ଆଜିର ଗଳ୍ପ :
ମୁଁ କଣ୍ଡୁରି ଦାସ କହୁଛି
-ଡକ୍ଟର କୃତ୍ତିବାସ ନାୟକ
ପ୍ରଫେସର କଣ୍ଡୁରି ଦାସ ସ୍ଥାୟୀ ଭାବରେ ମେଡ଼ିକାଲରୁ ଫେରି ଆସିଲେ। ଦାୟିତ୍ୱରେ ଥିବା ଡାକ୍ତର ଅନ୍ୟମାନଙ୍କୁ କହିଥିଲେ-‘ଆଉ ଆମ ପାଖରେ କୌଣସି ଉପାୟ ନାହିଁ, କେବଳ ଆଇସିୟୁରେ ପକେଇ ରଖିବା କଥା। ଏଇଠି ରହିଲେ, ଆପଣମାନେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତଗୁଡ଼ିକୁ ଦେଖିବାକୁ ସୁଯୋଗ ପାଇ ନ ପାରନ୍ତି। ଯଦି ଆପଣ ଘରକୁ ନେଇଯିବେ, ସେଇଠି ତାଙ୍କର ଇଚ୍ଛା ଅନୁସାରେ ସେବା କରିପାରିବେ। ଏବେ ତାଙ୍କର ଖାଇବା ପିଇବାରେ କୌଣସି ପ୍ରକାର କଟକଣା ମଧ୍ୟ ନାହିଁ। ଯେତେବେଳେ ଯାହା ହେବାର ଥିବ, ତାହା ତ ହେଇଯିବ। ଆପଣମାନେ ଚିନ୍ତାକରି ମୋତେ ଜଣାଇଲେ, ମୁଁ ତାଙ୍କୁ ରିଲିଭ କରିବାର ବ୍ୟବସ୍ଥା କରିବି।
ତାଙ୍କ ପାଖରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ, ପ୍ରଫେସର ପଠାଣି ପଟ୍ଟନାୟକ। ସେ ମହେଶ୍ୱର ବାବୁଙ୍କୁ ଠାରିଦେଇ ଦୂରୁକୁ ନେଇ ପଚାରିଥିଲେ, କ’ଣ କରିବା ? କଣ୍ଡୁରି ବାବୁ ଆଉ ବେଶିଦିନ ବଞ୍ଚିବେ ନାହିଁ। ତାଙ୍କର ଜୀବନଦୀପ ଲିଭିଲିଭି ଆସୁଛି। ସେକଥା ଡାକ୍ତରମାନେ ଘୋଷଣା କରି ସାରିଲେଣି। ଆପଣ କ’ଣ ଭାବୁଛନ୍ତି ?
ମହେଶ୍ୱର ବାବୁ ମଥା ତଳକୁ କରି କହିଲେ- ‘ଡାକ୍ତର ବାବୁ ଯାହା କହିଲେ, ସତକଥା। ଏଇଠି ଏକୁଟିଆ ପଡ଼ି ରହି ଯନ୍ତ୍ରଣା ପାଇବା ଅପେକ୍ଷା ତାଙ୍କଘରକୁ ନେଇଯିବା ଭଲ ହେବ। ମୁଁ ତ ଏବେ ତାଙ୍କର ସେବା କରୁଛି, ଆଉ ଶେଷ ପର୍ଯ୍ୟନ୍ତ ମୋତେ ହିଁ କରିବାକୁ ପଡ଼ିବ। ମେଡ଼ିକାଲକୁ ପ୍ରତିଦିନ ଆସି ତାଙ୍କକଥା ବୁଝିବା ଅପେକ୍ଷା ତାଙ୍କଘର ବରଂ ମୋତେ ବେଶି ସୁବିଧା ହେବ। ବୁଢ଼ା ତ ଏକଜିଦିଆ ମଣିଷ। ତାଙ୍କର ଧନୁର୍ଦ୍ଧର ତିନିଟା ରୋଜଗାରିଆ ପୁଅ ଥାଉଥାଉ ସେ କାହାରିକୁ ଏ’ ଖବର ଦେବାକୁ ମନା କରୁଛି। ମୋତେ କହୁଛି-ଯଦି ତତେ ଖରାପ ଲାଗୁଛି, କାଲିଠାରୁ ଆଉ ଆସିବୁ ନାହିଁ। କ’ଣ ହେଇଛି କେଜାଣି, ଜଣାପଡୁଛି ପୁଅ ଉପରେ ବୁଢ଼ା ଭାରି ରାଗିଛି। କିନ୍ତୁ କେବେ ବି ସେ ମନଖୋଲି ତା’ ପୁଅ କି ବୋହୂଙ୍କ ବିରୁଦ୍ଧରେ କିଛି ମୋତେ କହେନାହିଁ। ସେକଥା ପଚାରିଲେ-ତାକୁ କାଳେ କଷ୍ଟହେବ, ସେଇଥିପାଇଁ ମୁଁ କେବେ ସେକଥା ତାକୁ ପଚାରେ ନାହିଁ।
କଣ୍ଡୁରି ଆଉ ମୁଁ ଦୁଇଜଣ ଏକାଦିନେ ଲେକ୍ଚର ହେଇ ରେଭେନସା କଲେଜରେ ଜଏନ କରିଥିଲୁ। ଯେତେବେଳେ ଟ୍ରାନ୍ସଫର ହେଇଛି, ଗୋଟିଏ ଅର୍ଡ଼ରରେ ଆମେ ଦୁଇଜଣଙ୍କର ହେଇଛି। ସେ ଥିଲେ ମୋ ପାଖରେ କିମ୍ବା ମୁଁ ଥିଲେ ତା’ ପାଖରେ ଆମେ କିଛି ଅଭାବ ଅନୁଭବ କରିପାରୁନା । ନୂଆ ଜାଗାଟା ପୁରୁଣା ଜାଗା ଭଳି ଲାଗେ। ସବୁବେଳେ ପାଖାପାଖି ଆମକୁ କ୍ୱାର୍ଟର ମିଳିଯାଏ। ତାଙ୍କର ପିଲା ଆଉ ମୋର ପିଲାମାନେ ଗୋଟିଏ ପରିବାରର ପିଲାବୋଲି ମନେ କରନ୍ତି। ପ୍ରିନିସପାଲ କହନ୍ତି-‘ଆପଣ ଦୁଇଜଣ ଗତଜନ୍ମରେ ଦୁଇଭାଇ ଥିଲେ’।
ମୋତେ କେହି ଘରେ ଦେଖିବାକୁ ନ ପାଇଲେ, ସେ ନିଶ୍ଚିତ ହେଇଯାଉଥିଲେ-ଯେ; ମୁଁ କଣ୍ଡୁରି ଘରେ ଥିବି, ନହେଲେ ତା’ ସହିତ କେଉଁ ସଭା ସମିତିକୁ ଯାଇଥିବି । ପରସ୍ପର ନାମଧରି ଆମେ ଡକାହକା ହେଉ, ପରସ୍ପର ଅଭାବ ଅସୁବିଧାକୁ ଦୂରକରୁ।ମୋର କୌଣସି ପ୍ରକାର ଦୁଃଖ କଷ୍ଟକୁ ସେ ସହିପାରେ ନାହିଁ। ମୋର ଏକମାତ୍ର ଝିଅ ବନିତାକୁ ସେ କନ୍ୟାଦାନ କରିଥିଲା। ସେହି ସମୟରେ ମୋର ଆର୍ଥିକ ଅବସ୍ଥା ଭଲ ନ ଥିଲା, ସେକଥା ଜାଣିପାରି ସେ ନିଜେ ଯାନି ଯୌତୁକ ଦେଇ ବାହାଘର ବାବଦକୁ ଯାହା ଦରକାର, ସେ ଅକାତର ଭାବେ ଖର୍ଚ୍ଚ କରିଥିଲା। ମୋତେ କହିଥିଲା-‘ମୋର ତ ଝିଅଟିଏ ନାହିଁ, କନ୍ୟାଦାନ କରି ନ ପାରିଲେ, ଆରଜନ୍ମକୁ ମୁଁ ଓଥଡ଼ା ହେଇ ମରିବି। ତୁ ତ କନ୍ୟାରତ୍ନ ପାଇଛୁ। ତୋର ଆଉ ଓଥଡ଼ା ଦୋଷ ରହିବ ନାହିଁ, ତେଣୁ ମୁଁ ବନିତାର ବାହାଘର କରିବି। ତୁ ତା’ର ମଉସା ଭଳି କାମକରି ଯାହା ପୁଣ୍ୟ ଅର୍ଜନ କରିବାର ଅଛି, କରିବୁ। ଶେଷରେ ତା’ କଥା ହିଁ ରହିଲା। ବାହାଘର ଦିନ ସେ କାଷ୍ଠା ଉପବାସ ରହି କନ୍ୟାଦାନ କଲା। ସତରେ ସେ ମୋତେ ଚିରଦିନ ପାଇଁ ଋଣୀକରି ରଖିଦେଲା।
ସେଦିନ ମୁଁ ବେଦୀ ପାଖରେ ଅଗ୍ନିକୁ ସାକ୍ଷୀରଖି ଶପଥ ନେଇଥିଲି, କଣ୍ଡୁରିର ଯାହା ଯେତେବେଳେ ଦରକାର, ମୁଁ ନିଶ୍ଚୟ ଦେଉଥିବି। ମୁଁ ଜାଣେ ଋଣ ସୁଝିବାକୁ ଶ୍ରେଷ୍ଠ ଉପାୟ ହେଲା-ସେବା। ସେ କଥାକୁ ମୁଁ ଆଜିଯାଏ ଭୁଲିନାହିଁ। କିମ୍ବା ଭୁଲିପାରିବି ନାହିଁ। ତେଣୁ ତା’ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ସେବା କରିବାକୁ ପ୍ରସ୍ତୁତ ରହିଛି।
ମହେଶ୍ୱର ବାବୁଙ୍କ ଭରସାରେ ସେଦିନ ମେଡ଼ିକାଲରୁ କଣ୍ଡୁରି ବାବୁ ରିଲିଭ ହେଇଯାଇଥିଲେ।
ପଠାଣି ବାବୁଙ୍କ ସହିତ ଆହୁରି କେତେଜଣ ସହକର୍ମୀ, ଶୁଭେଛୁ ଅଧ୍ୟାପକ ମଧ୍ୟ ସେଦିନ କଣ୍ଡୁରି ବାବୁଙ୍କ ଘରବାହୁଡ଼ା ସହିତ ତାଙ୍କ ବାସଭବନକୁ ଆସିଥିଲେ। କାହାରି ମୁହଁରେ ସରସତା ନ ଥିଲା। ମହେଶ୍ୱର ବାବୁ ତାଙ୍କ ପାଇଁ ସଫା ବେଡ଼ସିଟ ବିଛେଇ ଦେଲେ।
ଦୁଇପାଖରେ ଦୁଇଟା ବଡ଼ ତକିଆ ଆଉ ମଥା ରଖିବାକୁ ଛୋଟିଆ ପତଳା ତକିଆ ସଜେଇଦେଲେ। ଅନ୍ୟମାନଙ୍କ ସହାୟତାରେ କଣ୍ଡୁରି ବାବୁଙ୍କୁ ସେହି ବିଛଣାରେ ଶୁଆଇ ଦିଆଗଲା।
ଆଶ୍ଚର୍ଯ୍ୟର କଥା, ସେହି ବିଛଣାରେ ଶୋଉ ଶୋଉ କଣ୍ଡୁରି ବାବୁ କଥା କହିବା ଆରମ୍ଭ କରିଦେଲେ- ‘ମହେଶ୍ୱର ! ଏବେ ମୋତେ ଖୁବଭଲ ଲାଗୁଛି, ସେ ଆଲମିରା ଚାବିଟା ଖୋଲ। ଉପର ଥାକରେ ମୋ ବ୍ୟାଙ୍କ ଚେକ ବହିଟା ଅଛି, ତାକୁ ଟିକେ ଆଣି ମୋତେ ଦେ। କଲମଟା ବି ତା’ ପାଖରେ ଅଛି’।
ମହେଶ୍ୱର ବାବୁ ବିଶ୍ଵସ୍ତ ଚାକର ଭଳି ତରବର ହେଇ ଆଲମିରା ଖୋଲି ଚେକ ବହି ଆଉ କଲମ ଆଣି ତାଙ୍କ ହାତରେ ଧରେଇ ଦେଲେ।
-‘ମୋତେ ଟିକେ ଧର ମୁଁ ବସିବି’।
ପଠାଣି ବାବୁ କହି ପକେଇଲେ-‘ସାର ଆପଣ ମୋତେ ଚିହ୍ନି ପାରୁଛନ୍ତି ତ’ ?
-‘କାହିଁକି ଚିହ୍ନି ପାରିବି ନାହିଁ ? ଆପଣ ପରା ଆମ କଲେଜର ପ୍ରିନ୍ସପାଲ। ମୋର ତ ଶେଷ ସମୟ ଆସିଗଲା। ଆପଣ ଆସିଛନ୍ତି, ଭଲହେଲା’।
-‘ସେମିତି କୁହନ୍ତୁ ନାହିଁ ସାର ! ଆପଣ ନିଶ୍ଚୟ ଭଲ ହେଇଯିବେ’।
-‘ହୁଁ-କହି କଣ୍ଡୁରି ବାବୁ ଚେକ ବହିରେ ଗୋଟାଏ ପରେ ଗୋଟାଏ ଦସ୍ତଖସ୍ତ କରି ପାଞ୍ଚଲକ୍ଷ ଟଙ୍କା ଉଠେଇ ଆଣିବାକୁ ମହେଶ୍ୱର ବାବୁଙ୍କୁ ଆଦେଶ ଦେଲେ।
ଉପସ୍ଥିତ ଲୋକମାନେ ଆବାକ ହେଇଗଲେ। ବୁଢ଼ାର ଅବସ୍ଥା ଯାହା ଥିଲା, ସମସ୍ତେ ଭାବୁଥିଲେ-ବୁଢ଼ା ତ କୋମାରେ ଥିଲା, ସେ ଏବେ ଚାଲିଯିବ କିମ୍ବା ଯାଇ ସାରିଲାଣି, କିନ୍ତୁ ଏ’ କ’ଣ ଘରେ ପହଞ୍ଚୁ ପହଞ୍ଚୁ ବିଛଣାରୁ ଉଠି ଚେକ ବହିରୁ ପାଞ୍ଚଲକ୍ଷ ଟଙ୍କା ଉଠେଇଲାଣି ! ତା’ମାନେ ବୁଢ଼ା ଏଥର ପୂରା ଭଲ ହେଇଗଲା। ଯାହାହେଉ ଭଲହେଲା। ମହେଶ୍ୱର ବାବୁଙ୍କର ଦୁଃଖ ଦୂର ହେଇଯିବ।
ମହେଶ୍ବର ବାବୁ କହିଲେ -‘ଏତେଟଙ୍କା ଆଣି ମୁଁ କ’ଣ କରିବି ? ସେ ଟଙ୍କା ପାସବୁକରେ ଥାଉ, ତୁ ଭଲ ହେଇଗଲେ ନିଜେ କାଢ଼ି ଖର୍ଚ୍ଚ କରିବୁ’।
-‘ମୁଁ ଆଉ ଭଲ ହେବିନାହିଁ ରେ ମହେଶ୍ବର! ଆଜିଦିନ ତିନିଟାରେ ମୁଁ ଆରପାରିକୁ ଚାଲିଯିବି। ବଞ୍ଚି ଥାଉଥାଉ ତୁ ଯା’ ଏ’ ଟଙ୍କା ଉଠେଇ ଆଣିବୁ, ନହେଲେ- ମୋ ଅନ୍ତେ ବ୍ୟାଙ୍କବାଲା ସହଜରେ ତୋତେ ଦେବନାହିଁ । କହିବୁ, ମୁଁ ଅତିଶୟ ବେମାର। ମୋର ଟଙ୍କା ଦରକାର। ଯଦି ନ ଦିଅନ୍ତି, ମ୍ୟାନେଜରକୁ କହିବୁ ସେ ମୋ ସହିତ ଫୋନରେ କଥାହେବେ’।
-‘ଏତେ ଟଙ୍କାକୁ ମୁଁ ଏବେ କେଉଁଠି ରଖିବି’?
-‘ତୋ ଆକାଉଣ୍ଟରେ ରଖିଦେବୁ। ମୋର ସଂସ୍କାର କାର୍ଯ୍ୟରେ କିଛି ଲାଗିବ, ଆଉ ଯାହା ବଳିଥିବ; ସେଥିରେ ମୋର ସାଙ୍ଗସାଥୀଙ୍କୁ ଡାକି ଭଲକରି ମାଛଭୋଜିଟି ଖାଇବାକୁ ଦେଇଦେବୁ। ଆଉ ଗୋଟିଏ ଚେକ ଧର, ମୋର ସବୁଯାକ ଟଙ୍କାକୁ ତୋ’ ଆକାଉଣ୍ଟକୁ ମୁଁ ଟ୍ରାନ୍ସଫର କରିଦେଇଛି, ଏଇଟାକୁ ତୋ ନାମରେ ଡିପୋଜିଟ କରିଦେଇ ଆସିବୁ’।
-‘ନାଇଁ ଏଇଟାକୁ ମୁଁ ଧରିବି ନାହିଁ। ସେଇମିତି ଥାଉ’।
ଏତିକି ଶୁଣି କଣ୍ଡୁରି ବାବୁ ଗର୍ଜି ଉଠିଲେ-‘ମୁଁ ପ୍ରଫେସର କଣ୍ଡୁରି ଦାସ କହୁଛି, ମୋ ଆଜ୍ଞାକୁ ଅବଜ୍ଞା କରିବାକୁ ତୋତେ ସାହସ ଦେଲା କିଏ’?
ପୁଣି ଥରେ ସେ କହିଲେ, ‘ମନେରଖ ମହେଶ୍ୱର! ମୁଁ ତୋ’ ସାଙ୍ଗ କଣ୍ଡୁରି ନୁହଁ, ମୁଁ ପ୍ରଫେସର କଣ୍ଡୁରି ଦାସ। ଯା- ଶୀଘ୍ର ଟଙ୍କାଧରି ଆସିବୁ’।
ସ୍ତବ୍ଧ ହେଇଯାଇଥିଲେ, ଉପସ୍ଥିତ ଶୁଭେଛୁ, ଅଧ୍ୟାପକ ଓ ଅନ୍ୟ ସାହି ପଡ଼ିଶାର ଲୋକେ। ଚମକି ପଡ଼ିଥିଲେ ମହେଶ୍ୱର ବାବୁ।
ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ-ଏମିତି କେମିତି ସମ୍ଭବ ହେଲା ? ବୁଢ଼ା ତ ଏବେ ବି ପୂରା ଠିକ ଅଛି, ଏତେଦିନ ଯାଏ ଆଇସିୟୁରେ କାହିଁକି ଥିଲା ?
ଧୀରେ ଧୀରେ ଜଣକ ପରେ ଜଣେ ସେ ଜାଗାରୁ ଖସିବା ଆରମ୍ଭ କରିଦେଲେ। ପଠାଣି ବାବୁ ବାହାରକୁ ଡାକିନେଇ ମହେଶ୍ୱର ବାବୁଙ୍କୁ ବୁଝେଇଦେଲେ, ‘ସାରଙ୍କ କଥାମାନି ଏବେ ଟଙ୍କା ଉଠେଇ ଆଣି ରଖନ୍ତୁ, ପରେ ବରଂ ଆମେ ତାଙ୍କ ଆକାଉଣ୍ଟରେ ପୁଣି ଡିପୋଜିଟ କରିଦେବା’।
ଆଦେଶ ପାଳନ କରିବା ଉଦ୍ଦେଶ୍ୟରେ ମହେଶ୍ୱର ବାବୁ ସେଠାରୁ ଚାଲିଗଲେ। ସତକୁ ସତ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଏତେଗୁଡ଼ାଏ ଟଙ୍କା ଦେବାକୁ ଅନୁମତି ଦେଇଦେଲେ। ଶେଷରେ ସେ ଟଙ୍କାକୁ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେବାକୁ ରାଜି ହେଇଗଲେ।
ମହେଶ୍ୱର ବାବୁଙ୍କର ମନେ ପଡ଼ିଗଲା, କଣ୍ଡୁରି କହୁଥିଲା -‘ଆଜି ଦିନ ତିନିଟାରେ ସେ ଆରପାରିକୁ ଚାଲିଯିବ। ସେ କ’ଣ ସର୍ବଜ୍ଞ ଯେ, ନିଜ ଇଚ୍ଛାରେ ସେ ଆରପାରିକୁ ଚାଲିଯିବ ? କଣ୍ଡୁରି ବେକାରିଆ ଲୋକଟା ମ ! ତା’ ମୁଣ୍ଡ ଖରାପ ହେଇଗଲାଣି, ନିଜ ମୃତ୍ୟୁର ସମୟ କେଇଟା ଲୋକ ଜାଣିଥା’ନ୍ତି ? କିଏ ବା ମରିବାକୁ ଚାହେ? ଛାଡ଼ ତା’ କଥା। ତଥାପି ତିନିଟା ପୂର୍ବରୁ ତ ଘରେ ପହଞ୍ଚିଗଲେ ଗଲା। ମୁଁ ଗଲେ ସେଇଠୁ ପଠାଣି ବାବୁ ମୁକ୍ତି ପାଇବେ।
ସେ ତରବର ହେଇ ବ୍ୟାଙ୍କରୁ ସିଧା ଚାଲିଲେ, କଣ୍ଡୁରି ବାବୁଙ୍କ ଘରକୁ। ଆହୁରି ପାଞ୍ଚ ମିନିଟ ଅଛି, ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ। ଟଙ୍କା ଉଠେଇଦେବା କଥା ସେ କଣ୍ଡୁରି ବାବୁଙ୍କୁ ଜଣେଇଦେଲେ। ସେ ଅଳ୍ପଟିକେ ହସିଦେଇ କହିଲେ -‘ମହେଶ୍ୱର! ମୋ ପାଖକୁ ଟିକେ ଆ’-ତୋ’ ହାତଟାକୁ ମୋ ମଥା ଉପରେ ଥୋଇ ଶପଥ କର, ମୋର ମୃତ୍ୟୁ ଖବର କଦାପି ମୋର କୌଣସି ପୁଅ ବୋହୂଙ୍କୁ ଜଣେଇବୁ ନାହିଁ। ମୋର ମୁଖାଗ୍ନି ତୁ ଦେବୁ। ସମସ୍ତ ପ୍ରେତକର୍ମ ତୁ କରିବୁ। ଭଲକରି ମାଛ ଭୋଜିକରି ସମସ୍ତ ଜ୍ଞାତି କୁଟୁମ୍ବକୁ ଖୁଆଇବୁ। ତୁ ପ୍ରତିବର୍ଷ ମୋତେ ଶ୍ରାଦ୍ଧଦେବୁ। ମୋର ଆତ୍ମା ତୋ ପାଇଁ ମୁକ୍ତି ପାଇବ। ପଠାଣି ବାବୁ ଆମ ପ୍ରିନ୍ସପାଲ ସବୁକଥାକୁ ସାକ୍ଷୀ ରହିଲେ। ଏବେ ତିନିଟା ବାଜିଯିବ, ମୋତେ ଡାକରା ଆସିଲାଣି। ମୁଁ ଚାଲିଲି’।
ସତକୁ ସତ କଣ୍ଡୁରି ବାବୁ ସବୁଦିନ ପାଇଁ ଆଖି ବୁଜିଦେଲେ। ପଠାଣି ବାବୁ ତରବର ହେଇ ଡାକ୍ତରଙ୍କୁ ଡକାଇ ପଠାଇଲେ।
ଡାକ୍ତର ବାବୁ କହିଦେଲେ- ‘ସେ ଆଉ ନାହାନ୍ତି। ମହେଶ୍ୱର ବାବୁ ପିଲାଙ୍କ ଭଳି ତାଙ୍କ ଉପରେ ଲୋଟି ପଡ଼ି କଣ୍ଡୁରି ! କଣ୍ଡୁରି ! ବୋଲି ଚିତ୍କାର କରି ମଥା ପିଟିଦେଲେ। ପଠାଣି ବାବୁ ଦୁଇବନ୍ଧୁଙ୍କର ଅମଳିନ ସ୍ନେହ, ପ୍ରେମ ଓ ବିଶ୍ୱାସକୁ ଦେଖି ଆଖିରୁ ଲୁହ ଝରାଉଥିଲେ।
ଚାହୁଁ ଚାହୁଁ କଣ୍ଡୁରି ବାବୁଙ୍କ ମୃତ୍ୟୁ ଖବରଟା ବିଜୁଳି ବେଗରେ ଆଖପାଖ ଅଞ୍ଚଳରେ ପହଞ୍ଚିଗଲା। ଶେଷ ଦର୍ଶନ କରି ସେମାନେ କଣ୍ଡୁରି ବାବୁଙ୍କ ସଦଗୁଣ, ପାଠ ପଢ଼େଇବା ନିଆରା ଢଙ୍ଗ ଆଉ ତ୍ୟାଗ ମନୋବୃତ୍ତିକୁ ପ୍ରଶଂସା କରି ଲୁହ ଢାଳିଲେ, କିନ୍ତୁ ସମସ୍ତଙ୍କର ଆଖି ଖୋଜୁଥିଲା-ତାଙ୍କର ତିନି ତିନିଟା ରୋଜଗାରିଆ ଯୋଗ୍ୟ ପୁଅମାନଙ୍କୁ। କେହି କିନ୍ତୁ କିଛି କହିପାରୁ ନ ଥିଲେ।
ତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ଉଦ୍ଦେଶ୍ୟରେ ମହେଶ୍ୱର ବାବୁ ହିଁ ମୁଖାଗ୍ନି ଦେଲେ, ପ୍ରେତକର୍ମ ବି ଧରିଲେ। ତିରଣ ଉପରେ ଶୋଇଲେ। ସିଝା ପରିବା ଖାଡ଼ିମରା ଭାତ ଏକବେଳିଆ ଖାଇଲେ, ଅଛୁଆଁ ହେଇ ରହିଲେ। ସାମାନ୍ୟ ନିଷ୍ଠା କମିଗଲେ, କାଳେ କଣ୍ଡୁରିର ଆତ୍ମା ଦୁଃଖ ପାଇବ, ସେଥିପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ସମସ୍ତ ପ୍ରେତକର୍ମ ନୀତି ନିୟମକୁ ପାଳନ କରୁଥା’ନ୍ତି।
କୌଣସି ସୂତ୍ରରୁ ଖବର ପାଇ ତାଙ୍କର ତିନିପୁଅ ଗୋଟାଏ ଗାଡ଼ିରେ ଆସି ପହଞ୍ଚିଲେ। ସେତେବେଳକୁ ବାପାଙ୍କ ମୃତ୍ୟୁର ଦଶଦିନ ତୁଠ କାମ ଶେଷ ହେଇସାରିଥାଏ। ତାଙ୍କ ଅବର୍ତ୍ତମାନରେ ସବୁକିଛି କାମ କେମିତି ଆପେ ଆପେ ଚାଲିଛି। ତାଙ୍କୁ କାହିଁକି କେହି ଖବର ଦେଲେନାହିଁ, ଏ’କଥା ପଚାରିବାକୁ କାହାରି ସାହସ ନ ଥିଲା। ଲଜ୍ଜା ଓ ସଂକୋଚରେ ନିଜର ଅପାରଗ ପଣିଆକୁ ସେମାନେ ଲୁଚେଇ ରଖିପାରୁ ନ ଥିଲେ। ପାଖ ପଡ଼ିଶା ତାଙ୍କୁ ସର୍କସର ଜୋକରକୁ ଦେଖିବା ଭଳି ଚାହିଁ ରହିଥିଲେ। ତିନିଭାଇ ପରସ୍ପର ଭିତରେ କଥାହେଲେ-‘ଯାହା ତ ହେବାର ହେଇଗଲାଣି। ଆମେ ପୁଅ ହିସାବରେ ବାପାଙ୍କ ଆତ୍ମାର ଶାନ୍ତିପାଇଁ ଗୋଟାଏ ମସ୍ତବଡ଼ ଭୋଜିର ଆୟୋଜନ କରିବା। ସେ ଏମିତି ଭୋଜି ହେଇଥିବ ଯେ, ଆଖପାଖ ଅଞ୍ଚଳରେ କେହି କେବେ ଏମିତି ଭୋଜି କରି ନ ଥିବେ କି ଭବିଷ୍ୟତରେ ମଧ୍ୟ କରିପାରିବେ ନାହିଁ। ତିନିଭାଇ ମିଶି ବ୍ୟାଙ୍କକୁ ଯାଇ ଟଙ୍କା ଉଠେଇ ବଜାରକୁ ଚାଲିଗଲେ। ସହରର ନାମୀ ଦାମୀ ହୋଟେଲ ବୁକିଂ ହେଇଗଲା। ଅତିକମରେ ମେନୁରେ ତିରିଶ ପ୍ରକାର ଖାଦ୍ୟ ରହିବ ବୋଲି କୁହାଗଲା। ଅଗ୍ରିମ ଦଶଲକ୍ଷ ଟଙ୍କା ହୋଟେଲକୁ ଦିଆ ହେଇଗଲା। ଟ୍ରକ ଭର୍ତ୍ତି ସଉଦା ପତ୍ର ମାଛ, ମାଂସ, ଛେନା, ଘିଅ ବୁହାହେଇ ହୋଟେଲରେ ପଶିଲା।
ଏଣେ ମହେଶ୍ୱର ବାବୁଙ୍କ ତରଫରୁ ପଠାଣି ବାବୁ ମାଛଭୋଜିର ଆୟୋଜନ କରି ସାରିଥା’ନ୍ତି। ଏକା ସମୟରେ ପୁଣି ଏକାଜାଗାରେ ଦୁଇ ଦୁଇଟା ଭୋଜି ଜଣଙ୍କ ଉଦ୍ଦେଶ୍ୟରେ ହେଉଥିବା ଖବର ସେ ଅଞ୍ଚଳରେ କୌତୁହଳ ସୃଷ୍ଟିକଲା। ଶେଷରେ ଠିକହେଲା, ଯାହାର ଇଚ୍ଛା ଯେଉଁଠି ସେ ସେଇଠିକି ଖାଇବାକୁ ଯାଉ।
ହୋଟେଲ ବୁକିଂ କରି ସାରି ତିନିପୁଅ ଘରଘର ବୁଲି ହୋଟେଲକୁ ଭୋଜିକୁ ଆସିବାକୁ ନିମନ୍ତ୍ରଣ କରିବାକୁ ବାହାରି ପଡ଼ିଲେ। ଅନେକ ଲୋକ ତାଙ୍କୁ ଚିହ୍ନିପାରୁ ନ ଥିଲେ। ନିଜର ପରିଚୟ ଦେଇ କେତେକ ଲୋକଙ୍କଠାରୁ ସେମାନେ ମୃଦୁ ଭତ୍ସନା ଶୁଣିବାକୁ ପାଇଲେ।
କେତେକ କହିଲେ-‘ହଇରେ ବାପା ! ତମେ ମଲାବେଳକୁ ଆସି ବାପାଙ୍କ ପାଟିରେ ଟିକେପାଣି ଦେଇପାରିଲ ନାହିଁ । କାନ୍ଧରେ ତାଙ୍କ ଶବକୁ ନେଇପାରିଲ ନାହିଁ। ହତଭାଗା ଗୁଡ଼ାକ ମୁଖାଗ୍ନି ଦେବା କଥା ତ ଛାଡ଼, ପ୍ରେତକର୍ମ ବି କଲନାହିଁ। ବାପା ମାଆମାନେ କାହିଁକି ପୁଅଟିଏ ଖୋଜନ୍ତି ? ଶେଷବେଳେ ଟିକେ ତ ଆସିଲ ନାହିଁ କି ଦେଖିଲ ନାହିଁ। କେତେ ଭଲଲୋକ ଥିଲେ, ତମର ବାପା । ତାଙ୍କୁ ସବୁଲୋକ ଝୁରି ହେଉଛନ୍ତି। ଏବେ ଭୋଜିଦେଇ କ’ଣ ତମେ ପିତୃଋଣରୁ ମୁକ୍ତ ହେବାକୁ ଆସିଛ’?
କେତେ ପ୍ରକାର କଟୁକଥା, କେତେ ପ୍ରଶ୍ନ ପୁଣି କେତେ ଉପହାସ ପୁଅମାନଙ୍କୁ ଅସହ୍ୟ ହେଉଥିଲା। ଯଦି ହୋଟେଲ ଅଗ୍ରିମ ଦିଆହେଇ ନ ଥା’ନ୍ତା, ତେବେ ସେମାନେ ନିଶ୍ଚୟ ନିଜ ନିଜ ଜାଗାକୁ ଫେରି ଯାଇଥା’ନ୍ତେ । ଓହୋ-ବଡ଼ ଅଡୁଆରେ ପଡ଼ିଗଲେ ସେମାନେ। ଯାହା ଯେମିତି ଆଜି ସେ ଭୋଜିଟାକୁ ସାରିଦେଇ ଏଇଠୁ ତୁରନ୍ତ ପଳାଇଗଲେ ମୁକ୍ତି ମିଳିଯିବ।ତିନିଭାଇ ନିଜନିଜ ପସନ୍ଦର ନୂଆ ଦାମୀ ପୋଷାକ ପିନ୍ଧି ସଞ୍ଜବେଳକୁ ହୋଟେଲ ପାଖରେ ଠିଆହୋଇ ଅତିଥିମାନଙ୍କୁ ଅପେକ୍ଷା କରି ରହିଥା’ନ୍ତି। ନିଜର ବନ୍ଧୁ ବାନ୍ଧବ, ସାହି ପଡ଼ିଶା କ’ଣ କେହି ଜଣେ ବି ଆସୁ ନାହାନ୍ତି, କଥା କ’ଣ ? ରାତି ନଅଟା ବେଳ ପର୍ଯ୍ୟନ୍ତ ଅପେକ୍ଷା କରି କରି ସେମାନେ ତାଙ୍କ ଘରକୁ ମୁହେଁଇଲେ। ସେମାନଙ୍କୁ କେହି ଅଟକାଇ ରଖିଛି ନା’ କ’ଣ ?
ସେତେବେଳକୁ ସବୁଯାକ ଶୁଭେଛୁ, ବନ୍ଧୁବାନ୍ଧବ, ବାପାଙ୍କର ସାଙ୍ଗସାଥି ଯାଇ ମହେଶ୍ୱର ମଉସାଙ୍କ ଭୋଜିରେ ବସି ଯାଇଥା’ନ୍ତି।
ବଡ଼ପୁଅ କାନ୍ଦକାନ୍ଦ ହେଇ କହିଲା-‘ମଉସା ! ଏମିତି କ’ଣ କେମିତି ହେଇଗଲା ? ଆମକୁ କ୍ଷମା କରିଦିଅ। ଆମେମାନେ ଅପରାଧୀ। ବାପାଙ୍କ ପ୍ରତି ଅନେକ ଅନ୍ୟାୟ କରିସାରିଛୁ। ସେ ନିଶ୍ଚୟ ଆମକୁ ଗାଳି କରିଥିବେ। ଆମର ନିନ୍ଦାକରି ଦୁଃଖ କରିଥିବେ, ଅଭିଶାପ ଦେଇଥିବେ’।
ନାଇଁରେ ବାପା ! ତମର ବାପା ତ ଜଣେ ମଣିଷ ନଥିଲେ, ସେ ଥିଲେ ପ୍ରକୃତରେ ଜଣେ ଜୀବନ୍ତ ଦେବତା, ତାଙ୍କୁ ତମେମାନେ କେହି ଚିହ୍ନି ପାରିଲ ନାହିଁ। ନିଜ ସ୍ୱାର୍ଥ-ସୁଖରେ ମଜି ରହି ତାଙ୍କୁ ଦିନେ ବି ପଚାରିଲ ନାହିଁ। ବାପାମାନେ ତ କେବେ ବି ପିଲାଙ୍କ ଠାରୁ କିଛି ଆଶା କରନ୍ତି ନାହିଁ। ଟିକେ ସ୍ନେହ, ଦି’ପଦ କଥା, ଆଉ ସୁସମ୍ପର୍କ, ଦରକାର ବେଳେ ଭରସା ଚାହାନ୍ତି-ସମସ୍ତଙ୍କର ବାପା ମାଆ। କଣ୍ଡୁରିର କ’ଣ ଧନର ଅଭାବ ଥିଲା କି ? ନାଇଁ, ତା’ର ପେନସନ ପଇସା ତ ଯାହାକୁ ଯେତେ।
ତୁମମାନଙ୍କୁ ଏତିକି କହି ଦେଉଛି ଶୁଣ। କଣ୍ଡୁରିର ଜୀବନର ଶେଷଇଚ୍ଛାକୁ ମୁଁ ଏବେ ପୂରଣ କରୁଛି। ପ୍ରତିବର୍ଷ ତା’ ଶ୍ରାଦ୍ଧ ବି ମୁଁ ଠିକ ଭାବରେ କରିବି। ସେ ଥିଲା- ମୋ ଜୀବନର ଆଦର୍ଶ, ଦୁଃଖବେଳର ବନ୍ଧୁ, ସୁଖର ସାଥି। ତମେ ତିନିଜଣ ଜାଣିରଖ, ତମର ବାପା ତାଙ୍କର ସବୁଯାକ ବଳକା ଟଙ୍କାକୁ ମୋ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇ ଯାଇଛନ୍ତି। ଦରକାର ହେଲେ, ମୋତେ ଜଣାଇବ, ମୁଁ ତମ ତିନିଜଣଙ୍କୁ ସେ ଟଙ୍କାକୁ ବାଣ୍ଟି ଦେଇଦେବି। ପିଲାଟିବେଳୁ ତମେ ମୋତେ ଦେଖି ଆସିଛ। ମୁଁ ତମକୁ ଆଉ ତମ ବାପା ମାଆଙ୍କୁ ଭଲ ଭାବରେ ଜାଣିଛି। ତମେମାନେ ସମ୍ପର୍କ ତୁଟେଇ ଦେବା ପରଠାରୁ ମୋ ଜାଣିବାରେ ତମ ବାପାମାଆ କେବେ ତମର ନିନ୍ଦା କରିନାହାନ୍ତି। ଆଗରୁ କେବଳ ତାଙ୍କ ତୁଣ୍ଡରେ ତମମାନଙ୍କର ପ୍ରଶଂସା କରିସାରିଛନ୍ତି, ସେହି ତୁଣ୍ଡରେ ତମର ଅପକର୍ମକୁ ନିନ୍ଦା କରିବେ କେମିତି ? ସେ କେବେ କାହାରିକୁ ତମମାନଙ୍କ ବିଷୟରେ ଆଉ କିଛି ବି କହୁ ନଥିଲେ। କେବଳ ସେ ଆଖିରୁ ଲୁହ ଝରାଉଥିଲା। ମନେ ମନେ ତମମାନଙ୍କୁ ଟିକେ ଦେଖିବାକୁ ଚାହୁଁ ଥିଲା। ଅନେକ ଅକୁହା ବେଦନା ତାଙ୍କ ହୃଦୟ ଭିତରେ ଜମି ରହିଥିଲା। ଆମେ କେତେଜଣ ସେଇକଥାକୁ ବୁଝି ପାରୁଥିଲୁ, କିନ୍ତୁ ଆମ ହାତରେ କିଛି ନ ଥିଲା।
ତମେ ତ ରୋଜଗାରରେ ମାତିଲ, ସ୍ତ୍ରୀ ପିଲାଙ୍କ ପଛରେ ଲାଗି ରହିଲ। ପ୍ରାଚୁର୍ଯ୍ୟକୁ ସବୁକିଛି ମନେ କରିଦେଲ। ତମେ କେମିତି ବୁଝିବ, ଅନ୍ୟ କାହାର ମନକଥା ? ଯାହାକି ତାଙ୍କର ମୃତ୍ୟୁର କାରଣ ହେଲା। ସେ ଯଦି ମନଖୋଲି ମୋତେ କିଛି କହି ପାରିଥାଆନ୍ତା, ତାହେଲେ , ଏମିତି ହେଇ ନଥା’ନ୍ତା । ଛାଡ଼ ସେକଥା, ତମେ ଏବେ ଯେଉଁଠୁ ଆସିଥିଲ, ସେଇଠିକି ଚାଲିଯା’, ଭଲରେ ରୁହ। ତମର ସମୟ ଆସିଲେ, ତମର ପୁଅମାନେ ଉପଯୁକ୍ତ ଋଣ ପରିଶୋଧ କରିଦେବେ’।
ମହେଶ୍ୱର ବାବୁଙ୍କ କଥା ଶେଷହେବା ପୂର୍ବରୁ ସାନପୁଅ ଦି’ଜଣ ଧୈର୍ଯ୍ୟ ହରେଇ ସେଠାରୁ ଖସି ଚାଲି ଯାଇଥିଲେ, ଏଥର ମଥା ତଳକୁ କରି ବଡ଼ପୁଅ ସିଧା ଚାଲିଗଲା ତାଂକ ଗାଡ଼ିପାଖକୁ। 000
-ପ୍ରାକ୍ତନ ନିର୍ଦ୍ଦେଶକ, ଆକାଶବାଣୀ, ଜୟପୁର
ଶୈଳଶ୍ରୀ ବିହାର,
ଭୁବନେଶ୍ୱର 751021
ଫୋନ : 7978962534