Spread the love

ତୁଷାରକାନ୍ତର ମୁଣି
“କୁଆଡେ ଗଲେ ସେମାନେ,

କେଉଁଠୁ ଓ କାହିଁକି
ଆସିଲେ ଏମାନେ?”
(ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ;
” ଧଳା ( ବ୍ରିଟିଶ ଶାସକ) ବଦଳରେ
କଳା ( ଆମ ଲୋକ)ହେଲେ ଜୋକ,
( ରକ୍ତ ଶୋଷଣକାରୀ)
କଟିବ କି କୋଟି ଜନତାଙ୍କ ଦୁଃଖ,
ଚାଷୀମୂଲିଆଙ୍କ ଖପୁରୀକୁ ଚିରି,
ଦିଲ୍ଲୀ ଦରବାର ଗଢିବା କି,
ତୁମେ କେତେଜଣ ଜୀବନକୁ
ପାଣି ଛଡେଇ ନଦେଲେ ଚଳିବ କି”)
–×–
ଆଜି ( 03.01.2024) ଦିନ ଏଗାରଘଟିକା ସମୟରେ ,
ବିଶିଷ୍ଟ ଶିକ୍ଷାବିତ୍ ତଥା ଲେଖକ ଓ ବର୍ତ୍ତମାନର ଓଡିଆସମାଜର
ଅନ୍ୟତମ ବିବେକରକ୍ଷକ ଡଃ ଉଦ୍ଧବ ଚରଣ ନାୟକ ମହାଶୟ, ଫେସବୁକରେ ଲେଖିଥିବା ତାଙ୍କର ମନ୍ତବ୍ଯ;
“ଆଜି 03-01-2024 ମୋର ପରମ ପୂଜ୍ୟ ପିତୃଦେବ ସ୍ବର୍ଗତ ଅନନ୍ତ ଚରଣ ନାୟକଙ୍କ ଷୋଡଶ ତମ ଶ୍ରାଦ୍ଧ ଦିବସରେ ମୋର ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି. ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ପ୍ରକାଶକ, ସମାଜସେବୀ, ସମାଜ ସଂସ୍କାରକ, ଯୋରନ୍ଦା ଗ୍ରାମ ପଂଚାୟତ ରନାଏବ ସରପଞ୍ଚ, ଅଦାଲତି ପଞ୍ଚାୟତର ବିଚାରକ, ବିଶିଷ୍ଟ ସାମ୍ୟବାଦୀ ନେତା, ଆମ ଅଂଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ର ଅନ୍ୟତମ ଅଗ୍ରଣୀ ବ୍ୟକ୍ତି” ଟିକୁ ପଢିସାରିବା ପରେ ମୋର ଆଜିରସ୍ତମ୍ଭ ଲେଖିବାକୁ ” ତୁଷାରକାନ୍ତର ମୁଣି” ରେ ହାତ ପୁରାଇ ହାତ କାଢିଲାବେଳକୁ ବାହାରି ଆସିଥିଲା, ” ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, ଓଡିଶା, ଭୁବନେଶ୍ବର ” ଙ୍କ ସୌଜନ୍ୟରୁ 1998 ମସିହାରେ ପ୍ରକାଶିତ ତିରିଶ ପୃଷ୍ଠାର ” ସ୍ୱାଧୀନତା ସଂଗ୍ରାମୀ
ଗୌରାଙ୍ଗ ଚରଣ” ଶୀର୍ଷକ ଚଟିବହିଟି।

ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ ମହାଶୟଙ୍କ
ଷୋଡଶତମ ପୂଣ୍ୟତିଥିରେ ଆଉଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଲିଖିତ ଚଟିବହିଟିଏ ଉପଲବ୍ଧ ହେବା ” ମଣିକାଞ୍ଚନ ସଂଯୋଗ ବା କାକତାଳୀୟ ନ୍ୟାୟ ” ହୋଇପାରେ ।

ଦେଶର ସ୍ୱାଧୀନତା ହାସଲ ପାଇଁ ସେମାନେ କେତେ ଯେ କଷ୍ଟ ସହିଥିଲେ; ତାହା ଅବର୍ଣନୀୟ। କିନ୍ତୁ ସେମାନେ ଯେଉଁ ସ୍ୱାଧୀନୋତ୍ତର ସମାଜଟିଏର ପରିକଳ୍ପନା କରି ଲଢେଇ କରିଥିଲେ, ସେଭଳି ସମାଜ ଗଠିତ ହୋଇଛି କି?

ସେହି ଚଟିବହିର ନବମ ପୃଷ୍ଠାରେ ବର୍ଣ୍ଣିତ ଘଟଣାଟିଏ
” ଅସ୍ପୃଶ୍ଯତା ନିରାକରଣ” ଉପରେ ଆଧାରିତ ଓ ଲେଖାଟି ହେଉଛି;

–” ବାଗଲପୁର ଗାଁ ଠାରୁ ଅଳ୍ପଦୂରରେ ମଙ୍ଗଳପୁର ଗାଁ।ରସାକେଳା
ବୋଲି ଜଣେ ଲୋକ ଥିଲେ ।ସେ ତାଙ୍କ ମା’ଙ୍କ ଶ୍ରାଦ୍ଧଦିନ ବାଗଲପୁର(ମୋ ଜନ୍ମିତ ଗାଁ) ଗାଁର ସବୁଲୋକଙ୍କୁ ଖାଇବାକୁ ଡାକିଲେ। ରସାକେଳା ବହୁଦିନରୁ ଲୋକଗୀତ ଲେଖକଭାବେ ପରିଚିତ ଥିଲେ ।ସେଦିନ ଗୌରୀବାବୁ ଓ ମାଳତୀ ଦେବୀ( ଚୌଧୁରୀ- ନୁମା)ଙ୍କ ସାଙ୍ଗରେ ବାଗଲପୁର ଗାଁର ବହୁ ଯୁବକ ଯାଇ ତାଙ୍କ ଘରେ ଖାଇଲେ। ଏଥିପାଇଁ ଆଖପାଖ ଗାଁରେ ଖୁବ ଚହଳ ପଡିଗଲା।ଗାଁର ବ୍ରାହ୍ମଣମାନେ ଧରିବସିଲେ ଯିଏ ରସାକେଳାଘରେ ଖାଇଛି ତାଙ୍କୁ ଶୁଦ୍ଧିହେବାକୁ ପଡିବ; ନହେଲେ ସେମାନେ କୌଣସି କାମରେ ତାଙ୍କ ଘରକୁ ଯିବେ ନାହିଁ । କିନ୍ତୁ, ଗୌରୀବାବୁଙ୍କ କଥାରେ ଜଣେ ବ୍ରାହ୍ମଣଯୁବକ ରାଜି ହେଲେ।ତାଙ୍କ ଘରକୁ ଖାଇବାକୁ ଗଲେ। ଏଥିରେ ଗୌରୀବାବୁଙ୍କର ଜୟ ହେଲା”।

ସେହି ଯୁବକ ଥିଲେ ମୋ ପିତା ( ଆମେ ” ନନା” ଡାକୁ)
ଶ୍ରୀ ବୀରବର ଶତପଥୀ, ଯିଏ ପ୍ରାଇମେରୀ ସ୍କୁଲ ଶିକ୍ଷକ ଥିଲେ । 1956 ମସିହାରେ କଲେଲାରେ ଦୁଇ ଦିନରେ ତାଙ୍କର ତଥା ତାଙ୍କ ସାନଭାଇ ଶ୍ରୀ ଅନ୍ତର୍ଯ୍ୟାମୀ ଶତପଥୀ ( ସେତେବେଳର B.Sc with Physics Honours) ଓ ତାଙ୍କ ବୋଉ
( ମୋ ବୁଢୀମା) ଙ୍କ ଅକାଳ ମୃତ୍ୟୁପରେ ଶ୍ରୀ ଗୌରାଙ୍ଗ ଚରଣ ଦାସ ମୋତେ ତାଙ୍କର ବଡନାତି ହିସାବରେ ଗ୍ରହଣ କରି ତାଙ୍କ ଘରକୁ ନେଇଯାଇଥିଲେ, ଯଦିଓ ତାଙ୍କ ନିଜର ନାତିମାନେ ଥିଲେ ।

“ତାଙ୍କ ଘରେ ତୋ ନନା ଖାଇଥିବାରୁ ତୋ ପରିବାର ଉପରେ ଏପରି ବିପଦ ପଡିଲା, ତୁ ବି ସେଇଠି ଖାଉଛୁ” ଭଳି ଆକ୍ଷେପ ମୋତେ ପିଲାଦିନେ ଶୁଣିବାକୁ ପଡିଥିଲା ।

” କହାଁ ଗୟେ ୱହ ସବ୍ ଲୋଗୋଁ – କହାଁସେ ଔର କ୍ୟୁଁ ଆୟ
ଆଜ କା ଏ ସବ୍ ଲୋଗୋଁ” ?
ଏଭଳି ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି ।
——–

Leave a Reply

Your email address will not be published. Required fields are marked *