Spread the love

ନାମ ପରିବର୍ତ୍ତନରେ ଲାଭ

ଡ ସନ୍ତୋଷ କୁମାର ମହାପାତ୍ର
୧୫୬ ବର୍ଷର ପୁରୁଣା ତଥା ଓଡିଶାର ଗର୍ବ ଓ ଗୌରବ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି , ରାଜନେତା, ପ୍ରଶାସକ, ବୁଦ୍ଧିଜୀବି, ଛାତ୍ରୀଛାତ୍ର ତଥା ଅଭିଭାବକ ନିଜର ମତ ସପକ୍ଷରେ ବା ବିପକ୍ଷରେ ଦେବା ସହିତ ଅନେକ ରାଜରାସ୍ତାକୁ ଓହ୍ଲାଇ ବିରୋଧ କରିବା ଆରମ୍ଭ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଏହା ଏକ ବଡ଼ ପ୍ରସଙ୍ଗ ହୋଇଛି ।ପରିବର୍ତ୍ତନ ସପକ୍ଷରେ ଯେଉଁମାନେ କହୁଛନ୍ତି , ସେମାନଙ୍କ ଯୁକ୍ତି ହେଉଛି ଥୋମାସ ଏଡୱାର୍ଡ ରେଭେନ୍‌ସାଙ୍କ ନାମରେ ବିଶ୍ଵ ବିଦ୍ୟାଳୟ ନାମକାରଣ ହୋଇଛି। ସେ ଯେତେବେଳେ କଟକ ଡ଼ିଭିଜନର କମିଶନର ଥିଲେ, ସେତେବେଳେ ୧୮୬୬ରେ ଭୟଙ୍କର ନଅଙ୍କ ଦୁର୍ଭିକ୍ଷରେ ମୁଠାଏ ଭାତ ପାଇଁ ଲକ୍ଷ ଲକ୍ଷ ଓଡିଆଙ୍କ ଜୀବନ ଧ୍ୱଂସ ପାଇଗଲା । ଏଣୁ ତାଙ୍କ ନାମରେ ଏହି ଅନୁଷ୍ଠାନ ରହିବା ଅନୁଚିତ । ରେଭେନ୍ସା ବଦଳରେ ମୂଳନାମ କଟକ କିମ୍ବା ଗଜପତି କପିଳେନ୍ଦ୍ର ଦେବ କିମ୍ବା ଆଧୁନିକ ଶିକ୍ଷାର ମୂଳବ୍ୟକ୍ତି ଆଦିନେତା ବିଚିତ୍ରାନନ୍ଦଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟର ନାମକରଣ କରିବାକୁ ପ୍ରସ୍ତାବ ଆସିଛି। କିନ୍ତୁ ଅଳ୍ପ କିଛି ଲୋକଙ୍କୁ ଛାଡିଦେଲେ ପ୍ରାୟ ଅଧିକାଂଶ ନାମ ପରିବର୍ତ୍ତନକୁ ବିରୋଧ କରୁଛନ୍ତି ।
ପ୍ରଥମେ ରେଭେନ୍ସା କଲେଜ କଟକ ସ୍କୁଲ୍ ଥିଲା । ଏହା ପରେ କଟକ କଲେଜ୍ ହୋଇଥିଲା ।ରେଭେନ୍‌ସା ତାଙ୍କ ନାମରେ କଲେଜ୍ ନାମକରଣ କରିନଥିଲେ। ରେଭେନ୍‌ସା ଓଡିଶାର କମିସନର ପଦବୀରୁ ଅବ୍ୟାହତି ନେଇ ୧୮୭୬ ସାଲରେ ଇଂଲଣ୍ତର ସସେକ୍ସକୁ ଫେରିଯାଇଥିଲେ। ପ୍ରାୟ ତିନିବର୍ଷ ପରେ ଅର୍ଥାତ୍ ୧୮୭୯ ସାଲରେ ବ୍ରିଟିଶ ସରକାର ଆଗରୁ ପ୍ରତିଷ୍ଠିତ ହୋଇଥିବା ” କଟକ କଲେଜ” ର ନାଆଁକୁ ପରିବର୍ତ୍ତନ କରି ରେଭେନ୍ସାଙ୍କ ନାଆଁରେ ନାମିତ କରିବା ପାଇଁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲେ ମୟୁରଭଂଜର ମହାରାଜା । ଓଡିଶାରେ ତାଙ୍କ ସେବା ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରି ବ୍ରିଟିଶ ସରକାର କାର୍ଯ୍ୟକାରୀ କରିଥିଲେ ।
ଥୋମାସ ଏଡୱାର୍ଡ ରେଭେନସା ୧୮୬୫ ଖ୍ରୀଅରୁ ରୁ ୧୮୭୬ ମସିହା ପର୍ଯ୍ୟନ୍ତ ଓଡିଶା ଡିଭିଜନର କମିଶନର ରୂପେ କଟକରେ ବାରବର୍ଷ କାଳ ଅବସ୍ଥାପିତ ଥିଲେ । ରେଭେନ୍ସା ରାଜସ୍ୱ କମିଶନର ଦାୟିତ୍ଵ ନେବା ପରେ ପରେ ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା। ଏହା ନିଶ୍ଚିତ ସତ ଯେ ଲୋକମାନେ ଖାଦ୍ୟ ଅଭାବରୁ ପୋକ ମାଛି ଭଳି ମରିଥିଲେ ।କିନ୍ତୁ ସେଥିପାଇଁ ସେ ଏକଲା ଦାୟୀ ନଥିଲେ। ଓଡ଼ିଆ ରାଜା ଓ ଜମିଦାର ସମ ପରିମାଣରେ ମଧ୍ୟ ଦାୟୀ ଥିଲେ। ଯେଉଁ ମାନେ କ୍ୱିଣ୍ଟାଲ ଧାନ ନିଜ ଖମାରରେ ଲୁଚାଇ ମହଜୁଦ ରଖିଥିଲେ ଓ ମାନବିକତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଏଥି ଯୋଗୁ ଖାଦ୍ୟ ଅଭାବରେ ଲୋକମାନେ ମୃତ୍ୟୁ ମୁଖରେ ପଡ଼ିଥିଲେ। ପୁନଶ୍ଚ ଓଡିଶା ଡିଭିଜନ ସେତେବେଳେ ବଙ୍ଗଳା ସରକାରଙ୍କର ଶାସନାଧୀନରେ ଏକ ଉପେକ୍ଷିତ ଅଞ୍ଚଳରୂପେ ପଡି ରହିଥିବାରୁ,ଓଡିଶାର ଦୁର୍ଭିକ୍ଷ ସଂକଟ ପ୍ରତି ବଙ୍ଗଳା ସରକାରର କର୍ତ୍ତୃପକ୍ଷ ଦୃଷ୍ଟି ଦେଇପାରି ନଥିଲେ ବୋଲି ତତ୍କାଳୀନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ସାର୍ ଚାର୍ଲସ ନର୍ଥକୋଟ ୧୮୬୮ରେ ସ୍ୱୀକାର କରିଥିଲେ । ତାହା ସତ୍ତ୍ୱେ, ଏସବୁର ପରିଣାମ ପାଇଁ ରେଭେନ୍ସା ସାହେବ ସମସ୍ତଙ୍କ ପାଖରେ କ୍ଷମା ମାଗିଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତିର ସୁଧାର ଆସିବାରୁ ସାମାଜିକ ସ୍ତରରେ ବଡ ପରିବର୍ତ୍ତନ ଲାଗି ରେଭେନ୍ସା ସାହେବ ଶିକ୍ଷା ପ୍ରସାର ରେ ଗୁରୁତ୍ୱ ଦେଇଥିଲେ। ଉଚ୍ଚଶିକ୍ଷା ତଥା ଇଂରେଜୀ ଶିକ୍ଷାର ପ୍ରସାର ଦିଗରେ ରେଭେନ୍ସାଙ୍କ ଉଦ୍ୟମ ଯେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଶିକ୍ଷା, ସ୍ୱାସ୍ଥ୍ୟ ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ଅବଦାନ ଅତୁଳନୀୟ।
ରେଭେନ୍ସାଙ୍କ ସମୟର ନଅଙ୍କ ଦୁର୍ଭିକ୍ଷ କଥା କହୁଛେ। ଆଜିର ଶାସକ ଅମଳରେ କରୋନାରେ ବିଶ୍ଵରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ସମାଲୋଚିତ ହୋଇଛି । ଅନ୍ୟ ଦେଶରେବି ମରିଛନ୍ତି, କିନ୍ତୁ ଭାରତରେ ଯେଉଁମାନେ ମରିଛନ୍ତି, ସେହି ପରିବାରର ଥଇଥାନ କରାଯାଇନି। ତେବେ ଏ ସରକାରକୁ କଣ ଦୋଷ ଦିଆଯିବନି? ଲୋକ ଚିକିତ୍ସା ଅଭାବରୁ ବା ମେଡିକାଲ ଶଯ୍ୟା ନପାଇ ମରିବା ଘଟଣାରେ ସରକାର କଣ ଦାୟୀ ରହିବେନି?ଏବେବି ଦେଶରେ ଲକ୍ଷ ଲକ୍ଷ ଲୋକ ଅର୍ଥାଭାବରୁ ଚିକିତ୍ସା ନପାଇ ମରୁଛନ୍ତି। ଅନେକ ଭିକ ମାଗୁଛନ୍ତି ଓ ଆଧୁନିକ କ୍ରୀତଦାସ ଭାବେ ଜୀବନ ବିତାଉଛନ୍ତି। ପିଲା ଅର୍ଥାଭାବରୁ ପାଠ ପଢି ପାରୁନାହାନ୍ତି, ସେଥିପାଇଁ କାହାକୁ ଦାୟୀ କରାଯିବ?

ପୁନଶ୍ଚ ଯୁକ୍ତି ହେଉଛି ରେଭେନ୍‌ସା ନାମରେ ବିଶ୍ବବିଦ୍ୟାଳୟ ରହିବା ଏକ ଔପନିବେଶିକ ମାନସିକତା । ଔପନିବେଶିକ ଶାସନରୁ ୭୫ ବର୍ଷ ତଳେ ମୁକ୍ତ ହୋଇଥିବା ଓଡ଼ିଆମାନେ ଏହି ମାନସିକତାରୁ ମୁକ୍ତ ହେବାର ଆବଶ୍ୟକତା ଅଛି। ବାସ୍ତବରେ ଔପନିବେଶିକ ମାନସିକତା ସହିତ ଅନୁଷ୍ଠାନର ନାମର କିଛି ସମ୍ପର୍କ ନାହିଁ । ଔପନିବେଶିକ ମାନସିକତାରୁ ମୁକ୍ତ ରହିବା କଥା ଯେଉଁମାନେ କହୁଛନ୍ତି, ସେମାନେ ବାସ୍ତବରେ ନିଜର ସ୍ଵାଧୀନ ଚିନ୍ତାଧାରା ହରାଇଛନ୍ତି । ବାସ୍ତବରେ ଆମର ସଂସ୍କୃତିକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତି,ନଗ୍ନତାର ଯେଉଁ ଶିକାର ହେଉଛେ , ଘରେ ଘରେ ବିଦେଶରୁ ଆମଦାନୀ ହୋଇଥବା ଦ୍ରବ୍ୟ , ପଦାର୍ଥ ବ୍ୟବହାର କରୁଛେ, ତାହା କଣ ଔପନିବେଶିକ ମାନସିକତାର ପ୍ରତିଫଳନ ନୁହେଁ। କୋଟି କୋଟି ଟଙ୍କା ବ୍ୟୟ କରି ଆମେ ଯେଉଁ କ୍ରିକେଟ ଖେଳୁଛେ , ଦେଖୁଛେ ତାହା କଣ ଔପନିବେଶିକ ମାନସିକତା ନୁହେଁ ? ବ୍ରିଟିଶ ଦ୍ଵାରା ତିଆରି ହୋଇଥିବା ରାସ୍ତା, ପୋଲ , ରେଳ ,ଶିଳ୍ପ, ବିଭିନ୍ନ ଅନୁଷ୍ଠାନ , ସ୍କୁଲ , କଲେଜକୁ ବ୍ୟବହାର କରିବା କଣ ଔପନିବେଶିକ ମାନସିକତା ନୁହେଁ ? ଆମେ ପିଲାଙ୍କୁ ଓଡ଼ିଆ ମାଧ୍ୟମରେ ନପଢ଼ାଇ ଯେଉଁ ମୂଳରୁ ଇଂରାଜୀ ମାଧ୍ୟମରେ ପଢ଼ାଉଛୁ, ପ୍ରତି କଥାରେ ଇଂରାଜୀ କହୁଛୁ, ଯିଏ ଭଲ ଇଂରାଜୀ କହିଲା ତାକୁ ଅଧିକ ଗୁରୁତ୍ବ ଓ ସମ୍ମାନ ଦେଉଛୁ, ତାହା କଣ ଔପନିବେଶିକ ମାନସିକତା ନୁହେଁ? ବାସ୍ତବରେ ଏସବୁ ଜୀବନ ଚର୍ଯ୍ୟାର ଅଂଶ ହୋଇଛି।
ଥୋମାସ ଏଡୱାର୍ଡ ରେଭେନ୍‌ସା ବହୁତ୍ ଖରାପ୍ ଲୋକ ଥିଲେ ବା ଭଲ ଲୋକଥିଲେ ତାହା ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି ନାମ ପରିବର୍ତ୍ତନରେ ଲାଭ କାହାର । ଜଣେ ଅପରାଧୀ ବା ଭଲ ଲୋକ ହେଉନା କାହିଁକି, ମୃତ୍ୟୁ ବରଣ ପରେ ସେ ଦେବତା ହୋଇଯାଏ। ଫୁଲ ଦିଆଯାଏ। ଜଣକର ନାମ ପରିବର୍ତ୍ତନ କରି ଆଉ ଜଣଙ୍କ ନାମ ଦେଲେ ଉଭୟଙ୍କ ପ୍ରତି ଅପମାନ। ଅନେକ ଲୋକ ଆଜି ପ୍ରତିଷ୍ଠିତ ହୋଇଛନ୍ତି, ଯେଉଁମାନଙ୍କୁ ତାଙ୍କ ବାପା ମା ଓଳିଏ ଖାଇବାକୁ ଦେଇ ପାରିନଥିଲେ। ସେମାନେ କଣ ତାଙ୍କୁ ଭୁଲି ଯାଇଛନ୍ତି।ଅନେକ ପ୍ରତିଷ୍ଠିତ ଲୋକ ଅଛନ୍ତି ଯାହାଙ୍କର ବାପା ମା ଅପରାଧୀ ଓ ଦୁର୍ନୀତି ଗ୍ରସ୍ତ। ସେ ଗଢିଥିବା ଘର କଣ ପିଲା ଭାଙ୍ଗି ଦେଉଛନ୍ତି। ଅନେକ ରାଜ ନେତାଙ୍କ ନାମରେ ଅନେକ ଅନୁଷ୍ଠାନ ରହିଛି। ସେହି ରାଜନେତା କଣ ଦୁର୍ନୀତି ଓ ଅପରାଧରେ ସଂଶ୍ଳିଷ୍ଟ ନଥିଲେ। ଅନେକ ମନ୍ଦିର ଗଢାଯାଇଛି ହଜାର ହଜାର ଶ୍ରମିକ, କାରିଗରଙ୍କୁ ଶୋଷଣ କରି । ଅନେକ ରାଜବାଟୀ ନିର୍ମାଣ ହୋଇଛି ପ୍ରଜାଙ୍କ ଟିକସ ଅର୍ଥରେ , ରାଜାଙ୍କ ଉପଭୋଗ ପାଇଁ । ଏସବୁର ନାମ କଣ ପରିବର୍ତ୍ତନ କରିବା । ଏମିତି କେତେ ଅନୁଷ୍ଠାନ ନାମ ପରିବର୍ତ୍ତନ କରିବା? ନାମ ପରିବର୍ତ୍ତନ ବଦଳରେ ରେଭେନ୍‌ସାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ଆବଶ୍ୟକ ।
ବାସ୍ତବରେ ନାମରେ କିଛି ନାହିଁ , ଯଦି ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ନ ଘଟିଲା ତେବେ ନାଁ ପରିବର୍ତ୍ତନରେ କଣ ଲାଭ ? ଦେଶରେ ଶିକ୍ଷା ଓ ଗବେଷଣାରେ ବ୍ୟୟ ସଙ୍କୁଚିତ ହେଉଛି। ଛାତ୍ର ଓ ଛାତ୍ରୀଙ୍କ ଗବେଷଣାତ୍ମକ ଚିନ୍ତାଧାରା , ପ୍ରଶ୍ନ ପଚାରିବାର ମାନସିକତାକୁ ଧ୍ଵଂସ କରାଯାଉଅଛି। ଶିକ୍ଷାର ଗୁଣାତ୍ମକ ମୂଲ୍ୟ ହ୍ରାସ ପାଇଛି। ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଅନେକ ବିଶ୍ୱବିଦ୍ୟାଳୟର ଦୂରାବସ୍ଥା , ଶହ ଶହ ଶିକ୍ଷକ , ଅଧ୍ୟାପକ ପଦବୀ ଖାଲି , ହଜାର ହଜାର କର୍ମଚାରୀ ନଥିବା ଯୋଗୁଁ ଶିକ୍ଷାଦାନ ରେ କିପରି ଅଚଳାବସ୍ଥା ସୃଷ୍ଟି ହୋଇଛି ତାହା ନ କହିଲେ ଭଲ । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରେ କେତେ ସଂଖ୍ୟକ ପଦବୀ ଖାଲି ରହିଛି ,ସେହି ସମ୍ପର୍କରେ ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି। ଉଚ୍ଚ ଶିକ୍ଷାରେ ୩୭୬୧, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ୩୧୦, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିରେ ୩୬୨ ପଦବୀ ଖାଲି ରହିଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛିଯେ କେନ୍ଦ୍ର ବଜେଟରେ ଉଚ୍ଚ ଶିକ୍ଷାରେ ବ୍ୟୟବରାଦ ମାତ୍ର ୯% ବୃଦ୍ଧି ପାଇଛି , ଅର୍ଥାତ ନାମାଙ୍କନ ଅଭିବୃଦ୍ଧି ଅନୁସାରେ ବିଯୁକ୍ତାତ୍ମକ। ଜିଡିପି ଅନୁସାରେ ୦.୩୮%। ଏହା ୨୦୧୪-୨୦୨୪ ରେ ହାରାହାରି ୦.୪୪% ଏଵଂ ଉପା ସରକାର ଅମଳରେ ହାରାହାରି ୦.୬୧%ଥିଲା। ଉଚ୍ଚ ଶିକ୍ଷାରେ ବ୍ୟୟବରାଦ ଗତ ବର୍ଷର ସଂଶୋଧିତ ଅଟକଳରେ ୫୭,୨୪୪ କୋଟି ଟଙ୍କା ଥିଲାବେଳେ ୧୬.୮% ହ୍ରାସପାଇ ଏବର୍ଷ ୪୭,୬୨୦ କୋଟି ଟଙ୍କା ହେବ ବୋଲି ଆକଳନ କରଯାଇଛି।ରେଭେନ୍ସା ବିଶ୍ୱବିଦ୍ୟାଳୟ ଆମ ଗର୍ବ ଓ ଗୌରବ। ରେଭେନ୍‌ସାରେ ପଢିଲା ବେଳେ ଆମେ କେବେ ଭାବିନୁ ରେଭେନ୍‌ସା କିଏ ଓ କାହିଁକି ତାଙ୍କ ନାମରେ ହୋଇଛି । ସ୍କୁଲରେ ପଢିଲାବେଳେ କେବଳ ଗୋଟିଏ ସ୍ଵପ୍ନ ଥାଏ ରେଭେନ୍‌ସାରେ ପଢିବି , ହଷ୍ଟେଲରେ ରହିବି । ଆମେ ରେଭେନ୍‌ସାରେ ୧୯୮୬ରୁ ୧୯୮୮ ପର୍ଯ୍ୟନ୍ତ ଅର୍ଥନୀତିରେ ପିଜି ବା ଏମଏ ( ଅର୍ଥନୀତି )ରେ ପଢିଥିଲୁ । ସେ ଦୁଇବର୍ଷର ସ୍ମୃତି ଏବେବି ଜୀବନ୍ତ ହୋଇରହିଛି । ରେଭେନ୍‌ସାର ଛାତ୍ରୀଛାତ୍ର କହିଲେ ଦେଶ ବିଦେଶରେ ଗୁରୁତ୍ଵ ମିଳେ । ଯାହା ନାମ ପରିବର୍ତ୍ତନ କଲେ ମିଳିବନାହିଁ । ଅବଶ୍ୟ ଏପରି ପୁରାତନ ଅନୁଷ୍ଠାନର ନାମ ପରିବର୍ତ୍ତନ ଚିନ୍ତନ ରୁଗ୍ଣ ମାନସିକତାର ପ୍ରତିଫଳନ। ଦାରିଦ୍ର୍ୟ, ବେକାରୀ, ବୈଷମ୍ୟ, ତଥା କ୍ଷୁଧା ଆଦି ସମସ୍ୟା ସମାଧାନ କରିବାର ବିଫଳତାରୁ ଲୋକ ଲୋଚନକୁ ଦୂରେଇବା ପାଇଁ, ରାଜନେତା ଏମିତି କହିଥାଆନ୍ତି। କିନ୍ତୁ ବୁଦ୍ଧିଜୀବି ଠିକ୍ କହିବା କଥା, ଯାହା ଆମଦେଶରେ ହେଉନାହିଁ। ନାମ ବଦଲେଇ ଦେଲେ କୌଣସି ଅନୁଷ୍ଠାନର ମର୍ଯ୍ୟାଦାରେ ପରିବର୍ତ୍ତନ ଆସେନାହିଁ। ସେହି ଅନୁଷ୍ଠାନର ସବୁ ପ୍ରକାର ବିକାଶ ପାଇଁ ପ୍ରଶାସନିକ ଉଦ୍ୟମ ଦରକାର।

ମୋ:୯୪୩୭୨୦୮୭୬୨

Leave a Reply

Your email address will not be published. Required fields are marked *