଗାନ୍ଧୀଙ୍କୁ।

Leave a Reply

Your email address will not be published. Required fields are marked *