Spread the love

     " ଗୁଣ୍ଜୁଚିମୂଷି  ରେ ଗୁଣ୍ଜୁଚିମୂଷି 
       ଫଳମୂଳ ତୁହି ଖାଉଥା ବସି
          ତୁ ଥା ମୁଁ ଯାଉଛି ଋଷି"

( ଟୁଉକୁମୂଷିରେ ଟୁଉକୁମୂଷି
ଧାନ ଭରଣକ ଖାଉଥା ବସି
ତୁ ଥା ମୁଁ ଯାଉଛି ରୁଷି- ଭଳି ଓଡିଆ ଲୋକକଥାଟି ଆଧାରରେ)

       --×--

ସେତୁବନ୍ଧ ପ୍ରତିଷ୍ଠାବେଳେ ଗୁଣ୍ଡୁଚିମୂଷିର ଅବଦାନପାଇଁ ଶ୍ରୀରାମ
ତା ପିଠିରେ ସ୍ନେହରେ ନିଜର ଆଙ୍ଗୁଠିଗୁଡିକୁ ଟାଣି ଆଣିବା ପରେ ସେହି ଚିହ୍ନ ତା ପିଠିରେ ଲମ୍ବାଗାରଗୁଡିଏ ହିସାବରେ ସୃଷ୍ଟି ହୋଇଛି ବୋଲି କିମ୍ବଦନ୍ତୀଟିଏ ଅଛି।( ଅର୍ଥାତ ଆଗରୁ ନଥିଲା) ।ବାରମ୍ବାର ସେ ନିଜ ଦେହରେ ବାଲି ବୋଳିହୋଇ ତିଆରି ହେଉଥିବା ସେତୁବନ୍ଧରେ ଝାଡିବା, ସେତୁବନ୍ଧ ପ୍ରତିଷ୍ଠାରେ ଗୋଟିଏ ଅତି ନଗଣ୍ୟ କାମ ଥିଲା କିନ୍ତୁ ସେ ତା ସାଧ୍ୟମତେ ତାହା କରିଥିବାରୁ, ଯେ କୌଣସି କାର୍ଯ୍ୟରେ କୌଣସି ଏକ ଅତି ନଗଣ୍ୟ ଅବଦାନକୁ ଆମ୍ଭେମାନେ
” ଗୁଣ୍ଜୁଚିମୂଷିର ଅବଦାନ” ବୋଲି କହିଥାଉ।

ଏହି ଢଙ୍ଗର ଆଉଗୋଟିଏ ଗପ ହେଉଛି ;
“ଘଞ୍ଚ ଜଙ୍ଗଲରେ ବ୍ୟାପକଭାବେ ନିଆଁ ଲାଗି ଯାଇଥିଲା ।
ଗୋଟିଏ ଛୋଟଚଢେଇ ତା ଚଞ୍ଚୁରେ ପାଣି ଆଣି ପକାଉଥିଲା।
ଅନ୍ୟମାନେ ହସନ୍ତେ ସେ କହିଥିଲା ‘ଏହା ଉପରେ ଭବିଷ୍ୟତରେ ଇତିହାସ ଲେଖାହେଲାବେଳେ କେହି ମୋତେ ‘ ବିପଦବେଳେ
ମୁଁ ମୋ କାମ କରିନଥିଲି ବୋଲି ନ କହୁ, ସେଇଥିପାଇଁ ମୁଁ ଏପରି କରୁଛି” ।

ଶ୍ରୀ ସୌମ୍ଯ ରଞ୍ଜନ ପଟ୍ଟନାୟକ ମହାଶୟ ବିଧାୟକ ହେବା ପୂର୍ବରୁ
ଚଷା( ଚାଷୀଙ୍କ ସମସ୍ୟା), ଭାଷା( ଓଡିଆଭାଷାର ସୁରକ୍ଷା ତଥା ପ୍ରଗତି) ନିଶା(ସଂପୂର୍ଣ୍ଣ ନିଶାନିବାରଣ), ପଶା( ଚିଟଫଣ୍ଡ ଜରିଆରେ ଶୋଷଣ) ଓ ବେଉଷା( ସମସ୍ତଙ୍କପାଇଁ ରୋଜଗାର) ଉପରେ ନେତୃତ୍ବ
ନେଉଥିବା ଆନ୍ଦୋଳନଗୁଡିକରେ ତଥା ଅନ୍ୟାନ୍ୟ ବହୁ ଆନ୍ଦୋଳନରେ
ମୁଁ, 2010 ମଇମାସ ଏକତତିରିଶ ତାରିଖରେ ଚାକିରୀରୁ ଅବସର ନେବାପରେ କରୋନାକାଳ ପର୍ଯ୍ୟନ୍ତ ଅଂଶଗ୍ରହଣ କରିଆସୁଥିଲି।
କରୋନା ସଂକ୍ରମଣ ଜନିତ ପରିସ୍ଥିତିରେ ଜନ ଆନ୍ଦୋଳନ ସଂପୂର୍ଣ୍ଣରୂପେ ବାତିଲଥିବା ସମୟରେ ମୁଁ କର୍କଟରୋଗରେ ପିଡୀତଥିବା ଜଣାପଡିବା, ତା04.06.2021ରିଖରେ ଅସ୍ତ୍ରୋପଚାର ବେଳେ ଅଧମିନିଟିଏ ପାଇଁ ହୃଦକ୍ରିୟା ବନ୍ଦ ହୋଇଥିଲେ ମଧ୍ୟ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଯୋଗୁ ଦୈନିକ ପାଖାପାଖି
ତେରଶହ ଟଙ୍କାର ଇଂଜେକସନ ଓ ଔଷଧରେ ଏପର୍ଯ୍ୟନ୍ତ ବଞ୍ଚିରହିଛି।

କେବଳ କାଁ ଭାଁ ଡାକ୍ତରଖାନା,ବ୍ୟାଙ୍କ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କାମ ଛଡା
ଆଉ ବାହାରକୁ ବାହାରୁନାହିଁ। ତା30.01.2020ରିଖରେ କେରଳରେ ପ୍ରଥମ କୋଭିଡରୋଗୀ ଚିହ୍ନଟ ହେବାପରେ ତ ବୟସ୍କମାନଙ୍କ ଗତାଗତ ଉପରେ ଅଙ୍କୁଶ ଲାଗିଥିଲା, ତା24.03.2020 ରିଖରେ ପ୍ରଥମ ଏକୋଇଶି ଦିନିଆ ଓ ତାପରର ଲକଡାଉନ ତଥା ତାପରର ଅସୁସ୍ଥତା ଯୋଗୁ
ତା01 .03.2020ରିଖରୁ ଗୃହବନ୍ଦୀ ଜୀବନ କଟାଉଛି।

ଶୁଆ ତୁଣ୍ଡରୁ ଶୁଆ ମୂଲ୍ୟ ( ନିଜ ବାବଦରେ ନିଜେ ଜଣାଇବା)

–ଦଶମଶ୍ରେଣୀରେ ପଢିବାବେଳେ ତା26.09.1964ରିଖରୁ ଆରମ୍ଭ ହୋଇଥିବା ଓଡିଶାର ଐତିହାସିକ ଛାତ୍ର ଆନ୍ଦୋଳନର ଆମ ଅଞ୍ଚଳର ବାନରସେନା ଥିଲି, କୃଷି ମହାବିଦ୍ୟାଳୟର ଛାତ୍ରଥାଇ ତା08.02.1967ରିଖରେ ଭୁବନେଶ୍ବରରେ ହୋଇଥିବା ଇନ୍ଦିରା
ଗାନ୍ଧୀଙ୍କ ସଭାରେ ” କଂଗ୍ରେସ ଶାସନ ଚଳିବ ନାହିଁ ” ରଡି ପକାଇଲା ବେଳେ ତାଙ୍କ ଉପରେ ଟେକାମାଡ଼ ଜନିତ ଗଣ୍ଡଗୋଳରୁ ଦୌଡି ଦୌଡି ପଳେଇ ଆସିଲା ବେଳେ ସ୍ଲିପରଚପଲ ଛିଡିଯିବାରୁ ଖାଲିପାଦରେ ଦୌଡି ଦୌଡି ପଳେଇ ଆସିଥିଲି, କୃଷି ମହାବିଦ୍ୟାଳୟ ଛାତ୍ରସଂସଦର ଉପ- ସଭାପତି ତଥା ସଭାପତି ଥାଇ ଛାତ୍ର ଓ ବାମପନ୍ଥୀ ଜନ/ କୃଷକ ଆନ୍ଦୋଳନରେ ଭାଗ ନେଇଥିଲି, ପାରିବାରର ଅର୍ଥନୈତିକ ଦୁର୍ଗତି ଯୋଗୁ ଚାକିରୀକରି, ଚାକିରୀକାଳରେ ଭାରତୀୟ ଷ୍ଟେଟବେଙ୍କ ଅଧିକାରୀ ସଂଘର କର୍ମକର୍ତ୍ତାଥାଇ ବ୍ୟାଙ୍କ ଅଧିକାରୀମାନଙ୍କ ସ୍ୱାର୍ଥ ସମ୍ବଳିତ ଆନ୍ଦୋଳନରେ ଭାଗ ନେଉଥିଲି କିନ୍ତୁ ଚାକିରୀର ସର୍ତ୍ତାବଳୀ ଅନୁସାରେ ଜନ ଆନ୍ଦୋଳନରେ ଭାଗନେବାକୁ ଅଧିକାର ନଥିଲା।
ଅବସରପରେ ବିଭିନ୍ନ ଆନ୍ଦୋଳନରେ ଜଣେ ପଛଧାଡିଆ କର୍ମଚାରୀ ହିସାବରେ ଭାଗ ନେଉଥିବାରୁ ‘ ଶହେ ମୂଷା ଖାଇ ହଜ କରିବାକୁ ବିଲେଇ ଆସିଗଲେ” ଭଳି ଟାହିଟାପରା ବି ଶୁଣିବାକୁ ମିଳୁଥିଲା।

ସୌମ୍ଯବାବୁ ମୋତେ ” ଗୁଣ୍ଡୁଚି ” ବୋଲି ସମ୍ବୋଧନ କରି, ମୁଁ ଆନ୍ଦୋଳନ ସ୍ଥଳରେ ପହଞ୍ଚିଲେ, ” ଗୁଣ୍ଡୁଚି ଆସିଗଲେ” ବୋଲି କହୁଥିଲେ।ଅବସରଗ୍ରହଣ ପରେ ପରେ ତା 22.06.2010ରିଖରେ ମୋ ଲିଖିତ ପ୍ରଥମ ପ୍ରବନ୍ଧ “ସମ୍ମାନଷ୍ପଦଙ୍କ ଅନ୍ୱେଷଣେ”
ଶୀର୍ଷକ ଧାରାବାହିକ ପ୍ରବନ୍ଧର ପ୍ରଥମ ଭାଗ “ସୁବାର୍ତ୍ତ” ସାପ୍ତାହିକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଦୈନିକ ସମ୍ବାଦପତ୍ର “ଖବର” ପ୍ରକାଶିତ ହେଉଥିବା ପର୍ଯ୍ୟନ୍ତ ମଝିରେ ମଝିରେ ମୋର ଲେଖା ପ୍ରକାଶିତ ହେଉଥିଲା । ସମାଜ, ଧରିତ୍ରୀ, ନିତିଦିନ ଇତ୍ୟାଦିରେ ଅଳ୍ପକିଛି ପ୍ରବନ୍ଧ ପ୍ରକାଶିତ ହେବାପରେ ଆଉ ପ୍ରକାଶିତ ହୋଇନଥିଲା।ଅବସରପ୍ରାପ୍ତ ହେବାପରେ ” ଓଡିଶା ଏକ୍ସପ୍ରେସ ” ନାମକ ଓଡିଆ ଦୈନିକ ସମ୍ବାଦପତ୍ରର ପ୍ରତ୍ୟେକ ମଙ୍ଗଳବାର ସଂସ୍କରଣରେ ମୋର ଲେଖା କ୍ରମାଗତଭାବେ ପ୍ରକାଶିତ ହୋଇଆସୁଛି। ଏହି ସମୟରେ ପ୍ରକାଶିତ ପ୍ରାୟ ଆଠଶହ ପ୍ରବନ୍ଧରୁ
ନବେଟି ଲେଖା ” ତୁଷାନଳ/ ତୁଷାର୍ତ୍ତ ଓ ତୁଷମ୍ ଇବ ମନ୍ଥନମ –
କେବଳ ତଷୁକୁଟା କାମ” ନାମକ ତିନୋଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି । —

“ବାରବୁଲାଟିଏ ଚବିଶଘଣ୍ଟା ଘରେ ରହିବାର ଦୁଃଖ, ବିରକ୍ତିଭାବ”
ବାରବୁଲାମାନେ ହିଁ ଜାଣନ୍ତି । ତେଣୁ, ଅପରେସନ ( କିଡନି ଟିଉମର ମାଡିଯାଇ ଡାହାଣକାନ୍ଧର ଗୋଟିଏ ହାଡ ଫଟେଇ ଦେଇଥିବାରୁ କାନ୍ଧ ଓ କିଡନି ଅପରେସନ ( ଏକ ସମୟରେ) ପରେ ସାମାନ୍ୟ ସୁସ୍ଥ ହେବାପରେ ( ଡାହାଣବାହୁରେ ରଡ ଲାଗିଛି ଓ ହାତ 180 ଡିଗ୍ରି ଉଠୁଛି- ବ୍ୟଥା ରହିଛି ଓ ରହିବ। ସଂପୂର୍ଣ୍ଣରୂପେ ଆରୋଗ୍ଯଲାଭ କରିବାର ସୁଯୋଗ ନାହିଁ ।କିଛିଦିନ ବଞ୍ଚିବାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ” ଚଉଦଦିନ କେମୋ କ୍ୟାପସୁଲ ଖାଇବା- ସାତଦିନ ବିରତି- ପୁଣି ଚଉଦ ଖାଇବା ” କ୍ରମରେ 2021 ମସିହା ଜୁଲାଇମାସରୁ କେମୋ କ୍ୟାପସୁଲ ଖାଇବା ଚାଲିଛି। ଏହାର କୋପରେ ଗୋଡ ଆଙ୍ଗୁଠିତଳ ଓ ଗୋଇଠି ଛିଡି ପରସ୍ତ ପରସ୍ତ ଚମଡା ଛାଡିବା
ଜନିତ କଷ୍ଟ ବେଳେବେଳେ ଅସହ୍ୟ ହେଉଛି) ମନ ପରିବର୍ତ୍ତନ କରିବାକୁ ତଥା ସମୟ କଟେଇବାକୁ ଦୈନିକ ” ତୁଷାରକାନ୍ତର ମୁଣି: ନିଅନ୍ତୁ ସେଥିରୁ ଛାଣି ” ସ୍ତମ୍ଭରେ ସାମାଜିକ ବ୍ୟବସ୍ଥା ଉପରେ କିଛି
ଆଲୋକପାତ କରି, ଗୁଣ୍ଡୁଚିମୂଷିର କର୍ତ୍ତବ୍ୟ ସାମାଜିକ ଗଣମାଧ୍ୟମରେ କରିଆସୁଛି।

ତା 31 .01.2024ରିଖରେ “ସେ କାଳର ସେତୁବନ୍ଧ ପ୍ରତିଷ୍ଠାରେ ଗୁଣ୍ଜୁଚିମୂଷାର କର୍ତ୍ତବ୍ୟ ବା ଜଙ୍ଗଲ ଲିଭାଇବାକୁ ଛୋଟ ଚଢେଇର ଅବଦାନର ଆଜିର ଦିନରେ କୌଣସି ଆବଶ୍ୟକତା ବା ମାନ୍ୟତା ନାହିଁ, ବରଂ ଏହା ଅସୁବିଧାରେ ପକାଇପାରେ ” ଭଳି ହଠାତ
ମନ ଭିତରେ ପଶିଯାଇଛି। ” ହଉ ହଉ, 2024 ରେ ଦେଖିନେବୁ”
ଧମକ ବି ମିଳୁଛି ।

ତେଣୁ, “ଆଉ ଏ ପାଲାରେ ପଶିବି କି ନାହିଁ “, ସେହି ଦ୍ୱିଧାରେ ଅଛି,
ବିଶେଷକରି ଓଡିଆ ଲୋକକଥା ” ମୁଁ ହେଉଥାଏ ଯାହାଙ୍କ ପାଇଁ:
ତାଙ୍କର ଚିନ୍ତା ଟିକିଏ ନାହିଁ ” ଶତକଡା ଶହେ ବାସ୍ତବତାର ଋପେ ନେଇ ସାରିଥିବାରୁ। ” ମାଡୁଆ ନଥାଇ ଗୁହାରିଆ/ ଓଲା ନମ୍ବର ଦୁଇ : ପର ବାଡିରେ ଲଗାଏ ପୋଇ/ ଉପରେ ପଡି: ଆସିଛନ୍ତି ଭିଡି/ଆଲୋସଖି: ଆପଣା ମହତ ଆପେ ରଖି” ଇତ୍ୟାଦି ଓଡିଆ ଲୋକକଥାଗୁଡିକର ଅନ୍ତର୍ନିହିତ ସାବଧାନତା ବି ମନେ ପଡୁଛି।

” ଗୁଣ୍ଜୁଚିମୂଷିଟି ଆଉ ରୁଷିକରି ନୁହେଁ, ତଷୁକୁଟା ଭଳି ମୂଲ୍ୟହୀନ କାମ ନ କରିବା ଯୋଜନାରେ ଅଛି”।

    ଆପଣମାନଙ୍କର ସୁପରାମର୍ଶ
          କାମନା କରୁଛି  

          ନମସ୍କାର

Leave a Reply

Your email address will not be published. Required fields are marked *