Spread the love

ବିକଶିତ ରାଷ୍ଟ୍ରଙ୍କ କ୍ରମବର୍ଦ୍ଧିଷ୍ଣୁ ଅଳିଆ ବୋଝ

ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ୱର ବିକଶିତ ଓ ଉନ୍ନତ ରାଷ୍ଟ୍ରମାନେ ସେମାନଙ୍କ ଯାବତୀୟ ଅଳିଆ ବା ବର୍ଜ୍ୟବସ୍ତୁକୁ ପୃଥିବୀର ଅଧିକାଂଶ ଅନଗ୍ରସର ଓ ଅଳ୍ପୋନ୍ନତ ରାଷ୍ଟ୍ରଙ୍କୁ ଚାଲାଣ କରି ତାହାକୁ ସେଠାରେ ଗଦା କରୁଛନ୍ତି। ଏହାକୁ ଅଳିଆ ଗଦା କରିବା ପ୍ରକ୍ରିୟା ବା ‘ୱେଷ୍ଟ ଡମ୍ପ’ କୁହାଯାଏ। ଆଶ୍ଚର୍ଯ୍ୟର ବିଷୟ ହେଲା ଭାରତ ନିଜକୁ ଏକ ଦ୍ରୁତ ବିକାଶଶୀଳ ଦେଶ ବୋଲି ଦାବି କରୁଥିବା ବେଳେ ବିଦେଶରୁ କୋଟି କୋଟି ଟନ୍‌‌ ଓଜନର ବର୍ଜ୍ୟବସ୍ତୁ ଭାରତକୁ ଆସୁଛି ଏବଂ ଏହା ଏକ ବ୍ୟବସାୟରେ ପରିଣତ ହୋଇଛି।

ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ; କାରଣ ଏହା ପଛରେ ‘ସର୍କୁଲାର ଇକନମି’ ବା ‘ପୁନଃପ୍ରକ୍ରିୟାକୃତ ଅର୍ଥନୀତି’ କାର୍ଯ୍ୟ କରୁଛି। ଏଥିରେ ଅନେକ ଲୋକ ନିଯୁକ୍ତି ପାଉଛନ୍ତି ଏବଂ ଏକ ଅର୍ଥନୀତି ଗଢ଼ି ଉଠୁଛି। ଏହାସତ୍ତ୍ବେ ଏହି ପ୍ରକ୍ରିୟାରେ ବର୍ଜ୍ୟବସ୍ତୁର କିଛି ସମାଗ୍ରୀ ପୁନର୍ବାର ତିଆରି ହେବା ସତ୍ତ୍ବେ ଆହୁରି ବଳକା ରହିଯାଉଥିବା ବର୍ଜ୍ୟବସ୍ତୁର ନିରାପଦ ପରିଚାଳନା ବ୍ୟବସ୍ଥା ନାହିଁ। ସର୍କୁଲାର ଅର୍ଥନୀତି ସହିତ ପ୍ରଦୂଷଣ ଜଡ଼ିତ। ଉଦାହରଣ ସ୍ୱରୂପ ଗୁଜରାଟର ସମୁଦ୍ର ତଟବର୍ତ୍ତୀ ସହର ଅଲଙ୍ଗରେ ଏକ ପ୍ରକାଣ୍ଡ ଜାହାଜ ଭଙ୍ଗା କାରଖାନା ରହିଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପୁରୁଣା ଓ ଅବ୍ୟବହୃତ ଜାହାଜସବୁ ଏଠାକୁ ଆସି ଭଙ୍ଗାଯାଇ ତାହାର ଲୁହା ଏବଂ ଅନ୍ୟାନ୍ୟ ଧାତବ, ଅଧାତବ ସାମଗ୍ରୀକୁ ବିଭିନ୍ନ କାମରେ ବ୍ୟବହାର କରାଯାଉଛି। ଏପରିକି ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ପୁରୁଣା ହେଲେ ତାହାକୁ ମଧ୍ୟ ଏଠାରେ ଭାଙ୍ଗିବାର ବ୍ୟବସ୍ଥା ଅଛି। ଏହି ପ୍ରକ୍ରିୟାରେ ଯେଉଁ ପ୍ରଦୂଷଣ ଓ ବିଷାକ୍ତ ପ୍ରକ୍ରିୟା ସୃଷ୍ଟି ହେଉଛି, ତାହାକୁ ନେଇ ପରିବେଶବିତ୍‌‌ମାନେ ଚିନ୍ତା ପ୍ରକଟ କରୁଛନ୍ତି।

୨୦୨୨ ବର୍ଷର ଏକ ରିପୋର୍ଟ ଏବେ ପ୍ରକାଶ ପାଇଛି, ଯେଉଁଥିରେ ଉଲ୍ଲେଖ ଅଛି ଯେ ସେ ବର୍ଷ ୟୁରୋପୀୟ ସଂଘ (ଇୟୁ)ର ରାଷ୍ଟ୍ରମାନେ ସାମୂହିକ ଭାବେ ୩୨.୧ ନିୟୁତ ଟନ୍‌‌ ବର୍ଜ୍ୟବସ୍ତୁ ବିଭିନ୍ନ ଦେଶକୁ ରପ୍ତାନି କରିଥିଲେ। ସେଥିମଧ୍ୟରୁ ସବୁଠୁ ବଡ଼ ଭାଗ ୧୨.୪ ପ୍ରତିଶତ ତୁର୍କୀ ଓ ଦ୍ୱିତୀୟ ସର୍ବାଧିକ ଭାଗ ୩.୫ ପ୍ରତିଶତ ଭାରତକୁ ଆସିଥିଲା। ଆମ ପଡ଼ୋଶୀ ପାକିସ୍ତାନକୁ ଯାଇଥିଲା ମାତ୍ର ୧.୨ ଶତାଂଶ। ୟୁରୋପୀୟ ସଂଘ ଏକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କ ସମଷ୍ଟି। ‘ୟୁରୋକାଷ୍ଟ’ର ରିପୋର୍ଟ ଅନୁସାରେ ୟୁରୋପୀୟ ସଂଘର ଏହି ବର୍ଜ୍ୟ ରପ୍ତାନିରେ ମୁଖ୍ୟତଃ ରହିଛି ଲୌହ ଜାତୀୟ ଧାତବ ଯଥା ଲୁହା, ଇସ୍ପାତ, କାଗଜ ଓ କାଗଜ ପ୍ରସ୍ତୁତ ସାମଗ୍ରୀ। ସେଥିରୁ ଭାରତକୁ ୫୫ ଶତାଂଶ ଲୁହା ଓ ଇସ୍ପାତ ଜାତୀୟ ବର୍ଜ୍ୟ ଏବଂ ୩୦ ଶତାଂଶ କାଗଜ ବର୍ଜ୍ୟ ରହିଛି। ସର୍କୁଲାର ଅର୍ଥନୀତିରେ ବର୍ଜ୍ୟବସ୍ତୁର ମୂଲ୍ୟବାନ ସାମଗ୍ରୀ ପୁନର୍ବାର ତିଆରି କରିବା ପାଇଁ ପ୍ରଚୁର ସ୍ୱଚ୍ଛଜଳ, ଅମ୍ଳଜାନ ଓ ବିଜୁଳି ଦରକାର ପଡ଼େ। ଏହାସହିତ ଅନ୍ୟାନ୍ୟ ମୂଲ୍ୟବାନ ଧାତବ ଏବଂ ଅନ୍ୟାନ୍ୟ ଉପକରଣ ମିଶାଯାଏ। ସମଗ୍ର ପ୍ରକ୍ରିୟାଟି ଅତ୍ୟନ୍ତ ପ୍ରଦୂଷଣଯୁକ୍ତ। ପୁନଃ ବିନିଯୋଗ ପରେ ମଧ୍ୟ କିଛି ଅବଶେଷ ବା ବର୍ଜ୍ୟ ରହେ, ଯାହାର ଉପଯୁକ୍ତ ପରିଚାଳନା ନ ହେବାରୁ ତାହା ପରିବେଶ ପାଇଁ ଏକ ଆହ୍ୱାନ ସୃଷ୍ଟି କରେ।

ସବୁ ବିକଶିତ ଓ ବିକାଶଶୀଳ ଦେଶ କିଛି କିଛି ବର୍ଜ୍ୟ ସାମଗ୍ରୀ ନିଜର ଆବଶ୍ୟକତା ପାଇଁ ଆମଦାନି କରିଥା’ନ୍ତି। ଏପରିକି ଆମେରିକା, ବ୍ରିଟେନ୍‌‌, ସୁଇଜରଲ୍ୟାଣ୍ଡ ଓ ନରୱେ ମଧ୍ୟ ଏଥିରୁ ବାଦ୍‌‌ ପଡ଼ିନାହାନ୍ତି। ତେବେ ତୁର୍କୀ ଓ ଭାରତ ଯେଉଁ ପରିମାଣରେ ଏହାକୁ ଆମଦାନୀ କରୁଛନ୍ତି, ତାହା ପରିବେଶବିତ୍‌‌ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯେଉଁ ଦେଶରେ ଲୁହାପଥର ଅଭାବ ରହିଛି, ସେ ସବୁ ଦେଶ ବିଦେଶରୁ ତାହା ଆମଦାନୀ କରିବା ପରିବର୍ତ୍ତେ ସ୍କ୍ରାପ ବା ଖଣ୍ଡ ଏବଂ ପରିତ୍ୟକ୍ତ ଲୁହା ଲକଡ଼ ଆମଦାନୀ କରି ତାହାକୁ ଶସ୍ତାରେ ପୁନଃବ୍ୟବହାର ଉପଯୋଗୀ କରନ୍ତି। କାଗଜ ମଧ୍ୟ ସେହିଭଳି। ତେବେ ପ୍ଲାଷ୍ଟିକ୍‌‌, ପ୍ରାଣିଜ ଅବଶେଷ, ପାଉଁଶ, ଅଙ୍ଗାର, ସ୍ଲାପ୍‌‌ ଅଳିଆ (ଉଭୟ କଠିନ ଓ ତରଳ) ଆଦି ଆମଦାନୀ କରିବା ସର୍କୁଲାର ଅର୍ଥନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର। ଇସ୍ପାତ କାରଖାନାରୁ ବାହାରୁଥିବା ସ୍ଲାଗ୍‌‌ ବା ଲୌହମଳ ମିଶା ମାଟି ପଥର ସିମେଣ୍ଟ ତିଆରିରେ ବ୍ୟବହୃତ ହୁଏ। ତେବେ ଭାରତର ସବୁ ପୁରୁଣା ଇସ୍ପାତ କାରଖାନା ଆଖପାଖରେ ସ୍ଲାଗ୍‌‌ ଗଦା ହୋଇ ଯେଉଁ କୃତ୍ରିମ ପାହାଡ଼ ସବୁ ସୃଷ୍ଟି ହୋଇଛି, ତାହା ଏବେ ଚିନ୍ତାର କାରଣ ପାଲଟିଛି। ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ନଗରୀ ଓ ମହାନଗରୀ ଉପକଣ୍ଠରେ ସହରୀ ଆବର୍ଜନା / ଅଳିଆ କୃତ୍ରିମ ପାହାଡ଼ ଆମ ପାଇଁ ଏବେ ଏକ ବଡ଼ ଆହ୍ୱାନ। ଏଭଳି ସ୍ଥଳେ ଭାରତ ବିଦେଶରୁ ଯେଉଁ ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀ ଆମଦାନୀ କରୁଛି, ସେ ନୀତିର ସମୀକ୍ଷା ଆବଶ୍ୟକ। ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଜରୁରୀ।

କିଛିଦିନ ତଳେ ଆମ ଭୁବନେଶ୍ୱରର ସହରି ବର୍ଜ୍ୟ ନଗର ଉପକଣ୍ଠ ଦାରୁଠେଙ୍ଗରେ ଗଦା କରାଯିବା ଫଳରେ ଗୁରୁତର ପରିବେଶ ଓ ଜନବିରୋଧ ସମସ୍ୟା ଦେଖା ଦେଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଭୁବନେଶ୍ୱର ମହାନଗର ନିଗମ ପ୍ରଥମ କରି ସହର ଆବର୍ଜନାର ପୁନଃ ପ୍ରକ୍ରିୟାକରଣ କାମ ଆରମ୍ଭ କରି ଏଥିରୁ ଖତସାର ଉତ୍ପାଦନ କରିବାକୁ ପ୍ଲାଣ୍ଟ ବସାଇ ସେଥିରେ ସଫଳ ହୋଇଛି। ଏବେ ଆବର୍ଜନା ବା ୱେଷ୍ଟକୁ ସୁନା ସହିତ ତୁଳନା କରାଯାଉଛି ଏବଂ ‘ୱେଷ୍ଟ ଟୁ ୱେଲ୍‌‌ଥ’ର ସ୍ଲୋଗାନ ଦିଆଯାଇ ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହିତ କରାଯାଉଛି। ତେବେ ଭାରତର ସମସ୍ୟା ହେଲା ଦେଶ ଭିତରେ ଯେତେ ଆବର୍ଜନା ସୃଷ୍ଟି ହେଉଛି ତାହାର ସୁପରିଚାଳନା କରି ଏହାକୁ ସମ୍ପଦରେ ପରିଣତ କରିବା। ଏଥିରେ ରହିଛି ମଣିଷ ଓ ପଶୁପକ୍ଷୀଙ୍କ ମଳ, ସହରର ଆବର୍ଜନା, ଶିଳ୍ପ ଆବର୍ଜନା। ସେ ପ୍ରକ୍ରିୟା ଅବଶ୍ୟ ସରକାର ଆରମ୍ଭ କରିଛନ୍ତି। ତେବେ ନିଜ ଆବର୍ଜନାର ଉପଯୁକ୍ତ ପରିଚାଳନା ଆଗ କରି ବିଦେଶୀ ବର୍ଜ୍ୟକୁ ନିରୁତ୍ସାହିତ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ସରକାର ଏଥିପ୍ରତି ସଚେତନ ଥିବେ ବୋଲି ଆଶା।

Leave a Reply

Your email address will not be published. Required fields are marked *