ପୁରାଣକାରମାନେ ସରସ୍ୱତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି । ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।[୬] ବାକ୍ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । ବାକ୍ ନାମ୍ନୀ କନ୍ୟା ଅତ୍ୟନ୍ତ ସୁନ୍ଦରୀ । ସେ ନିଷ୍କାମ, କାମନାହୀନ କିନ୍ତୁ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ୱୟମ୍ବୁ ବ୍ରହ୍ମା ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କର ମରୀଚି ଆଦି ପୁତ୍ରଗଣ ବ୍ରହ୍ମାଙ୍କୁ ନିନ୍ଦା କଲେ । ସରସ୍ବତୀ ଶରୀର ତ୍ୟାଗ କଲେ ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ
ଋକ ବେଦ ମତେ ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ ଲେଖାଯାଇଛି ।
ଅମ୍ବି ତମେ ନଦୀ ତମେ/ଦେବୀ ତମେ ସରସ୍ୱତୀ,
ଅପ୍ରଶସ୍ତ ଇବ ସ୍ୱାମି/କ୍ରଶସ୍ତି ମମ ନିସ୍କୃତି ।
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି : ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ, ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ ।
ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ୱତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ ।
ଦେବୀ ସରସ୍ୱତୀ ବନ୍ଦନା ଶୁକ୍ଳାଂ ବ୍ରହ୍ମ ବିଚାର ସାର ପରମା
ଆଦ୍ୟାଂ ଜଗତ୍ ବ୍ୟାପୀନିଂ ॥
ବୀଣା ପୁସ୍ତକ ଧାରିଣୀମ୍ ଅଭୟଦାଂ ଜାଡ୍ୟାଙନ୍ଧକାରା ପହାଃ ॥
ହସ୍ତେ ସ୍ଫଟିକ ମାଳୀକାଂ ବିଦଧତୀ
ପଦ୍ମାସନେ ସଂସ୍ଥିତାଂ ॥
ବନ୍ଦେତ୍ୱାଂ ପରମେଶ୍ୱରୀ ଭଗବତିଂ
ବୁଦ୍ଧି ପ୍ରଦାଂ ସରାଦାଂ ॥
ମାଘ ଶୁକ୍ଳ ପଞ୍ଚମୀ ତିଥି ମହାଦେବୀ ସରସ୍ବତୀଙ୍କର ପୂଜା ପାଇଁ ପ୍ରସିଦ୍ଧ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ କପାଳର ତେଜରୁ ଆବିର୍ଭୂତା ଏହି ଦେବୀ ଜ୍ଞାନ, ପ୍ରଜ୍ଞା, ବାଣୀ, ସୌନ୍ଦର୍ଯ୍ୟ ତଥା ସମସ୍ତ ଗାନ୍ଧର୍ବକଳା ସହ କବିତା ଓ ଅନ୍ୟ ସମସ୍ତ ସୃଜନକ୍ରିୟାର ଅଧିଷ୍ଠାତ୍ରୀ ଅଟନ୍ତି। ଧବଳପଦ୍ମ ଉପରେ ଶ୍ୱେତବସ୍ତ୍ର ପରିଧାନ ପୂର୍ବକ ଚତୁର୍ଭୁଜା ଏହି ଦେବୀ ହଂସବାହିନୀ, ପ୍ରାଣଦାୟିନୀ ଭାବରେ ହିନ୍ଦୁ ଓ ବୌଦ୍ଧ ସମ୍ପ୍ରଦାୟ ଦ୍ୱାରା ପୂଜିତା। ସରସ୍ବତୀ ଦିବ୍ୟଭାବର ପ୍ରତୀକ, ଉତ୍ତୀର୍ଣ୍ଣ ଚେତନାର ଦ୍ୟୋତକ ଓ ଯୋଗବିଜ୍ଞାନ ଅନୁସାରେ ପଞ୍ଚମଚକ୍ର, ଅର୍ଥାତ୍ ବିଶୁଦ୍ଧଚକ୍ର ବା କଣ୍ଠଚକ୍ରରେ ଅବସ୍ଥାନ କରନ୍ତି। କଣ୍ଠଚକ୍ର ବାଣୀ ଓ ସଙ୍ଗୀତର ଆଧାର। ତେଣୁ ମାଆ ସରସ୍ବତୀଙ୍କୁ ପ୍ରାର୍ଥନା କଲାବେଳେ ଓଡ଼ିଆପିଲା କହନ୍ତି, “ସରସ୍ବତୀ ମା’ଗୋ, କଣ୍ଠେ ବସିଥା, ବିଦ୍ୟା ନ ଆସିଲେ କହିଦେଉଥା’’। ମାଆ ସରସ୍ବତୀ ଚତୁର୍ଭୁଜା; ଚାରିହାତର ପ୍ରତୀକ ମାନେ ଯଥାକ୍ରମେ ମନ, ବୁଦ୍ଧି, ବିଚାର ଓ ଚେତନା। ହିନ୍ଦୁ ମୂର୍ତ୍ତିକାରମାନେ ମା’ ସରସ୍ବତୀଙ୍କୁ ସର୍ବଦା ଧଳାପଦ୍ମ, ଶ୍ୱେତହଂସ ବା ଶ୍ୱେତମୟୂର ସହ ସୁସଜ୍ଜିତା କରିଥାଆନ୍ତି। ଶୁଭ୍ରତା ହେଉଛି ପବିତ୍ରତାର ପ୍ରତୀକ, ଶୁଭ୍ର ଶତଦଳ ବା ପଦ୍ମଫୁଲ ବିମଳ ବିଚାରର ପ୍ରତୀକ, ହଂସ ହେଉଛି ପ୍ରାଣଶକ୍ତିର ପ୍ରତୀକ। ତେଣୁ ମା’ଙ୍କ ବନ୍ଦନାରେ “ହଂସବାହିନୀ ପ୍ରାଣଦାୟିନୀ ଅମ୍ବେ ବିମଳମତିଦେ” ଇତ୍ୟାଦି କୁହାଯାଇଛି। ମା’ଙ୍କ ଚାରିହାତରେ ଚାରିବେଦ, କମଣ୍ଡଳୁ ଓ ବୀଣା ଶୋଭା ପାଉଥାଏ। ବୀଣା ମା’ଙ୍କ ଦ୍ୱାରା ସୃଜିତ ଏକ ସୁନ୍ଦର ବାଦ୍ୟଯନ୍ତ୍ର, ଯାହା ସଙ୍ଗୀତଶାସ୍ତ୍ରର ପ୍ରତିନିଧିତ୍ୱ କରେ। କମଣ୍ଡଳୁ ବ୍ରହ୍ମଚର୍ଯ୍ୟର ଓ ଚାରିବେଦ ଜ୍ଞାନର ଭଣ୍ଡାର।