Spread the love


ଓଁ ନମୋ ଭଗବତେ ବାସୁଦେବାୟ

ଅସୁରେ ମନେ ଦୁଃଖ ଭରି। ପୁଣି ମନ୍ଥିଲେ ଗିରି ଧରି।

ସୁନ୍ଦର ଦିଶେ ଦଶଦିଶ। ଧରଣୀ ହେଉଛି ଉଲ୍ଲାସ।

ଅମୃତ ଶୁଭଲଗ୍ନ ବେଳେ। ଲକ୍ଷ୍ମୀ ଉଠିଲେ ମହାଜଳେ।

ଦିଗ ପ୍ରସରେ ଦେହ ଝଳି। ଜୀମୂତେ ଯେସନେ ବିଜୁଳି।

କମଳା ରୂପ ଦେଖି ଜନେ। ଲୋଭ ବସିଲା ସର୍ବମନେ।

ଲକ୍ଷ୍ମୀ ବଦନ ଚାହିଁ ବେଗେ। ଇନ୍ଦ୍ର ମିଳିଲେ ପଦଯୁଗେ।

ରତ୍ନ ଆସନ ଦେଲେ ଆଣି। ଯହିଁ ବିଜୟେ କମଳିନୀ।

ଜାହ୍ନବୀ ଆଦି ନଦୀ ଯେତେ। ସର୍ବେ ମିଳିଲେ ପାଦଗତେ।

ସୁବର୍ଣ୍ଣକୁମ୍ଭେ ଜଳ ଭରି। ମୁନିଏ ରହିଲେ ଉଭାରି।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ, ଅଷ୍ଟମ ସ୍କନ୍ଧ , ଅଷ୍ଟମ ଅଧ୍ୟାୟ )

ପ୍ରସଙ୍ଗ – ସମୁଦ୍ର ମନ୍ଥନ

ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ସମୁଦ୍ର ମନ୍ଥନରୁ ବାହାରିଥିବା ସୁନ୍ଦରୀ ଅପ୍ସରାଗଣଙ୍କୁ ଶୂନ୍ୟମାର୍ଗରେ ସ୍ଵର୍ଗପୁରକୁ ଚାଲି ଯିବାର ଦେଖି ଅସୁରମାନେ ମନେ ମନେ ଦୁଃଖିତ ହେଲେ ଓ ପୁଣି ମନ୍ଦରଗିରିକୁ ଟାଣି କ୍ଷୀରସାଗରକୁ ମନ୍ଥନ କରିବାକୁ ଲାଗିଲେ। ଏହି ସମୟରେ ଦଶଦିଗ ସୁନ୍ଦର ଦେଖାଗଲା ଓ ଧରଣୀ ଆନନ୍ଦରେ ଉଲ୍ଲସିତ ହେବାକୁ ଲାଗିଲା ଏବଂ ମେଘ ଦେହରେ ବିଜୁଳି ପ୍ରକଟ ହୋଇ ଦିଗମାନଙ୍କୁ ଉଜ୍ଜ୍ଵଳ କରିବା ପରି ନିଜ ତେଜରେ ଦିଗମାନଙ୍କୁ ଉଜ୍ଜ୍ଵଳ କରି ଏକ ଅମୃତ ଶୁଭ ଲଗ୍ନରେ କ୍ଷୀରସାଗର ମଧ୍ୟରୁ ଜଗତଜନନୀ ମା ମହାଲକ୍ଷ୍ମୀ ପ୍ରକଟ ହେଲେ। ମହାଲକ୍ଷ୍ମୀଙ୍କର ରୂପ ଓ ମହିମାକୁ ଦେଖି ତାଙ୍କୁ ପାଇବା ପାଇଁ ସମସ୍ତଙ୍କ ମନରେ ଲୋଭ ଜାଗ୍ରତ ହେଲା। ମହାଲକ୍ଷ୍ମୀଙ୍କୁ କ୍ଷୀରସାଗର ମଧ୍ୟରୁ ପ୍ରକଟ ହେବାର ଦେଖି ତାଙ୍କର ଉପବେଶନ ନିମନ୍ତେ ଦେବରାଜ ଇନ୍ଦ୍ର ଏକ ରତ୍ନ ଆସନ ଆଣି ମାଆଙ୍କ ଚରଣ ଯୁଗଳରେ ସମର୍ପଣ କଲେ ଯେଉଁଥିରେ କି ମହାଲକ୍ଷ୍ମୀ ବିଜୟ କଲେ। ମହାଲକ୍ଷ୍ମୀଙ୍କର ଅଭିଷେକ ନିମନ୍ତେ ଗଙ୍ଗା ଆଦି ନଦୀମାନେ ମୂର୍ତ୍ତିମତୀ ହୋଇ ସୁବର୍ଣ୍ଣ କଳସରେ ପବିତ୍ର ଜଳ ଭରି ତାଙ୍କ ଚରଣ ତଳେ ଆସି ଉପସ୍ଥିତ ହେଲେ ଏବଂ ମହାଲକ୍ଷ୍ମୀଙ୍କୁ ଅଭିଷିକ୍ତ କରିବା ନିମନ୍ତେ ମୁନିଋଷିମାନେ ଆସି ସେଠାରେ ଦଣ୍ଡାୟମାନ ହୋଇ ରହିଲେ।

ଭାବାର୍ଥ – ସମୁଦ୍ର ମନ୍ଥନରୁ ଏକ ଅମୃତ ଶୁଭ ଲଗ୍ନରେ ଜଗତଜନନୀ ମା ମହାଲକ୍ଷ୍ମୀ ପ୍ରକଟ ହେଲେ।

 ଉପସ୍ଥାପନା

ଗୁରୁ ଚରଣାଶ୍ରିତ ବିଶ୍ୱନାଥ ନାୟକ

            

Related Post

Leave a Reply

Your email address will not be published. Required fields are marked *