ଆମେରିକାରେ ଥିବା ବେଳେ ସ୍ବାମୀ ରାମତୀର୍ଥଙ୍କୁ ଥରେ କିଛି ଲୋକ ଗାଳି କଲେ, କୁବାକ୍ୟମାନ କହିଲେ। ଏ କଥା ରାମତୀର୍ଥଙ୍କ ବନ୍ଧୁ ଓ ଅନୁଗାମୀମାନେ ଶୁଣିଲେ। ସେମାନେ ରାମତୀର୍ଥଙ୍କୁ ଏ ବିଷୟରେ ପଚାରିଲେ।
ରାମତୀର୍ଥ କିନ୍ତୁ ଏ ନେଇ ସଂପୂର୍ଣ୍ଣ ଅବିଚଳିତ ଥିଲେ। ସତେ ଯେମିତି କିଛି ଘଟି ନ ଥିଲା। ରାମତୀର୍ଥଙ୍କୁ ସେମାନେ ପଚାରିଲେ- ଆପଣ ଏତେ କଟୁ ଲାଂଛନା ଶୁଣିଲେ, ଆପଣଙ୍କୁ ଖରାପ ଲାଗିଲା ନାହିଁ?
ରାମତୀର୍ଥ କହିଲେ- ମୋତେ ସେମାନେ ଗାଳି କଲେ? କାହିଁ ମୁଁ ତ ଶୁଣି ନାହିଁ। ସେମାନେ ରାମତୀର୍ଥ ନାମକ ଜଣେ ଲୋକକୁ ଗାଳି ଦେଲେ, ଯେଉଁ ରାମତୀର୍ଥ ନାମଟି ସମାଜ ତାକୁ ଦେଇଛି ଏବଂ ଯେଉଁ ସମାଜ ସେ ନାମ ଦେଇଥିଲା, ସେହି ସମାଜର କିଛି ଲୋକ ରାମତୀର୍ଥକୁ ଗାଳି କଲେ। ଯଦି ରାମତୀର୍ଥ ବଦଳରେ ସମାଜ ତାକୁ ଆଉ କୌଣସି ନାମ ଦେଇଥାଆନ୍ତା, ତେବେ ରାମତୀର୍ଥ ନୁହେଁ, ସେ ବିଚରା ଗାଳି ଖାଇ ଥାଆନ୍ତା। ତେଣୁ, ରାମତୀର୍ଥକୁ ସେମାନେ ଗାଳି ଦେଉଥିବା ବେଳେ ‘ମୁଁ’ ସେଇ ଭିତରେ ନ ଥିଲି। ବାହରୁ ଥାଇ ଦେଖୁଥିଲି କେମିତି ରାମତୀର୍ଥ ନାମକ ଲୋକଟି ଗାଳି ଖାଉଛି!
ରାମତୀର୍ଥଙ୍କ ବନ୍ଧୁମାନେ ତାଙ୍କ କଥାର ମର୍ମକୁ କିଛି କିଛି ବୁଝି ପାରୁଥିଲେ। ରାମତୀର୍ଥ ଥିଲେ ସେହି ଆତ୍ମଜ୍ଞାନର ଅଧିକାରୀ ଯହିଁରେ ସ୍ଥୂଳ ପରିଚୟ ଗୌଣ ହୋଇଯାଏ ଏବଂ ସ୍ଥୂଳ ପରିଚୟଧାରୀ ଯେତେ ଆଘାତ ସହିଲେ ମଧ୍ୟ ତାହା ସୂକ୍ଷ୍ମ ସ୍ତରରେ କୌଣସି କ୍ଷତି ଘଟାଇ ନ ଥାଏ।