*କିମ୍ବଦନ୍ତୀରେ ଭକ୍ତ ସାଲବେଗ ଓ ଶ୍ରୀଜଗନ୍ନାଥ*
ଦିନେ ମୋଗଲ ଯୋଦ୍ଧା ଲାଲବେଗ ପୁରୀ ଅଭିମୁଖେ ଯାତ୍ରା କରୁଥିବାବେଳେ ଜଣେ ବିଧବା ବ୍ରାହ୍ମଣୀର ରୂପରେ ବିମୋହିତ ହୋଇଗଲେ । ବିଧବା ବ୍ରାହ୍ମଣୀଙ୍କୁ ସେ ଅପହରଣ କରି ବିବାହ କଲେ । ସେହି ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ପୁଅ ହେଉଛନ୍ତି ସାଲବେଗ । ତେବେ ଆକବରଙ୍କ ଆଦେଶରେ ଲାଲବେଗ ଦିଲ୍ଲୀ ଯିବା ପରେ ବ୍ରାହ୍ମଣୀ ଏକା ଏକା ସାଲବେଗଙ୍କୁ ଲାଳନପାଳନ କଲେ । ନୈଷ୍ଠିକ ହିନ୍ଦୁ ନାରୀ ହୋଇଥିବାରୁ ସାଲବେଗଙ୍କ ମାଆ ପ୍ରତିଦିନ ଦେବଦେବୀଙ୍କ ପୂଜାର୍ଚ୍ଚନା କରନ୍ତି । ଯାହାର ପ୍ରଭାବ ବାଲ୍ୟକାଳୁ ସାଲବେଗଙ୍କ ଉପରେ ପଡ଼ିଥିଲା ।
ସାଲବେଗ ହିନ୍ଦୁ ଦେବଦେବୀଙ୍କୁ ଭକ୍ତି କରୁଥିଲେବି ତାଙ୍କୁ ମନ୍ଦିର ବାରଣ ଥିଲା । ପୂଜାପଣ୍ଡା ଓ ବ୍ରାହ୍ମଣମାନଙ୍କ ଠାରୁ ଅପମାନିତ ହୋଇ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ ।
ଲାଲବେଗ ଯେତେବେଳେ ବଙ୍ଗର ସୁବେଦାର ହେଲେ ସେତେବେଳେ କଟକ ଆସିଥିଲେ । ପୁଅର ଯୁଦ୍ଧରେ ସେ ଖୁସି ହୋଇ ତାଙ୍କୁ ସାଙ୍ଗରେ ନେଇଗଲେ । ଆଫଗାନମାନଙ୍କ ସହ ଯୁଦ୍ଧରେ ସାଲବେଗ ଭୀଷଣ ଆହତ ହେଲେ । ତାଙ୍କର କ୍ଷତ ଶୁଖିଲା ନାହିଁ । ତେଣୁ ତାଙ୍କ ମାଆ ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା କରିବା ସହ ସାଲବେଗଙ୍କୁ ବି ପୂଜାର୍ଚ୍ଚନା କରିବାକୁ କହିଲେ । କିନ୍ତୁ ହିନ୍ଦୁଙ୍କ ପ୍ରତି ତାଙ୍କର ଆସ୍ଥା ତୁଟି ଯାଇଥିବାରୁ ସେ ରାଜି ହେଲେନାହିଁ । ମା’ ବହୁତ ବୁଝାଶୁଝା କରିବା ପରେ ସାଲବେଗ ଜୀବନ ରଖିବା ଆଶାରେ କୃଷ୍ଣ ଭାବନାରେ ବ୍ରତୀ ହୋଇଥିଲେ ।
ବାର ଦିନ ନିଷ୍ଠାର ସହ ପ୍ରଭୁଙ୍କୁ ସୁମରଣା କରିବା ପରେ ସାଲବେଗ ସ୍ୱପ୍ନରେ ବାଳଗୋବିନ୍ଦଙ୍କ ଦର୍ଶନ କଲେ । ବାଳଗୋବିନ୍ଦ ମୁଠାଏ ବିଭୂତି ସାଲବେଗଙ୍କ ଦେହରେ ବୋଳିଦେବା ପରେ ହଠାତ ତାଙ୍କର ନିଦ ଭାଙ୍ଗି ଯାଇଥିଲା । ନିଦ ଭାଙ୍ଗିବା ପରେ ସେ ଦେଖିଲେ ତାଙ୍କର ଶରୀର ସଂପୂର୍ଣ୍ଣ ଆରୋଗ୍ୟ ହୋଇଯାଇଛି । ଏହାପରେ ତାଙ୍କ ହୃଦୟରେ ଭଗବତ ପ୍ରେମ ଜାଗ୍ରତ ହୋଇଥିଲା । ମୁସଲମାନ ହୋଇଥିଲେବି ସେ ପ୍ରତିଦିନ ହିନ୍ଦୁ ଠାକୁରଙ୍କ ପୂଜା ଆରାଧନା କଲେ । ଅନେକ ଲୋକ ତାଙ୍କୁ ଟାହିଟାପରା କଲେବି ସେ ଧ୍ୟାନ ଦେଇନଥିଲେ ।
ବିଭିନ୍ନ ଧର୍ମ ଶାସ୍ତ୍ରରୁ ଜାଣିବାକୁ ପାଇଲେ ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ହିଁ ଶ୍ରୀଜଗନ୍ନାଥ ରୂପରେ ବିରାଜମାନ କରିଛନ୍ତି । ପ୍ରଭୁଙ୍କ ଦର୍ଶନ ପାଇଁ ସେ ପୁରୀ ଅଭିମୁଖେ ଯାତ୍ରା କଲେ । କିନ୍ତୁ ମୁସଲମାନ ହୋଇଥିବାରୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ତ ଛାଡ଼, ତାଙ୍କୁ ମଠଗୁଡ଼ିକରେ ବି ଆଶ୍ରୟ ମିଳିଲା ନାହିଁ । ସେ ଜଗନ୍ନାଥଙ୍କ ଜଣାଣ କରି ସେମିତି ପୁରୀରେ ପଡ଼ିରହିଲେ । ତେବେ ପୁରୀ ରଥଯାତ୍ରା ବେଳେ ତାଙ୍କର ମନୋସ୍କାମନା ପୂରଣ ହୋଇଥିଲା । ସେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନେକ ସୁନ୍ଦର ଭଜନମାନ ଗାୟନ କରିଥିଲେ ।
ଯବନ ସାଲବେଗଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ଦେଖିବା ସହ ତାଙ୍କର ଭଜନରେ ପ୍ରୀତ ହୋଇଥିଲେ ଗଜପତି ନରସିଂହ ଦେବ । ତେଣୁ ବଳଗଣ୍ଡି ଠାରେ ସାଲବେଗଙ୍କୁ ଛତାମଠ ସ୍ଥାପନ ପାଇଁ ଅନୁମତି ଦେଲେ । ସେହି ମଠରେ ସାଲବେଗ ଭଜନ କରି ଜୀବନ ଅତିବାହିତ କଲେ । ମାଆଙ୍କର ଇଚ୍ଛାପୂରଣ ପାଇଁ ସାଲବେଗ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଥିଲେ । କିନ୍ତୁ ପଣ୍ଡାମାନେ ନିର୍ଯ୍ୟାତନା ଦେବାରୁ ସେ ପୁରୀ ଛାଡ଼ି ବୃନ୍ଦାବନ ପଳାଇଲେ ।
ଏକଦା ରଥଯାତ୍ରା ଦେଖିବା ପାଇଁ ସାଲବେଗ ବୃନ୍ଦାବନରୁ ପୁରୀକୁ ଆସୁଥିଲେ । ତେବେ ଜର ହେବାରୁ ସେ ଶୀଘ୍ର ପହଁଚି ପାରିନଥିଲେ । ସେତେବେଳେ ସେ ଗାଇଲେ, ‘ସାତଶ ପଚାଶ କୋଶ ଚାଲି ନପାରଇ, ମୋହ ଥିବା ଯାଏଁ ନନ୍ଦିଘୋଷ ଥିବ ରହି ।’ ସାଲବେଗଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପ୍ରଭୁଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଠାରେ ଅଟକି ଯାଇଥିଲା । ସାଲବେଗ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ରଥ ଗଡ଼ିଥିଲା । ଯୋଗଧ୍ୟାନରେ ବସିଥିବାବେଳେ ସାଲବେଗ ଇହଲୀଳା ସମ୍ବରଣ କରିଥିଲେ । ସାଲବେଗଙ୍କ ସ୍ମରଣରେ ବଳଗଣ୍ଡିରେ ତାଙ୍କର ସମାଧି ସ୍ଥାପନ ହୋଇଛି ।