Spread the love

ଅଶ୍ୱିନୀ ସୌଜନ୍ୟତା ଭୁଲିଲେ ନା ରାଜନୀତି କଲେ

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ବିଜେପିର ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଦଳୀୟ ବିଧାୟକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ଅଶ୍ୱିନୀଙ୍କୁ ଜିତିବା ପାଇଁ ବିଜେପି ଏକାକି ସମର୍ଥ ନୁହେଁଏଣୁ ବିଜେଡି ଜିତିବା ପାଇଁ ସମର୍ଥନ ଦେବ ବୋଲି ଘୋଷଣା କରିଛି । ହେଲେ ବର୍ତ୍ତମାନ ରାଜେନୌତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ କୃତଜ୍ଞତା ନଜଣାଇବା କିମ୍ବା ଧନ୍ୟବାଦ ନଦେବା ଏହା ଏକ ଛୋଟିଆ ଘଟଣା ନୁହେଁ ।

ନବୀନଙ୍କୁ ଅଣଦେଖା କରିବା ପଛରେ କିଛି ରାଜେନୌତିକ ରହସ୍ୟ ରହିଛି ବୋଲି କୁହାଯାଉଛି । ଏ ନେଇ ବିଜେଡି କିଛି ପ୍ରତିକ୍ରିୟା ରଖୁନାହିଁ ।

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ ଟିମ୍ ନାମ ଘୋଷଣା କରିବା ଅଳ୍ପ ସମୟ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମର୍ଥନ ଦେବା ନେଇ ଏକ ପ୍ରେସ୍ ଇସ୍ତାହାର ଜାରି କରିଥିଲେ । ଅଶ୍ୱିନୀ କେନ୍ଦ୍ରରେ ରେଳବାଇ ଓ ଆଇଟି ମନ୍ତ୍ରୀ ଥିବାରୁ ତାଙ୍କ ଜିତିବା ପାଇଁ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସମର୍ଥନ ଦିଆଯାଉଛି ବୋଲି ବିଜେଡି ସୁପ୍ରିମୋ ଦର୍ଶାଇ ଥିଲେ । ଗତକାଲି ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀରୁ ଭୁବନେଶ୍ୱର ଆସିବା ପୂର୍ବରୁ ନବୀନଙ୍କର ଏହି ଘୋଷଣା ନାମା ଆସି ସାରିଥିଲା । ହେଲେ ବିମାନବନ୍ଦରରେ ପହଞ୍ଚିବା ପରେ ସେ ଯେଉଁ ପ୍ରତିକ୍ରୟା ଗଣମାଧ୍ୟମକୁ ଦେଇଥିଲେ ସେଥିରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ । ଏହା ସ୍ୱାଭାବିକ୍ କଥା । ବିଜେଡି ସୁପ୍ରିମୋ ସମର୍ଥନ ଜଣାଇଥିଲେ ବି ତାଙ୍କୁ ଧନ୍ୟବାଦ ଦେଇନଥିଲେ କି ବିଜେଡି ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ । ସେ ମସୟରେ କୁହାଗଲା ବୋଧହୁଏ ବିଜେଡି ଘୋଷଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅବଗତ ହୋଇ ନଥିବେ । ତେଣୁ ଧନ୍ୟବାଦ୍ ଜଣାଇଲେ ନାହିଁ ।

କିନ୍ତୁ ଆଜି ନାମାଙ୍କନ ଦାଖଲ କରିବା ପରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲା ବେଳେ ବିମାନବନ୍ଦର ଭଳି ବିଧାନସଭାରେ ବି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କିଛି ଉଲ୍ଲେଖ କରି ନଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ନିଶ୍ଚିତ ଭାବରେ କେନ୍ଦ୍ରମନ୍ତ୍ରୀ ବିଜେଡି ସୁପ୍ରିମୋଙ୍କ ସମର୍ଥନ କଥା ଅବଗତ ହୋଇ ସାରିଥିବେ । ଏପରିକି ସେ ଭଲ ଭାବେ ଜାଣନ୍ତି ବିଜେଡି ସହଯୋଗ ବିନା ଜିତିବା ସମ୍ଭବ ନୁହେଁ । କାରଣ ନିଜ ଦଳର ବିଧାୟକଙ୍କ ସଂଖ୍ୟା ମାତ୍ର ୨୨ ରହିଛି । ଏଣୁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେବା କଥା । କିନ୍ତୁ ସେ ସେପରି ନକରିବା ପଛରେ ନିଶ୍ଚିୟ ରାଜନୈତିକ ଅଭିସନ୍ଧି ରହିଥିବା କଥା ଅନେକ ମତ ଦେଇଛନ୍ତି । କେହି କେହି କହୁଛନ୍ତି ଯେ, ବିଜେଡି ଓ ନବୀନ ପଟ୍ଟନାକୟଙ୍କୁ ଜାଣିଶୁଣି ଅପମାନିତ କରିବା ପାଇଁ ଉଦ୍ୟମ କରାଯାଇଛି । ବିଜେପି ରାଜ୍ୟ ନେତାମାନେ ଯାହା କହୁଛନ୍ତି ତାହା ପ୍ରମାଣିତ କରିବା ପାଇଁ ଏପରି ସେ କରିଥାଇ ପାରନ୍ତି । କାହିଁକି ସମର୍ଥନ ବିଜେଡି ଦେଉଛି ତାହା ବିଜେଡିକୁ ଯାଇଁ ପଚାର ବିଜେପି ନେତାମାନେ କହୁଛନ୍ତି । ବିଜେଡି ଉପରେ ପଡ଼ି ନିଜର ସୁରକ୍ଷା ପାଇଁ ସମର୍ଥନ ଦେଉଛି ।

ରାଜ୍ୟ ସ୍ୱାର୍ଥ ପାଇଁ ନୁହେଁ ବୋଲି ବିଜେପି ପ୍ରମାଣିତ କରିବାକୁ ଚାହୁଁ ଥିବା ଆଲୋଚନା ହେଉଛି । ଆଗକୁ ନିର୍ବାଚନ ରହିଛି । ଏଥିରେ ବିଜେପିର ଭୋଟ୍ କାଳେ ଖସିବ ସେଥିପାଇଁ ଆଗରୁ ଏ ପଦକ୍ଷେପ ନେଇଛନ୍ତି । ଏପରି କରି ବିଜେଡିକୁ ପରୋକ୍ଷରେ ଅଡ଼ୁଆ ପରିସ୍ଥିତିରେ ପକାଇବା ପାଇଁ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି । କାରଣ ଭୋଟରଙ୍କ ପାଖରେ ଏକ ବାର୍ତ୍ତା ପହଞ୍ଚାଇବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିଜେଡି ଏଭଳି ଅଦ୍ୟାତିତ ଭାବେ ବିଜେପି ପ୍ରାର୍ଥୀକୁ ସମର୍ଥନ କରିସାରିଛି। ସେଥିପାଇଁ ଜାଣିଶୁଣି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବୀନଙ୍କ ନାମକୁ ଏଡ଼ାଇ ଚାଲିଛନ୍ତି । କାରଣ ଧନ୍ୟବାଦ ଦେଲେ କାଳେ ଜଣାପଡ଼ିବ ବିଜେପି ସହାୟତା ଲୋଡ଼ିଛି ଓ ଆବଶ୍ୟକ ଥିବାରୁ ବିଜେଡିର ଶରଣ ପସିଛି । ଏହି ଧାରଣାକୁ ଭାଙ୍ଗିବା ପାଇଁ ଏ ପ୍ରକାର ରାଜେନୌତିକ ଷଡ଼ଯନ୍ତ୍ର ରଚାଯାଇଥିବା କଥା କୁହାଯାଉଛି ।

Leave a Reply

Your email address will not be published. Required fields are marked *