Spread the love

ସାତକୋଶିଆ ଅଭୟାରଣ୍ୟକୁ ନେଇ ଆସିଲା ଖୁସି ଖବର। ଏଥର ଦୂର ହେବ ଲୋକଙ୍କ ଗମନାଗମନର ଅସୁବିଧା। ଖର୍ଚ୍ଚ ହେବ ୭୦ କୋଟି ଟଙ୍କା।ଦୂର ହେବ ସାତକୋଶିଆ ଅଭୟାରଣ୍ୟ ବାସିନ୍ଦାଙ୍କ ଦୁଃଖ। ଆଉ ମହାନଦୀ ଫୁଲିଲେ ଗାଁ ଭିତରେ ପଶିବନି ପାଣି କି ବନ୍ୟା, ଦାଉରେ କଲବଲ ହେବେନି ଟିକରପଡ଼ା, ମଝିପଡ଼ା, ବେହେରା ସାହି, ଗଇନ୍ଦି ଓ ରାମିମୁଣ୍ଡା ଭଳି ଗାଁର ଲୋକେ। କାରଣ ଏସବୁ ଗାଁଗଣ୍ଡାକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କରାଯାଉଛି!.

ବିଭିନ୍ନ ସ୍ଥାନରେ ରାସ୍ତା ଉଚ୍ଚତା ବୃଦ୍ଧି କରାଯିବା ସହ ପୋଲ ନିର୍ମାଣ କରାଯାଉଛି। ଏଥିପାଇଁ ୭୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି । ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟର ଟେଣ୍ଡର ସରିଥିବା ବେଳେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଭିତରେ ଅନୁଗୁଳ ବ୍ଲକର ପ୍ରାୟ ୯ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ରହିଛି। ଅଧିକାଂଶ ଗାଁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ସ୍ଥାନରେ ଅବସ୍ଥିତ!.

ଜଙ୍ଗଲ ସୁରକ୍ଷା ଆଇନ କଟକଣା ଯୋଗୁ ଅଧିକାଂଶ ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ପାରୁ ନଥିଲା। ତଳୁଆ ରାସ୍ତା ଓ ରାସ୍ତା ମଝିରେ ନାଳ ଯୋଗୁଁ ପ୍ରତିବର୍ଷ ମହାନଦୀର ସାତକୋଶିଆ ଗଣ୍ଡ ପାଣିରେ ଏସବୁ ଗାଁଗଣ୍ଡା ବୁଡ଼ିଯାଉଥିଲା। କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ସାତକୋଶିଆ ଅଭୟାରଣ୍ୟବାସୀଙ୍କ ସମସ୍ୟା ଦୂର କରିବା ଦିଗରେ ନେଇଛନ୍ତି ପଦକ୍ଷେପ!.

ବନ୍ୟା ଦାଉରୁ ରକ୍ଷା ଓ ନିୟନ୍ତ୍ରଣ ପାଇଁ ୮ କୋଟି ଟଙ୍କା ବ୍ୟୟରେ ଟିକରପଡ଼ା ରାସ୍ତାର ଉଚ୍ଚତା ବୃଦ୍ଧି କରାଯାଉଛି। ସେହିଭଳି ସାଢ଼େ ୯ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥପୁର-ଟାଇଁସି ରାସ୍ତା କାମ ଆରମ୍ଭ ହେଉଛି। ଜଗନ୍ନାଥପୁର-ପୁରୁଣାକୋଟ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ୮କୋଟି ଟଙ୍କା ବ୍ୟୟରେ ହେଉଥିବା ବେଳେ ମାନିକ ଯୋଡ଼ିଠାରେ ପାହାଡ଼ କଟାଯାଇ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଚାଲିଛି!.

ଟାଇଁସିଠାରୁ ଅନ୍ତୁଳିଆ ରାସ୍ତାର କଦଳିବେରେଣୀଠାରେ ୫ କୋଟି ୩୫ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଯାଉଛି। ସେହିପରି ଟିକରପଡ଼ା-କରଡ଼ାପଡ଼ା ରାସ୍ତାର ମଝିପଡ଼ା ପାଖରେ ଏକ ନାଳ ଉପରେ ୫ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ପୋଲ ନିର୍ମାଣ କରାଯାଉଛି। ଯେଉଁ ପୋଲଠାରୁ ମଝିପଡ଼ା ପର୍ଯ୍ୟନ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ପାଇ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି!.

ପୂରଣ ହେବାକୁ ଯାଉଛି ସାତକୋଶିଆବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ। ସ୍ଥାୟୀ ରାସ୍ତା ଓ ପୋଲ ହେଉଥିବାରୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିବ। ଯାହା ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଆଣିବାର ସମ୍ଭାବନା ସୃଷ୍ଟି ହୋଇଛି!.

Leave a Reply

Your email address will not be published. Required fields are marked *