Spread the love

ଭୁବନେଶ୍ୱର, ୨୨/୯ : ହସିଲାଣି କାଶତଣ୍ଡୀ, ଆସୁଛନ୍ତି ମା’ । ଆଉ ପବନରେ ସାଉଁଳିହେଉଛି ଧୋବ ଫର ଫର କାଶତଣ୍ଡୀ । ଧଳାର ଚାଦରରେ ବିମଣ୍ଡିତ ହୋଇଛି ଧରଣୀ ରାଣୀ । ଆସିଛି ଆଶ୍ୱିନ ଆସିବେ ଜଗଧାତ୍ରୀ । ସଜେଇ ହେଲାଣି ଧରଣୀରାଣୀ । ଶାରଦୀୟ ସମ୍ଭାର ନେଇଆସିବ ପାର୍ବଣର ପର୍ବ । ଦଲକାଏ ପବନରେ ଦୋହଲିଯାଉଛି କାଶତଣ୍ଡୀର ମହକ ।ଦୋଳି ଖେଳିଖେଳି ମା ଜଗତ ଜନନୀଙ୍କୁ କରୁଛି ସ୍ୱାଗତ । ଦ୍ୱିଗୁଣିତ ହୋଇଛି ପ୍ରକୃତି ରାଣୀର ଶୋଭା । ଝଲସି ଉଠିଛି ଶିଶିର ବିନ୍ଦୁର ସ୍ୱଚ୍ଛତା । ସକାଳର କଅଁଳ ଖରାର ପ୍ରଥମ କିରଣ ପଡିଲେ, ସତେ ଯେପରି ଖିଲି ଖିଲି ହୋଇ ହସୁଛି ପ୍ରକୃତି ରାଣୀ ।

କାଶତଣ୍ଡୀ ଫୁଲ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି l ବଡ଼ ଅଦ୍ଭୁତ ସୃଷ୍ଟିର ନିୟମ। ମା’ଙ୍କ ଆଗମନ ପୂର୍ବରୁ ଆସେ କାଶତଣ୍ଡୀ ଫୁଲ ଆଉ ଧରାପୃଷ୍ଠ ରୁ ମା’ଙ୍କ ପ୍ରତ୍ୟାଗମନ ପରେ ଆପଣା ଛାଏଁ ଉଭେଇ ଯାଏ । ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧବଳ ଚାଦର ଟିଏ । ଆଉ ପାଖରୁ ଦେଖିଲେ ମନ ଆନ ମନା ହୋଇ ଉଠୁଛି ।

ସିଏ ହେଉଛି ବାସହୀନ କାଶତଣ୍ଡୀ । ଦେବ ପୂଜାରେ ଲାଗେନି ସତ ହେଲେ ଶରତ ଋତୁରେ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ମଣ୍ଡନ କରେ । ଏହି କାଶତଣ୍ଡୀ ଫୁଲ ର ସମ୍ଭାର। ଆଗକୁ ପାର୍ବଣର ପର୍ବ । ସମସ୍ତେ ସେଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ, ପ୍ରକୃତି ରାଣୀ ସେଥିରୁ ବାଦ ପଡନ୍ତା ବି କେମିତି ? ସୃଷ୍ଟିର ଆରମ୍ଭରୁ ଏହି ନିୟମକୁ ଯେପରି ଅକ୍ଷରେ ଅକ୍ଷରେ ମାନି ଆସିଛି ପୃଥିବୀ ରାଣୀ । କାଶତଣ୍ଡୀ ଫୁଲ, ଯାହାକି ଆଜି ବି ମା’ଙ୍କ ଆଗମନକୁ ଚାତକ ପରି ଚାହିଁ ରହିଛି।

Related Post

Leave a Reply

Your email address will not be published. Required fields are marked *