ଖରିଫ୍ ପରେ ଡାଲି ଓ ତୈଳବୀଜ ଚାଷର ଗୁରୁତ୍ୱ
ଗତ ଦୁଇଦଶନ୍ଧି ଧରି ପାଣିପାଗର ପ୍ରତିକୂଳ ପରିସ୍ଥିତିକୁ ଓଡ଼ିଶା ପ୍ରତିଟି କ୍ଷେତ୍ରରେ ଦୃଢ଼ତାର ସହିତ ମୁକାବିଲା କରିଆସିଛି। ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏବଂ କୃଷି କ୍ଷେତ୍ରରେ ନିରନ୍ତର ବିକାଶ ଦ୍ୱାରା ଏବେ ଓଡ଼ିଶା ଧାନ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇପାରିଛି। କିନ୍ତୁ ଏବେ ମଧ୍ୟ ଡାଲିଜାତୀୟ ଓ ତୈଳବୀଜ ଶସ୍ୟ ଉତ୍ପାଦନରେ ଓଡ଼ିଶା ନିଅଣ୍ଟିଆ ରାଜ୍ୟ ଭାବେ ଗଣା ହେଉଛି। ରାଜ୍ୟର ଚାଷୋପଯୋଗୀ ଜମି ପ୍ରାୟ ୬.୫ ନିୟୁତ ହେକ୍ଟର। ସେଥିମଧ୍ୟରୁ ଶତକଡ଼ା ୭୫-୮୦ ଭାଗ (୩.୮ ନିୟୁତ ହେକ୍ଟର) ଜମିରେ କେବଳ ଧାନ ଚାଷ ହେଉଛି। ତେଣୁ ଖରିଫ ଧାନ ଫସଲ ଅମଳ ହେବା ପରେ ବ୍ୟାପକ ଚାଷଜମି ପଡ଼ିଆ ପଡ଼ିଥାଏ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଇରି) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୧୬ ଲକ୍ଷ ହେକ୍ଟରରୁ ଅଧିକ ଧାନଚାଷ ହେଉଥିବା ଜମି ଖରିଫ୍ ଅମଳ ପରବର୍ତ୍ତୀ ସମୟରେ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଉପଯୋଗ କରାଯାଇପାରିବ।
ଚାଷଜମି ବର୍ଷକର ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟବହାର ହୋଇ ନ ପାରିବା ବା ପଡ଼ିଆ ପଡ଼ିବା ପଛରେ ଅନେକ କାରଣ ରହିଛି। ସେଥିମଧ୍ୟରୁ ସାତଟି ପ୍ରମୁଖ କାରଣ ହେଉଛି ଜଳସେଚନର ଅଭାବ, ଉପକୂଳବର୍ତ୍ତୀ ଖାଲୁଆ ଅଞ୍ଚଳରେ ପାଣି ଜମି ରହିବା, ମୃତ୍ତିକା ଓ ଜଳ ଅଧିକ ଲବଣାକ୍ତ ହେବା, ଖରିଫ ଋତୁରେ ବିଳମ୍ୱର ଅମଳ ହେଉଥିବା ଧାନ କିସମ ଚାଷ ଯୋଗୁଁ ଅମଳରେ ବିଳମ୍ୱ, ରବି ଫସଲ ପାଇଁ ବିହନ ବୁଣିବା ସମୟରେ ମାଟିରେ ଯଥେଷ୍ଟ ଆର୍ଦ୍ରତା ନ ରହିବା, ଖରିଫ ଧାନ କଟାଯିବା ପରେ ମୁକ୍ତ ଭାବେ ଗୋରୁଗାଈ ଛଡ଼ାଯିବା ଓ ରବି ଫସଲ ଚାଷ କରିବାରେ ଜ୍ଞାନ ଏବଂ ଅଭିଜ୍ଞତାର ଅଭାବ ସହିତ ସୀମିତ ବିସ୍ତାର ପ୍ରୟାସ। ଅପରପକ୍ଷରେ ଧାନ ଚାଷ ହେଉଥିବା ଜମିରେ ଖରିଫ୍ ଅମଳ ପରବର୍ତ୍ତୀ ସମୟରେ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଖରିଫ୍ ଧାନ ଉତ୍ପାଦନ ପରେ ମାଟିରେ ଆର୍ଦ୍ରତା ରହୁଥିବା ଜମିରେ ମୁଗ, ବିରି, ରାଶି, ସୋରିଷ, ଚିନାବାଦାମ ଆଦି ଫସଲ କରାଯାଇପାରିବ।
ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ହେଉଛି ପ୍ରମୁଖ ଅର୍ଥକରୀ ଫସଲ, ଯାହା କୃଷକମାନଙ୍କର ଆୟ ବୃଦ୍ଧି କରିବା ସହିତ ଉପଭୋକ୍ତାଙ୍କ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା, ବାୟୁମଣ୍ଡଳରେ ଯବକ୍ଷାରଜାନ ବିବନ୍ଧନ ମାଧ୍ୟମରେ ମୃତ୍ତିକାର ଉର୍ବରତା ବଜାୟ ରଖିବା ଏବଂ ପରବର୍ତ୍ତୀ ଫସଲ ଋତୁରେ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।
ଓଡ଼ିଶାରେ ଯେ ଡାଲିଜାତୀୟ ଫସଲ ଆଦୌ ହେଉ ନାହିଁ, ତାହା ମଧ୍ୟ ନୁହେଁ। ସମ୍ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୫୦ ହଜାର ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷ କରାଯାଉଛି। କିନ୍ତୁ ରବି ଋତୁରେ ସମୁଦାୟ ପଡ଼ିଆ ପଡୁଥିବା ଅଞ୍ଚଳକୁ ବିଚାରକୁ ନେଲେ ଏହା ଏତେଟା ଉତ୍ସାହଜନକ ବୋଲି ଜଣାପଡ଼ୁନାହିଁ। ରବି ଋତୁରେ ମୋଟ ପଡ଼ିଆ ପଡୁଥିବା ଜମିକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଗୋଟିଏ ଯୋଜନା ଆରମ୍ଭ କରିଥିଲେ। ୨୦୨୨-୨୩ ମସିହାରେ ଏହି ଯୋଜନା ୩୦ଟି ଜିଲ୍ଲାରେ ପ୍ରାୟ ୭୦ ହଜାର ହେକ୍ଟର ଚାଷଜମିରେ କାର୍ଯ୍ୟକାରୀ ହୋଇଥିଲା। କାର୍ଯ୍ୟକ୍ରମର ସଫଳତା ଏବଂ ଅନୁଭୂତିକୁ ଆଧାର କରି ଚଳିତ ବର୍ଷ (୨୦୨୩-୨୪) ଏହି କାର୍ଯ୍ୟକ୍ରମ ଅଧୀନରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଏବଂ ତୈଳବୀଜ ଜାତୀୟ ଫସଲ କରିବାକୁ ଯୋଜନା କରାଯାଇଛି।
ଏହି ଯୋଜନାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ସିଜିଆଇଏଆର ଅନ୍ତର୍ଭୁକ୍ତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଇରି) ଭଳି ଅନେକ ପ୍ରମୁଖ ସରକାରୀ ଓ ବେସରକାରୀ ସଂଗଠନ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଛନ୍ତି। ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ୨୦୧୬ ମସିହାରୁ ଓଡ଼ିଶା ସରକାରଙ୍କ ସହାୟତାରେ ସ୍ଥାନୀୟ ପରିବେଶକୁ ସୁହାଇବା ପରି ଜଳବାୟୁ ଅନୁକୂଳ ଚାଷ ଏବଂ ଓ ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ପାରୁଥିବା ବିହନ, ଉନ୍ନତ କୃଷି ପରିଚାଳନା ଓ ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଆସିଛି। ତେଣୁ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ଜାତୀୟ ଫସଲର ଅଧିକରୁ ଅଧିକ ଚାଷ ପାଇଁ ଅଳ୍ପଦିନରେ ଅମଳ ହେଉଥିବା (୧୦୦-୧୨୦ ଦିନ) ଉପଯୁକ୍ତ କିସମର ଧାନ (ଯଥା ବୀଣା ଧାନ ୧୧, ସିଆର ଧାନ-୪୦୫, ସହଭାଗୀ ଧାନ, ଡିଆରଆର ୪୨, ଡିଆରଆର ୪୪, ଇତ୍ୟାଦିକୁ ଖରିଫ ଋତୁରେ ଚାଷ କରିବା ପାଇଁ କୃଷକଙ୍କୁ ସର୍ବଦା ପରାମର୍ଶ ଦିଆଯାଉଛି।
ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ଅନ୍ତଃରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥାନ ଏବଂ ୱାର୍ଲ୍ଡ ଭେଜର ମିଳିତ ସହଯୋଗରେ ଏହି ଯୋଜନା ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଓ ବଲଙ୍ଗୀର ଜିଲ୍ଲାର ୯୫, ୬୫୦ ହେକ୍ଟର ପତିତ ଜମିରେ ଡାଲିଜାତୀୟ ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ପାଇଁ କୃଷକମାନଙ୍କୁ ସାହାଯ୍ୟ କରୁଛି। ଚଳିତ ରବି ଋତୁରେ ଏହି ତିନିଟି ଜିଲ୍ଲାରେ ୪୭, ୪୬୬ ହେକ୍ଟର ଜମିରେ ମୁଗ, ୧୬, ୦୬୦ ହେକ୍ଟର ଜମିରେ ବିରି, ୧୨, ୨୩୨ ହେକ୍ଟର ଜମିରେ ବୁଟ, ୩, ୨୮୯ ହେକ୍ଟର ଜମିରେ ମସୁର, ୬, ୨୮୫ ହେକ୍ଟର ଜମିରେ ଖେସରି, ୨, ୩୧୫ ହେକ୍ଟର ଜମିରେ ମଟର, ୬, ୯୪୦ ହେକ୍ଟର ଜମିରେ ସୋରିଷ ଏବଂ ୧, ୦୯୦ ହେକ୍ଟର ଜମିରେ ରାଶି ଚାଷ କରିବା ପାଇଁ ଯୋଜନା ରହିଛି। ଏହି ଯୋଜନା ଅଧୀନରେ ସରକାର କୃଷକମାନଙ୍କୁ ଉତ୍ତମ ଅମଳ ପାଇଁ ସ୍ୱଳ୍ପ-ଅବଧି, ଉଚ୍ଚ-ଅମଳକ୍ଷମ, ରୋଗ-ପ୍ରତିରୋଧକ ସହନଶୀଳ ବିହନ ଯୋଗାଇ ଦେଇଛନ୍ତି। ତାହା ସହିତ ରାଇଜୋବିୟମ କଲଚର, ପିଏସବି କଲଚର, ଟ୍ରାଇକୋଡର୍ମା ଭିରିଡି, ଅନୁସାର(ବୋରାକ୍ସ), ପେଣ୍ଡିମେଥାଲିନ-ପ୍ରି. ଇମର୍ଜେନ୍ସ, ଫେରୋମନ ଟ୍ରାପ ଓ ଲିଓର, ଆଲୋକ ଯନ୍ତା ଓ ହଳଦିଆ/ନୀଳ ଅଠାଳିଆ କାର୍ଡ ଭଳି ଅନ୍ୟାନ୍ୟ ଉପାଦାନ କୃଷକମାନଙ୍କୁ ଯୋଗାଇ ଦିଆଯାଇଛି। ସେମାନଙ୍କୁ ଜମି ପ୍ରସ୍ତୁତି, ବିହନ ବିଶୋଧନ, ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା, ଅନାବନା ଘାସ ପରିଚାଳନା, ରୋଗପୋକ ପରିଚାଳନା ଭଳି ଉନ୍ନତ ଫସଲ ପରିଚାଳନା ବ୍ୟବସ୍ଥା ଉପରେ ତାଲିମ ଦିଆଯାଉଛି। ଚାଷୀମାନଙ୍କୁ ଟ୍ରାଇକୋଡର୍ମା ଓ ଡୋଲୋମାଇଟ ବ୍ୟବହାର କରି ବିହନ ଓ ମୃତ୍ତିକା ବିଶୋଧନ ପାଇଁ ପରାମର୍ଶ ଦିଆଯାଉଛି, ଯାହା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇବା ସହିତ ଉତ୍ପାଦନ ବୃଦ୍ଧି ହୋଇପାରିବ। ଅନେକ ସ୍ଥାନରେ କୃଷକମାନଙ୍କ ପାଇଁ ମସୁର ଓ ସୋରିଷ ଧାଡ଼ିରେ ବୁଣିବା ଏକ ନୂଆ ଅନୁଭୁତି ଆଣିଦେଇଛି। ଏପରି ଅନେକ ଶସ୍ୟ ଯାହା କ୍ରମଶଃ ରବି ଋତୁରେ ଚାଷ କରାଯାଉ ନଥିଲା, ସେହି ଶସ୍ୟର ପୁନଃରୋପଣ କରିବା ପାଇଁ ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।
ଡାଲିଜାତୀୟ ଶସ୍ୟ ଅମଳ ହେବା ପରେ ସାଇତି ରଖିବା ପାଇଁ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କୃଷକମାନଙ୍କୁ ସୁପରବ୍ୟାଗ ଯୋଗାଇ ଦେବା ପାଇଁ ଯୋଜନା କରାଯାଇଛି, ଯାହା ଦ୍ୱାରା ଏହି ବିହନକୁ ୬-୧୨ ମାସ ପର୍ଯ୍ୟନ୍ତ କୌଣସି ରାସାୟନିକ ଔଷଧ ବ୍ୟବହାର ନକରି ରଖାଯାଇପାରିବ। ଏତଦ୍ବ୍ୟତୀତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ଭାରତୀୟ ତୈଳବୀଜ ଅନୁସନ୍ଧାନ ସଂସ୍ଥାନ ଓ ଭାରତୀୟ ଡାଲିଜାତୀୟ ଗବେଷଣା ପ୍ରତିଷ୍ଠାନ ମିଳିତ ସହଯୋଗରେ ଓଡ଼ିଶାରେ ଜଳବାୟୁକୁ ସୁହାଇଲା ଭଳି ନୂତନ କିସମର ଡାଲି ଓ ତୈଳବୀଜ ଜାତୀୟ ଫସଲ ପରୀକ୍ଷାମୂଳକ ଭାବରେ ବିଭିନ୍ନ ଜାଗାରେ ପରୀକ୍ଷଣ କରାଯାଉଛି। ଆଗାମୀ ଦିନରେ ଓଡ଼ିଶାର ଚାଷୀମାନଙ୍କୁ ଧାନଭଳି ନୂଆ ନୂଆ କିସମର ଡାଲିଜାତୀୟ ଓ ତୈଳବୀଜ ବିହନ ଉପଲବ୍ଧ କରାଯିବାକୁ ଯୋଜନା କରାଯାଉଛି।
ସରକାରଙ୍କ ଏହି ଅଭିନବ ପ୍ରୟାସ ଆଗାମୀ ଦିନରେ କୃଷକମାନଙ୍କୁ ବୈଜ୍ଞାନିକ ଉପାୟରେ ଡାଲି ଚାଷ କରିବାକୁ ମାର୍ଗଦର୍ଶନ କରିବା ସହିତ ସେମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ, ଏହା ନିଃସନ୍ଦେହ। କ୍ରମାଗତ ଅଧିକରୁ ଅଧିକ ପଡ଼ିଆ ଜମିରେ ରବି ରତୁରେ ଡାଲିଜାତୀୟ ଓ ତୈଳବୀଜ ଜାତୀୟ ଫସଲ କରିବା ଦ୍ୱାରା ଓଡ଼ିଶା ନିକଟ ଭବିଷ୍ୟତରେ ଏହି ଅର୍ଥକରୀ ଫସଲ ଉତ୍ପାଦନରେ ଏକ ବଳକା ରାଜ୍ୟର ପରିଚୟ ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ୁଛି।