ପରଲୋକରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲ(୧୦୧ )
–
( ଆଜି ଅପରାହ୍ନ ୪ ଘଟିକା ସମୟରେ ବୟସରେ କଟକ ବଡ ଡାକ୍ତରଖାନାରେ ପରଲୋକ )
ସଂଗ୍ରାମୀ ଜୀବନର ଏକ ସ୍ମରଣୀୟ ସ୍ମୃତିମାଲ୍ୟ
ସଂଗ୍ରାମୀ ନୀଳମଣି ହେଲେ :
ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ନୂତନ ସଭାପତି ||
•••••••••••••••••••••••••••••••••••••••••⚘⚘
ପରିଣତ ବୟସରେ ଏବେ ବି ସେ ବେଶ୍
ଚଳଚଂଚଳ ଓ କାର୍ଯ୍ୟକ୍ଷମ ।।
ଦେଶ ଓ ରାଜ୍ୟ ପାଇଁ କିଛି ଭଲ କାମ କରିବାକୁ
ମନରେ ତଥାପି ଭରି ରହିଛି ଯୁବସୁଲଭ ଉଦ୍ଦାମତା ।।
ଏଭଳି ଜଣେ ମହାନ ମଣିଷ, ଯାଜପୁର ଜିଲ୍ଲା ବଡଚଣା ମାଟିର ସୁଯୋଗ୍ୟ ବରପୁତ୍ର ତଥା ମାନ୍ୟବର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ନୀଳମଣି ସାମଲ ।।
ରାଜ୍ୟର ଏଭଳି ଏକ ସମ୍ମାନଜନକ ପଦବୀ ମଣ୍ଡନ କରିବା ପରେ ତାଙ୍କ ସହ ଆଜି ( ୧୬ ଜୁଲାଇ ୨୦୨୦ ) ଟେଲିଫୋନରେ ଦୁଇପଦ କଥା ହୋଇ ଆଶିର୍ବାଦ କାମନା କରିଥିଲି ।।
ସେ କହିଥିଲେ-
” ରାଷ୍ଟ୍ରର ସୁରକ୍ଷା, ସଂହତି ଓ ସର୍ବୋପରି ତା’ର ମୁକ୍ତିପାଇଁ
କାର୍ଯ୍ୟକରିଥିବା ଦେଶଭକ୍ତ ମହାନ୍ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ କିଛି କାମ କରିବାକୁ ମୁଁ ବହୁତ ଆଗ୍ରହୀ ।।
ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କର କିଛି ସମସ୍ୟା, ଦୁଃଖ ଓ ଅସୁବିଧା ସଂପର୍କରେ ମୁଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବି ଏବଂ ଏହାର ସମାଧାନ ପାଇଁ ତାଙ୍କୁ ଅନୁରୋଧ କରିବି ।।
ରାଜ୍ୟର ଜନସାଧାରଣଙ୍କର ମୌଳିକ ସମସ୍ୟା ଓ ଗରିବ ଲୋକମାନଙ୍କ ପାଇଁ ମଧ୍ୟ କାମ କରିବାକୁ ପଡିବ ।।
ଦେଶର ସ୍ୱାଧୀନତା ପାଇଁ ଆମେ କାମ କରିଛୁ, ବର୍ତ୍ତମାନ ବି ଦେଶପାଇଁ ବହୁତ କାମ କରିବାକୁ ପଡିବ ।।
ଏସବୁ ବିଷୟରେ ମୁଁ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି ।। ମୋର ଆଶା, ଆମକଥା ସେ ନିଶ୍ଚୟ ଶୁଣିବେ ।।
ମୋର ଗୋଟେ ଲକ୍ଷ୍ୟ-
ଯେକୌଣସି ଭଲ କାମ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିବି ।।
ମୁଁ ରାଜ୍ୟ ସଭାପତି ହେବା ବୋଧହୁଏ ଭଗବାନଙ୍କର ଏକ ଇଛା ଥିଲା ।। “
××× ××× ×××
ସଂଗ୍ରାମୀ ନୀଳମଣି :: ଏକ ସ୍ମୃତିର ଆଲେଖ୍ୟ~~~●~~~
ଯାଜପୁର ଜିଲ୍ଲା ବଡଚଣା ବ୍ଳକର ବାଲିପଡିଆ ଗାଁ,
ସ୍ୱାଧୀନତା ସଂଗ୍ରାମର ଏକ ସ୍ମରଣୀୟ ପୀଠ ।।
ଏଇ ଗାଁ ରେ ଗଢିଉଠିଥିବା ଠକ୍କରବାପା ଆଶ୍ରମରେ ଖଡିଛୁଆଁ
ହୋଇଥିଲା ଅନେକ ସଂଗ୍ରାମୀଙ୍କର । ଏ ମାଟିର ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ମାନ୍ୟବର କୃଷ୍ଣମୋହନ ରାଉତରାୟ (ଦେକୁଡି) ଓ ମାନ୍ୟବର ବୃନ୍ଦାବନ ତ୍ରିପାଠୀଙ୍କ ନେତୃତ୍ବରେ ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେଇଥିଲେ ଅନେକ ରାଷ୍ଟ୍ରଭକ୍ତ ସଂଗ୍ରାମୀ ।। ବଡଚଣା ଗାନ୍ଧୀ ବୃନ୍ଦାବନ ବାବୁଙ୍କର ଏକାନ୍ତ ଅନୁଗାମୀ ଥିଲେ କିଶୋର ନୀଳମଣି ।। ଅନ୍ୟ ସଂଗ୍ରାମୀମାନଙ୍କଠାରୁ ବୟସରେ ବି ବହୁତ ସାନ ଥିଲେ ସେ ।
ନୀଳମଣିଙ୍କର ଜନ୍ମ ୧୯୨୩ ମସିହା ଫେବୃଆରୀ ୨୩ ତାରିଖରେ । ତାଙ୍କ ବାପଙ୍କ ନାଁ- ଶ୍ରୀଧର ସାମଲ ଓ ମାଆ ହେଲେ ମଲ୍ଲୀ ଦେବୀ । ନୀଳମଣି ବାପାମାଆଙ୍କ ବଡପୁଅ । ତାଙ୍କ ତଳଦୁଇ ଭାଇଙ୍କର ଦେହାନ୍ତ ହୋଇ ଯାଇଥିଲାବେଳେ ସବାସାନଭାଇ ବାଉରୀବନ୍ଧୁ ଏବେ ଅଛନ୍ତି ।
ସଂଗ୍ରାମୀ ନୀଳମଣିଙ୍କ ଧର୍ମପତ୍ନୀ ସତ୍ୟଭାମାଙ୍କର ଚଳିତ ବର୍ଷ ଜାନୁଆରୀରେ ଦେହାବସାନ ହୋଇଛି।
ସେ ୧୯୪୨ ମସିହାରେ ଐତିହାସିକ ଭାରତଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ବଡଚଣାର ମୂଷାଟିକିରୀ ଠାରେ ଜମିଦାରଙ୍କ କଚେରୀ ଘର ପୋଡି, କୁଆଁପାଳ ଡାକଘର ପୋଡି ,ବାଲିଚନ୍ଦ୍ରପୁରଠାରେ ଥିବା ସରକାରୀ ଅଫିମ ଦୋକାନ ଆଗରେ ଅନ୍ୟ ସଂଗ୍ରାମୀମାନଙ୍କ ସହ ମିଶି ପିକେଟିଂ କରିବା ଏବଂ ବଡଚଣା ଥାନା ପୋଡିବା ପାଇଁ ଷଡଯନ୍ତ୍ର କରୁଥିବା ଭଳି ଅଭିଯୋଗରେ ଇଂରେଜ ସରକାରଙ୍କ ଦ୍ୱାରା ଗିରଫ ହୋଇଥିଲେ । ବିଚାର ହୋଇ ମିଳିଥିଲା ସାଢେ ତିନି ବର୍ଷର ଜେଲଦଣ୍ଡାଦେଶ- କଟକ ଜେଲରେ । ( ପ୍ରାୟ ୩୩ | ୩୪ ବର୍ଷ ତଳେ ନୀଳମଣିଙ୍କ ସଂଗ୍ରାମୀ ଗୁରୁ ତଥା ମାର୍ଗଦର୍ଶକ ବୃନ୍ଦାବନ ତ୍ରିପାଠୀ ଏକ ସାକ୍ଷାତକାରରେ ମୋତେ କହିଥିଲେ ଯେ, ଜେଲରେ ନୀଳମଣି ଥିଲା ଅଳ୍ପ ବୟସର ଚଗଲା ପିଲାଟାଏ । )
ଦେଶ ସ୍ୱାଧୀନତା ଲାଭ କରିବା ପରେ ନୀଳମଣି ବାବୁ ଗାଁ କୁ ଫେରି ୧୫ ବର୍ଷ ଯାଏ ବରଦା ପ୍ରାଥମିକ ସ୍କୁଲରେ ଶିକ୍ଷକତା ବି କରିଥିଲେ । ହରିଜନ ସେବକ ସଂଘର ସ୍ୱେଛାସେବୀ ଓ ଭରତପୁର ସେବା ସମବାୟ ସମିତିର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।। ବାଲିପଡିଆର ଠକ୍କରବାପା ଆଶ୍ରମ ସହ ଜଡିତ ରହି ସେ ସୂତାକଟା, ଅସ୍ପୃଶ୍ଯତା ଦୂରୀକରଣ, ନିଶା ନିବାରଣ ଓ ଗାନ୍ଧୀଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ରଚନାତ୍ମକ, ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏବେ ବି କାର୍ଯ୍ୟକ୍ଷମ ଅଛନ୍ତି ।। ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଆସୁଛନ୍ତି ।
ଭାରତର ତିନିଜଣ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲ, ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦ ଙ୍କ ଦ୍ଵାରା ସେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ହୋଇଛନ୍ତି ସମ୍ମାନିତ ।। ବିଭିନ୍ନ ସମୟରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସେ ବହୁବାର ସମ୍ମାନିତ ହୋଇଛନ୍ତି ।
ବର୍ଷକତଳେ ଓଡିଶାର ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗ ଦ୍ଵାରା ସଂସ୍ଥାପିତ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ସ୍ମରଣୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଏହି ମହାନ ମଣିଷଙ୍କୁ
” ରୁଚି ସଂଗ୍ରାମୀ ସେବା ସମ୍ମାନ – ୨୦୧୯ ” ରେ ସମ୍ମାନିତ କରି ନିଜକୁ ଗୌରବାନ୍ବିତ ମନେକରୁଛି ।।
ସଂଗ୍ରାମୀ ନୀଳମଣି ସାମଲଙ୍କୁ ଏହି ଶୁଭାବସରରେ ଯାଜପୁର ଜିଲ୍ଲା ଓ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।
କଟକ ସାଂସଦ ଭର୍ତ୍ତୃହରି ମହତାବ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁରର ପୂର୍ବତନ ଜିଲ୍ଲାପାଳ ତଥା ଦିଲ୍ଲୀରେ ଅବସ୍ଥାପିତ ବରିଷ୍ଠ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ, ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ଭୂୟାଁ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଯୁକ୍ତ ସଂଗଠନର ସାଧାରଣ ସଂପାଦକ ବିଜୟ କୁମାର ତ୍ରିପାଠୀ, ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ , ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ଯର ସାଧାରଣ ସଂପାଦକ ତଥା ‘ପ୍ରଗତିବାଦୀ’ ର କାର୍ଯ୍ୟନିର୍ବାହୀ ସଂପାଦକ ବିରୂପାକ୍ଷ ତ୍ରିପାଠୀ, ଗାନ୍ଧୀ-୧୫୦ ରାଜ୍ୟ କମିଟିର ସଦସ୍ୟ ମିହିର ପ୍ରତାପ ଦାସ, ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ମାନ୍ଧାତା ସ୍ମୃତି ପରିଷଦର ଆବାହକ ଶ୍ରୀକାନ୍ତ କୁମାର ସାମଲ, ମାହାଙ୍ଗା-ବଡଚଣା ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ସାମ୍ବାଦିକ ଭକ୍ତ ଚରଣ ସାହୁ ପ୍ରମୁଖ ସଂଗ୍ରାମୀ ନୀଳମଣି ସାମଲ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।। 🙏🙏।।