ଏକାଦଶ ସ୍କନ୍ଧ ।୧୨ଶ ଅଧ୍ୟାୟ ।
ଜୀବଆତ୍ମାର ତତ୍ତ୍ଵ ଓ ଭକ୍ତ ଓ ଭକ୍ତିର ଲକ୍ଷଣ ।
ଆତ୍ମାକୁ ଆତ୍ମା ଯେବେ ସ୍ମରେ ।
ପରମାନନ୍ଦେ ସେ ବିହରେ ।।
ଜନ୍ମ ମରଣ ଶୋକ ମୋହ ।
ସୁଖ ଦୁଃଖ ଆଦି ସଂଶୟ ।।
କେବଳ ମାୟା ଭ୍ରମ ଏହି ।
ଏ ଯେ ଜୀବକୁ ଲାଗେ ନାହିଁ ।।
ବିଦ୍ୟା ଅବିଦ୍ୟା ବନ୍ଧ ମୋକ୍ଷ ସବୁ ମାୟା ଓ ଅସତ୍ୟ ।
ଏହା ମଧ୍ୟରେ ପରମର ଅଂଶ ଜୀବ ବିଦ୍ୟମାନ ।କେବଳ ଅଜ୍ଞାନତା ହେତୁ ଜୀବ ଭ୍ରମରେ ପଡ଼ି ଜନ୍ମ ମୃତ୍ୟୁ ଚକ୍ରରେ ପଡେ ।ଜୀବ ଜ୍ଞାନଯୁକ୍ତ ହୋଇ ବି ପରମକୁ ନ ଚିହ୍ନି କର୍ମ ଫଳ ଭୋଗକରେ ।ଗୋଟିଏ ଶରୀରରେ ଜୀବ ଓ ପରମ ରହିଥାନ୍ତି ।ଜୀବ ଦୁଃଖ ସୁଖ ଫଳ ଅବିଦ୍ୟାରୁ ଭୋଗକରେ ।ପରମ କିଛି ନଖାଇ ନିର୍ଲିପ୍ତ ଭାବରେ ସାକ୍ଷୀ ରୂପରେ ଉପବାସ ରହେ ।
ପରମ ପରମଆନନ୍ଦୀ
ଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ ।।
ପରମ ଅବିଦ୍ୟାର ସଙ୍ଗ କରେନାହିଁ ।ଏଣୁ ସେ ନିତ୍ୟ ନିରାକାର ବୋଲାଏ ।ବିଜ୍ଞଲୋକ ଏ କଥା ଜାଣନ୍ତି ।
ଏ ଭାବେ ଥାନ୍ତି ଯେତେ ପ୍ରାଣୀ ।
ପଣ୍ଡିତ ବୋଲି ତାଙ୍କୁ ଗଣି ।।
ତତ୍ତ୍ଵ ବିଚାରି ତୁଟେ ଭ୍ରାନ୍ତି ।
ଭବ ସାଗରୁ ତରିଯାନ୍ତି ।।
ତତ୍ତ୍ଵ କହିଲେ କୃଷ୍ଣ ।ଭ୍ରାନ୍ତି କହିଲେ ସଂସାର ମୋହ ।
କୃଷ୍ଣରେ ମନ ନିବେଶ କଲେ ବିଷୟା ତୁଟିଯାଏ ।
ସେଥିପାଇଁ କୃଷ୍ଣଭକ୍ତି ସର୍ବଶ୍ରେଷ୍ଠ ମାର୍ଗ ।କୁସଙ୍ଗ ପରିହାର କରି ସମସ୍ତ ସାଂସାରିକ କର୍ମରେ ଉଦାସୀନ ରହିବ ।କାମନା ଶୂନ୍ୟ ହୋଇ ନିରଭିମାନରେ ସର୍ବତ୍ର ବିଚରଣ କରିବ ।ନିନ୍ଦା ସ୍ତୁତି ସମଜ୍ଞାନ କରି ସର୍ବଭୂତରେ ଏକ ଆତ୍ମା ଦର୍ଶନ କରିବ ।ଏତେ ସାଧନା ଥାଇ ଯେବେ ସେ କୃଷ୍ଣ କ’ଣ ଜାଣି ପାରିବ ନାହିଁ ତାର ସବୁ ସାଧନା ନିଷ୍ଫଳ ହୁଏ ।ଅଯଥା ଯାହା ପରିଶ୍ରମ କରି ସାଧନ କରିଥାଏ ।ଯଦି ଯୋଗ ତତ୍ତ୍ଵଜ୍ଞାନରେ ଯାହାର ଚଞ୍ଚଳ ମନ ନିବେଶ ନ ହେବ ତେବେ ସେ କୃଷ୍ଣ ଚରଣାରବିନ୍ଦରେ ଦୃଢ଼ଭକ୍ତି ବଳରେ ସକଳକର୍ମ ସମର୍ପଣ କରି ମୁକ୍ତି ପାଇଯିବ ।
ଏହା ଭାଗବତର ସାର ବାଣୀ ।
ତୁ ଯେବେ ମନ ମୋର ଦେହେ ।
ଧରି ନପାରୁ ମାୟାମୋହେ ।।
ତେବେ ସକଳ କର୍ମ ମୋତେ ।
ସମର୍ପି ରହ ଦୃଢ଼ଚିତ୍ତେ ।।
ଦଶମ ସ୍କନ୍ଧରେ ଗୋପୀଙ୍କ ସର୍ବସ୍ଵ ସମର୍ପଣ ଭାବ ଚିନ୍ତନୀୟ ।କୃଷ୍ଣ ନାମ ଶ୍ରବଣ କୀର୍ତ୍ତନ ନିଷ୍କାମଭାବରେ ଅବିରତ କରି ତାଙ୍କ ଚରଣରେ ଆତ୍ମ ସମର୍ପଣ ଯେ ମୋକ୍ଷଦାୟକ ଶ୍ରୀଚୈତନ୍ୟଙ୍କ ଆଚରଣ ପ୍ରଣିଧାନଯୋଗ୍ୟ
ସର୍ବ ସମର୍ପି ମୋର ପାଦେ ।
ସଂସାରୁ ତର ଅପ୍ରମାଦେ ।।
ଉଦ୍ଧବ ନମ୍ରତାର ସହ ଜିଜ୍ଞାସା କରିଛନ୍ତି ।ଭକ୍ତଙ୍କୁ କିପରି ଜାଣିବା ।ଭକ୍ତି ଓ ଭକ୍ତର ଲକ୍ଷଣ କିପରି ।ହେ ପ୍ରଭୁ ମୁଁ ଆପଣଙ୍କ ଦାସ ହିସାବରେ ପଚାରୁଛି ।ମୋ କଥା ନିଶ୍ଚୟ ରଖିବେ ।
ଭକତ କରେ ତୋତେ ବଶ ।
ତାର ରକ୍ଷଣେ ତୋ ପ୍ରକାଶ ।।
ଭକତ ହିତେ ତୋର ତନୁ ।
ଏଣୁ ଭକତ ବାକ୍ୟ ମାନୁ ।।
ଭଗବାନ କହିଲେ ସାଧୁ ବୈଷ୍ଣବ ଭକ୍ତଙ୍କ ଲକ୍ଷଣ ଶୁଣ ।୧-ସମଦର୍ଶୀ ୨-ସତ୍ୟବନ୍ତ ୩-ଶୁଦ୍ଧ ୪-ବିବେକୀ ୫-ଅଦ୍ରୋହୀ୬-ଶାନ୍ତ ୭-ତ୍ୟାଗୀ ୮-ଧୀର ୯-କୃପାଳୁ ୧୦-ପରୋପକାରୀ ୧୧-ଶୁଚିବନ୍ତ ୧୨-ଦରିଦ୍ର ୧୩- ଦୃଢ଼ବ୍ରତ ୧୪- ମିତାହାରୀ ୧୫-ଧାର୍ମିକ ୧୬- ମୃଦୁଭାଷୀ ୧୭- ପ୍ରସନ୍ନ ଚିତ୍ତ ୧୮-ଧୃତିମାନ ୧୯- ସୁକଲ୍ୟ ୨୦-ଅମାନୀ ୨୧- ମାନଦ ୨୨- କବି ୨୩-ମିତ୍ରତା ୨୪- ଷଡଗୁଣଜୟୀ ୨୫- ଅପ୍ରମାଦୀ ୨୬- ଗଭୀରଚିତ୍ତ ୨୭-ଧୀରବୁଦ୍ଧି ।
ଏ ଆଦି ସପ୍ତବିଂଶ ଗୁଣ ।
ବିଶେଷେ ମୋହର ଶରଣ ।।
ଏବେ ଭକ୍ତିର ଲକ୍ଷଣ କହିବା ଶୁଣ ।
ସକଳ ଧର୍ମ ତେଜି ଚିତ୍ତେ ।
ଯେ ମୋତେ ଭଜେ ଦୃଢ଼ମତେ ।।
ଜାଣି ନଜାଣି ମୋ ମହିମା ।
ଭଜନ୍ତି ଭକତ ଉତ୍ତମା ।।
କୃଷ୍ଣ ମୂର୍ତ୍ତି ଦର୍ଶନରେ ବିଭୋର ହେବ ।କୃଷ୍ଣ କଥାରେ ଶ୍ରଦ୍ଧା
ସତସଙ୍ଗରେ ।ଶ୍ରବଣ,କୀର୍ତ୍ତନ ସ୍ମରଣ,ସେବନ,ପୂଜନ,ବନ୍ଦନ,ଦାସ୍ୟ ,ସାଖ୍ୟ,ଆତ୍ମନିବେଦନ ।କୃଷ୍ଣଜନ୍ମ ଇତ୍ୟାଦି ଉତ୍ସବ ମହାସମାରୋହରେ ଆନନ୍ଦମନରେ କରିବ ।
ନାନା ସୁବାଦ୍ୟ ନୃତ୍ୟଗୀତେ ।
କୀର୍ତ୍ତନ କରି ମୋ ଅଗ୍ରତେ ।।
ଗୋଷ୍ଠୀ କରିବ ବହୁ ମିଳି ।
ମୋଘରେ ଦେଇ ଦୀପାବଳୀ ।।
ଆନନ୍ଦେ କରି ମହୋତ୍ସବ ।
ଦିବସ ରଜନୀ ବଞ୍ଚିବ ।।
ଏହାକୁ ଆଧାରକରି ଶ୍ରୀଚୈତନ୍ୟ ପ୍ରେମୀ ନାମଯଜ୍ଞ ସ୍ଥାନରେ ଅନେକ ବ୍ୟକ୍ତି ଏକତ୍ରିତ ହୋଇ ହରିନାମ ସଂକୀର୍ତ୍ତନ କରୁଛନ୍ତି ।
ଶ୍ରୀକୃଷ୍ଣ ନିବେଦିତ ବସ୍ତୁ ଅନ୍ୟତ୍ର ବ୍ୟବହାର କରିବ ନାହିଁ ।ଏ ଭଳି ପୂଜା ଅର୍ଚ୍ଚନା କରୁଛ ବୋଲି କହିବୁଲିବ ନାହିଁ ।
ଯେ ପୂଣ୍ୟ ଆପଣେ କରିବ ।
କେବେହେଁ ପରେ ନ କହିବ ।।
ଯେ ଦ୍ରବ୍ୟ ମୋତେ ସମର୍ପିବ ।
ପୁଣି ଗ୍ରହଣ ନ କରିବ ।।
ମୋ ପାଦରେ ସମର୍ପଣ କରିଥିବା ସକଳ ମୋହ ପୁନଶ୍ଚ ଗ୍ରହଣ କରିବ ନାହିଁ ।
ମୋତେ ପୂଜିବ ଯେତେ ସ୍ଥାନେ ।
ଉଦ୍ଧବ ଶୁଣ ସାବଧାନେ ।।
୧- ଧେନୁ ୨- ବିପ୍ର ୩-ରବି ୪-ଆକାଶ ୫- ପବନ ୬- ଭୂମି
୭- ଜଳ ୮-ବୈଷ୍ଣବ ୯-ଅଗ୍ନି ୧୦-ଆତ୍ମା ୧୧-ସର୍ବଭୂତ ।
ଏ ରୂପେ ପୂଜି ମୋ ଚରଣେ ।
ଲଭି ଭକତି ଦୃଢ଼ମନେ ।।
ନିରତେ ଥିବ ସାଧୁସଙ୍ଗେ ।
ନିର୍ମଳ ଭକ୍ତିଯୋଗ ମାର୍ଗେ ।।
ଏ ଭାବେ ପ୍ରାଣୀ ମୋତେ ପାଇ ।
ଏ ବିନୁ ଅନ୍ୟ ଗତି ନାହିଁ ।।
ସାଧୁସଙ୍ଗରୁ ଭକ୍ତି । ଭକ୍ତିରୁ ଚୈତନ୍ୟ ଓ ବୈରାଗ୍ୟ ।ତଦନ୍ତେ ମୁକ୍ତି ।ଏହା ଭାଗବତଙ୍କ ନିଗୂଢ଼ ତତ୍ତ୍ଵ ।
ସୁଜନେ ଶୁଣି କର୍ଣ୍ଣପୁଟେ ।
ତରିବ ସଂସାରୁ ନିକଟେ ।।
ଜୟଶ୍ରୀକୃଷ୍ଣ ।।✍️ ଗୋବର୍ଦ୍ଧନ ପ୍ରଧାନ, ସୁକିନ୍ଦା।