Spread the love

ମହାବିଷୁବ ସଂକ୍ରାନ୍ତି ତାରିଖକୁ ନେଇ ଦ୍ବନ୍ଦ୍ବ: ୧୪ ନୁହେଁ ୧୩ରେ ପାଳନ ପାଇଁ ଜନସ୍ବାର୍ଥ ମାମଲା

ଚଳିତବର୍ଷର ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୩ରେ ପଡ଼ୁଛି। ଏ ସଂକ୍ରାନ୍ତରେ ସ୍ପଷ୍ଟ ଘୋଷଣା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ କୋ‌ଷାଧ୍ୟକ୍ଷ ତଥା ଗଣନାକାର ଦୋଳଗୋବିନ୍ଦ ପଣ୍ଡା ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହେଉଥିବାରୁ ଏ ବର୍ଷ ଏପ୍ରିଲ ୧୪ ବଦଳରେ ୧୩ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପଡ଼ୁଛି।

ଓଡ଼ିଶାରେ ପ୍ରାୟ ସମସ୍ତ ପାଞ୍ଜି ଗଣନାରେ ବିଶେଷ ଭାବେ ଅବଲମ୍ବନ କରାଯାଉଥିବା ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ, ଯାଜପୁର ଜିଲ୍ଲାରେ ବିରଜା ପାଞ୍ଜି ଗଣନାରେ ବ୍ୟବହୃତ ଶତାନନ୍ଦଙ୍କ ଭାସ୍ବତୀ, ସାରା ଭାରତରେ ପାରମ୍ପରିକ ପାଞ୍ଜି ଗଣନାରେ ବ୍ୟବହୃତ ସୂର୍ଯ୍ୟସିଦ୍ଧାନ୍ତ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ଗଣନା ଅନୁସାରେ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି। ଦେଶର ବିଭିନ୍ନ ପ୍ରାନ୍ତରେ ତିଥି ନେଇ ରହିଥିବା ଦ୍ବନ୍ଦ୍ବ ଦୂର ପାଇଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୋଜିସନାଲ୍‌ ଆଷ୍ଟ୍ରୋନୋମି ସେଣ୍ଟର୍‌ ୧୯୫୭-୫୮ରୁ ରାଷ୍ଟ୍ରୀୟ ପଞ୍ଚାଙ୍ଗ ପ୍ରକାଶ କରି ଆସୁଛି। ଚଳିତବର୍ଷ ପ୍ରକାଶିତ ରାଷ୍ଟ୍ରୀୟ ପଞ୍ଚାଙ୍ଗରେ ଏପ୍ରିଲ୍‌ ୧୩ରେ ମହାବିଷୁବ ସଂକ୍ରାନ୍ତି ପଡୁଛି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ‘ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା’ ସହିତ ଅନ୍ୟ ପ୍ରମୁଖ ପାଞ୍ଜିଗୁଡ଼ିକରେ ଏପ୍ରିଲ ୧୩ରେ ହିଁ ପଣାସଂକ୍ରାନ୍ତି ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ବୋଲି ଭୁଲ ଗଣନା କରିଥିବା କେତେକ ନିର୍ଦ୍ଦିଷ୍ଟ ପଞ୍ଜିକାକୁ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୂର୍ବବର୍ଷର ଭୁଲ୍‌କୁ ଘୋଡ଼ାଇବା ପାଇଁ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ମତ ଦେଇଛି। ୨୦୨୪, ଏପ୍ରିଲ ୧୪ରେ ମହା ବିଷୁବ ସଂକ୍ରାନ୍ତି ପଡ଼ୁଥିବା ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ଗ୍ରହଣ କରିଥିବା ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁମୋଦନ ଦେଇଥିଲା। ଏହାପରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୨୪, ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ବୋଲି ଘୋଷଣା କରି ୨୦୨୩, ନଭେମ୍ବର ୭ରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ସିଦ୍ଧାନ୍ତ ଦର୍ପଣରେ ରହିଥିବା ନିୟମର ଉଲ୍ଲଂଘନ କରି ଭୁଲ୍‌ ଗଣନା ଆଧାରରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ପଡୁଥିବା ଘୋଷଣା କରାଯାଇଛି। ପାଞ୍ଜିରେ ପଣା ସଂକ୍ରାନ୍ତିର ଭୁଲ ତାରିଖ ଉଲ୍ଲେଖ କରାଯିବା ଦ୍ବାରା ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଜାତକ ପ୍ରସ୍ତୁତ ପ୍ରସଙ୍ଗକୁ ମଧ୍ୟ ଏହା ପ୍ରଭାବିତ କରିବ।

ସରକାରଙ୍କ ୨୦୨୩, ନଭେମ୍ବର ୭ର ବିଜ୍ଞପ୍ତି ସହିତ ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ଦର୍ଶାଇ ନିର୍ଦ୍ଦିଷ୍ଟ ସଂସ୍ଥା ପକ୍ଷରୁ ପ୍ରକାଶିତ ପାଞ୍ଜିକୁ ରଦ୍ଦ କରାଯାଉ। ଏଥି ସହିତ ଏପ୍ରିଲ ୧୩ରେ ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ନେଇ ଘୋଷଣା କରିବାକୁ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଆଇନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ମୁକ୍ତିମଣ୍ଡପ ପଣ୍ଡିତ ସଭା, ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଓ ବିବୁଧେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି। ଭୁଲ୍‌ ଦିନରେ ପୁଣ୍ୟପର୍ବାଦି ପାଳନ ବ୍ୟକ୍ତି, ରାଜ୍ୟ ତଥା ସମାଜ ପାଇଁ ହାନିକାରକ ହୋଇଥିବାରୁ ଓଡ଼ିଶାବାସୀ ଠିକ୍ ଦିନରେ ଏହି ଧାର୍ମିକ ଦିବସଟି ପାଳନ କରିବାକୁ ଆବେଦକ ତଥା ପାଞ୍ଜି ଗଣନାକାର ଦୋଳଗୋବିନ୍ଦ ପଣ୍ଡା ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *