*🥀🌸ନେତାଙ୍କ ଅଙ୍ଗୀକାର*
ଭାରତ ଏବଂ ଭାରତୀୟମାନଙ୍କୁ ନେଇ ଯେଉଁ ଶତାଧିକ ଲଘୁ ମନ୍ତବ୍ୟ ଶୁଣାଯାଏ ତାହା ମଧ୍ୟରୁ ଦୁଇଟି ଏହି ପ୍ରକାର: ଭାରତରେ ସବୁ ସମୟ ଚା ପିଇବାର ସମୟ, ଏଠାରେ କୌଣସି କଥା କେତେବେଳେ ସୁଦ୍ଧା ପୂର୍ଣ୍ଣାଙ୍ଗ ନୁହେଁ, ଭାରତରେ ସଭିଏଁ ଜଣେ ଜଣେ ଚିକିତ୍ସକ। ଏହି ମନ୍ତବ୍ୟର ଅର୍ଥ ବୁଝାଇ କହିବା ନିଷ୍ପ୍ରୟୋଜନ। ଆମେ ସମସ୍ତେ ଲକ୍ଷ୍ୟ କରିଛନ୍ତି ଯେ, ଆମର ଚା ପିଇବା ଅଭ୍ୟାସ ୟୁରୋପୀୟ କିମ୍ବା ଅନ୍ୟ ପାଶ୍ଚାତ୍ୟ ଦେଶର ଲୋକଙ୍କ ଅଭ୍ୟାସ ପରି ସମୟ-ନିର୍ଦ୍ଦିଷ୍ଟ ନୁହେଁ।
ଭାରତରେ ରାସ୍ତାଘାଟ ନିର୍ମାଣଠାରୁ ଆରମ୍ଭ କରି ସାହି ବସ୍ତିର ନାଳନର୍ଦ୍ଦମା ପର୍ଯ୍ୟନ୍ତ ସବୁ କାମ ବର୍ଷ ସାରା ସେମିତି ଚାଲିଥାଏ। ସେହିଭଳି ବିନା ପ୍ରେସ୍କ୍ରିପ୍ସନ୍ରେ ଭାରତରେ ଔଷଧ ଦୋକାନରୁ ଯେମିତି ନିର୍ବିଚାରରେ ଔଷଧ ମିଳିଯାଏ, ସେମିତି ଏଠି କାହାକୁ କିଛି ଅସୁସ୍ଥତା କଥା କହିସାରିବା କ୍ଷଣି ତୁରନ୍ତ ସେ ଗୋଟିଏ ଔଷଧ ନାମ ବତେଇଦେଇ, ନିଜେ ତାତ୍କାଳିକ ଡାକ୍ତର ପାଲଟି ଯାଆନ୍ତି। ଏହିପରି ସହସ୍ରାଧିକ ଲଘୁ ଟିପ୍ପଣୀ ମଧ୍ୟରୁ ଆଉ ଗୋଟିଏ ହେଲା, ଭାରତର ପ୍ରାୟ ଲୋକ ଯୌବନରେ ସାମ୍ୟବାଦୀ, ବାହା ହେବା ପରେ ପୁଞ୍ଜିବାଦୀ, ଚାକିରିରୁ ଅବସର ନେବା ପରେ ସଂସ୍କାରବାଦୀ ଏବଂ ମୃତ୍ୟୁ ପୂର୍ବରୁ ଅଧ୍ୟାତ୍ମ୍ୟବାଦୀ। କେହି କେହି ଏହାକୁ ଡାରଵିନ୍ଙ୍କ ବିବର୍ତ୍ତନବାଦର ଏକ ସମାନ୍ତରାଳ ଚକ୍ର ବୋଲି ମଧ୍ୟ ପରିହାସରେ କହିଥାଆନ୍ତି।
ତେବେ ସାଧାରଣ ମଣିଷମାନଙ୍କ ସମ୍ବନ୍ଧରେ କୁହାଯାଇଥିବା ଏ ପ୍ରକାର ହାଲୁକା ମନ୍ତବ୍ୟ ଯେ ଶରଦ ପାଵାରଙ୍କ ପରି ଭାରତର ଜଣେ ବିଚକ୍ଷଣ, ସଫଳ ଓ ଶକ୍ତିଶାଳୀ ଅଶୀତିପର ରାଜନେତାଙ୍କ ପାଇଁ ପ୍ରଯୋଜ୍ୟ ହେବା ଏକଥାଟି କିଛି ଦିନ ଆଗରୁ କେହି କହିଥିଲେ ଆମେ ତାହା କଦାପି ଗ୍ରହଣ କରିନଥାନ୍ତୁ। ମାତ୍ର ଏହି ଦୁର୍ଦ୍ଧର୍ଷ ମରଠା ରାଜନେତା ଜଣକ ଏନ୍ଡିଟିଭିକୁ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିିଜେ ହିଁ ଅନୁରୂପ ଏକ ମନ୍ତବ୍ୟ ଦେଇଛନ୍ତି ଯାହା ଦର୍ଶାଉଛି ଯେ ଉପରଲିଖିତ ଲଘୁକଥାର କିଛି ଯଥାର୍ଥତା ନିଶ୍ଚୟ ରହିଛି। ଅନ୍ୟ ଅନେକଙ୍କ ପରି ସେ ଯୌବନରେ ଜଣେ ସାମ୍ୟବାଦୀ ଥିଲେ ବୋଲି ସ୍ପଷ୍ଟ ଭାବରେ କହିନଥିଲେ ସୁଦ୍ଧା ଏକଥା ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କର ରାଜନୈତିକ ଜୀବନ ଟାଟା-ବିରଳା ପରି ପୁଞ୍ଜିପତି-ଶିଳ୍ପପତିମାନଙ୍କୁ ବିରୋଧ କରିବା କାମରୁ ସେ ଆରମ୍ଭ କରିଥିଲେ। ଏନ୍ଡିଟିଭି ସହ ତାଙ୍କର ଅଧଘଣ୍ଟାରୁ ଅଧିକ କାଳ ବ୍ୟାପୀ ଏହି ସାକ୍ଷାତକାରରେ ସେ ନିଜର ରାଜନୈତିକ କୌଶଳ ସମ୍ବନ୍ଧରେ ସୂଚନା ଦେଇ ସ୍ପଷ୍ଟ ବାକ୍ୟରେ ଯାହା କହିଛନ୍ତି ତାହା ହେଲା- ରାଜନୀତି କଲେ କାହାକୁ ନା କାହାକୁ ଶତ୍ରୁ ମଣି ଟାର୍ଗେଟ କରିବାକୁ ହୁଏ। ସିଏ ତେଣୁ ଟାଟା-ବିରଳା ପରି ବଡ଼ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକୁ ଅଯଥାରେ ଟାର୍ଗେଟ୍ କରିଥିଲେ ଏବଂ ସେମାନଙ୍କୁ ସମାଲୋଚନା କରୁଥିଲେ, ଯେମିତି ଆଜି ଆନେକ ଅମ୍ବାନୀ-ଆଦାନୀ ପରି ବଡ଼ ବଡ଼ ଶିଳ୍ପପତିଙ୍କୁ ବା ସେମାନଙ୍କର କଂପାନିକୁ ଟାର୍ଗେଟ୍ କରୁଛନ୍ତି।
ଅମ୍ବାନୀ-ଆଦାନୀ ଶିଳ୍ପ ସଂସ୍ଥାମାନଙ୍କ ସପକ୍ଷରେ ବା ବିପକ୍ଷରେ କିଛି ମନ୍ତବ୍ୟ ଦେବାର ଅବକାଶ ଏହା ନୁହେଁ। ଏ ଦୁଇ ସଂସ୍ଥା ଆଧୁନିକ ଭାରତର ଦୁଇ ସଫଳ କାହାଣୀ। ଅମ୍ବାନୀ ଗ୍ରୁପ୍ ଏ ପର୍ଯ୍ୟନ୍ତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ଯୋଗୁଁ ଏଇ କିଛି ଦିନ ତଳେ ଆଦାନୀ ଗ୍ରୁପ୍ ନିଜର ଶୀର୍ଷ ସ୍ଥାନରୁ ନିମ୍ନକୁ ଖସିଆସିଛି। ଆଦାନୀ-ପ୍ରଧାନମନ୍ତ୍ରୀ ସମ୍ବନ୍ଧ ଅଭିଯୋଗର ତଦନ୍ତ ପାଇଁ ପାର୍ଲାମେଣ୍ଟର ଯୁଗ୍ମ ସଂସଦୀୟ କମିଟି ଦାବି କରି କଂଗ୍ରେସ ସହିତ ଅନେକ ବିରୋଧୀ ଦଳ ବଜେଟ୍ ଅଧିବେଶନର ଶେଷ ଭାଗକୁ ପ୍ରାୟ ଅଚଳ କରିଦେଇଥିଲେ। ଏ ପର୍ଯ୍ୟନ୍ତ ଏହି ଆଦାନୀ ପ୍ରସଙ୍ଗ ଦେଶର ରାଜନୈତିକ ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଅଛି। ତେବେ ଆମର ଆଲୋଚନାର ପ୍ରସଙ୍ଗ ହେଉଛି ଭାରତୀୟ ରାଜନେତାମାନଙ୍କର ପ୍ରତିବଦ୍ଧତା ଏବଂ ବୈଚାରିକ ଦୃଷ୍ଟିଭଙ୍ଗୀ। ରାଜନୀତି ପଛରେ କୌଣସି ନୀତି ରହିବା ପ୍ରୟୋଜନ ନା ସମୟ ସୁଯୋଗକୁ ଖାପ ଖୁଆଇବା ଭଳି କିଛି ଗୋଟିଏ ନୀତି ନିର୍ଦ୍ଧାରଣ କରିପକାଇବା ହେଉଛି ଅସଲ ବ୍ୟାବହାରିକ ରାଜନୀତି?
ଶରଦ ପାଵାର ଜଣେ ଦୃଢ଼ମନା ଓ ଦୁଃସାହସୀ ରାଜନେତା ଭାବରେ ପରିଚିତ ଏବଂ ତାଙ୍କର ଏହି ପରିଚୟ ୧୯୯୯ ମସିହାରେ ଆଉ ଥରେ ପ୍ରତିଷ୍ଠିତ ହୋଇଥିଲା, ଯେତେବେଳେ ତ୍ରୟୋଦଶ ଲୋକସଭା ନିର୍ବାଚନ ପୂର୍ବରୁ, ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଭାବେ ସୋନିଆ ଗାନ୍ଧୀଙ୍କ ପ୍ରାର୍ଥୀତ୍ବକୁ ସେ ପି. ଏ. ସାଙ୍ଗମା ଓ ତାରିକ ଅନଵରଙ୍କ ସହ ମିଶି ବିରୋଧ କରିଥିଲେ ଏବଂ ଏହା ପାଇଁ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିରୁ ବହିଷ୍କୃତ ହୋଇଥିଲେ। ଶରଦ ପାଵାର କଂଗ୍ରେସର ସେହି ବହିଷ୍କାରକୁ ତିଳେ ମାତ୍ର ଭ୍ରୂକ୍ଷେପ ନ କରି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଗଠନ କରିଥିଲେ ଏବଂ ପରିସ୍ଥିତିର ନାଟକୀୟ ଘଟଣାକ୍ରମରେ ମହାରାଷ୍ଟ୍ର ସରକାର ଗଠନ ଲାଗି ତଥା ଭାଜପା-ଶିବସେନାର ପଥ ରୋକିବା ପାଇଁ କଂଗ୍ରେସ ଦଳକୁ ସମର୍ଥନ ଯୋଗାଇ ଦେଇଥିଲେ। ସେସବୁ ଅବଶ୍ୟ ଇତିହାସ।
ଏଭଳି ଜଣେ ଦୃଢ଼ମନା ରାଜନେତା ଅନ୍ୟ ସବୁ ସହଯୋଗୀ ବିରୋଧୀ ଦଳର ମତ ବିରୋଧରେ ଯାଇ ଆଦାନୀ ଗ୍ରୁପ୍କୁ ସମର୍ଥନ କରିବା ଅସ୍ବାଭାବିକ ନୁହେଁ। ଶରଦ ପାୱାର ତାଙ୍କର ଆତ୍ମଜୀବନୀ ”ଲୋକ ମାଜେ ସାଙ୍ଗତି”ରେ ଏକାଧିକ ବାର ଗୌତମ ଆଦାନୀଙ୍କ କଥା ଉଲ୍ଲେଖ କରିଛନ୍ତି ଏବଂ କିଭଳି ଗୁଜୁରାଟର ଏହି ଯୁବକ ମହାରାଷ୍ଟ୍ରରେ ଆସି ହୀରା ବ୍ୟବସାୟ ସହ ସମ୍ପୃକ୍ତ ଥିବାବେଳେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ନିଜର ବ୍ୟବସାୟ ସ୍ଥାନାନ୍ତରିତ କରିବା ପାଇଁ ଦୁଃସାହସ କରିଥିଲେ ତାହାର ଭୂୟସୀ ପ୍ରଶଂସା କରିଛନ୍ତି।
ପାୱାର ଏକଥା ମଧ୍ୟ ଦର୍ଶାଇଛନ୍ତି ଯେ ଗୌତମ ଆଦାନୀ ସାଧାରଣ ସ୍ତରରୁ ଅସାଧାରଣ ସ୍ତରକୁ ଉଠିଥିବା ଜଣେ ସଫଳ ଭାରତୀୟ ଶିଳ୍ପୋଦ୍ୟୋଗୀ। ଏକ ସମୟରେ ଏଭଳି ଶିଳ୍ପୋଦ୍ୟୋଗୀମାନେ ତାଙ୍କର ଖୁବ୍ ଘନିଷ୍ଠ ହୋଇପଡ଼ିଥିଲେ ଏବଂ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରତ୍ୟହ ଅପରାହ୍ଣ ଦୁଇଟାରୁ ଚାରିଟା ଭିତରେ ବିନା ଆପଏଣ୍ଟମେଣ୍ଟରେ ଏହି ଶିଳ୍ପୋଦ୍ୟୋଗୀମାନେ ତାଙ୍କୁ ଆସି ତାଙ୍କ ଦପ୍ତରରେ ଭେଟୁଥିଲେ। ସେତେବେଳେ ଗୁଜୁରାଟରେ ବସି ପାରୁନଥିବା ବଡ଼ ବଡ଼ କାରଖାନା ମହାରାଷ୍ଟ୍ରକୁ ଆସୁଥିଲା ଏବଂ ତାହାର ପ୍ରତିଦାନରେ ମହାରାଷ୍ଟ୍ର ସରକାର ଗୁଜୁରାଟରେ କିଛି ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେଉଥିଲେ। ଏକ ସମୟରେ ଗୌତମ ଆଦାନୀ ମୁନ୍ଦ୍ରାଠାରେ ଥିବା ଏକ ବନ୍ଦରର ବିକାଶ ନିମନ୍ତେ ଆଗ୍ରହ ଦେଖାଇ ସମସ୍ତଙ୍କୁ ବିସ୍ମିତ କରିଥିବା ପ୍ରସଙ୍ଗ ଉଲ୍ଲେଖ କରି ପାୱାର ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚିମନଲାଲ ପେଟଲ ସେତେବେେଳ ଆଦାନୀଙ୍କୁ ସତର୍କ କରି କହିଥିଲେ ଯେ ସେହି ବନ୍ଦର ଅଞ୍ଚଳଟି ପାକିସ୍ତାନ ସୀମାର ନିକଟବର୍ତ୍ତୀ ହୋଇଥିବାରୁ ବିପଦ ରହିଛି; ମାତ୍ର ସେ ପ୍ରକାର ସତର୍କବାଣୀ ସତ୍ତ୍ବେ ଆଦାନୀ ନିଜ ନିଷ୍ପତ୍ତିରେ ଅଟଳ ରହି ତାଙ୍କର ଦୃଢ଼ତାର ପ୍ରମାଣ ଦେଇଥିଲେ।
ଏହି ପୃଷ୍ଠଭୂମିରେ ଜେପିସି ଦାବି ନେଇ ଆଦାନୀଙ୍କ ସପକ୍ଷରେ ଶରଦ ପାୱାରଙ୍କ ସମର୍ଥନ ବିଚିତ୍ର ନୁହେଁ। ତାଙ୍କର ମତ ହେଲା ସୁପ୍ରିମ୍ କୋର୍ଟ ନିୟନ୍ତ୍ରିତ କମିଟିର ଘୋଷଣା ପରେ ଆଉ ଜେପିସିର ପ୍ରୟୋଜନ ନାହିଁ। ତେବେ ତାଙ୍କର ଏହି ଭୂମିକା ବିରୋଧୀ ଦଳ ଏକତାକୁ ଏକ ଶକ୍ତ ଆଘାତ ଦେଇଅଛି। ସାଧାରଣ ନିର୍ବାଚନ ଆଉ ଅଳ୍ପ ମାସର ଘଟଣା ହୋଇଥିବା ବେଳେ ବିରୋଧୀ ଦଳ ଭିତରେ ଏଭଳି ମତଭେଦ ଦେଖାଦେବା ନିଶ୍ଚୟ ଉଲ୍ଲେଖନୀୟ। ମହାରାଷ୍ଟ୍ରର କଂଗ୍ରେସ ନେତାମାନେ ସ୍ବୀକାର କରିଛନ୍ତି ଯେ ପାୱାରଙ୍କ ଭୂମିକା ଏକ ଭୁଲ୍ ରାଜନୈତିକ ବାର୍ତ୍ତା ଦେଉଅଛି ଯାହାର ଅର୍ଥ ହେଲା, ପରିସ୍ଥିତି ଚକ୍ରରେ ପଡ଼ି ସିଏ ବିପକ୍ଷରେ ଥିଲେ ମଧ୍ୟ ପ୍ରୟୋଜନ ବେଳେ ଆଦାନୀଙ୍କ ପୃଷ୍ଠପୋଷକ ଭାବେ ଚିତ୍ରିତ ମୋଦୀଙ୍କୁ ସମର୍ଥନ ଜଣାଇବେ। ତେବେ ଏସବୁ ରାଜନୈତିକ ବିଚାର ଆଲୋଚନା ଏକ ଭିନ୍ନ ପ୍ରସଙ୍ଗ, ମାତ୍ର ଟାଟା-ବିରଳା ବିରୋଧୀ ଭୂମିକା ମାଧ୍ୟମରେ ନିଜର ରାଜନୈତିକ କ୍ୟାରିୟରର ଅୟମାରମ୍ଭ ନେଇ ପାୱାରଙ୍କ ବିବୃତି ଆଉ ଏକ ଭିନ୍ନ ପ୍ରସଙ୍ଗ।
ଏ ପ୍ରକାର ବିବୃତି ମାଧ୍ୟମରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପରି ଅଧିକାଂଶ ଭାରତୀୟ ଜନନେତାଙ୍କର କୌଣସି ନିର୍ଦ୍ଦିଷ୍ଟ ପ୍ରତିବଦ୍ଧତା ନ ଥାଏ, ସେମାନେ ହୁଏତ ପ୍ରଚାର ପ୍ରତିଷ୍ଠା ପାଇଁ ଶୂନ୍ୟଗର୍ଭ ବୟାନବାଜିର ଆଶ୍ରୟ ନେଇଥାଆନ୍ତି। ଶରଦ ପାୱାରଙ୍କର ଏହି ପ୍ରକାର ବିବୃତିକୁ ଧରି ଆଜି ଯଦି କେହି କହିବସନ୍ତି ଯେ ପାୱାରଙ୍କ ପରି ନେତାମାନେ ରାଜନୀତିରୁ ଅବସର ନେବାର ଅବ୍ୟବହିତ ପୂର୍ବରୁ ସମସ୍ତଙ୍କୁ ପ୍ରଶଂସା କରି ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚାହାନ୍ତି ତାହାହେଲେ ସେ ପ୍ରକାର ତର୍କକୁ ପାୱାର ଓ ତାଙ୍କ ପରି ନେତା କ’ଣ କହି ବିରୋଧ କରିବେ? ନା ଏ ପ୍ରକାର ଶେଷଦୃଶ୍ୟ ସୁଦ୍ଧା ପ୍ରଥମଦୃଶ୍ୟ ପରି ଅଙ୍ଗୀକାର ଶୂନ୍ୟ?