ରାଜ୍ୟର ୨୦ ଜିଲ୍ଲାରୁ ସୃଷ୍ଟି ହେଲା ୩୪ ନୂଆ ଏନଏସି । ଜାଣନ୍ତୁ, ଗୋଟିଏ ଅଞ୍ଚଳ ଏନଏସି ମାନ୍ୟତା ପାଇଲେ ଲାଭ କଣ?
ଗ୍ରାମାଞ୍ଚଳ ରୂପାନ୍ତରିତ ହୋଇ ସହରର ପ୍ରଥମ ସୋପାନରେ ପହଞ୍ଚିଲେ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ଘୋଷଣା କରିଥାନ୍ତି ସରକାର । ଲୋକସଂଖ୍ୟା ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଆଧାରକୁ ବିଚାର କରି ଏପରି ଘୋଷଣା କରାଯାଏ । ରାଜ୍ୟରେ ୩୪ଟି ନୂଆ ଏନଏସି ହେବା ପରେ ଏବେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି ଏନଏସି ହେଲେ ଲାଭ କ’ଣ?
ତେବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଏବେ ବିକାଶମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତକୁ ବିପୁଳ ପରିମାଣର ଅର୍ଥ ଆସୁଛି । ତାଙ୍କ କହିବା କଥା ପଞ୍ଚାୟତରେ ଯେଉଁ ସେବା ମାଗଣାରେ ମିଳୁଛି, ଏନଏସି ଅଞ୍ଚଳରେ ସେଥିପାଇଁ ଟିକସ ଦେବାକୁ ପଡିପାରେ । ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ସମାନ ମତ ଦେଇଛନ୍ତି । ତେବେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ଏନଏସି ଘୋଷଣା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସଂପୃକ୍ତ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ।
ଅନ୍ୟପଟେ ବ୍ଲକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ରହିଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । ଏବେ ୩୪ଟି ନୂଆ ଏନଏସି ପାଇଁ ନୂଆ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଅଧିକାରୀ ଓ କର୍ମଚାରୀ ଆବଶ୍ୟକ ହେବେ ।