Spread the love

ଅପ୍ରିୟ କଥା !
.. କଲମ ବନାମ ମଣିଷ ..

ପଇସା ବାଲା ହୁଅନ୍ତୁ (ଭଲ ଚାକିରୀ ହେଉ କି ବ୍ୟବସାୟରୁ ରୋଜଗାର କରୁଥିବା ବ୍ୟକ୍ତି) ବେଳେବେଳେ ଖୁବ୍ ଅହଙ୍କାର ବଶବର୍ତ୍ତୀ ହୋଇ ମୁହଁକୁ ଉପର କରି ଭୂଲି ଯାଆନ୍ତି ନିଜର ପୂର୍ବ ପରିଚୟ । ମୁଣ୍ଡ ତଳକୁ କରି ଚାଲିବାର ଅଭ୍ୟାସ ନଥାଏ । କାରଣ ଅହଙ୍କାର କବଳରେ କବଳିତ ସେ ବ୍ୟକ୍ତି ।ପୁଅ ଓ ଝିଅଙ୍କ ଶିକ୍ଷ୍ୟାକୁ ନେ଼ଇ ଗର୍ବ କରନ୍ତି । ନିଜ ରୋଜଗାରକୁ ନେଇ ଗର୍ବ କରନ୍ତି ।୨୪*୭ କେବଳ ନିଜ ପରିବାର କଥା ଚିନ୍ତା କରନ୍ତି । ସମାଜ ପ୍ରତି ଅବଦାନ ଶୂନ୍ୟ । କାରଣ ଯେଉଁ ସମାଜରୁ ଆସି ଆଜି ଏ ଜାଗାରେ ପହଞ୍ଚିଛନ୍ତି ତାର ଭୂମିକାକୁ ଭୂଲି ଯାଆନ୍ତି । ଗାଁରୁ ସହରକୁ ଆସିଲା ପରେ ଗାଁ ଆଉ ଭଲ ଲାଗେନା । ନାକ ଟେକି ବାହାଦୂରୀ ଦେଖାଇ କୁହନ୍ତି ମୋ ପିଲା ମାନେ ଗାଁକୁ ଯିବାକୁ ଚାହୁଁ ନାହାଁନ୍ତି । ଅନେକ ଉଦାହରଣ ରହିଛି ଯିଏ ଗାଁ ଭାଇଚାରାକୁ ବେଖାତିର କରିଛନ୍ତି, ଅନ୍ତିମ ସମୟରେ ସହରରେ ଶବ କାନ୍ଧରେ ନେବା ପାଇଁ ଲୋକ ଖୋଜନ୍ତି । ସେଠି କେହି କାହାର ନୁହଁନ୍ତି । ଭଡ଼ାରେ ଶବ କାନ୍ଧେଇବା ପାଇଁ ଲୋକ ଯୋଗାଡ଼ ହୁଏ । ଯଦି ପୁର୍ବରୁ ଗାଁ ସହିତ ସମ୍ପର୍କ ରହିଥାନ୍ତା ଶେଷ ସମୟରେ ଏମିତି ପରିସ୍ଥିତି ହୋଇ ନଥାନ୍ତା । ଏ ସବୁର କାରଣ ହେଉଛି ମୁଣ୍ଡକୁ ଉପର ମୁହାଁ କରି ନିଜର ବିନମ୍ରତା ଭୂଲି ଯିବା । କଲମର ବିନମ୍ରତା ଉପରେ ଏ କବିତା । ବୁଝିବାକୁ ଚେଷ୍ଟା କଲେ ଶେଷ ସମୟ ଶାନ୍ତିରେ ନିଃଶ୍ୱାସ ନେଇ ପାରିବେ ।

କଲମ ଓ ମଣିଷ । ଚଲା ପଥର ପଥିକ ଉଭୟ ।କିନ୍ତୁ ଚାଲିବାର ପ୍ରୟାସ ପୃଥକ୍ ।କଲମ ଅବିରତ ଚାଲୁଥାଏ।କିନ୍ତୁ ନିଜର ବିନମ୍ର ଭାବନାକୁ ନେଇ ।କେବେ ବି ମୁହଁ ଉପରକୁ କରି ଚାଲିନି । ସେ ଜାଣିଛି ଉପର ମୁହଁ କେବଳ ଗର୍ବ ଓ ଅହଙ୍କାର ଭରିଦିଏ । ବିନମ୍ର ଭାବରେ ହୃଦୟ କାଗଜରେ ଗାରି ଦେଇ ଘର ତିଆରି କରେ ।

ଅନ୍ୟ ପକ୍ଷରେ ମଣିଷ ।ଗର୍ବ ଓ ଅହଂକାର ଭରା ୬୦/୭୦ କେଜି ଓଜନର ଶରୀରର ମାତ୍ର କିଛି ଅଂଶ ୨/୩ କେଜିର ମୁଣ୍ଡ ଉପର ମୁହାଁ ହୋଇ ଚାଲେ ।ତାକୁ ସହଯୋଗ କରେ ଛାତି ଓ ହାତ।ଗର୍ବରେ ଖୁବ୍ ଜୋରରେ ନିଜ ଛାତିକୁ ହାତରେ ଆଘାତ ଦେଇ ପିଟି ପିଟି କହି ବୁଲେ ମୁଁ ହିଁ ଦୁନିଆର ମାଲିକ । ଗାଡ଼ି,ଘୋଡ଼ା, ବଙ୍ଗଳା ,ଡିଗ୍ରୀ, ଗହଣା …ମଣିଷକୁ ଆହୁରି ଅହଙ୍କରୀ କରିଦିଏ । ମୁଢ଼ ମଣିଷ ବୁଝିବା ଦରକାର, ଜୀବନ ପାଣି ଫୋଟକା।ଯିଏ ଦେଇଛି ସିଏ ବି ଜାଣିଛି କେବେ ନେଇଯିବ। ଆଜି ମଲେ କାଲି ଦୁଇ ଦିନ ।ତଥାପି ଗର୍ବ ଅହଙ୍କାର ଶରୀରରେ ବସା ବାନ୍ଧି ରହିଛି ।
ଆରେ ମୂର୍ଖ ମଣିଷ,କଲମ ଠାରୁ ମୁଣ୍ଡ ନଇଁବା ଶିଖନ୍ତୁ । ହିନ୍ଦୁଶାସ୍ତ୍ର ଓ ସନାତନ ଧର୍ମରେ ଅଛି ନଇଁ ପଡ଼ି ଗୁରୁଜନ ଚରଣରେ ଦଣ୍ଡବତ ପ୍ରଣାମ କଲେ ସବୁ ଅହଙ୍କାର ଦୂର ହୋଇ ଯାଏ ।ଶତ୍ରୁର ହୃଦୟ ତରଳି ଯାଇଥାଏ। ବିନମ୍ରତା ଗୁଣକୁ ଆଭୂଷଣ କରିବା ଶିଖନ୍ତୁ। ମିଥ୍ୟା ଅହଙ୍କାର ଭିତରେ ବୁଡି ଆତ୍ମାକୁ କଷ୍ଠ ଦେଇ ଇନ୍ଦ୍ରିୟ ତୃପି କରି ଲାଭ କଣ ? କିଛି ଲୋକ ଫୁଟ୍ ପାଥ ଓ ଗଛ ମୂଳେ ଖରା ବର୍ଷା ଶୀତ କାକରରେ ଜୀବନ ବିତାଉ ଥିବା ବେଳେ କିଛି ବ୍ୟକ୍ତି ୫୦୦୦ ବର୍ଗ ଫୁଟ ଘର ଭିତରେ ରୁହନ୍ତି । ମାତ୍ର ୫୦୦ ବର୍ଗ ଫୁଟରେ ଚଳିବା ପାଇଁ ପର୍ଯ୍ୟାପ୍ତ ।ବାକି ୪୫୦୦ ବର୍ଗ ଫୁଟ ଅହଙ୍କାର ଦ୍ୱାରା କବଳିତ ।କଲମର ମୁଣ୍ଡ ନୁଆଇଁ ଚାଲିବା ଗୁଣକୁ ଆପଣେଇ ନିଅନ୍ତୁ ।ଜୀବନ ଧନ୍ୟ ହୋଇଯିବ।
ହୁଏତ ଅପ୍ରିୟ କଥା କାହା ମନକୁ କଷ୍ଟ ଦେଇପାରେ । କ୍ଷମାପ୍ରାର୍ଥୀ

Leave a Reply

Your email address will not be published. Required fields are marked *