ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ
ଡ଼ ସନ୍ତୋଷ କୁମାର ମହାପାତ୍ର
ଆଜି ଆମ ଦେଶର ଗଣମାଧ୍ୟମ ଏପରି ଦିଗହରା ଓ ନିମ୍ନମୁଖୀ ହୋଇଛିଯେ ସମଗ୍ର ଦେଶରେ ସାମ୍ୱାଦିକ ମାନେ ନିରପେକ୍ଷ ରହିବା ବଦଳରେ ଦଳୀୟ ଭିତ୍ତିରେ ଭାଗ ଭାଗ ହେବାକୁ ବାଧ୍ୟ ହୋଇଛନ୍ତି। ଆଗରୁ ଗଣମାଧ୍ୟମ ଶତ ପ୍ରତିଶତ ସ୍ଵାଧୀନ ଥିଲାବୋଲି କହୁନୁ। କିନ୍ତୁ ୭୦% ଥିଲା। ଆଗରୁ ଅନୁସନ୍ଧାନ ସାମ୍ବାଦିକତାର ଅଂଶ ଭାବେ ଯଦି କିଏ କୌଣସି ଧନୀ ବା କ୍ଷମତାଶାଳୀଙ୍କର ବ୍ୟକ୍ତିଗତ ଚରିତ୍ର ସଂହାର କରୁଥିଲା ବା ତାଙ୍କର କଳାକାରନାମା, ଦୁର୍ନୀତି , ବ୍ୟଭିଚାର ଆଦିର ପର୍ଦ୍ଦାଫାସ କରୁଥିଲା ; ତେବେ ତାକୁ ହଇରାଣ , ହରକତ ମଧ୍ୟ କରାଯାଉଥିଲା । ଏପରିକି ମାରିଦେବାର ଦୃଷ୍ଟାନ୍ତ ରହିଛି। କିନ୍ତୁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କିଏ ସମାଲୋଚନା କଲା ବା ବିଫଳତା ଦର୍ଶାଇଲା, ସେହିପରି ବ୍ୟକ୍ତିଙ୍କୁ ସମସ୍ତେ ଦଳମତ ନିର୍ବିଶେଷରେ ଭଲ ପାଉଥିଲେ ଓ ଜ୍ଞାନର ଭୂରି ଭୂରି ପ୍ରସଂଶା କରୁଥିଲେ । ସେମାନଙ୍କୁ ବିଭିନ୍ନ ଉପଦେଷ୍ଟା ମଣ୍ଡଳୀରେ ରଖାଯାଉଥିଲା । ଏହିପରି କାର୍ଯ୍ୟକୁ ଅଧ୍ୟୟନ ଓ ଅଧ୍ୟାପନାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବେ ଧରାଯାଉଥିଲା । କିନ୍ତୁ ଆଜି ପରିସ୍ଥିତି ସଂପୂର୍ଣ୍ଣ ଅଲଗା । ଅନୁସନ୍ଧାନ ସାମ୍ବାଦିକତା ସଂପୂର୍ଣ୍ଣ ମୃତ । ସମସ୍ତେ ହଁ କହିବା ମଣିଷ ଖୋଜୁଛନ୍ତି ।
ବର୍ତ୍ତମାନ ସରକାରଙ୍କର ତ୍ରୁଟିପୂର୍ଣ୍ଣ ନୀତି ନିରପେକ୍ଷଭାବେ ସମାଲୋଚନା କରିବା ସମ୍ଭବ ନୁହେଁ । ସେହିପରି ଯେଉଁ ବୁଦ୍ଧିଜୀବୀ ସରକାରଙ୍କ ସପକ୍ଷରେ କହିଲେ ବା ଲେଖିଲେ ତାଙ୍କୁ ବିଭିନ୍ନ ସୁବିଧା , ସୁଯୋଗ , ପୁରସ୍କାର , ପଦ , ପଦବୀ , ମଞ୍ଚ ମିଳିଲାବେଳେ, ଯେଉଁମାନେ ଲୋକଙ୍କ ହିତପାଇଁ ଶାସକ ଶ୍ରେଣୀର ତ୍ରୁଟିପୂର୍ଣ୍ଣ ବା ଧନୀଙ୍କ ସପକ୍ଷରେ କରାଯାଉଥିବା ନୀତି ଓ ସିଦ୍ଧାନ୍ତକୁ ବିରୋଧ କରୁଛନ୍ତି ତାଙ୍କ ବିରୋଧରେ ଘୃଣା ଭାବ ସୃଷ୍ଟି କରାଯାଉଛି । ସମାଲୋଚନା ଚାପିଦେବା ପାଇଁ ସମାଲୋଚନାକୁ ଏକ ନକରାତ୍ମକ କାର୍ଯ୍ୟ ଭାବେ ଦର୍ଶଯାଉଛି । ବାସ୍ତବରେ ପରିବାରର ସଦସ୍ୟ ବା ବନ୍ଧୁବାନ୍ଧବ ବା ସାଙ୍ଗସାଥିଙ୍କ ଦୋଷ ବାରମ୍ବାର ଧରିବା ନକରାତ୍ମକ କାର୍ଯ୍ୟ , କିନ୍ତୁ ଦେଶ, ଜାତି , ଗରିବ ଓ ଶ୍ରମିକ ଶ୍ରେଣୀର ହିତ ପାଇଁ ଶାସକ ଶ୍ରେଣୀ , କ୍ଷମତାଶାଳୀ, ଶିଲ୍ପପତିଙ୍କ ଦୋଷ , ତ୍ରୁଟି ବା ଶୋଷଣ ଦର୍ଶାଇବା ଏକ ସକାରାତ୍ମକ କାର୍ଯ୍ୟ । ପୋଲିସ ଚୋର, ଅପରାଧୀକୁ ଧରିବ, ବିଚାରପତି ଦୋଷୀକୁ ଦଣ୍ଡ ଦେଵ, ସ୍ତମ୍ଭକାର ଶୋଷଣ ବିରୁଦ୍ଧରେ ଲେଖିବ। ସେମାନେ ଯଦି ସକାରାତ୍ମକ ଚିନ୍ତାଧାରା ନାମରେ ଏସବୁ ନକରନ୍ତି ତେବେ ଦେଶରେ ଅରାଜକରତା ଦେଖାଯିବ। ଆଇନ କାନୁନ ରହିବ ନାହିଁ ।
ଏକ ବର୍ତ୍ତମାନ ସମଗ୍ର ଭାରତରେ ଗଣମାଧ୍ୟମ ତାର ବିଶ୍ୱସନୀୟତା ହରାଇଛି ବୋଲି ବିଭିନ୍ନ ଗବେଷଣା ତଥା ସୂଚକାଙ୍କରୁ ଜଣାପଡିଛି । ‘ଦି ରିପୋଟର୍ସ ଉଦାଉଟ ବର୍ଡର୍ସର’ ବାର୍ଷିକ ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ୨୦୨୩ ଅନୁସାରେ ଭାରତ ୧୮୦ ଟି ଦେଶ ମଧ୍ୟରୁ ୧୬୧ ସ୍ଥାନରେ ଅଛି, ଅର୍ଥାତ୍ ଗଣମାଧ୍ୟମ ସ୍ୱାଧୀନତା ଦୃଷ୍ଟିରୁ ୧୬୦ଟି ଦେଶ ତଳେ। ପୂର୍ବବର୍ଷ ୧୮୦ଟି ଦେଶ ମଧ୍ୟରୁ ୧୫୦ ସ୍ଥାନରେ ଥିଲା । ୨୦୧୪ ରେ, ଭାରତ ଏହି ସୁଚକାଙ୍କରେ ୧୪୦ ଓ୨୦୧୬ରେ ୧୩୩ ସ୍ଥାନରେ ଥିଲା l ଅର୍ଥାତ ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ଉନ୍ନତି ଘଟିଲା ବେଳେ ୨୦୧୬ରୁ ୨୦୨୩ ମଧ୍ୟରେ ୨୮ ସ୍ଥାନ ନିମ୍ନଗାମୀ ହୋଇଛି l ଅର୍ଥାତ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଦୁଇବର୍ଷରେ ଉନ୍ନତି ଘଟିଥିଲା l କିନ୍ତୁ ତାପରେ ଗଣମାଧ୍ୟମ ସ୍ଵାଧୀନତା କ୍ରମଶଃ ହ୍ରାସ ପାଇଲା l ସମ୍ଭବତଃ କ୍ରୂର ବିମୁଦ୍ରାୟନ ଓ ତ୍ରୁଟିପୂର୍ଣ୍ଣ ଜିଏସଟିର କୁପ୍ରଭାବ ଓ ବିଫଳତା ଘୋଡାଇବାକୁ ଯାଇ ଗଣ ମାଧ୍ୟମ ଉପରେ ଅଙ୍କୁଶ ଲଗାଗଲା। ତାକୁ ସମ୍ମୁଖୀନ ହେବା ପାଇଁ ବିଭିନ୍ନ ଅଣ ବିଜେପି ରାଜ୍ୟ ସରକାର ମଧ୍ୟ ନିଜେ କିଛି ପଦକ୍ଷେପ ନେଲେ। ଯାହାଫଳରେ ୨୦୧୬ ପରେ ଭାରତର ଗଣମାଧ୍ୟମ କ୍ରମଶଃ ବିଶ୍ୱସନୀୟତା ହରାଇଲା।
ପୁନଶ୍ଚ ଯିଏ ସରକାରଙ୍କ ସପକ୍ଷରେ ସଂବାଦ ପରିବେଷଣ କଳା ତାକୁ ବିଜ୍ଞାନପନ ସାଙ୍ଗକୁ ବିଭିନ୍ନ ପ୍ରୋତ୍ସାହନ ମିଳିଲା । ଅବଶ୍ୟ ଦି ରିପୋଟର୍ସ ଉଦାଉଟ ବର୍ଡର୍ସ ରରିପୋର୍ଟରେ କୁହାଯାଇଛି ଯେ ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ସାମ୍ବାଦିକମାନେ ସେମାନଙ୍କ କାର୍ଯ୍ୟକୁ ସଠିକ୍ ଭାବରେ କରିବା ପାଇଁ ପରିବେଶକୁ ବିଚାରକୁ ନେଲେ ବିଶ୍ୱରେ ଭରତ ଅନ୍ୟତମ ବିପଦପୂର୍ଣ୍ଣ ଦେଶ l ସାମ୍ବାଦିକଙ୍କ ବିରୋଧରେ ପୋଲିସର ହିଂସା, ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଆକ୍ରମଣ, ଅପରାଧିକ ଗୋଷ୍ଠୀ କିମ୍ବା ଦୁର୍ନୀତିଗ୍ରସ୍ତ ସ୍ଥାନୀୟ ଅଧିକାରୀଙ୍କ ଦ୍ଵାରା ପ୍ରତିଶୋଧ ନିଆଯିବା ଭଳି ସମସ୍ତ ପ୍ରକାରର ଆକ୍ରମଣ ଦେଖିବାକୁ ମିଳିଛି। ସାରା ଦେଶରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ଉନ୍ମୋଚନ କରିବାକୁ ଲକ୍ଷ୍ୟ ରଖିଥିବା ଲୋକନିଟି-ସିଏସ୍ଡିଏସ୍ର ଏକ ରିପୋର୍ଟ ୨୦୨୩ ମସିହା ଜୁଲାଇ ମାସରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଚାରିଜଣ ସାମ୍ବାଦିକଙ୍କ ମଧ୍ୟରୁ ତିନିଜଣ ବିଶ୍ୱାସ କରୁଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ସ୍ଵାଧୀନ ଭାବେ କାର୍ଯ୍ୟ କରିବାପାଇଁ କମ୍ ମୁକ୍ତ ଅଟନ୍ତି । ଖବରକାଗଜ ବିଷୟରେ ସମାନ ଅନୁଭବ କରୁଥିବା ସାମ୍ବାଦିକଙ୍କ ସଂଖ୍ୟା ୫୫% ଥିଲା। ‘ମିଡିଆ ଇନ୍ ଇଣ୍ଡିଆ: ଟ୍ରେଣ୍ଡସ୍ ଏବଂ ପାଟର୍ନସ୍’ ଶୀର୍ଷକ ଏହି ରିପୋର୍ଟରେ ବିଭିନ୍ନ ଗଣମାଧ୍ୟମ ପ୍ଲାଟଫର୍ମ, ଭାଷା ପୃଷ୍ଠଭୂମି ଏବଂ ଲିଙ୍ଗ ପ୍ରତିନିଧୀକୁ ଅନ୍ତର୍ଭୁକ୍ତ କରି ବିବିଧ ସାମ୍ବାଦିକଙ୍କ ମଧ୍ୟରେ କରାଯାଇଥିବା ଏକ ଅନଲାଇନ୍ ସର୍ଭେ ଉପରେ ଆଧାରିତ ବୋଲି ଥିଙ୍କ ଟ୍ୟାଙ୍କ ଏକ ପ୍ରେସ ବିବୃତ୍ତିରେ କହିଛି।ସର୍ବେକ୍ଷଣରୁ ପରିସଂଖ୍ୟାନ ସମ୍ବନ୍ଧରେ ଆଉ ଏକ କହିଛନ୍ତି ଯେ ସର୍ଭେ କରାଯାଇଥିବା ୮୨% ବିଶ୍ବାସ କରନ୍ତିଯେ ଶାସକ ଭାରତୀୟ ବିଜେପି କୁ ଗଣମାଧ୍ୟମ ସମର୍ଥନ କରୁଛି। ପୁନଶ୍ଚ ୮୦% କହିଛନ୍ତିଯେ ସମ୍ବାଦ ପରିବେଷଣ ବିଜେପି ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ମନେ କରୁଥିବାବେଳେ ୬୧% ଅନୁଭବ କରିଛନ୍ତି ଯେ ବିରୋଧୀ ଦଳ ପ୍ରତି ଏହା ଅତ୍ୟନ୍ତ ଅନୁକୂଳ ନୁହେଁ।
ଜି-୨୦ ଶିଖର ସମ୍ମିଳନୀରେ ‘ଭାରତ ଗଣତନ୍ତ୍ରର ଜନନୀ’ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା l କିନ୍ତୁ ପ୍ରଧାନମନ୍ତ୍ରୀ ଥରେ ପ୍ରେସ ମିଟ କରିନଥିଲେ। ଯାହାକୁ ନେ଼ଇ ବିଦେଶୀ ଗଣମାଧ୍ୟମ ପ୍ରଶ୍ନ ଉଠାଇଥିଲେ। ସ୍ଵଂୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କହିଛନ୍ତି। ଏହା କଣ ଭାରତୀୟ ବୁଦ୍ଧିଜୀବୀଙ୍କୁ ବାଧୁନାହିଁ? କ୍ଷମତା ହାସଲ କରିବା, ତାକୁ ସବୁଦିନ ବଜାୟ ରଖିବା ଅଧିକାଂଶ ଚାହାଁନ୍ତି। କାରଣ ଏହାଯୋଗୁଁ ସମ୍ମାନ, ମଞ୍ଚ ଆଦି ମିଳେ। କିନ୍ତୁ କ୍ଷମତା ଜଣକୁ ଭୁଲ ବାଟରେ ନେବାର ଆଶଙ୍କା ଥାଏ। ଏଣୁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ବ ରହିଛି। ଏହା ଦେଶ ଓ ଲୋକଙ୍କ ସମସ୍ୟା ବିଶେଷ କରି ଦାରିଦ୍ର୍ୟ, କ୍ଷୁଧା, ବେକାରୀ ଓ ବୈଷମ୍ୟ, ଦରଦାମ୍ ବୃଦ୍ଧି, ଘରୋଇ କରଣର କୁପ୍ରଭାବ, ଜୀବନର ଗୁଣାତ୍ମକ ଦିଗ ହ୍ରାସ, ସମାଜ ଭୟାନକ ଭାବେ ଅସ୍ଥିର ଓ କଳୁଷିତ ହେବା, ଲୋକ କ୍ରମଶଃ ସ୍ୱାର୍ଥପର, ହିଂସ୍ର ଓ ପ୍ରତିହିଂସା ପରାୟଣ ହେବା ସମ୍ପର୍କରେ ଆଲୋଚନା କରିବା ଉଚିତ୍।
ଅନେକ ଯୁକ୍ତି କରନ୍ତିଯେ ସେମାନଙ୍କର କୌଣସି ରାଜନୈତିକ ଦଳକୁ ସମର୍ଥନ କରିବା ନିଜର ମୌଳିକ ଅଧିକାର । ହଁ ସେମାନେ ବ୍ୟକ୍ତିଗତ ଜୀବନରେ ତାହା କରିପାରନ୍ତି। କିନ୍ତୁ ଜଣେ ବୁଦ୍ଧିଜୀବୀ ବା ସାମ୍ବାଦିକ ହିସାବରେ ଦଳ ମତ ନିର୍ବିଶେଷରେ କେବଳ ଲୋକଙ୍କ ହିତରେ ଯାହା ହେବ ସେହି ଅନୁସାରେ ମନ୍ତବ୍ୟ ଦେବା ଉଚିତ । କେଉଁ ଦଳ ଭଲ ବା ଖରାପ୍ କହୁନାହୁଁ, କି କିଏ ଅଧିକ ସଫଳ ଓ ବିଫଳ କହୁନୁ। କିନ୍ତୁ ଏକ ସରକାର ନିର୍ବାଚିତ ହୋଇଥାଏ ଲୋକଙ୍କ କାମ କରିବା ପାଇଁ। ଲୋକଙ୍କ ଅର୍ଥ ବ୍ୟୟ କରି ପ୍ରଚାର ପାଇଁ ନୁହେଁ। ପୁନଶ୍ଚ ଗଣମାଧ୍ୟମ ଜନତାଙ୍କୁ ସକାରାତ୍ମକ ଦିଗରେ ପ୍ରଭାବିତ କରିବା ପରିବର୍ତ୍ତେ, ତାଙ୍କୁ ସୁହାଇଲା ପରି ସଂବାଦ ପରିବେଷଣ କରୁଛି । ଏଠି ପ୍ରଶ୍ନ ନୁହେଁ , କିଏ ଶାସନ କରୁଛି , ପ୍ରଶ୍ନ ହେଉଛି ଗଣମାଧ୍ୟମ ଶୋଷଣ ଓ ଭୁଲ ତଥ୍ୟ ବିରୁଦ୍ଧରେ ଏକ ବଡ ଅସ୍ତ୍ର ଅଟେ । ଏହାର ବିକଳ୍ପ ନାହିଁ । ଅବଶ୍ୟ ବୁଦ୍ଧିଜୀବୀ ଓ ସାମ୍ୱାଦିକମାନେ ଚାହିଁଲେ, ପୁଣି ଗଣ ମାଧ୍ୟମ ଜାଗି ଉଠିବ।
ମୋ: ୯୪୩୭୨୦୮୭୬୨