📝ଓଡ଼ିଶାରେ ଖାଦ୍ୟ ଓ ପର୍ବପର୍ବାଣି ପରସ୍ପର ପରିପୂରକ। ଓଡ଼ିଆ ଖାଦ୍ୟ ସମ୍ଭାରରେ ମିଠା ଏକ ଅଭିନ୍ନ ଅଙ୍ଗ। ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ମିଠା, ପିଠା କେବଳ ତେତିଶ ପ୍ରକାର। ରାଇଜର ମଉଡ଼ମଣି ଯଦି ମିଠା ପିଠା ପ୍ରିୟ, ତେବେ ସାଧାରଣ ଉତ୍କଳୀୟ ସେଥିମଧ୍ୟରୁ ବାଦ୍ ପଡ଼ିବେ ବା କିପରି? ଖଜା, ଗଜା, କାକରା, ଖୁରୁମା, ଜଗନ୍ନାଥ-ବଲ୍ଲଭ, ଝିଲ୍ଲି, କାନ୍ତି ଆଦି ଅନେକ ନାମ ମହାପ୍ରଭୁଙ୍କ ଅତି ପ୍ରିୟ। ତଥାପି, ମାଆ ଲକ୍ଷ୍ମୀଙ୍କ ହାତରନ୍ଧା ପୋଡ଼ ପିଠା କାଳିଆ ବଳିଆଙ୍କୁ ତୃପ୍ତ କରେ। ଲକ୍ଷ୍ମୀ ପୁରାଣ ଅନୁସାରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଦୀର୍ଘ ଦିନ ଲକ୍ଷ୍ମୀଛଡ଼ା ହୋଇ ଘୂରି ବୁଲିବା ପରେ, ଯେତେବେଳେ ଗୃହେ ଆହାର ପାଇଲେ ଏବଂ ଦେଖିଲେ ଭୋଜନ ପରେ ପୋଡ଼ପିଠା ମଧ୍ୟ ପରଷା ଯାଇଛି, ସେତେବେଳେ ଦୁଇ ମହାପ୍ରଭୁ ସୁନିଶ୍ଚିତ ହେଲେ ଯେ ଏଇ ହେଉଛି ମା ସାଆନ୍ତାଣୀଙ୍କ ଘର। ବଡ଼ ଭାଇଙ୍କ ନିର୍ଦ୍ଦେଶ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରି ଶ୍ରୀମନ୍ଦିର ଲେଉଟିଥିଲେ। ଆଜି ମଧ୍ୟ ଓଡ଼ିଆଙ୍କ ଘରେ ମହିଳା ଗର୍ଭବତୀ ହେଲେ, ସପ୍ତମ ମାସରେ ବାପଘରୁ ‘ସାଦ ଖିଆ’ ନିମନ୍ତେ ଭଳିକି ଭଳି ପିଠା ଓ ମିଠା ଯାଇଥାଏ।
ଅନେକ ମିଠାର ପ୍ରାରମ୍ଭିକ ଆବଶ୍ୟକତା ଛେନା। ରସଗୋଲା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହା ବ୍ୟତୀତ ଛେନା ଗଜା, ଛେନା ଖିରି, ଛେନା ଝିଲ୍ଲି ପଛରେ ଛେନା ହିଁ ମୁଖ୍ୟ ଉପାଦାନ। ହେଲେ, ଆମ ଆଲୋଚ୍ୟ ଖାଦ୍ୟଟି ଉଭୟ ପିଠା ଓ ମିଠାରେ ଅନ୍ତର୍ଭୁକ୍ତ। ଛେନାରେ ଚିନି ମିଶାଇ ପୋଡ଼ ପିଠା ପ୍ରଣାଳୀରେ ଏହା ପ୍ରସ୍ତୁତ ହେଉଥିବାରୁ ଏହାକୁ ‘ଛେନାପୋଡ଼’ ବୋଲି କୁହାଗଲା।
ଆଜକୁ ପ୍ରାୟ ୯୩ ବର୍ଷ ତଳର କଥା। ୧୯୩୦ ମସିହା ଏପ୍ରିଲ ୧୧ ତାରିଖ ବଳିଷ୍ଠ ଓଡ଼ିଆ ଖାଦ୍ୟ ସୂଚୀରେ ଏକ ପ୍ରସିଦ୍ଧ ମିଠା ଯୋଡ଼ିବାକୁ ସାଧାରଣ ପରିବାର ଘରେ ଜନ୍ମ ନିଅନ୍ତି ଛେନାପୋଡ଼ର ନିର୍ମାତା ସ୍ବର୍ଗତ ସୁଦର୍ଶନ ସାହୁ। ବର୍ତ୍ତମାନର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଡ଼ଜାତ ଅଞ୍ଚଳରେ ବାପା ବିଦ୍ୟାଧର ସାହୁଙ୍କ ଗୋଟିଏ ମିଠା ଦୋକାନ ଥାଏ। ବାପାଙ୍କ ସହ କାମରେ ସାହାଯ୍ୟ କରୁ କରୁ ଭଲ ମିଠା କାରିଗରଟିଏ ହୋଇଗଲେ ସୁଦର୍ଶନ। ପ୍ରତ୍ୟେକ ଦିନ ମିଠା ବିକ୍ରିର ପରିମାଣ ସମାନ ନ ଥାଏ। ବେଳେ ବେଳେ କିଛି ଛେନା ବଳିଯାଏ ଏବଂ ଏହା ରହିଗଲେ ନଷ୍ଟ ହୋଇଯାଏ ବା ଜନ୍ଦା ପିମ୍ପୁଡ଼ି ଲାଗିଯାଆନ୍ତି। ଦିନେ ହଠାତ୍ ଏ ବିଷମ ପରିସ୍ଥିତିରୁ ମୁକୁଳିବା ପାଇଁ ରାତିରେ ଛେନା ପାତ୍ର ଚାରିପଟେ ବଳକା ଅଙ୍ଗାର ଦେଇ ଚାଲିଗଲେ ସୁଦର୍ଶନ। ସକାଳୁ ଦେଖନ୍ତି, ତତଲା ପାଉଁଶର ଉଷ୍ମତାରେ ତାହା ସୁସ୍ୱାଦୁ ମିଠା ହୋଇସାରିଛି। ଏପରି ଜନ୍ମ ନେଲା ପ୍ରଥମ ଛେନାପୋଡ଼। ପରବର୍ତ୍ତୀ ସମୟରେ ଛେନା ଓ ଚିନିର ଠିକ୍ ଭାଗମାପ କରି ଅଧିକ ସ୍ୱାଦିଷ୍ଟ ହୁଏ ଛେନାପୋଡ଼।
କିଛି ଦିନ ପରେ ସୁଦର୍ଶନ ସାହୁଙ୍କ ଏକ ଦୋକାନ ନୟାଗଡ଼ ବସ୍ ଷ୍ଟାଣ୍ଡରେ ଖୋଲିଲା। ନୟାଗଡ଼ ରାସ୍ତା ଦେଇ ଯାଉଥିବା ମନ୍ତ୍ରୀ ଯନ୍ତ୍ରୀ ସଭିଏଁ ଘଡ଼ିଏ ରହି ଛେନାପୋଡ଼ ଖାଇବା ଆରମ୍ଭ କଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ମିଠା ଖାଇ ଏହାକୁ ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ଥିଲା ଛେନାପୋଡ଼। ଜଣେ ଅତ୍ୟନ୍ତ ବିଶ୍ୱସ୍ତଙ୍କ ମାଧ୍ୟମରେ ବିଜୁ ବାବୁଙ୍କ ନିମନ୍ତେ ନିୟମିତ ବ୍ୟବଧାନରେ ନୟାଗଡ଼ରୁ ଭୁବନେଶ୍ବର ଛେନାପୋଡ଼ ବରାଦ କରାଯାଉଥିଲା। ଆଜି ମଧ୍ୟ ବିଦେଶରୁ ଆସି ପଞ୍ଚ ତାରକା ହୋଟେଲରେ ରହୁଥିବା ଅତିଥିଙ୍କ ସ୍ବାଦର ରାଜା ହୋଇପାରିଛି ଛେନାପୋଡ଼। କୁଣିଆ ଘର ମିଠାରେ ମଧ୍ୟ ସାମିଲ ହୋଇ ଏହା ସମଗ୍ର ଦେଶରେ ଲୋକପ୍ରିୟତା ସାଉଁଟିପାରିଛି। ଏପରିକି ବର୍ତ୍ତମାନ ଜନ୍ମ ଦିବସ ପାଳନ ଅବସରରେ କେକ୍ ପରିବର୍ତ୍ତେ ଛେନାପୋଡ଼ କାଟିବା ପରମ୍ପରା ଆରମ୍ଭ ହେଲାଣି।
ଏହି ମିଠା କାରିଗରଙ୍କୁ ଲାଭବାନ କରିଛି। ମିଠା ଦୋକାନ ସହ ଜଡ଼ିତ ଛେନା ବେପାରୀ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ନୟାଗଡ଼ ଆଖାପାଖ ଅଞ୍ଚଳରୁ ପ୍ରତିଦିନ ଆନୁମାନିକ ପନ୍ଦରରୁ କୋଡ଼ିଏ କୁଇଣ୍ଟାଲ ଛେନାପୋଡ଼ ବିକ୍ରି ତଥା ରପ୍ତାନି ହୁଏ। ପରିମାଣ ଏବଂ ଲାଭ ଦୃଷ୍ଟିରୁ, ଏହା ଏକ ଛୋଟ ସଂଖ୍ୟା। ଅବଶ୍ୟ ଓମଫେଡ୍ ପରି ଆଉ କିଛି ସଂସ୍ଥା ଏହାକୁ ସୁଦୂର ବଜାରରେ ଉପଲବ୍ଧ କରାଇଥିଲେ। ଏବେ ଅନେକ ପରିବାରଙ୍କ ମୁଖ୍ୟ ବ୍ୟବସାୟ ଛେନାପୋଡ଼। ସ୍ୱାବଲମ୍ବୀ ଭାରତ ସ୍ବପ୍ନ ସାକାର କରିବାରେ ଛେନାପୋଡ଼ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଛେନାପୋଡ଼କୁ ସରକାରୀ କଳ ସାହାଯ୍ୟରେ ଉନ୍ନତ ଜ୍ଞାନକୌଶଳ ଦ୍ବାରା ଦେଶବିଦେଶକୁ ରପ୍ତାନି କରାଗଲେ, ଏହି ମିଠାର ମିଠା ପରିଣତି ଅର୍ଥନୈତିକ ଦିଗରେ ମଧ୍ୟ ପରିଲକ୍ଷିତ ହେବ।
ଆଜି ସୁଦର୍ଶନ ସାହୁ ନାହାନ୍ତି, ହେଲେ ଛାଡ଼ି ଯାଇଛନ୍ତି ଏକ ଇତିହାସ, ଯାହା ଭବିଷ୍ୟତର ଓଡ଼ିଶା ନିର୍ମାଣରେ ସାମିଲ ହୋଇପାରିବ। ବିଗତ ବର୍ଷଠାରୁ କିଛି ତରୁଣଙ୍କ ଦ୍ୱାରା ସୁଦର୍ଶନ ସାହୁଙ୍କ ଜନ୍ମ ତାରିଖ ୧୧ ଏପ୍ରିଲକୁ ‘ଛେନାପୋଡ଼ ଦିବସ’ ରୂପେ ପାଳନ କରାଯାଉଛି। ଛେନାପୋଡ଼ର ପ୍ରଚାର-ପ୍ରସାର ତଥା କାରିଗରଙ୍କୁ ପ୍ରୋତ୍ସାହନ ପାଇଁ ନୟାଗଡ଼ରୁ ଭୁବନେଶ୍ବର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଏହି ଦିବସକୁ ପାଳନ କରାଯାଉଛି। ସାଂସ୍କୃତିକ ବିପ୍ଳବରେ ଛେନାପୋଡ଼ ଉତ୍କଳୀୟ ପରମ୍ପରା ସହ ଏକବିଂଶ ଶତାବ୍ଦୀକୁ ଏକାଠି ବାନ୍ଧି ରଖିବାରେ ସକ୍ଷମ ହୋଇଛି। ରସଗୋଲାକୁ ନିଜର ବୋଲି ଦାବି କରୁଥିବା ପଶ୍ଚିମବଙ୍ଗକୁ ଚୁପ୍ କରାଇ ଅନେକ ତଥ୍ୟ ତଥା ପରିଶ୍ରମ ବଳରେ ଆମେ ରସଗୋଲା ପାଇଁ ଜି. ଆଇ. ଟ୍ୟାଗ୍ ଆଣିପାରିଛୁ। ଭବିଷ୍ୟତରେ ଛେନାପୋଡ଼କୁ ଅନ୍ୟ କେହି ଦାବି କରିବା ଆଗରୁ ଏହାକୁ ଜି. ଆଇ. ଟ୍ୟାଗ୍ ପ୍ରଦାନ କରିବାର ଆବଶ୍ୟକତା ବର୍ତ୍ତମାନ ସମୟରେ ରହିଛି।
ଛେନାପୋଡ଼ ଦିବସ କେବଳ ଉଲ୍ଲାସର ଦିବସରେ ସୀମିତ ନ ରହି ସ୍ୱାଭିମାନୀ ଓଡ଼ିଆ ଅସ୍ମିତାର କର୍ଣ୍ଣଧାର ହେବା ସହ ସ୍ୱାବଲମ୍ବୀ ଯାତ୍ରାରେ ଭାରତର ପ୍ରତିନିଧି ହେଉ।
(ଛେନାପୋଡ଼ ଦିବସ ଉପଲକ୍ଷେ