Spread the love

ହେବାକୁ ଚନ୍ଦନ ଲାଗି ତୁମର ହେ
ଆଣିଚି ତୁଳସୀ ଫୁଲର କଢ଼ି
ଅପେକ୍ଷାରେ ତୁମ ଶ୍ରୀ ମନ୍ଦିରେ ମୁହିଁ
ଦିଅ ନାହିଁ ପ୍ରଭୁ ମୁହଁକୁ ମୋଡ଼ି🙏

ସେବକଟି ପ୍ରଭୁ ତୁମ ଶ୍ରୀ ମନ୍ଦିରେ
ସେବା ପାଇଁ ସଦା ରହିଛି ଚାହିଁ
ନିଦ୍ରା ଭଙ୍ଗ କର ମୋ କଳା ଗୋସାଇଁ
ଆହେ ମୋର ଭାବଗ୍ରାହୀ🙏

ପବିତ୍ର ଚିତ୍ତ ରେ ଡାକୁଚି ପ୍ରଭୁ ମୁଁ
ଛାଡ଼ି ଏ ମାୟା ସଂସାର
ଶୁଣ ଆହେ ପ୍ରଭୁ ହେ ବିଶ୍ବ ବିହାରୀ
ନ କର ପୟରୁ ଦୁର 🙏

ପ୍ରାଣ ଥାଉ ମୋର ତୁମ ଶ୍ରୀ ଚରଣେ
ମୁଁ ସେବକ ଦୀନ ହୀନ
ଏତିକି କାମନା କରେ କର ଯୋଡ଼ି
କଳା ଶ୍ରୀ ଚକା ନୟନ🙏

ଅମା ଅନ୍ଧକାର ଦୂର ହେଉ ପ୍ରଭୁ
ଦେଖି ଦେଖି ଚକା ଆଖି
ଶଙ୍ଖ ଚକ୍ର ଦୁଇ ଆରତ ନାଶନ
ନୀଳଚକ୍ର ରହୁ ସାକ୍ଷୀ 🙏

ବିଶ୍ଵାସ ନ ଥିଲେ ଆସିବ କି ଭାବ
ବିଚିତ୍ର ଅଟେ ତୋ ଲୀଳା
ଭାବ ଓ ବିଶ୍ବାସ ତୋ ଠାରେ ରହିଲେ
ଦେବୁ ତୁ ଭକ୍ତ କୁ ଧରା 🙏

ସଂସାର ମାୟାରୁ ଉଦ୍ଧାର କର ହେ
ଅସହ୍ୟ ତାହାର ଜ୍ଵାଳା
ପ୍ରାଣ ଥିବା ଯାଏଁ କଷ୍ଟ ପାଉଥିବି
ରକ୍ଷା କର ଚକାଡୋଳା 🙏🙏🙏

ତୁମରି ସେବକ,ତୁମରି ଶ୍ରୀ ମନ୍ଦିରର, ଦିଲିପ୍ ମଙ୍ଗରାଜ, ଦେଉଳ କରଣ ସେବକ 🙏

Leave a Reply

Your email address will not be published. Required fields are marked *