ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ନିର୍ବାଚନ ବଣ୍ଡ ଅସାମ୍ବିଧାନିକ ଘୋଷିତ
ସମୟର ଆବଶ୍ୟକତା ପୂରଣ ପାଇଁ ବିଧାନପାଳିକା ପ୍ରସ୍ତୁତ ନୀତିନିୟମ ଓ ଆଇନ ଯେ ସାମ୍ବିଧାନିକତାର ଦ୍ୱାହିରେ ନ୍ୟାୟିକ ସମ୍ମତି ଲାଭ କରି ନଥାଏ ତାହା ଆଉ ଥରେ ଭାରତରେ ପ୍ରମାଣିତ ହୋଇଗଲା। ନିର୍ବାଚନ ଲଢ଼ିବାକୁ ରାଜନୈତିକ ଦଳ ‘ଇଲେକ୍ଟୋରାଲ୍ ବଣ୍ଡ’ ମାଧ୍ୟମରେ ଅର୍ଥସଂଗ୍ରହ କରିବାର ଯେଉଁ ବ୍ୟବସ୍ଥା ୨୦୧୮ରୁ ଆରମ୍ଭ ହୋଇଥିଲା ତାହାକୁ ଗତକାଲି ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ କହି ଖାରଜ କରିଦେଇଛନ୍ତି।
ଏହା ଏକ ଐତିହାସିକ ରାୟ ଏଇଥିପାଇଁ ଯେ ‘ଇଲେକ୍ଟୋରାଲ୍ ବଣ୍ଡ’ ଓ ଆନୁଷଙ୍ଗିକ ଆଇନରେ କେତେକ ତ୍ରୁଟି ବା ବ୍ୟତିକ୍ରମ ଥିଲା, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନ ଥିଲା। ଦ୍ୱିତୀୟତଃ, ଏହି ଆଇନ ସମ୍ବିଧାନର କେତେକ ମୌଳିକ ଧାରାର ବିରୋଧାଚରଣ କରୁଥିଲା। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ କୌଣସି ରାଜନୈତିକ ଦଳକୁ ଆର୍ଥିକ ସହାୟତା ଦେଲାବେଳେ ଦାତା ଓ ଗ୍ରହୀତାଙ୍କ ମଧ୍ୟରେ ‘ଦେଣନେଣ’ର ଅଲିଖିତ ସହମତି ରହିବ। ଆହୁରି ମଧ୍ୟ ଅର୍ଥଦାନ କରୁଥିବା ବ୍ୟକ୍ତି, ଅନୁଷ୍ଠାନ, ଉଦ୍ୟୋଗ ବା ସଂସ୍ଥାଙ୍କ ନାମ ‘ଇଲେକ୍ଟୋରାଲ୍ ବଣ୍ଡ’ରେ ଗୁପ୍ତ ରଖାଯାଉଥିବାରୁ ଏହାଦ୍ୱାରା ଭୋଟରଙ୍କ ମୌଳିକ ସୂଚନା ଅଧିକାର ସଙ୍କୁଚିତ ହେଉଛି। ଏ ବିଷୟରେ ଭୋଟରମାନଙ୍କର ଏସବୁ କଥା ଜାଣିବାର ଅଧିକାର ଅଛି ବୋଲି ସମ୍ବିଧାନର ଧାରା ୧୯.୧(କ)ରେ ଉଲ୍ଲେଖ କରାଯାଇଛି। ତେଣୁ ଭୋଟରଙ୍କୁ ଏହି ବଣ୍ଡ ମାଧ୍ୟମରେ ହେଉଥିବା ନେଣଦେଣ ସମ୍ପର୍କରେ ଅବଗତ ନ କରାଇବା ବା ଅନ୍ଧାରରେ ରଖିବା ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ।
ତେଣୁ ଏହି ରାୟ ଲେଖିଥିବା ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଶ୍ରୀ ଡି ୱାଇ ଚନ୍ଦ୍ରଚୂଡ଼ ତତ୍କାଳ ଏହି ‘ଇଲେକ୍ଟୋରାଲ୍ ବଣ୍ଡ’ କାରବାରକୁ ବନ୍ଦ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ବିଆଇ ଏକମାତ୍ର ବ୍ୟାଙ୍କ, ଯାହା ମାଧ୍ୟମରେ ଏହି ବଣ୍ଡ କାରବାର ହେଉଥିଲା। ଏହାଛଡ଼ା ୨୦୧୯ ଏପ୍ରିଲ୍ରୁ ଏହି ବଣ୍ଡ ମାଧ୍ୟମରେ କେଉଁ ରାଜନୈତିକ ଦଳ କେତେ ପରିମାଣର ବଣ୍ଡ ଚାନ୍ଦା ପାଇଛନ୍ତି ତାହାର ସବିଶେଷ ତଥ୍ୟ ନିଜର ୱେବ୍ସାଇଟ୍ରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରଦର୍ଶିତ କରିବାକୁ ପ୍ରଧାନ ବିଚାରପତି ନିର୍ବାଚନ ଆୟୋଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତିଙ୍କ ସହିତ ଅନ୍ୟ ତିନିଜଣ ବିଚାରପତି ମଧ୍ୟ ଏହି ପ୍ରସଙ୍ଗରେ ଏକମତ ହୋଇ କହିଛନ୍ତି ଯେ ‘ଇଲେକ୍ଟୋରାଲ୍ ବଣ୍ଡ’ରେ ଦାତାଙ୍କ ନାମ ନ ରହିବା ଅର୍ଥ ଭୋଟରଙ୍କ ସୂଚନା ଅଧିକାରରେ ହସ୍ତକ୍ଷେପ। ଅପରପକ୍ଷରେ ନିର୍ବାଚନ ପ୍ରକ୍ରିୟାରେ କଳାଧନର ଦୁରୁପଯୋଗକୁ ଏଭଳି ବଣ୍ଡ ବ୍ୟବସ୍ଥା ମାଧ୍ୟମରେ ରୋକି ହେବ ନାହିଁ। ଅଦାଲତ ଆହୁରି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ସମ୍ବିଧାନର ଧାରା ୧୯.୧(କ) କୁ ଧାରା୧୯.୨ ଭିତ୍ତିରେ ସଙ୍କୁଚିତ ବା ନିୟନ୍ତ୍ରିତ କରିବେହ। ଅର୍ଥାତ୍ ଧାରା ୧୯.୨ ଯଦି କହେ ଯେ ଭୋଟଙ୍କ ସୂଚନା ପାଇବାର ଅଧିକାର ନାହିଁ, ତେବେ ଧାରା ୧୯.୧(କ)ରେ ଦିଆଯାଇଥିବା ଅଧିକାର ସଂକୁଚିତ ହୋଇପାରିବ। ‘ଇଲେକ୍ଟୋରାଲ୍ ବଣ୍ଡ’ କାରବାରରେ ରାଜନୈତିକ ଦଳ ଓ ଚାନ୍ଦା ଦାତାଙ୍କ ନାମ ଉଲ୍ଳେଖ ନ ରହିବା ବା ଏହାକୁ ସାର୍ବଜନୀନ ନ କରିବା ସୂଚନା ଅଧିକାର ଏବଂ ସମ୍ବିଧାନରେ ଧାରା ୧୯ର ଉଲ୍ଲଙ୍ଘନ।
ଏହା ସମସ୍ତଙ୍କୁ ଜଣା ଯେ ଯେଉଁ ଦଳ କ୍ଷମତାରେ ଥାଏ ବା ଜିତିବାର ସମ୍ଭାବନା ଅଧିକ ଥାଏ ସେ ଦଳକୁ ସବୁଠୁ ଅଧିକ ରାଜନୈତିକ ଚାନ୍ଦା ଆସେ। ଏହି ଚାନ୍ଦା ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ଓ ଧନାଢ଼୍ୟ ଲୋକେ ଦେଇଥା’ନ୍ତି। ଆହୁରି ମଧ୍ୟ ନିୟମ ଅନୁସାରେ ଉଦ୍ୟୋଗ ଜଗତ ନିଜ ଲାଭର ୭.୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ରାଜନୈତିକ ପ୍ରୋତ୍ସାହନ ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା ଅଛି। କିନ୍ତୁ ସଂଶୋଧିତ ଆଇନ ବ୍ୟବସ୍ଥା ଅନୁସାରେ ଦେଖାଯାଉଛି ଯେ ଏହି ଧାର୍ଯ୍ୟ ସୀମାଠାରୁ ଅଧିକ କମ୍ପାନୀ ଓ ଉଦ୍ୟୋଗପତିମାନେ ନିଜ ସଂସ୍ଥାମାନଙ୍କର ଆର୍ଥିକ କ୍ଷତି ସତ୍ତ୍ବେ ରାଜନୈତିିକ ଦଳମାନଙ୍କୁ ବଣ୍ଡ ଆକାରରେ ଦେଉଛନ୍ତି। ସର୍ବୋଚ୍ଚ ଅଦାଲତ ଯଥାର୍ଥରେ କହିଛନ୍ତି ଯେ ଯିଏ ଚାନ୍ଦା ଦେବେ ତା’କୁ ରାଜନୈତିକ ଦଳମାନେ ସବୁବେଳେ ଲୋଡ଼ି ତାଙ୍କ କାମ ଅଗ୍ରାଧିକାର ଭିତ୍ତିରେ କରିବାର ସମ୍ଭାବନା ରହୁଛି। ଏଥିରେ କଳାଧନର ରାଜନୈତିକ ଦୁରୁପଯୋଗ ବନ୍ଦ ହେବାର ସମ୍ଭାବନା କେଉଁଠି ରହିଲା? ଅଧିକାଂଶ ଲୋକ ଯାହା ଭାବୁଥିଲେ ସର୍ବୋଚ୍ଚ ଅଦାଲତ ତାହା ସ୍ପଷ୍ଟ କରିଦେଇଛନ୍ତି।
ଉଚ୍ଚତମ ଅଦାଲତରେ ପ୍ରାୟ ଛଅବର୍ଷ ଧରି ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ମାମଲାଟିର ଅଗ୍ରଣୀ ଆବେଦନକାରୀ ଥିଲେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରାଇଟ୍(ଏଡିଆର), ଯାହା ପକ୍ଷରୁ ବରିଷ୍ଠ ଖ୍ୟାତନାମା ଓକିଲ ପ୍ରଶାନ୍ତ ଭୂଷଣ ମୋକଦ୍ଦମା ପରିଚାଳନା କରୁଥିଲେ। ଉଚ୍ଚ ଅଦାଲତ ରାୟ ପରେ ତାଙ୍କ ମନ୍ତବ୍ୟରେ ପ୍ରଶାନ୍ତଭୂଷଣ କହିଛନ୍ତି ଯେ ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଏକ ବଡ଼ ପଦକ୍ଷେପ। ସେହିଭଳି କଂଗ୍ରେସ ଦଳ ମଧ୍ୟ ଏହି ରାୟକୁ ନେଇ ତାଙ୍କ ଆଦର୍ଶର ବିଜୟ ହେଲା ବୋଲି କହୁଛନ୍ତି। ତେବେ ଜଣେ ସାଧାରଣ ନାଗରିକ ପାଇଁ ଏତିକି ବୁଝିଲେ ଯଥେଷ୍ଟ ହେବ ଯେ କଳାଧନ ହେଉ ବା ଗୁପ୍ତ ନିର୍ବାଚନୀ ବଣ୍ଡ ନିବେଶ ହେଉ, ଉଭୟ ଭାରତୀୟ ଗଣତନ୍ତ୍ର ପାଇଁ କେବେହେଲେ ଶୁଭଙ୍କର ହୋଇ ନ ପାରେ। କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ଷ୍ଟେଟ୍ ବ୍ୟାଙ୍କ ଓ ନିର୍ବାଚନ ଆୟୋଗ ଦ୍ୱାରା ନିର୍ବାଚନୀ ବଣ୍ଡର ସବିଶେଷ ବିବରଣୀ ସାଧାରଣରେ ପ୍ରକାଶିତ ହେବା ପରେ ରାଜନୈତିକ ଦଳଗୁଡ଼ିକ ପାଇଁ ଯେଉଁ ଅଶୋଭନୀୟ ସ୍ଥିତି ଉପୁଜିବ ତାର ନିରାକରଣ କିପରି ହେବ ତାହା ବୁଝା ପଡ଼ୁନାହିଁ। ଯେଉଁ ଶିଳ୍ପପତି ବା ଘରୋଇ ବ୍ୟବସାୟିକ ସଂସ୍ଥା ମାତ୍ରାଧିକ ନିର୍ବାଚନୀ ବଣ୍ଡରେ ନିବେଶ କରିଥିବାର ଜଣାପଡ଼ିବ ସେମାନେ ଜନସାଧାରଣଙ୍କ ଦୃଷ୍ଟିରେ ନିନ୍ଦିତ ହେବା ନିଶ୍ଚିତ। ତେଣୁ ଉଚ୍ଚଅଦାଲତର ଏହି ପଦକ୍ଷେପ ନିର୍ବାଚନକୁ କଳାଧନରୁ ପ୍ରଭାବକୁ ମୁକ୍ତ ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଏବେ ବେଳ ଆସିଛି ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ପୁଞ୍ଜି ଦ୍ୱାରା ପରିଚାଳନା କରିବା ପାଇଁ ବ୍ୟବସ୍ଥା ନିର୍ମାଣ ଉପରେ ଗମ୍ଭୀର ଭାବେ ବିଚାର ଆଲୋଚନା କରିବାକୁ। ଏ ବିଷୟରେ ଦୀର୍ଘକାଳ ଧରି କିଛି କିଛି ବିତର୍କ ଓ ବିମର୍ଶ ହୋଇ ଆସୁଥିଲେ ମଧ୍ୟ ଭାରତର ଜାତୀୟ ଓ ଅନ୍ତର୍ଜାତୀୟ ଭାବମୂର୍ତ୍ତି ଓ ଆର୍ଥିକ ବିକାଶର ପରିପ୍ରେକ୍ଷୀରେ ଏ ସମ୍ପର୍କରେ ଆଉ ବିଶେଷ ବିଳମ୍ବ ନ କରି ନିର୍ବାଚନ ସଂସ୍କାର ପାଇଁ ସାମ୍ବିଧାନିକ ପଦକ୍ଷେପ ନିହାତି ଜରୁରୀ ହୋଇପଡ଼ିଛି।