Spread the love

ସୁଶାସନ ନିଶ୍ଚିତ କରିବା ଦିଗରେ ନାଗରିକ ସମାଜ ଓ ନାଗରିକ ସଙ୍ଗଠନ ମାନଙ୍କ ଦାୟିତ୍ୱ :

ନିର୍ବାଚନରେ କାହାକୁ ଭୋଟ ଦେବା ଓ ଶାସନକୁ କେଉଁମାନେ ଆସିବେ ତାହା ବଡ଼ କଥା ନୁହେଁ କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ଆମେ କଣ କରିବା ଆବଶ୍ୟକ ତାହା ବେଶୀ ଗୁରୁତ୍ବପୂର୍ଣ ଏବଂ ତାହା ଉପରେ ସୁଶାସନ ନିର୍ଭର କରିଥାଏ :

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନାଗରିକ ମାନେ ପାଞ୍ଚ ବର୍ଷରେ ଥରେ ବା ଅଧିକ ଥର ପ୍ରତିନିଧି ନିର୍ବାଚିତ କରିଦେଇ ଚୁପ ବସିଗଲେ ସୁଶାସନ ମିଳିଯାଏ ନାହିଁ . ଶାସନରେ ସୁଶାସନ ନିଶ୍ଚିତ କରିବା ନିମନ୍ତେ ଜନସାଧାରଣଙ୍କୁ ସଦା ସର୍ବଦା ଜାଗ୍ରତ ରହିବାକୁ ହୋଇଥାଏ , ସରକାରର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ହୋଇଥାଏ . ଅନ୍ୟଥା ନିର୍ବାଚିତ ପ୍ରତିନିଧି ତଥା ଶାସନ କଳରେ ସମ୍ପୃକ୍ତ ସମସ୍ତେ ନିରଙ୍କୁଶ କ୍ଷମତାର ଅଧିକାରୀ ହୋଇ ନିଜ ନିଜର ସ୍ୱାର୍ଥ ସାଧନରେ ଲାଗି ଯାଆନ୍ତି , ରାଜ୍ୟ ତଥା ଦେଶର ବିକାଶ ନିମ୍ନଗାମୀ ହୋଇଥାଏ .ଆମ ଦେଶରେ ତଥା ଦୁନିଆରେ ଏହାର ଅସଂଖ୍ୟ ଉଦାହରଣ ରହିଛି .
ଏଥିପାଇଁ ଜଣେ ପାଶ୍ଚାତ୍ୟ ଚିନ୍ତକ ଚେଷ୍ଟର ବାଓଲସ କହିଥିଲେ ” Government is too big and too important to be left to the politicians “.
ଠିକ ଏହି ମର୍ମରେ ଲୋକନାୟକ ଜୟପ୍ରକାଶ ନାରାୟଣ କହୁଥିଲେ ଯେ ନାଗରିକ ମାନେ ଏଭଳି ସଙ୍ଗଠିତ ହେବା ଆବଶ୍ୟକ ଯେପରି ତାଙ୍କର ନିର୍ବାଚିତ ପ୍ରତିନିଧି ଠିକ କାର୍ଯ୍ୟ ନ କଲେ ତାହାକୁ ଫେରାଇ ଆଣିପାରୁଥିବେ . ଏ ଦିଗରେ ଆଇନ ପ୍ରଣୟନ (Right to Recall ) ନିମନ୍ତେ ସେ ବିଚାର ରଖୁଥିଲେ . ଗାନ୍ଧିଜୀ ତ ଗ୍ରାମ ସ୍ୱରାଜ ବିଚାର ରଖୁଥିଲେ ଯେଉଁଠି କ୍ଷମତା ଲୋକଙ୍କ ହାତରେ ରହିବ ଓ ରାଜ୍ୟ ବା ରାଷ୍ଟ୍ର ପାଖରେ ବିଶେଷ କ୍ଷମତା ରହିବ ନାହିଁ .
ଜୟପ୍ରକାଶ ଆନ୍ଦୋଳନ( JP Movement, ସମ୍ପୂର୍ଣ ବିପ୍ଳବ ) ଏ ଦିଗରେ ଅଭିପ୍ରେତ ଥିଲା କିନ୍ତୁ ଜନତା ଦଳ ସରକାର ନାମରେ ତାହା ପଥଚ୍ୟୁତ ହୋଇ ଶେଷ ହୋଇଗଲା . ଜୟପ୍ରକାଶ ଆନ୍ଦୋଳନର ପ୍ରାୟ ପଞ୍ଚତିରିଶ ବର୍ଷ ପରେ ଆନ୍ନା ଆନ୍ଦୋଳନର ସୂତ୍ରପାତ ହେଲା .ଆନ୍ନା ହଜାରେ ମଧ୍ୟ ଗ୍ରାମ ସ୍ଵରାଜ, ସୁଶାସନ ଓ ଶାସନର ଵିକେନ୍ଦ୍ରୀକରଣର କଥା କହୁଥିଲେ .ତେବେ ଜୟପ୍ରକାଶ ଆନ୍ଦୋଳନ ଭଳି ଏହାକୁ ମଧ୍ୟ ତାଙ୍କର କିଛି ଅନୁଗାମୀ ନିଜର ସ୍ୱାର୍ଥସିଦ୍ଧି ପାଇଁ ପଥଚ୍ୟୁତ କରି ସମାପ୍ତ କରିଦେଲେ .( ଅବଶ୍ୟ ଏହି ଉଭୟ ଆନ୍ଦୋଳନ ଆମ ଦେଶର ଶାସନରେ ସାମାନ୍ୟ ହେଲେହେଁ କିଛିଟା ପରିବର୍ତ୍ତନ ବି ଆଣି ପାରିଛି ).
ତେବେ ସ୍ୱାଧୀନତା ପରବର୍ତ୍ତୀ ସମୟର ଶାସନ ବ୍ୟବସ୍ଥା ଓ ବିଭିନ୍ନ ଘଟଣାବଳୀକୁ ଦେଖିଲେ ଏହା ଜଣାଯାଏ ଯେ ଆମର ରାଜନେତା ମାନେ( ପ୍ରତ୍ୟେକ ରାଜନୈତିକ ଦଳର )ସର୍ବଦା ନିରଙ୍କୁଶ କ୍ଷମତା ଚାହିଁ ଆସିଛନ୍ତି ଓ ନାଗରିକଙ୍କୁ ଦାୟିତ୍ୱବାନ ତଥା ସଚେତନ କରିବା ବଦଳରେ ଓଲଟା କରି ଚାଲିଛନ୍ତି .ପରିଣାମରେ ଆମର ଶାସନ ବ୍ୟବସ୍ଥା ଦିନକୁ ଦିନ ଅଧିକରୁ ଅଧିକ ଭ୍ରଷ୍ଟାଚାର କବଳିତ ହୋଇ ଚାଲିଛି .
ଜନସାଧାରଣଙ୍କୁ ଦାୟିତ୍ୱବାନ ଓ ସଚେତନ କରିବାକୁ ନାଗରିକ ସମାଜର ଏକ ବଡ଼ ଦାୟିତ୍ୱ ରହିଛି ତେବେ ରାଜନୈତିକ ଦଳ ମାନେ ବିଭିନ୍ନ ବାହାନା ଦେଖାଇ ନାଗରିକ ସମାଜ ଉପରେ ଅନୁଚିତ ନିୟନ୍ତ୍ରଣ ଜାହିର କରୁଛନ୍ତି . ଅବଶ୍ୟ ଏଥିରେ ନାଗରିକ ସଙ୍ଗଠନ ମାନେ ବି କମ ଦାୟୀ ନୁହନ୍ତି . ଏ ସବୁକୁ ଦେଖିଲେ ଏବେ ଆମ ରାଜ୍ୟ ଓ ଦେଶ ପାଇଁ ଯାହା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ ତାହା ହେଲା ଏକ ଦାୟିତ୍ୱବାନ ଏବଂ ସୁସଙ୍ଗଠିତ ନାଗରିକ ସମାଜ . ଏହା ନ ହେଲେ ଶାସନକୁ ଯେ କେହି ବି ଆସୁ ନା କାହିଁକି ଦେଶ ଓ ଦଶର ସମୁଚିତ ବିକାଶ ହୋଇପାରିବ ନାହିଁ . ରାସ୍ତାଘାଟ , କୋଠାବାଡ଼ି , ଗାଡ଼ି ମଟର ଇତ୍ୟାଦିକୁ ଯଦି ବିକାଶ କୁହାଯିବ ତେବେ ତାହା ଭିନ୍ନ କଥା !

ନାଗରିକ ସଙ୍ଗଠନ ମାନଙ୍କର ନେତୃବର୍ଗ କ୍ଷମତାର ଅଳିନ୍ଦ ଭିତରକୁ ପଶିଗଲେ ସେମାନଙ୍କ ଚରିତ୍ର ବଦଳିଯିବା ସୁନିଶ୍ଚିତ ଏବଂ ସେମାନେ ନାଗରିକ ସଙ୍ଗଠନର ଉପଯୁକ୍ତ ନେତୃତ୍ୱ ନେଇ ପାରନ୍ତି ନାହିଁ . ସେମାନେ ପକ୍ଷଭୁକ୍ତ ହୋଇଯିବା ସ୍ୱାଭାବିକ .(ଜଗଦୀଶ ପ୍ରଧାନ 3.4.2024)

Leave a Reply

Your email address will not be published. Required fields are marked *