Spread the love

ଅଶାନ୍ତ ଲଦାଖ ଦେଶ ପାଇଁ ଅଶୁଭ

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

ବିଶିଷ୍ଟ ଜଳବାୟୁ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁ ଲଦାଖରେ ଚଳାଇଥିବା ଅନଶନକୁ ୨୧ ଦିନରେ ପ୍ରତ୍ୟାହାର କରିନେବା ଏକ ଭଲ ଖବର। ହିମାଳୟର ପର୍ଯ୍ୟାବରଣର ସୁରକ୍ଷା ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଦାବିରେ ସେ ଏହି ଅନଶନ ଆରମ୍ଭ କରିଥିଲେ। ତାଙ୍କ ଅନଶନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଥାବର୍ତ୍ତା ଜାରି ରହିଥିଲା ଏବଂ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପରେ ସେ ଅନଶନ ପ୍ରତ୍ୟାହାର କରିଛନ୍ତି। ତେବେ ଚିନ୍ତାର ବିଷୟ ହେଲା ସେ ଅନଶନ ସିନା ଭାଙ୍ଗିଛନ୍ତି; କିନ୍ତୁ ତାଙ୍କ ଦାବି ପୂରଣ ସର୍ତ୍ତ ଅବ୍ୟାହତ ରହିଛି। ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ଲଦାଖର ସାମ୍ବିଧାନିକ ସୁରକ୍ଷା ଏବଂ ରାଜନୈତିକ ଅଧିକାର ପାଇଁ ଏହି ସଂଗ୍ରାମ ଚାଲିବ। ଲଦାଖରେ ଏବେ ମହିଳାମାନେ ଏହି ଦାବି ପୂରଣ ପାଇଁ ଗଣଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଲଦାଖର ଏହି ଗଣଦାବି ସମ୍ପର୍କରେ ଅବଗତ ଅଛନ୍ତି। ଏବେ ଦେଶରେ ଲୋକସଭା ନିର୍ବାଚନ ପ୍ରକ୍ରିଆ ଆରମ୍ଭ ହୋଇଛି। ଭାରତୀୟ ଗଣତନ୍ତ୍ରର ଭାବମୂର୍ତ୍ତି ପାଇଁ ଏହି ସମୟରେ ଏଭଳି ଅନଶନ ଓ ପ୍ରତିବାଦ ଅନୁକୂଳ ନୁହେଁ। ୱାଙ୍ଗଚୁ ମଧ୍ୟ ଲଦାଖର ମହିଳା ଗୋଷ୍ଠୀଗୁଡ଼ିକୁ ଆନ୍ଦୋଳନର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ କୌଣସି ଦାୟିତ୍ୱହୀନ କାମ ନ କରିବାକୁ ପରାମର୍ଶ ଦେଇଛନ୍ତି।

ଭାରତର ସଂଘୀୟ ବ୍ୟବସ୍ଥାରେ ଦେଶର କୌଣସି ଅଞ୍ଚଳ ରାଜନୈତିକ ଓ ସାମ୍ବିଧାନିକ ଅଧିକାର ପାଇଁ ଦାବି କରିବା ଅନୈତିକ ନୁହେଁ। ତେଣୁ ଲଦାଖରେ ଯେଉଁ ରାଜ୍ୟସ୍ତରୀୟ ମାନ୍ୟତା ପାଇଁ ଆନ୍ଦୋଳନ ଚାଲିଛି, ତାହା ପ୍ରତି ସ୍ଥାନୀୟ ସମର୍ଥନ ରହିବା ସ୍ୱାଭାବିକ। ତେବେ ଅନେକ ସମୟରେ ଆମେ ଜନସାଧାରଣ ଆଞ୍ଚଳିକ ବାସ୍ତବତା ଓ ସ୍ଥାନୀୟ ଅସ୍ମିତାକୁ ମାତ୍ରାଧିକ ଗୁରୁତ୍ୱ ଦେଇ ଆତ୍ମପ୍ରବଣ ହୋଇଯାଉ। ସେତେବେଳେ ଆମର ଯୁକ୍ତି, ବିଚାର ଓ କାର୍ଯ୍ୟର ଯଥାର୍ଥତା ଆମେ ରାଷ୍ଟ୍ରୀୟ ସ୍ତରରେ ଉପଲବ୍ଧି କରିପାରି ନଥାଉ। ଲଦାଖ କ୍ଷେତ୍ରରେ ସେଭଳି କିଛି ହୋଇଥିବା ମନେହୁଏ। ଲଦାଖ ଭାରତର ଉତ୍ତର-ସୀମାନ୍ତର ଶେଷତମ ଚୀନ୍‌‌ ସଂଲଗ୍ନ କ୍ଷେତ୍ର। ଏହା ସାରାବର୍ଷ ବରାଫାବୃତ ରହେ ଓ ବସ୍ତୁତଃ ଏକ ଶୀତଳ ମରୁଭୂମି। ବିଶ୍ୱର ଏହା ଅନ୍ୟତମ ଉଚ୍ଚତମ ସ୍ଥାନ, ଯାହା ପାହାଡ଼ ପର୍ବତ ଘେରା। ତେବେ ଏହାର ତୁଷାର ସ୍ରୋତ ଓ ହ୍ରଦ ସବୁ ଭାରତ, ପାକିସ୍ତାନ, ଚୀନ୍‌‌, ନେପାଳ ସମେତ ବିଭିନ୍ନ ଦେଶକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଏ। ସେଥିପାଇଁ ଏହାକୁ ଏସିଆର ‘ୱାଟର ଟାୱାର’ ବା ‘ଜଳ ମୀନାର’ କୁହାଯାଏ।

ସାମରିକ ଓ ବିଦେଶ ନୀତି ରଣକୌଶଳାତ୍ମକ ଦୃଷ୍ଟିରୁ ଲଦାଖ ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖେ। ଏହା କେନ୍ଦ୍ର-ଏସିଆକୁ ପ୍ରବେଶ ପଥ ଏବଂ ପାକିସ୍ତାନ, ଚୀନ ଓ ମଧ୍ୟ-ଏସୀୟ ରାଷ୍ଟ୍ରମାନଙ୍କର ମିଳନ ସ୍ଥଳ। ଏହା ମଧ୍ୟ ଏସିଆର ପ୍ରମୁଖ ପ୍ରାଚୀନ ବାଣିଜ୍ୟ ପଥର ଏକ କେନ୍ଦ୍ରସ୍ଥଳ। ସ୍ୱାଧୀନତା ପରଠାରୁ ଏହା ଜାମ୍ମୁ-କାଶ୍ମୀର ରାଜ୍ୟର ଏକ ଅଂଶ ଥିଲା। ଧାରା ୩୭୦ର ଉଚ୍ଛେଦ ସହିତ ଲଦାଖକୁ ମଧ୍ୟ ଜାମ୍ମୁ-କାଶ୍ମୀର ସହିତ କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଏହି ଅଞ୍ଚଳର ମୋଟ କ୍ଷେତ୍ରଫଳ ୫୯୧୪୬ ବର୍ଗ କିମି ଏବଂ ଲୋକସଂଖ୍ୟା ମାତ୍ର ତିନିଲକ୍ଷ ମଧ୍ୟରେ। ଭୌଗୋଳିକ ପ୍ରତିବନ୍ଧକ ଦୃଷ୍ଟିରୁ ଗୋଟିଏ ଗାଁରୁ ଅନ୍ୟ ଗାଁର ଦୂରତ୍ୱ ବହୁ ଅଧିକ ଏବଂ ଗମନାଗମନ ଅତ୍ୟନ୍ତ ଅସହଜ। ଲେହ ଓ କାରଗିଲ୍‌‌ ଏହାର ଦୁଇ ପ୍ରମୁଖ ଅଞ୍ଚଳ ଓ ପ୍ରଥମଟି ତାହାର ରାଜଧାନୀ। ମୋଟ ଜନସଂଖ୍ୟାର ୪୬ ଶତାଂଶ ସିଆ ମୁସଲମାନ ହୋଇଥିବା ବେଳେ ୪୦ ଶତାଂଶ ତୀବ୍ଦତୀୟ ବୌଦ୍ଧ। ମାତ୍ର ୧୨ ଶତାଂଶ ହିନ୍ଦୁ ଓ ଅନ୍ୟାନ୍ୟ ଧର୍ମର ୨ ଶତାଂଶ ଲୋକ ଏଠାରେ ବସବାସ କରନ୍ତି। ଚାଷ ଜମିର ଅଭାବ ଲୋକଙ୍କୁ ବାଡ଼, ବଗିଚା ଓ ଔଷଧୀୟ ବୃକ୍ଷରାଜି ଚାଷ କରିବାକୁ ବାଧ୍ୟ କରିଥାଏ। ପଶୁପାଳନ ସେଠାକାର ଲୋକମାନଙ୍କର ଆଉ ଏକ ବଡ଼ ବେଉସା। ତେବେ ଲଦାଖର ପରିବେଶ ଅତ୍ୟନ୍ତ ସ୍ପର୍ଶକାତର ଏବଂ କ୍ଷୟଶୀଳ। ସେଠାରେ କେତେକ ଅତି ଦୁର୍ମୂଲ୍ୟ ଓ ଦୁଷ୍ପ୍ରାପ୍ୟ ଖଣିଜ ସମ୍ପଦ ରହିଛି। ଏହାର ଉତ୍ତୋଳନ ଦେଶ ପାଇଁ ଦରକାରୀ ହେଲେ ମଧ୍ୟ ସ୍ଥାନୀୟ ଲୋକେ ଏହା ପରିବେଶ ସଂରକ୍ଷଣ ଅନୁକୂଳ ନୁହେଁ ବୋଲି ବିରୋଧ କରୁଛନ୍ତି। ଏହା ଅବଶ୍ୟ ଯୁକ୍ତିଯୁକ୍ତ। ଖଣି ଖନନ ଓ ଜଙ୍ଗଲ ନଷ୍ଟ ଦ୍ୱାରା ଏ ଅଞ୍ଚଳର ପରିବେଶ ଅବଶ୍ୟ କ୍ଷତିଗ୍ରସ୍ତ ହେବ।

ଏବେ ରାଜନୈତିକ ଓ ସାମ୍ବିଧାନିକ ଅଧିକାର କଥା ବିଚାର କରିବା। ସମ୍ବିଧାନର ଷଷ୍ଠ ସୂଚୀରେ ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସ୍ୱୟଂଶାସନ ଦେବାର ବ୍ୟବସ୍ଥା ରହିଛି। ତଦନୁସାରେ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମର ଅନେକ ସ୍ୱୟଂଶାସିତ ଜିଲ୍ଲା ପରିଷଦ ଗଠନ କରାଯାଇଛି। ତଦନୁସାରେ ଲଦାଖରେ ସେପରି ବ୍ୟବସ୍ଥା କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ପ୍ରସଙ୍ଗ ହେଉଛି ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତାଠାରୁ ଏହି ସ୍ୱୟଂଶାସିତ ଜିଲ୍ଲା ପରିଷଦ ବା ଅଞ୍ଚଳ ମାନ୍ୟତା କ’ଣ ବଡ଼ ଓ ସୁବିଧାଜନକ? ଆହୁରି ମଧ୍ୟ ମାତ୍ର ତିନିଲକ୍ଷ ଲୋକଙ୍କୁ ନେଇ କ’ଣ ଏକ ସ୍ୱୟଂସମ୍ପୂର୍ଣ୍ଣ ରାଜ୍ୟ ଗଠନ ଉଚିତ ହେବ କି?

Related Post

Leave a Reply

Your email address will not be published. Required fields are marked *

You Missed