Spread the love

ବଲିଉଡ୍ ଅଭିନେତାଙ୍କ ସହ ଚିଠି ଦିଆନିଆ : ୨୫ରୁ ଅଧିକ ନାମୀଦାମୀ ତାରକାଙ୍କ ଫଟୋ ଓ ଚିଠି ସାଇତିଛନ୍ତି ବିଜୟିନୀ

ଆଜିର ମୋବାଇଲ୍‌ ଏବଂ ଇଣ୍ଟର୍‌ନେଟ୍‌ ଯୁଗରେ ହାତଲେଖା ଚିଠି ଦୁଷ୍ପ୍ରାପ୍ୟ ହୋଇଗଲାଣି। ମନର ଭାବ, ବନ୍ଧୁତାର ଅନୁଭବ ଆଉ ବାର୍ତ୍ତା ପହଞ୍ଚାଇବା ପାଇଁ ଦିନେ ଚିଠି ହିଁ ଥିଲା ପ୍ରକୃଷ୍ଟ ମାଧ୍ୟମ। ଏପରିକି ଚଳଚ୍ଚିତ୍ର ଜଗତର ବିଖ୍ୟାତ ଅଭିନେତା ଓ ଅଭିନେତ୍ରୀ ନିଜ ପ୍ରଶଂସକଙ୍କୁ ମଧ୍ୟ ଚିଠି ଲେଖୁଥିଲେ। ଏହାର ପ୍ରମାଣ ରହିଛି ଭୁବନେଶ୍ବରରେ ରହୁଥିବା ବିଜୟିନୀଙ୍କ ପାଖରେ। ରାଜ କପୁର, ଅମିତାଭ ବଚ୍ଚନ, ହେମାମାଳିନୀଙ୍କ ପରି ଅନେକ ଚଳଚ୍ଚିତ୍ର ତାରକାଙ୍କ ପାଖରୁ ସେ ପାଇଛନ୍ତି ତାଙ୍କ ଚିଠିର ଉତ୍ତର ଏବଂ ଅଟୋଗ୍ରାଫ୍ ସମ୍ବଳିତ ଫଟୋ।

ଚଳଚ୍ଚିତ୍ର… ଏହା ଭାରତୀୟଙ୍କ ପାଇଁ କେବଳ ଏକ ଶିଳ୍ପ ନୁହେଁ; ଆମ ଘରର, ଚାରିପାଖର ଓ ସମାଜର କଥା କହୁଥିବା ଗପ ପେଡ଼ି। ଆଉ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ତାରକାମାନେ ଯେମିତି ସେଇ ଗପ ପେଡ଼ିର ରାଜକୁମାର ବା ରାଜକୁମାରୀ। ସେମାନଙ୍କ ପୋଷାକ ପରିଧାନ ଶୈଳୀ, ରୂପସଜ୍ଜା, ଅଙ୍ଗଭଙ୍ଗୀ, ସୌନ୍ଦର୍ଯ୍ୟ ଓ ସଂଳାପ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ଛାପ ଛାଡ଼ିଯାଏ। ସେମାନଙ୍କ ସମ୍ପର୍କରେ ଅଧିକ ଜାଣିବା, ତାଙ୍କ ସହ ମିଶିବା, ତାଙ୍କର ଅଟୋଗ୍ରାଫ୍‌ଟିଏ ସାଇତି ରଖିବା ଓ ସେମାନଙ୍କ ସହ ଫଟୋ ଉଠାଇବାକୁ ଯେମିତି ସମସ୍ତେ ପାଗଳ। ନିଜ ପ୍ରିୟ ତାରକା ସହ ଦୁଇପଦ କଥା ହେବା ତ ପ୍ରାୟ ସମସ୍ତଙ୍କ ସ୍ବପ୍ନ। ତାରକାମାନେ ମଧ୍ୟ ନିଜ ପ୍ରଶଂସକମାନଙ୍କ ସହ ଯୋଡ଼ି ହେବାର ବହୁ ମାଧ୍ୟମ ଖୋଜନ୍ତି। ଏବେ ଭଳି ପୂର୍ବରୁ ଫୋନ୍‌-ଇନ୍‌ ବା ଲାଇଭ୍‌ ଟକ୍‌ ସୋ’ ନ ଥିଲା। ଏଣୁ ତାରକାମାନଙ୍କ ସହ ଚିଠି ମାଧ୍ୟମରେ ଯୋଡ଼ି ହେଉଥିଲେ ପ୍ରଶଂସକ। ପ୍ରଶଂସକମାନେ ନିଜଆଡୁ ନିଜ ପ୍ରିୟ ତାରକାଙ୍କୁ ଚିଠିଟିଏ ଲେଖନ୍ତି ଓ ପ୍ରତି ବଦଳରେ ଚିଠିଟିଏ ପାଇବାର ଅପେକ୍ଷାରେ ମାଣିକ ସାଜି ବସି ରୁହନ୍ତି। ଏମିତି ନୁହେଁ ଯେ ଚିଠିର ଉତ୍ତର ଆସେନି। ଉତ୍ତର ବି ଆସେ ଓ ତାରକାମାନେ ନିଜ ପ୍ରଶଂସକଙ୍କୁ ନିଜର ଫଟୋଟିଏ ସହ ଅଟୋଗ୍ରାଫ୍‌ଟିଏ ବି ପଠାଇଥା’ନ୍ତି। ଭୁବନେଶ୍ବର ସହରରେ ରହୁଥିବା ବିଜୟିନୀ ରାୟ ଏହିଭଳି ଜଣେ ସିନେପ୍ରେମୀ ଓ ପ୍ରଶଂସକ ଯିଏକି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀମାନଙ୍କୁ ୭୦ ଦଶକରେ ଚିଠି ଲେଖି ଚିଠିର ଉତ୍ତର ପାଇଛନ୍ତି। ସେମାନଙ୍କର ଅଟୋଗ୍ରାଫ୍‌ ଥିବା ଫଟୋ ମଧ୍ୟ ପାଇଛନ୍ତି। ୫୦ ବର୍ଷ ହେଲା ତାହାକୁ ଆଲ୍‌ବମ୍‌ ଆକାରରେ ସାଇତି ରଖିଛନ୍ତି ଏବଂ ସ୍ମୃତି ରୋମନ୍ଥନ କରୁଛନ୍ତି।

ବିଜୟିନୀ ରାୟ। ବୟସ ପାଖାପାଖି ୭୦ ବର୍ଷ। ୧୯୭୦ ମସିହାରେ ଯେତେବେଳେ ମାଟ୍ରିକ୍‌ ପରୀକ୍ଷା ସାରି ଛୁଟିରେ ଘରେ ଥା’ନ୍ତି, ପ୍ରଥମେ ନିଜ ପ୍ରିୟ ଅଭିନେତ୍ରୀ ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କୁ ଚିଠି ଲେଖିବା ପାଇଁ ମନରେ ସ୍ଥିର କରିଥିଲେ। ଚିଠି ଲେଖିଲେ, କିନ୍ତୁ ଆଶା ନ ଥି‌ଲା ଯେ ଏହାର ଉତ୍ତର ସେ ପାଇବେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ହେମାମାଳିନୀଙ୍କଠାରୁ ସେ ଚିଠିର ଉତ୍ତର ପାଇଥିଲେ। ଚିଠି ମିଳିବାକୁ ୧୫ ଦିନ ସମୟ ଲାଗିଯାଇଥିଲେ ବି ମନରେ ଦୁଃଖ ନ ଥିଲା। ଓଲଟା ଆଗ୍ରହ ଆହୁରି ବଢ଼ିଯାଇଥିଲା। ଏହାପରେ ଜୟା ଭାଦୁଡ଼ି (ଜୟା ବଚ୍ଚନ), ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ସଞ୍ଜୟ ଖାନ୍‌, ରାଜ କୁମାର, ରଣଧୀର କପୁର, ରାଜେଶ ଖାନ୍ନା, ଶଶି କପୁର, ଆଶା ପାରେଖ୍‌ ଓ ରାକ୍ଷୀ ଗୁଲ୍‌ଜାର ପ୍ରମୁଖଙ୍କୁ ସେ ଚିଠି ଲେଖିଥିଲେ। ଗୋଟିଏ ପରେ ଗୋଟିଏ ଚିଠିର ଉତ୍ତର ତାଙ୍କ ପାଖକୁ ଆସିଥିଲା।

ଜୟା ଭାଦୁଡ଼ି ନିଜ ହାତଲେଖାରେ ଚିଠିର ଉତ୍ତର ଦେଇ ଉଲ୍ଲେଖ କରିଥିଲେ, ମୋ ଭଳି ନବାଗତାଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଆପଣମାନଙ୍କ ଭଳି ପ୍ରଶଂସକଙ୍କ ନିକଟରେ ମୁଁ କୃତଜ୍ଞ। ଆପଣଙ୍କ ଚିଠି ମୋ ପାଇଁ ଏକ ପ୍ରେରଣାର ଉତ୍ସ। ଏଣୁ ମୋ ଭିତରେ ଅଧିକରୁ ଅଧିକ ଅଭିନୟ କଳା ଭରି ଦେବାକୁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ‌ତେବେ ଯାଇ ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ ଆପଣମାନଙ୍କ ଆଶା ଓ ବିଶ୍ବାସକୁ ମୁଁ ରଖିପାରିବି। ଜୟା ଏତିକି ଲେଖିବା ସହ ସେ ସମୟରେ ତାଙ୍କର ଆଗକୁ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର ‘ପିୟା କା ଘର୍‌’, ‘ଅନ୍ନଦାତା’, ‘ଯୱାନି-ଦିୱାନି’, ‘ବାୱର୍ଚି’, ‘ପରିଚୟ’, ‘ଶୋର୍‌’, ‘ବଂଶୀ ଔର୍‌ ବିର୍‌ଜୁ’ ଓ ‘ଏକ୍‌ ନଜର’ ଆଦି ସମ୍ପର୍କରେ ଅବଗତ କରାଇଥିଲେ। ପୁଣି ନିଜର ଏକ ଅଟୋଗ୍ରାଫ୍‌ ଥିବା ଫଟୋ ମଧ୍ୟ ଚିଠି ସହ ପଠାଇଥିଲେ। ଚିଠି ତଳେ ଥିଲା ଜୟାଙ୍କ ସୁନ୍ଦର ହସ୍ତାକ୍ଷରର ଦସ୍ତଖତ। ବମ୍ବେ- ୫୪, ଜୁହୁସ୍ଥିତ ସି ଟୁ ବିଚ୍‌ ହାଉସ୍‌ ସୋସାଇଟି ଆପାର୍ଟମେଣ୍ଟ୍‌ ଠିକଣାରୁ ଏହି ଚିଠି ଜୟା ପଠାଇଥିଲେ।

୧୯୭୧ ଏପ୍ରିଲ୍‌ ୨୬ ତାରିଖରେ ବଲିଉଡ୍‌ର ଖ୍ୟାତନାମା ଅଭିନେତ୍ରୀ ଆଶା ପାରେଖ ମଧ୍ୟ ବିଜୟିନୀଙ୍କ ଚିଠିର ଉତ୍ତର ରଖିଥିଲେ। ଏହା କିନ୍ତୁ ହାତଲେଖା ନ ଥିଲା। ଥିଲା ତାଙ୍କ ଲେଟର୍‌ ପ୍ୟାଡ୍‌ରେ ଟାଇପ୍‌ ହୋଇଥିବା ଚିଠି ଓ ତଳେ ଆଶାଙ୍କ ଦସ୍ତଖତ। ଏଥିସହ ବିଜୟିନୀଙ୍କ ଅନୁରୋଧ ରକ୍ଷାକରି ଆଶା ପାରେଖ୍‌ ନିଜ ଦସ୍ତଖତ ଥିବା ଏକ ଫଟୋ ମଧ୍ୟ ଚିଠି ସହ ଯୋଡ଼ି ପଠାଇଥିଲେ। ଏହି ଚିଠି ଉପରେ ମଧ୍ୟ ସେବେକାର ଆଶା ପାରେଖ୍‌ଙ୍କ ଠିକଣା ‘ସୁଧା, ଆଜାଦ୍‌ ରୋଡ୍‌, ସାନ୍ତକ୍ରୁଜ୍‌ (ୱେଷ୍ଟ୍‌), ବମ୍ବେ- ୫୪ ଏଏସ୍‌’ ଉଲ୍ଲେଖ ରହିଛି।

ବିଜୟିନୀ ଚିଠି ଲେଖିଥିବା ସବୁ ଅଭିନେତା ଅଭିନେତ୍ରୀ ଚିଠିରେ ସେମାନଙ୍କର ଆଗକୁ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିସହ ବିଜୟିନୀଙ୍କ ଅନୁରୋଧ ମୁତାବକ ସେମାନଙ୍କର ଏକ ଦସ୍ତଖତ ଥିବା ଫ‌ଟୋ ମଧ୍ୟ ପଠାଇଥିଲେ। ପ୍ରତ୍ୟୁତ୍ତରରେ ସବୁଠାରୁ ଜଲ୍‌ଦି ଚିଠି ପଠାଇଥିଲେ ବିଗ୍‌ ବି ଅମିତାଭ୍‌ ବଚ୍ଚନ। ତାହା ପୁଣି ହାତଲେଖା ଚିଠି। ଏହା ବିଜୟିନୀଙ୍କ ପାଇଁ ତାଙ୍କ ପ୍ରିୟ ତାରକାଙ୍କଠାରୁ ପାଇଥିବା ଶ୍ରେଷ୍ଠ ଉପହାର ଥିଲା।
ବିଜୟିନୀ କହିଛନ୍ତି, କେବେ ଭାବି ନ ଥିଲି ମୋ ଚିଠିର ଉତ୍ତରରେ ହେମାମାଳିନୀ ମୋତେ ଚିଠି ପଠାଇବେ। ସେତେବେଳେ ସେ ଜଣେ ନାମୀଦା‌ମୀ ତାରକା ଥିଲେ। ସେ ଉତ୍ତର ପଠାଇବା ପରେ ଆହୁରି ତାରକାଙ୍କୁ ଚିଠି ଲେଖିବାକୁ ଇଚ୍ଛା ହୋଇଥିଲା। ବହୁ ଚିଠି ପ୍ରତ୍ୟୁତ୍ତରରେ ପାଇଥିଲି। ଏସବୁ ସାଇତି ରଖିବାକୁ ସେତେବେଳେ ୧୦ ଟଙ୍କା ଦେଇ ଗୋଟେ ଆଲ୍‌ବମ୍‌ କିଣିଥିଲି। ଆଜିଯାଏ ସେସବୁକୁ ସାଇତି ରଖିଛି। ୨୫ରୁ ଅଧିକ ନାମୀଦାମୀ ତାରକାଙ୍କର ଫଟୋ ଓ ଚିଠି ଏହି ଆଲ୍‌ବମ୍‌ରେ ମୁଁ ସାଇତି ରଖିଛି। କେବେ କେବେ ମନ ଭଲ ନ ଲାଗିଲେ, କୌଣସି କଥାରେ ଆଘାତ ପାଇଲେ; ଏହି ଆଲ୍‌ବମ୍‌ ଖୋଲି ଟିକେ ଦେଖିଦିଏ। ଏହା ଦେଖିଲେ ମନ ଶାନ୍ତି ଲାଗେ ଓ ପୁରୁଣା ଯୁଗକୁ ଫେରିଗଲା ଭଳି ଅନୁଭୂତ ହୁଏ ବୋଲି ଆବେଗର ସହ କହନ୍ତି ବିଜୟିନୀ।

Leave a Reply

Your email address will not be published. Required fields are marked *