Spread the love

ପୁରାଣ ଓ ଲୋକକଥାରେ ଶ୍ରୀ ଜଗନ୍ନାଥ
୫୯. ବାଉଳି ମଠ ଓ ଦେଢଶୁର ଭାଇବୋହୁ କୂଅ
ଗୁରୁ ନାନକ ନିରାକାର ଏକେଶ୍ୱରବାଦରେ ବିଶ୍ୱାସ କରୁଥିଲେ । ସେ ଶୁଣିବାକୁ ପାଇଲେ ଯେ ହିନ୍ଦୁମାନଂକର ଅନ୍ୟ ଦିଅଁଦେବତାଂକ ବିଗ୍ରହପରି ଶ୍ରୀ କ୍ଷେତ୍ରରେ ବିରାଜମାନ କରିଥିବା ମହାପ୍ରଭୁ ଜଗନ୍ନାଥଂକ ବିଗ୍ରହ ନରାକାର ନୁହଁନ୍ତି । ତାଂକର ବିଗ୍ରହ ସାରା ସଂସାରରେ ପରିଦୃଶ୍ୟମାନ କୌଣସି ଜୀବ ବା ନିର୍ଜୀବ ସହ ସାମଂଜସ୍ୟ ରଖନ୍ତି ନାହିଁ । ତାଂକ ବିଗ୍ରହ ସାଂକେତିକ ଭାବେ ନିରାକାର , ସର୍ବବ୍ୟାପି ଓ ସର୍ବଶକ୍ତିମାନ ପରମ୍ବ୍ରହ୍ମଂକର ସ୍ୱରୂପ ଭାବେ ଉପସ୍ଥାପିତ ହୋଇଛନ୍ତି । ତେଣୁ ସେ ୧୫୦୮ ମସିହାରେ ନିଜର ପୁଅ ଶ୍ରୀ ଚାନ୍ଦ ଓ ପ୍ରିୟ ଶିଷ୍ୟ ମର୍ଦ୍ଦାନାଂକ ସହ ଶ୍ରୀ କ୍ଷେତ୍ରରେ ଆସି ପହଂଚିଲେ ।
ଦିନେ ସନ୍ଧ୍ୟାବେଳେ ଗୁରୁ ନାନକ ମର୍ଦ୍ଦାନାଂକୁ ଶ୍ରୀ ମନ୍ଦିରରୁ ମହାପ୍ରସାଦ ଆଣିବାପାଇଁ ପଠାଇଲେ । ମର୍ଦ୍ଦାନାଂକ ବେଶଭୁଷା ଓ ଚେହେରାରୁ ସେ ମୁସଲମାନ ବୋଲି ପରିସ୍କାର ଭାବେ ଜଣା ଯାଉଥିଲେ । ତେଣୁ ସେବକମାନେ ତାଂକୁ ମନ୍ଦିର ଭିତରେ ପୁରେଇ ଦେଲେ ନାହିଁ । ମର୍ଦ୍ଦାନା ମନ ଦୁ:ଖରେ ଫେରି ଯାଇ ସମସ୍ତ ବୃତ୍ତାନ୍ତ ଗୁରୁଂକୁ କହିଲେ । ସେ କଥା ଶୁଣି ଗୁରୁ ଶିଷ୍ୟଂକ ଅପେକ୍ଷା ବେଶି ଦୁ:ଖ କଲେ – ଯେଉଁ ଠାକୁର ନିରାକାର ପରଂବ୍ରହ୍ମ ସ୍ୱରୂପରେ ସାରା ବ୍ରହ୍ମାଣ୍ଡକୁ ନିଜ ଶ୍ରୀ ଅଂଗରେ ସମାହିତ କରିଛନ୍ତି ବୋଲି ସାରା ସଂସାରରେ ଖ୍ୟାତି ଲାଭ କରିଛନ୍ତି, ଜଣେ ମୁସଲମାନକୁ ତାଂକ ଦେଉଳରେ ପଶିବାକୁ ବାରଣ କରାଯାଉଛି ! ଏ କି ବିଡମ୍ବନା ମହାପ୍ରଭୁ ?
ସେ ମହାପ୍ରଭୁଂକୁ ମନରେ ଧ୍ୟନ କରି ବସିଲେ ।
ସେତେବେଳେ ଶ୍ରୀ ମନ୍ଦିରରେ ମହାପ୍ରଭୁଂକର ଆଳତୀ ଚାଲିଥାଏ । ସେ ଦିନ ରାଜା ନିଜେ ଆଳତୀ ଦର୍ଶନ କରିବାପାଇଁ ରତ୍ନବେଦୀ ସମ୍ମୁଖରେ ଉପସ୍ଥିତ ଥିଲେ । ହଠାତ୍ ସେବକମାନଂକ ହାତରୁ ଆଳତୀ ଥାଳି ଖସିଯାଇ ଶୂନ୍ୟକୁ ଚାଲିଗଲା ଓ ଶୂନ୍ୟେଶୂନ୍ୟେ ଗତି କରିବାକୁ ଲାଗିଲା । ଏହା ଦେଖି ରାଜା ଓ ସେବକମାନେ ଚମତ୍କୃତ ହେଲେ ଓ ଥାଳି ପଛେପଛେ ଚାଲିଲେ । ଥାଳି ଯାଇ ନାନକ ଦେବଂକ ପାଖରେ ପହଂଚିଲା ଓ ତାଂକ ମୁଣ୍ଡ ଉପରେ ଧୀରଭାବେ ସ୍ଥାନିତ ହୋଇଗଲା । ରାଜା ଓ ସେବକମାନେ ନାନକଦେବଂକୁ ମହାପ୍ରଭୁଂକର ଜଣେ ଅନନ୍ୟ ଭକ୍ତବୋଲି ବିଚାର କରି ତାଂକୁ ପ୍ରଣିପାତ କଲେ । ରାଜା ପଚାରିଲେ –

  • ମହାଭାଗ, ମହାପ୍ରଭୁଂକର ଆଳତୀ ଥାଳି ଆପଣଂକ ପାଖକୁ ଶୂନ୍ୟରେ ଉଡି ଆସିଲା । ଏହାର ରହସ୍ୟ କଣ, ମହାରାଜ ?
  • ମଣିମା, ଆପଣ ଯଦି ଭାବୁ ଥାଆନ୍ତି ଯେ ମହାପ୍ରଭୁ କେବଳ ବଡ ଦେଉଳରେ ଅଛନ୍ତି , ଆପଣ ଭୁଲ କରୁଛନ୍ତି । ସେ ସର୍ବବ୍ୟାପି, ସେ ଏଠି ସେଠି ସବୁଠି ବିଦ୍ୟମାନ । ତେଣୁ ତାଂକର ଆଳତୀ ଥାଳି ଏଠାକୁ ଉଡି ଆସିବାରେ ଅସ୍ୱାଭାବିକତା କିଛି ନାହିଁ ।
  • ତା ହେଲେ ମୁଁ ଏହିଠାରେ ମହାପ୍ରଭୁଂକୁ ଦର୍ଶନ କରି ପାରିବି !?
    ଏହା ଶୁଣି ନାନକ ଦେବ ମହାପ୍ରଭୁଂକୁ ଧ୍ୟାନ କଲେ ଓ ନିଜ ହାତର ଦୁଇ ପାପୁଲି ରାଜାଂକୁ ଦେଖେଇଲେ । ହନୁମାନଂକ ଛାତିରେ ଶ୍ରୀ ରାମଚନ୍ଦ୍ର ବିଜେ କରିଥିବା ପରି ଗୁରୁ ନାନକଂକ ପାପୁଲିରେ ଚତୁର୍ଦ୍ଧାମୂର୍ତ୍ତି ଜୀବନ୍ତଭାବେ ଦୃଶ୍ୟମାନ ହେଉଥିଲେ ।
    ନାନକ ଦେବଂକ ଜଗନ୍ନାଥ ଭକ୍ତିର ପରାକାଷ୍ଠା ଦେଖି ରାଜା ଓ ସେବକମାନେ ଚମତ୍କୃତ ହେଲେ । ରାଜା ସେ ଅବସ୍ଥାନ କରୁଥିବା ଯାଗାକୁ ମଠ ନିର୍ମାଣପାଇଁ ନାନକଂକୁ ଦାନ କଲେ । ନାନକ ଦେବ ପ୍ରଥମେ ସେଠାରେ ଏକ ବାଉଳି ଖୋଳାଇଲେ । ଉତ୍ତର ପଶ୍ଚିମ ଭାରତରେ ତଳ ପର୍ଯ୍ୟନ୍ତ ପାହାଚ ନିର୍ମାଣ କରା ଯାଇଥିବା ହଜାର ହଜାର କୂଅ ଦେଖିବାକୁ ମିଳେ । ସେ ପ୍ରକାରର କୂଅରୁ ଜଣେ ଉପରୁ ଦଉଡିରେ ପାଣି କାଢି ପାରିବ ଓ ଚାହିଲେ ପାହାଚରେ ତଳକୁ ଯାଇ ସିଧା ପାଣି ଉଠେଇ ଆଣି ପାରିବ । ସେ ପ୍ରକାର କୂଅକୁ ବାଉଳି କୁହାଯାଏ । ଗୁରୁ ନାନକ ସେହି ପ୍ରକାରର ଏକ ବାଉଳି ସେ ଯାଗାରେ ଖୋଳାଇ ଥିଲେ । ସମୁଦ୍ରର ନିକଟରେ ଥିବାରୁ ସେ ବାଉଳିର ପାଣି ଲୁଣିଆ ଲାଗିଲା । ତେଣୁ ସେ ପାଣି କୌଣସି ବ୍ୟବହାରରେ ଆସିଲା ନାହିଁ । ଗୁରୁ ନାନକ ମହାପ୍ରଭୁଂକୁ ପ୍ରାର୍ଥନା କରି ବାଉଳିର ପାଣିକୁ ମିଠା ହେବାପାଇଁ ଆଦେଶ ଦେଲେ । ବାଉଳିର ପାଣି ସଂଗେସଂଗେ ଲବଣତ୍ୱ ପରିତ୍ୟାଗ କଲା ଓ ପାଣି ବ୍ୟବହାର ଯୋଗ୍ୟ ହୋଇ ପାରିଲା । ଗୁରୁଜୀ ସେଠାରେ ମଠ ସ୍ଥାପନା କରି ରହିବାକୁ ଲାଗିଲେ ଓ ମଠର ନାମ ବାଉଳି ମଠ ରଖିଲେ ।ଏହି ମଠରେ ଏବେ ମଧ୍ୟ ଗ୍ରନ୍ଥ ସାହେବଂକ ଗାଦି ଅଛି । ଗୁରୁ ନାନକ ନିଜ ହାତ ପାପୁଲିରେ ଚତୁର୍ଦ୍ଧାମୂର୍ତ୍ତିଂକୁ ଦେଖାଇ ପାରି ଥିବାରୁ ମଠର ନାଲି ପତାକାରେ ହାତ ପାପୁଲିର ଚିତ୍ର ଦେଖିବାକୁ ମିଳେ ।
    ବାଉଳି ମଠରେ ଗୁରୁ ନାନକଂକ ତତ୍ୱାବଧାନରେ ପ୍ରତିଦିନ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ କରା ଯାଉଥିଲା । ଦିନେ ମହାପ୍ରଭୁ ଜଗନ୍ନାଥ ଛଦ୍ମ ବେଶରେ ସେ କୀର୍ତ୍ତନ ଶୁଣିବାକୁ ଆସି ସଂକୀର୍ତ୍ତନ ଶୁଣି ଏତେ ମୁଗ୍ଧ ହୋଇ ଗଲେ ଯେ ସନ୍ଧ୍ୟାଧୂପପାଇଁ ମନ୍ଦିରକୁ ଫେରିବାକୁ ଭୁଲିଗଲେ । ସେବକମାନେ ମହାପ୍ରଭୁଂକୁ ନ ଦେଖି ସନ୍ଧ୍ୟାଧୂପ ନୀତି କରି ପାରିଲେ ନାହିଁ । କଥା ଗଜପତିଂକ ପାଖରେ ପହଂଚିବାପରେ ସେ ଆସି ମାଆ ବିମଳାଂକ ପାଖରେ ଗୁହାରିଆ ପଡିଲେ । ରାଜାଂକୁ ମାଆ ଶୂନ୍ୟ ବାଣୀରେ କହିଲେ ଯେ ମହାପ୍ରଭୁ ଜଣେ ଶ୍ୟାମଳ ରଂଗର ଯୁବକ ବେଶ ହୋଇ ବାଉଳି ମଠରେ ସଂକୀର୍ତ୍ତନ ଶୁଣୁଛନ୍ତି । ରାଜା ତୁରନ୍ତ ସେ ଯାଗାକୁ ଗଲେ । କିନ୍ତୁ ଶ୍ୟାମଳ ଯୁବକରୂପୀ ମହାପ୍ରଭୁ ଇସାରାରେ ଚୂପ ରହିବାକୁ ରାଜାଂକୁ ଆଦେଶ ଦେଲେ । କୀର୍ତ୍ତନ ଶେଷ ହେବାପରେ ଦୁହେଁ ଫେରିଲେ ।ମନ୍ଦିରରେ ପହଂଚିବାପରେ ବଡ ଠାକୁର ପଚାରିଲେ –
  • କିରେ ଜଗା, ସଂଧ୍ୟାବେଳେ ଖାଇବାବେଳେ ତୁ କୁଆଡେ ଯାଇଥିଲୁ କିରେ ?
  • ଭାଇ, ମୁଁ ବାଉଳି ମଠକୁ ସଂକୀର୍ତ୍ତନ ଶୁଣିବାକୁ ଯାଇଥିଲି ।ଏତେ ସୁନ୍ଦର କୀର୍ତ୍ତନ ହେଉଥିଲା ଯେ ମୁଁ ସମୟରେ ଫେରିବା କଥା ତ ଭୁଲି ଗଲି । କାଲି ଚାଲୁନ, ନିଜେ ଦେଖିବ ।
    ତା ପର ଦିନ ଦୁଇ ଭାଇ ଚାଲିଲେ ବାଉଳି ମଠ । ତା ପର ଦିନ ଦୁଇ ଭାଇଂକଠାରୁ କୀର୍ତ୍ତନ କଥା ଶୁଣି ସୁଭଦ୍ରା ମଧ୍ୟ ଗଲେ ଓ ଚତୁର୍ଥ ଦିନ ଲକ୍ଷ୍ମୀ ସାଆନ୍ତାଣୀ ମଧ୍ୟ କୀର୍ତ୍ତନ ଶୁଣିବାକୁ ଗଲେ । ଚାରି ଜଣ ମଠରେ ପହଂଚିବାପରେ ସେଠି ବସି ଶୁଣିବାରେ ଗୋଟେ ଛୋଟ ସମସ୍ୟା ହେଲା ।ବଡ ଠାକୁର ବଳଭଦ୍ର ଓ ଲକ୍ଷ୍ମୀ ସାଆନ୍ତାଣୀ ଥିଲେ ଦେଢଶୁର ଭାଇବୋହୁ । ଓଡିଆ ପରମ୍ପରାରେ ଦେଢଶୁର ଭାଇବୋହୁ ପ୍ରତ୍ୟକ୍ଷ ସଂପର୍କରେ ଆସିବା ମନା । ଏପରିକି ଦେଢଶୁର ଦେଖି ପାରୁଥିବା ଯାଗାରେ ଭାଇବୋହୁମାନେ ଆତଯାତ ହୁଅନ୍ତି ନାହିଁ । ତେଣୁ ବାହୁଡା ଦଶମୀ ଦିନ ଲକ୍ଷ୍ମୀ ଶ୍ରୀ ନଅର ପାଖକୁ ଯିବାବେଳେ ବଳଭଦ୍ରଂକ ସମ୍ମୁଖରେ ଲୁଗାର ପାହାଡା ପଡେ । ଦୁଇ ଭାଇ ଓ ଭଉଣୀ କୂଅର ଚଉତରା ଉପରେ ବସିଗଲେ । ଅନେକ ଚିନ୍ତା କଲାପରେ ଲକ୍ଷ୍ମୀ କୂଅର ଉପରୁ ଦୁଇତିନିଟା ପାହାଚ ତଳକୁ ଯାଇ ବସିଲେ । ତା ଫଳରେ ସେ ଦେଢଶୁରଂକ ଦୃଷ୍ଟି ପଥରେ ଆସୁ ନ ଥିଲେ ଓ କୀର୍ତ୍ତନ ଶୁଣିବାରେ ତାଂକର କୌଣସି ଅସୁବିଧା ନ ଥିଲା । ସେମାନେ ସମସ୍ତେ ଛଦ୍ମ ବେଶରେ ଥିଲେ ମଧ୍ୟ ଗୁରୁ ନାନକ ତାଂକର ଦିବ୍ୟ ଦୃଷ୍ଟିରେ ସେମାନଂକୁ ଦର୍ଶନ କରି ପାରୁଥିଲେ । ସେ ମର୍ଦ୍ଦାନାଂକୁ କହିଲେ-
  • ଦେଖିଲ, ତୁମେ ମନ୍ଦିର ଯାଇ ନ ପାରିଲେ କଣ ହେଲା, ନିଜେ ମହାପ୍ରଭୁ ପରିବାରସହ ଏଠାରେ ବିଜେ କରିଛନ୍ତି ।
    ଧିରେଧିରେ ଭକ୍ତମାନେ ସେ କଥା ଜାଣିବାକୁ ପାଇଲେ ଓ ସେ କୂଅ ଦେଢଶୁର ଭାଇବୋହୁ କୂଅ ନାମରେ ଜଣାଗଲା ।
    ———— ————

Related Post

Leave a Reply

Your email address will not be published. Required fields are marked *