Spread the love

. *❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀*
. ♾️♾️♾️♾️⭕⭕♾️♾️♾️♾️

. *💎 ଓଁ ନମୋ ଭଗବତେ ବାସୁଦେବାୟ 💎*

*⚜️ହରଷେ ଅଭିମନ୍ୟୁସୁତ। ଶୁଣି ଗୋବିନ୍ଦର ଚରିତ। ଶୁକ ଚରଣେ ଦେଇ କର। ବୋଲେ ପରୀକ୍ଷ ଦଣ୍ତଧର।*

*💎 ରାଜା ଉବାଚ 💎*

*⚜️ବିଷ୍ଣୁ ଚରିତ ତୁମ୍ଭ ମୁଖେ। ଶୁଣିଲି ଅଦୃଷ୍ଟ- ସୁପାକେ। ଭୋ ମୁନି ଦୟାକର ମୋତେ। ସଂସାରୁ ତରିବି ଯେମନ୍ତେ।*

*⚜️ମୋଠାରେ ସ୍ନେହ ବହ ଯେବେ। ପ୍ରସନ୍ନ ଚିତ୍ତେ କହ ଏବେ। ପୂର୍ବେ ଯେ ସାୟମ୍ଭୁବମନୁ। ପ୍ରତ୍ୟକ୍ଷେ ପଦ୍ମଯୋନି ତନୁ।*

*⚜️ତାହାଙ୍କ ବଂଶେ ଯେ ଚରିତ। ଯେ ପୂର୍ବେ ଭୂତ-ଭବିଷ୍ୟତ। ବିସ୍ତାରେ ତୁମ୍ଭ ମୁଖୁଁ ଶୁଣି। ତରିବି ଭବ-ତରଙ୍ଗିଣୀ।*

*⚜️ଯେ ବଂଶେ ବିଶ୍ଵସୃକଗଣ। ମନୁଦୁହିତା ଗର୍ଭେ ପୁଣ। ପୁତ୍ର ପୌତ୍ରାଦି ଏ ଜଗତେ। ଯେବା ଚରିତ କଲେ ଯେତେ।*

*⚜️ଯେ ମନୁ ବଂଶେ ଯେବା କୃତ୍ୟ। ଅଦ୍ଭୁତ ବିଷ୍ଣୁର ଚରିତ। ଅଦ୍ୟାପି କବି- ଋଷିମାନେ। ଅଶେଷ ଶାସ୍ତ୍ର ଅନୁମାନେ।*

*⚜️ଗ୍ରନ୍ଥିଲେ କୃଷ୍ଣ ଗୁଣଗାଥା। ଅଶେଷ କର୍ମ ହରିକଥା। ଯେ କଥା କର୍ଣ୍ଣରନ୍ଧ୍ରେ ପଶେ। ଅଶେଷ କଳ୍ମଷ ବିନାଶେ।*

*⚜️ଯେ ମନୁ ଅନ୍ତରେ ଯେ କଥା। ବିଷ୍ଣୁ ଚରିତ ସାଧୁଗାଥା। ଯେ ବର୍ତ୍ତମାନ ପୂର୍ବଭୂତେ। ଯେବା କରିବେ ଭବିଷ୍ୟତେ।*

*⚜️ସକଳ କହ ମୁନିବର। ଏ ଭବସାଗରୁ ଉଦ୍ଧର। ଏମନ୍ତେ ପରୀକ୍ଷିତ ଆଗେ। ଶୁକ କହନ୍ତି ଅନୁରାଗେ।*

*🔱 ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଅଷ୍ଟମ ସ୍କନ୍ଧ , ପ୍ରଥମ ଅଧ୍ୟାୟ*

*⚜️ ପ୍ରସଙ୍ଗ – ମନ୍ଵନ୍ତରାନୁଚରିତ*

*🔱 ଅର୍ଥ – ଅଭିମନ୍ୟୁସୁତ ମହାରାଜା ପରୀକ୍ଷିତ ମହାମୁନି ଶୁକଦେବଙ୍କ ମୁଖରୁ ଭଗବାନଙ୍କର ଲୀଳା ଚରିତ ଶ୍ରବଣ କରି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଶୁକଦେବଙ୍କ ଚରଣରେ ପ୍ରଣିପାତ କରି ପଚାରିଲେ , ହେ ମହାମୁନି ! ମୋର ସୌଭାଗକୁ ଆପଣଙ୍କ ଅନୁଗ୍ରହରୁ ମୁଁ ଭଗବାନ ବିଷ୍ଣୁଙ୍କର ଲୀଳା ଚରିତ ଶ୍ରବଣ କଲି। ଏବେ ଆପଣ ମୋତେ ସୁଦୟା କରନ୍ତୁ ଯେପରିକି ମୁଁ ଏହି ସଂସାରରୁ ନିସ୍ତାର ଲାଭ କରି ପାରିବି। ସାୟମ୍ଭୁବ ମନୁଙ୍କର ବଂଶାନୁଚରିତ ବିସ୍ତୃତ ଭାବରେ ଆପଣଙ୍କ ମୁଖରୁ ଶୁଣି ମୁଁ ଧନ୍ୟ ହେଲି ଯେଉଁ ବଂଶରେ କି ତାଙ୍କ ଦୁହିତାଙ୍କ ଗର୍ଭରୁ ମରୀଚି ଆଦି ପ୍ରଜାପତିଗଣ ପୁତ୍ର ପୌତ୍ରାଦି ସୃଷ୍ଟି କରାଇ ଏ ଜଗତରେ ନିଜ ନିଜର ବଂଶ ପରମ୍ପରା ରକ୍ଷା କରିଥିଲେ। ଏବେ ଆପଣ ମୋତେ ଅନ୍ୟ ସବୁ ମନ୍ଵନ୍ତର ବିଷୟରେ କୁହନ୍ତୁ। ଯେଉଁ ସବୁ ମନ୍ଵନ୍ତରରେ ଭଗବାନ ବିଷ୍ଣୁଙ୍କର ଯେଉଁ ସବୁ ଲୀଳା ଓ କର୍ମମାନ କବି ଓ ଋଷିମାନେ ଏବେବି ବର୍ଣ୍ଣନା କରନ୍ତି ଏବଂ ଯାହାକୁ କର୍ଣ୍ଣରେ ଶ୍ରବଣ କଲେ ଅଶେଷ କଳ୍ମଷ ନାଶ ହୋଇ ଯାଇଥାଏ , ସେହିସବୁ କଥା ଆପଣ ମୋ ଆଗରେ କୃପାକରି କୁହନ୍ତୁ। ହେ ମୁନିଶ୍ରେଷ୍ଠ ! ଭଗବାନ ବିଷ୍ଣୁ ପୂର୍ବ ମନ୍ଵନ୍ତରମାନଙ୍କରେ ଯେଉଁସବୁ ଲୀଳାମାନ କରିଛନ୍ତି , ବର୍ତ୍ତମାନ ମନ୍ଵନ୍ତରରେ ଯେଉଁସବୁ ଲୀଳା କରୁଛନ୍ତି ଏବଂ ଭବିଷ୍ୟତ ମନ୍ଵନ୍ତରରେ ଯେଉଁସବୁ ଲୀଳା କରିବେ ସେସବୁ ମଧ୍ୟ କୃପାପୂର୍ବକ ମୋ ଆଗର କହି ମୋତେ ଏହି ଭବସାଗରରୁ ଉଦ୍ଧାର କରନ୍ତୁ। ରାଜା ପରୀକ୍ଷିତଙ୍କର ଏହି ଶ୍ରଦ୍ଧାଯୁକ୍ତ ନିବେଦନ ଶୁଣି ମହାମୁନି ଶୁକଦେବ ଅତ୍ୟନ୍ତ ପ୍ରସନ୍ନ ହେଲେ ଓ ବିଭିନ୍ନ ମନ୍ଵନ୍ତର ବିଷୟରେ ରାଜା ପରୀକ୍ଷିତଙ୍କୁ କହିବାକୁ ଲାଗିଲେ।*

*🔱 ଭାବାର୍ଥ – ଏଠାରେ ରାଜା ପରୀକ୍ଷିତ ମହାମୁନି ଶୁକଦେବଙ୍କୁ ବିଭିନ୍ନ ମନ୍ଵନ୍ତର ବିଷୟରେ କହିବାକୁ ନିବେଦନ କରିଛନ୍ତି।*

. ✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

Leave a Reply

Your email address will not be published. Required fields are marked *