Spread the love

ଗୋଟିଏ ଶବ୍ଦରେ ସାଗର

‘‌ବୋଉ’ ଗୋଟେ ଶବ୍ଦ କି ଉଚ୍ଚାରଣ ନୁହେଁ। ଗୋଟେ ନିରବ ନିରୋଳା ଅନୁଭବ। ଗୋଟାଏ ପରିବ୍ୟାପ୍ତି। ଏ ଦୁଇଟି ଅକ୍ଷର ମୁହଁ କଥାରେ ‌େଯତିକି ଭାବ ପ୍ରକାଶ କରେ ତା’ ଠାରୁ ଅଧିକ କରେ ହୃଦୟରେ। ସାରା ପୃଥିବୀରେ ‘ବୋଉ’ ଡାକର ପ୍ରତିଶବ୍ଦ ଅନେକ। ନାନା ଭାଷାରେ, ବିଭିନ୍ନ ସଂସ୍କୃତିରେ ଏ ଡାକ ଯେତେ ଅଲଗା ‌େହଲେ ବି ଆବେଦନ ସେଇ ଗୋଟିଏ।

ସେ ହିଁ ଚରମ ଅନ୍ତରଙ୍ଗତାର ପ୍ରତୀକ। ପ୍ରତିଟି ପ୍ରାଣୀର ସୃଷ୍ଟି-ଉତ୍ସ। ମା’ ନ ଥିଲେ ସୃଷ୍ଟି କାହିଁ?
ଯେ ଜନ୍ମଦିଏ, ସୃଷ୍ଟିକରେ, ପାଳେ ଆମେ ତା’କୁ କ’ଣ କହୁ? ସେ ତ ଈଶ୍ବର! ତେଣୁ ଈଶ୍ବର ମାଆ-ସ୍ବରୂପ। ଗୋଟିଏ ପ୍ରସିଦ୍ଧ ସିନେମା ଗୀତ ଅଛି। ତା’ର ପ୍ରଥମ ପଦଟିର ଅର୍ଥ ହେଉଛି- ‘ମୁଁ ତାଙ୍କୁ ଦେଖିନି। ମାତ୍ର ଦେଖିବାର କ’ଣ ଆବଶ୍ୟକତା ଅଛି? ଜନନୀ ମୋର! ତୋର ସ୍ବରୂପ ସେଇ ଭଗବାନଙ୍କର କଳେବର ଠାରୁ ଆଉ ଅଲଗା କ’ଣ ହୋଇଥିବ?’
ମା’ କହ କି ବୋଉ କହ କି ଆଉ କ’ଣ କହ, ସେ ଯେ ଭଗବାନଙ୍କ ଭଳି ଉଦାର, କରୁଣାରେ ଭରା, ସ୍ନେହର ସାଗର, ଧୈର୍ଯ୍ୟର ପାରାବାର, ସଦା ସନ୍ତାନର ଶୁଭକାରିଣୀ ସେଥିରେ ଦ୍ବିମତ ହେବାର କିଛି ନାହିଁ। କଥାରେ ଅଛି ଈଶ୍ବର ସବୁ ସ୍ଥାନରେ ଏକ ସମୟରେ ପହଞ୍ଚି ପାରିବେ ନାହିଁ ବୋଲି ଏଇ ଜନନୀ ଜାତିଟିକୁ ତିଆରି କରିଛନ୍ତି। ଜନନୀକୁ କେବଳ ଈଶ୍ବରଙ୍କ ସହ ଯେ ତୁଳନା କରାଯାଇଛି ସେତିକି ନୁହେଁ, ଯେଉଁ ସ୍ବର୍ଗର ପରିକଳ୍ପନା ହୋଇଛି ତାହା ଏଇ ଗୋଟିଏ ନାମରେ ସମାହିତ। ସ୍ବର୍ଗ ଠାରୁ ମଧ୍ୟ ସେ ଗରୀୟସୀ।
‘ବୋଉ’ ନାମର ମଧୁରତା ନିଆରା। ବିଶେଷକରି ଏ ନାମଟିରେ ଓଡ଼ିଆପଣ ସୁସ୍ପଷ୍ଟ। ଓଡ଼ିଶାର ସର୍ବତ୍ର ଏ ଡାକର ବ୍ୟବହାର ନାହିଁ ମାତ୍ର ‘ବୋଉ’ ଉଚ୍ଚାରଣଟି ଓଡ଼ିଶା ଛଡ଼ା ଆଉ କେଉଁଠାରେ ଶୁଣିବାକୁ ମିଳେ ନାହିଁ। ମନରେ ଆସୁଥିବ ନାମରେ କ’ଣ ଅଛି, ଗୋଲାପକୁ ଯେଉଁ ନାମ ଦେଲେବି ତା’ର ସୁଗନ୍ଧ ସେଇଭଳି ରହିବ। ଏ ଉକ୍ତି ସତ ହେଲେ ମାଟି ଗୁଣେ ଗୋଲାପର ରଙ୍ଗ, ରୂପ ଓ ସୁଗନ୍ଧରେ ଭିନ୍ନତା ଆସେ। ଠିକ୍ ସେଇଭଳି ଏ ‘ବୋଉ’ ଡାକର ଅନନ୍ୟତା। ‘ବୋଉ’, ଜନନୀ, ମା। ‘ବୋଉ’ ଡାକ କେବଳ ଆମ ଓଡ଼ିଶା ମାଟିରେ ଶୁଭେ। ‘ମାଁ’, ‘ମାଆ’, ‘ମାମା’, ‘ମମି’, ‘ମୈୟା’, ‘ମାତା’, ‘ମମ୍’, ‘ଆଈ’ ଆଦି ଅନେକ ନାମ ଅଛି ଜନ୍ମଦାତ୍ରୀର। ହିସାବ କରି ଦେଖାଯାଇଛି ଯେ ‘ମମ୍’ ଡାକଟି ସାରା ବିଶ୍ବରେ ଅଧିକତର ଭାବେ ପ୍ରଚଳିତ। ତା’ ତଳକୁ ‘ମମି’। ‘ବୋଉ’ ଡାକଟି ଓଡ଼ିଶାର ସ୍ବତନ୍ତ୍ର, ‘ବୋଉ’ ଡାକରେ ଓଡ଼ିଶାର ବାସ୍ନା।
ଘର ତିଆରି ବ୍ୟଞ୍ଜନ ବା ପିଠା ଭଳି ‘ବୋଉ’ ଉଚ୍ଚାରଣର ସୁଆଦ ଅଲଗା। ହଠାତ୍ ଏ ଡାକ, ମାଟି ସହ ଯୋଡ଼ିଦିଏ ଆମକୁ। କେହି କେହି ହୁଏତ କହିପାରନ୍ତି, ନାଇଁ ନାଇଁ ଆମ ଆଡ଼େ ଏ କଥା ନାହିଁ, ଆମେ ଅଲଗା କରି ଡାକୁ। ସେ କଥା ଠିକ୍। କଥା ହେଉଛି, ଆପଣ ଡାକୁଥିବା ନାଆଁଟି ଅନ୍ୟତ୍ର ବି ପ୍ରଚଳିତ। ହେଲେ ‘ବୋଉ’ ଡାକ ଓଡ଼ିଶାର ନିଜସ୍ବ। ‘ବୋଉ ଫାଉଣ୍ଡେସନ୍’ ଏଇ କଥାଟିକୁ ମୂଳ କରି ଧରିଛି। ସେଇଥିପାଇଁ ବର୍ଷ ପରେ ବର୍ଷ, ନୂଆ ସମ୍ବତ୍ସରର ଦ୍ବିତୀୟ ଦିବସ ଜାନୁଆରି ୨ ତାରିଖରେ ପାଳନ କରି ଆସୁଛି ‘ବୋଉ ଦିବସ’, ‌ବୋଉ ପାଇଁ ଦିନଟିଏ। ‘ବୋଉ ସ୍ମରଣ’, ‘ବୋଉ ଆବାହନୀ’, ‘ବୋଉ ପ୍ରାଣର ଉତ୍ସବ’। ଅନନ୍ୟ ଯେମିତି, ଅନୁପମ ସେମିତି।
ଋଣ କଲେ ଶୁଝିବାକୁ ପଡ଼େ। ହେଲେ କିଛି କିଛି ଋଣ ଅଛି, ଯାହା କେହି କେବେ ଶୁଝି ନାହିଁ କି ଶୁଝି ପାରିବ ନାହିଁ। ସେ ଭିତରୁ ମାତୃଋଣ ସବୁଠାରୁ ଉଚ୍ଚରେ। ତା’ ଋଣ କିଏ ଫେରାଇ ଦେଇ ପାରିବ? ଯାହା କଲେ ବି ତାହା ନ୍ୟୂନ। ଶେଷ ଯାଏ ମଣିଷର ହୃଦୟରେ ଏ ଭାର ସିନ୍ଦୁକ ହୋଇ ରହିଥାଏ। ମଣିଷ, ଅମଣିଷ ସବୁ ଭେଦରେ ଏ ଅନୁଭବ ଦୁର୍ବାର।
‘ବୋଉ ଫାଉଣ୍ଡେସନ୍’, ଭୁବନେଶ୍ବର, ‘ବୋଉ ଦିବସ’ ପାଳି କେବଳ ମାତୃବନ୍ଦନାର କାର୍ଯ୍ୟକ୍ରମ କରୁନାହିଁ, ଆମ ଭିତରର ଅପସୃୟମାନ ଭାବପ୍ରବଣତାକୁ ଖୁବ୍ ସୁନ୍ଦର ଭାବରେ ଉଜ୍ଜୀବିତ ମଧ୍ୟ କରୁଛି। ଅାଜିର ଯାନ୍ତ୍ରିକ ଯୁଗରେ ଯଦି କିଛି ଆମେ ଦ୍ରୁତ ଗତିରେ ହରାଇ ଚାଲିଛେ, ତାହା ହେଉଛି, ଭାବପ୍ରବଣତା, ଇମୋସନାଲ୍ ‌କୋସେଣ୍ଟ୍, ଭାବୋତ୍ତରଣର ଭାଗଫଳ। ଜଡ଼ବୋଧ, ଧନ, ସଂପତ୍ତି, କ୍ଷମତା, ପ୍ରତିପତ୍ତି କୌଣସି ଭାବସୁଖର ଉଚ୍ଚାଙ୍ଗ ଅନୁଭବ ସହ କେବେ ବି ତୁଳନୀୟ ନୁହେଁ, ଭାବ ହିଁ ମଣିଷକୁ ମଣିଷ କରି ରଖେ, ଦେବତା କରେ। ଭାବ ହଟିଲେ ମଣିଷ ପଶୁ ପାଲଟେ। ହୃଦୟ ଆଉ ତା’ର ତରଳେ ନାହିଁ। ନାନ୍ଦନିକ ସୁଖ ଦୂରେଇ ଯାଏ। ଅାଧ୍ୟାତ୍ମିକ ଅନୁଭବ ଅସମ୍ଭବ ହୋଇପଡ଼େ।
ସୁଖ ଜୀବନ ପାଇଁ ଦୁଇଟି କଥା ଲୋଡ଼ା। କୃତଜ୍ଞତା ଓ ଭାବମୟତା। ଏ ଦୁଇ କଥା ମଣିଷକୁ ସଂଯୋଜିତ କରେ ପୁଣି ଉତ୍ତରିତ କରେ। ‘ବୋଉ’ ଶବ୍ଦରେ ତାହା ଆପେ ଖଚିତ।
‘ବୋଉ’ ଭାବ ଏକ ଅମୃତଭାବ। ସେ ବିନ୍ଦୁଏ ପାଣି ମାତ୍ର ତା’ ଭିତ‌େର ସାତ ସାଗରର ଜଳ ସମାହିତ। ଗୋଟିଏ ଶବ୍ଦ ହେଲେ ସୀମାହୀନ ଭାବେ ପରିବ୍ୟାପ୍ତ। ଆଜିର ଏ ‘ବୋଉ ଦିବସ’ ଆମକୁ ଭାବମୟ କରୁ ଏବଂ କୃତଜ୍ଞ କରୁ। ଭଲ ମଣିଷ ହେବା ପାଇଁ ବାଟ ଦେଖାଉ।

Related Post

Leave a Reply

Your email address will not be published. Required fields are marked *

You Missed