Spread the love

ଲୋକକଥାରେ ଶ୍ରୀ ଜଗନ୍ନାଥ

ପାଞ୍ଚ ପା ମଠ
ଥରେ କୌଣସି ଏକ ମଠର ଗୁମାସ୍ତା ଧାନ ଆଦାୟ କରିବା ପାଇଁ ଖଣ୍ଡପଡା ଯାଇଥିଲେ ସେ ଗାଆଁରେ ଗୋଟିଏ ଅନାଥ ପିଲା ଥିଲା।ପିଲାଟି ସ୍ୱଭାବରେ ସରଳ,ନିସ୍କପଟ ଓ କର୍ମଠ।
ଗାଆଁ ର ପ୍ରଧାନ ପିଲାଟାକୁ ନେଇ ମଠରେ ରଖିବାକୁ ଗୁମାସ୍ତାଂକୁ ଅନୁରୋଧ କଲେ ।
ଅନୁରୋଧ ରକ୍ଷା କରି, ଗୁମସ୍ତା ସେ ପିଲାଟି କୁ ନେଇ ମହନ୍ତଙ୍କ ପାଖରେ ହାଜର କଲେ

ମହନ୍ତ ପିଲାଟିକୁ ପଚାରିଲେ
— ଆରେ ଏ ପିଲା, ତୁ କାମ କିଛି କରି ପାରିବୁ ?
— ଯାହା କାମ କହିବ ସବୁ କରି ପାରିବି । ମତେ କୋଉ କାମ ଭିଡ ଲାଗେ ନାହିଁ ।
— ସେ ବାବଦକୁ କଣ ନବୁ ?
କେବଳ ଦୁଇ ଓଳି ପାଞ୍ଚ’ପା ଚାଉଳର ଭାତ ଖାଇବି।
ସକାଳେ ପାଞ୍ଚ ପା, ରାତିରେ ପାଞ୍ଚ ପା।
ମହନ୍ତ ଟିକିଏ ଚିନ୍ତା କଲେ, ଏତେ ଛୋଟ ପିଲାଟା, ପାଞ୍ଚ ପା(୬୨୫ଗ୍ରାମ) ଚାଉଳର ଭାତ, ବକତ’କେ ଖାଇବ।
ପିଲାଟା ମଠରେ ରହି, ସବୁ ବୋଲ ହାକ କରେ।
ମଠର ଅନ୍ତେବାସୀମାନେ ତାକୁ ସ୍ନେହରେ,
ପାଞ୍ଚ ପା ବୋଲି ସମ୍ବୋଧନ କରିବାକୁ ଲାଗିଲେ ।
ଏକାଦଶୀ ତିଥି ଆସିଲା।
ସେ ଦିନ ମଠରେ ଅନ୍ନ ଭୋଜନ ନିଷେଧ।ମହନ୍ତ ମହାରାଜ ପିଲାକୁ ପଚାରିଲେ-
— ଆରେ ପାଞ୍ଚ ପା, ଆଜି ମଠରେ ରୋଷେଇ ହବ ନାହିଁ। ଫଳମୂଳ ଖାଇ ଚଳେଇ ଦେବୁ ?
ସେ କଥା ହୋଇ ପାରିବ ନାହିଁ। ଭାତ ନ ହେଲେ ମୋର କୃତ୍ୟ ନ ଚଳେ।
— ତା ହେଲେ ତୁ ମଠରୁ ପାଞ୍ଚ ପା ଚାଉଳ ନେଇ, ତୋଟା ରେ ରାନ୍ଧି କରି ଖାଆ ।
— ଶୁଣ ପିଲା, ଆମେ ଯାହା ସବୁ ଖାଉଛେ, ସେ ସବୁର ମାଲିକ ହେଲେ ଜଗନ୍ନାଥ।ଖାଇବା ପୂର୍ବରୁ, ତାଙ୍କୁ ସମର୍ପଣ କରି ଖାଇବୁ ।
ପାଞ୍ଚ ପା, ତୋଟା ରେ ରୋଷେଇ କଲା। ସେ ବଡ ପାଟିରେ ଡାକିଲା –
— ଆରେ ହେ, ଜଗନ୍ନାଥ ବୋଲି କିଏ କୋଉଠି ଅଛ ? ତୁମକୁ ଭାତ ସମର୍ପଣ କଲେ ଖାଇବି ବୋଲି ମହନ୍ତ କହିଛନ୍ତି ।
ଜଲଦି ଆସ।, ଭୋକରେ ପେଟ ଜଳିଲାଣି।
ତାର ସରଳ ନିସ୍କପଟ ସ୍ୱଭାବରେ ମୁଗ୍ଧ ହୋଇ ମହାପ୍ରଭୁ ତତକ୍ଷଣାତ ସେଠାରେ ଆବିର୍ଭାବ ହେଲେ।
ମନ୍ଦ ମନ୍ଦ ହସି ମହାପ୍ରଭୁ କହିଲେ-
— ପାଞ୍ଚ ପା, ଭୋକ ହେଲାଣି ଯଦି, ଦୁଇଟା ପତ୍ରରେ ବାଢ, ଖାଇବା ।
— କଣ ହେଲା ? ତମେ ଖାଇବ ନା କଣ ? ମହନ୍ତ ତ ସେ କଥା କହି ନ ଥିଲେ।
ସେ କହିଥିଲେ ଯେ ସମର୍ପଣ କରି ତୁ ଖାଇବୁ ।
ତମେ ଖାଇବା କଥା ଜାଣିଥିଲେ, ଅଧିକା ଚାଉଳ ଆଣି ନ ଥାନ୍ତି ?
ହଉ ତମେ ଆଜି ଅଳପ ଖାଅ,
ଆର ଏକାଦଶୀକୁ ତମ ପାଇଁ,
ଆଉ ପାଞ୍ଚ ପା ଚାଉଳ ଆଣିବି ।
ସେ ଦିନ ପେଟ ପୁରା ଖାଇବ ।
ମହାପ୍ରଭୁ ହସହସ ମୁହଁରେ
ତା ରନ୍ଧା ଭାତ ଖାଇ ଚାଲି ଗଲେ ।
ପନ୍ଦର ଦିନପରେ, ପୁଣି ଏକାଦଶୀ ପଡିଲା
ସେ ଦିନ ସକାଳେ, ପାଞ୍ଚ ପା, ମହନ୍ତଙ୍କୁ କହିଲା –
— ମହାରାଜ,
ଗତ ଥର ଆପଣ କହିଥିଲେ ଯେ ଜଗନ୍ନାଥ ଙ୍କୁ ସମର୍ପଣ କରି ଖାଇବୁ। ହେଲେ ସତକୁ ସତ ସେ ଆସିଲା। ଆଉ ଖାଇଲା।
ଏ ଥର ତା ପାଇଁ ପାଞ୍ଚ ପା ଚାଉଳ ଦିଅ ।
ମହନ୍ତ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସେ ବିଷୟରେ ବେଶୀ ମୁଣ୍ଡ ନ ଖେଳେଇ ତା କହିବା ଅନୁସାରେ ଚାଉଳ ଦେଲେ ।
ଦଶ ପା ଚାଉଳ ନେଇ ତୋଟାରେ ରାନ୍ଧିସାରି ଡାକିଲା-
— ହଇହୋ ଏ ଜଗନ୍ନାଥ, ଆସ, ଆଜି ତମପାଇଁ ବି ପାଞ୍ଚ ପା ଚାଉଳ ପକେଇଛି। ଜଲଦି ଆସ ।
ସେ ଦିନ ମହାପ୍ରଭୁ ଯେତେବେଳେ ଆସିବାକୁ ବାହାରିଲେ , ମାଆ ଲକ୍ଷ୍ମୀ କୁଆଡେ ଯାଉଛ ବୋଲି ପଚାରିଲେ ।
ମହାପ୍ରଭୁ ତାଙ୍କର ଅଦ୍ଭୁତ ଭକ୍ତ ପାଞ୍ଚ ପା କଥା କହିବାରୁ ମାଆ ଲକ୍ଷ୍ମୀ, ନିଜେ ଆସି ସେ ପରି ଜଣେ ଭକ୍ତକୁ ଦେଖିବା ପାଇଁ ଚାହିଁଲେ ।
ଦୁହେଁ ଆସି ତୋଟାରେ ପହଞ୍ଚି ଗଲେ।
ପାଞ୍ଚ ପା କହିଲା-
— ଦେଖ ଜଗନ୍ନାଥ, ଗଲା ଥର ତମେ ଆସି ଥିଲ ବୋଲି, ତମପାଇଁ ଆଉ ପାଞ୍ଚ ପା ଚାଉଳ ମାଗି ଆଣିଥିଲି। ତମେ କଲ କଣ ନା ମାଗଣା ମିଳୁଛି ବୋଲି ଆଜି ଜଣେ ମାଇପି ଲୋକକୁ ଧରି ଆଣିଛ।
ହଉ, ତମେ ଯାହା କରୁଛ, କର।
ମୋ ପାଞ୍ଚ ପା ମୁଁ ଖାଇବି ।
ବାକି ଯାହା ରହିଲା, ତମେ ଦି ଜଣ ଖାଅ ।

ସେ ତିନି ଖଣ୍ଡ ପତ୍ର ପକେଇ ଯାହା ରାନ୍ଧିଥିଲା , ସେଥିରୁ ଅଧା ନିଜେ ନେଲା ଓ ବାକି ଅଧା ସେମାନ ଙ୍କ ପତ୍ରରେ ବାଢି ଦେଲା । ଜଗନ୍ନାଥ ଓ ଲକ୍ଷ୍ମୀ ମହା ଆନନ୍ଦରେ ପାଞ୍ଚ ପା ରାନ୍ଧଣା ଖାଇ ଚାଲିଗଲେ ।
ତୃତୀୟ ଏକାଦଶୀ ଦିନ
ପାଞ୍ଚ ପା ମହନ୍ତ ଙ୍କୁ କହିଲା –
— ମହାରାଜ, ସେଇ ଯୋଉ ଜଗନ୍ନାଥ ନୁହଁ, ଗଲାଥର ତା ଭାରିଯା ହବ କି କଣ, ଗୋଟେ ମାଇପିକୁ ନେଇକି ଆସି ଥିଲା । ମୋ ପାଞ୍ଚ ପା ମୁଁ ଖାଇଲି, ବାକି ପାଞ୍ଚ ପା ସେମାନଙ୍କୁ ବାଣ୍ଟି ଦେଲି। ସେଥିରେ ପେଟ ପୁରି ନ ଥିବ। ଆଜି ଆଉ ପାଞ୍ଚ ପା ଚାଉଳ ଅଧିକା ଦିଅନ୍ତୁ ।
ଏ କଥା ଶୁଣି ମହନ୍ତ ଙ୍କ ମନରେ କୌତୁହଳ ଜାତ ହେଲା। ପିଲାଟା ଚାଉଳ ନେଇ ରୋଷେଇ କରୁଛି, ତା ଠୁ ଖାଉଛି କିଏ ? ଏହି ରହସ୍ୟ ଜାଣିବାପାଇଁ, ତାର ମାଗିବା ଅନୁସାରେ ଚାଉଳ ଦେଇ ତା ଅଜାଣତରେ ତା ପଛେ ପଛେ ଗଲେ। ଗୋଟେ ଗଛ ପଛ ପଟେ ଲୁଚି ରହିଲେ ।
ସେ ଦିନ ଲକ୍ଷ୍ମୀଜଗନ୍ନାଥ ତୋଟାକୁ ଆସୁଥିବାବେଳେ ବଡ ଠାକୁର କୁଆଡେ ଯାଉଛ ବୋଲି ପଚାରିବାରୁ ମହାପ୍ରଭୁ ହସିହସି ପାଞ୍ଚ ପା କଥା କହିଲେ।
ବଡ ଠାକୁର ସବୁ କଥା ଶୁଣି ସେମାନଙ୍କ ସାଙ୍ଗରେ ଆସି ତୋଟାରେ ପହଞ୍ଚିଲେ।

ପାଞ୍ଚ ପା ରୋଷେଇ ସାରି ଯେତେବେଳେ ଡାକିଲା, ତିନି ଜଣ ଆସି ପହଞ୍ଚିଲେ।
ପାଞ୍ଚ ପା ଆଶ୍ଚର୍ଯ୍ୟ ହୋଇ ପ୍ରଥମେ ସେମାନ ଙ୍କୁ, ତାଳୁରୁ ତଳିପା ଯାଏ ଚାହିଁଲା ଓ ତା ପରେ କହିଲା-
—ଭଲ ଲୋକ। ପ୍ରଥମେ ଏକା ଆସିଲ, ତା ପରେ ଗୋଟେ ମାଇପି ଲୋକକୁ ନେଇକି ଆସିଲ , ଆଜି ଦେଖିବାବେଳକୁ ଜଣେ ଭାଇ ବତାସିଆକୁ ଆଣି ଆସିଛ ।
ହେଲେ ମୁଁ ଗଲା ଥର ପରି ସଫା କଥା କହି ଦେଉଛି ।
ମୋ ଭାଗ ପାଞ୍ଚ ପା ରୁ ଗୋଟେ ଦାନା କମ ହବନି ।
ବାକିତକ ତମ ତିନି ଜଣକୁ ବାଣ୍ଟି ଦେବି ।
ଯେତିକି ହେଲା ସେତିକି। ପାଞ୍ଚ ପା ପ୍ରଥମେ ନିଜ ଖାଇବା ବାଢି ନେଇ ବାକି ଭାତକୁ ତିନି ପତ୍ର ରେ ବାଢି ଦେଲା ।
ତିନି ଠାକୁର ପାଞ୍ଚ ପା ହାତ ରନ୍ଧା ଖାଇ ଚାଲିଗଲେ ।
ଏ ସମସ୍ତ ଦୃଶ୍ୟ
ଗଛ ପଛପଟୁ ମଠର ମହନ୍ତ ଦେଖୁଥିଲେ ।
ସେ ତୁରନ୍ତ ଗଛ ଆଢୁଆଳରୁ ବାହାରି
ପାଞ୍ଚ ପା ର ଗୋଡ ତଳେ ପଡିଗଲେ।
ଏହା ଦେଖି, ପାଞ୍ଚ ପା, କଣ ହେଲା ବୋଲି, ଜିଭ କାମୁଡି ମହନ୍ତଙ୍କ ମୁହଁକୁ ଚାହିଁ ରହିଲା ।
ପ୍ରକୃତିସ୍ଥ ହୋଇ ମହନ୍ତ କହିଲେ –
—ପାଞ୍ଚ ପା,
ଯେଉଁ ମହାପ୍ରଭୁ ମାନଙ୍କ ଦର୍ଶନ ଦେବତା ମାନଙ୍କ ପାଇଁ ଦୁର୍ଲଭ, ଯାହାର ଦର୍ଶନ ପାଇଁ, ମୁନିଋଷିମାନେ ସାରା ଜୀବନ ସାଧନା କରି ମଧ୍ୟ ପାଆନ୍ତି ନାହିଁ, ସେ ଆଜି ତୋର ସରଳ ଭକ୍ତିରେ ସନ୍ତୁଷ୍ଟ ହୋଇ ତୋତେ ପ୍ରତ୍ୟକ୍ଷ ଦର୍ଶନ ଦେଇଛନ୍ତି ଓ ତୋ ହାତରନ୍ଧା ପ୍ରସାଦ ଭୋଜନ କରିଛନ୍ତି ।
ତୁ ଧନ୍ୟ, ତୋର ପିତାମାତା ଧନ୍ୟ ।
ତୋ ଯୋଗୁ ମୁଁ ମହାପ୍ରଭୁ ମାନଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି ।

ମିଠା ତ ସବୁ ଦୋକାନରେ ମିଳେ ହେଲେ ସ୍ନେହ ଭରା ଦୁଇ ପଦ କଥା କେବଳ ଜଣେ ସ୍ନେହୀ ମଣିଷ ପାଖରୁ ମିଳିଥାଏ।

ଅହିଂସାର ସରଳ ଥର୍ଥ ହେଉଛି…କୌଣସି ପ୍ରାଣୀ ହ୍ରୁଦୟରେ ବ୍ୟଥା ଦିଅ ନାହିଁ ଏବଂ ଶତ୍ରୁକୁ ନିଜ ଅନ୍ତରରେ ପ୍ରେମ ଦ୍ବାରା ପ୍ରଭାବିତ କର।

ମନ ଶାନ୍ତ ଓ ନିଶ୍ଚଳ ରହିଲେ ବିଜୟ ଅବଶ୍ୟମ୍ଭାବୀ I ଏହା ଶୀତଳ ଲୁହା ପରି , ଯାହା ଉତ୍ତପ୍ତ ଲୌହକୁ କାଟିପାରେ ଓ ବଙ୍କା କରିପାରେ I

ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ ସଫଳତା ନିଜ ପ୍ରୟାସରେ ମିଳିଥାଏ , ଅନ୍ୟର ପରାଜୟରେ ନୁହେଁ ।

       .        

.
.ଆଜି ମହାବାରୁଣୀ ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ଭୋରୁ ଶ୍ରଦ୍ଧାଳୁମାନେ ପୁଣ୍ୟତୋୟା ବୈତରଣୀ ନଦୀ ଓ ଚିତ୍ରୋତ୍ପଳା ନଦୀ ସମେତ ଅନ୍ୟାନ୍ୟ ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଛନ୍ତି!.

Related Post

Leave a Reply

Your email address will not be published. Required fields are marked *