ଯଦି ମନୁଷ୍ୟ ‘‘ଜୀବନ ଦେବତା’’ର ସ୍ୱରୂପକୁ ବୁଝିପାରନ୍ତା
ମନୁଷ୍ୟ ଜୀବନ ଈଶ୍ୱରୀୟ ସତ୍ତାଦ୍ବାରା ପ୍ରଦତ୍ତ ଏକ ବହୁମୂଲ୍ୟ ସମ୍ପଦ । ଏହା ମନୁଷ୍ୟକୁ ତା’ର ସତ୍ପାତ୍ରତା ଉପରେ ବିଶ୍ୱାସ ରଖି ଦିଆଯାଇଛି ।ଏହା ଅନ୍ୟ ଜୀବଧାରୀଙ୍କୁ ନଦେଇ ମନୁଷ୍ୟକୁ ଦେବା କୌଣସି ପକ୍ଷପାତ ନୁହେଁ, ବରଂ ଉଚ୍ଚସ୍ତରୀୟ ଅନୁଦାନ ପ୍ରଦାନ କରିବା ପାଇଁ ଏହା ଏକ ପ୍ରବେଶିକା ପରୀକ୍ଷା ମାତ୍ର । ଅନ୍ୟ ଜୀବଧାରୀ କେବଳ ଶରୀର କଥା ଚିନ୍ତା କରନ୍ତି ଏବଂ ତଦନୁରୂପ କ୍ରିୟା ସମ୍ପାଦନ କରନ୍ତି । କିନ୍ତୁ ମନୁଷ୍ୟ ସ୍ରଷ୍ଟାଙ୍କର ଉତ୍ତରାଧିକାରୀ ଯୁବରାଜ ହୋଇଥିବା ହେତୁ ତାକୁ ଅନେକ କର୍ତ୍ତବ୍ୟ ଓ ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଥାଏ । ସେଥିରେ ହିଁ ତାର ଗୌରବ ଓ ସାର୍ଥକତା ରହିଛି । ଯଦି ଉଦର ପୂର୍ତ୍ତି ଓ ସନ୍ତାନୋତ୍ପାଦନ ମଧ୍ୟରେ, ଲୋଭ ଓ ମୋହ ମଧ୍ୟରେ ତା’ର ସମସ୍ତ କ୍ରିୟା କଳାପ ସୀମିତ ରହେ ତେବେ ତାକୁ ନରପଶୁ ବ୍ୟତିତ ଆଉ କ’ଣ କୁହାଯିବ ? ଲୋଭ ମୋହ ସହିତ ଯଦି ଅହଂକାର ଯୋଡ଼ି ହୋଇଯାଏ ତେବେ ଅବସ୍ଥା ଆହୁରି ଦୟନୀୟ ହୋଇଯାଏ । ମାନ ଓ ପ୍ରତିଷ୍ଠା ପଛରେ ଦୌଡ଼ୁ ଦୌଡୁ ମନୁଷ୍ୟ ଅହଂମାନ୍ୟତାର ଶିକାର ହୁଏ ଏବଂ ବିଭିନ୍ନ ପ୍ରକାର କୁଚକ୍ର ରଚନା କରୁକରୁ ପତନର ମହାଗର୍ତ୍ତ ରେ ନିପତିତ ହୁଏ । ଅହନ୍ତା ଦ୍ଵାରା ପରିଚାଳିତ ବ୍ୟକ୍ତି ଅନାଚାରୀ ଏବଂ ଦୁର୍ଦ୍ଧଷ ହୋଇଥାଏ । ଏଭଳି ଅବସ୍ଥାରେ ତା’ର ସ୍ବରୂପ ଆହୁରି ଭୟଙ୍କର ହୋଇଯାଏ । ସେ ଦୁଷ୍ଟ, ଦୁରାତ୍ମା ଓ ନରପିଶାଚ ସ୍ତରର ଆସୁରିକ କ୍ରିୟାକଳାପ ଅବଲମ୍ବନ କରେ । ମନୁଷ୍ୟ ଜୀବନ ଶ୍ରେଷ୍ଠ ସୌଭାଗ୍ୟର ପ୍ରତୀକ ହୋଇଥିଲେ ହେଁ ଏଭଳି ସ୍ଥଳରେ ତାହା ଦୁର୍ଭାଗ୍ୟ ଓ ଦୁର୍ଗତିର କାରଣରେ ପର୍ଯ୍ୟବେସିତ ହୁଏ । ଏହାକୁ କୁହାଯାଏ ଆଶୀର୍ବାଦକୁ ଅଭିଶାପର ରୂପଦେବା । ଉଭୟ ପଥ ପ୍ରତ୍ୟେକଙ୍କ ପାଇଁ ଉନ୍ମ କ୍ତ । ଯିଏ ଯେଉଁଟିକୁ ପସନ୍ଦ କରେ, ବାଛି ନିଏ । ତେଣୁ ମନୁଷ୍ୟ ନିଜ ଭାଗ୍ୟର ନିର୍ମାତା ନିଜେହିଁ ଅଟେ ।
ମନୁଷ୍ୟ ନିଜର ଇଷ୍ଟ ଓ ଉପାସ୍ୟ ମଧ୍ୟ ଅନେକ ବାଛି ରଖୁଛି । କିନ୍ତୁ ଯଦି ସେ ଏକମାତ୍ର ଦେବତା, ଇଷ୍ଟ-ଉପାସ୍ୟ-ଜୀବନ ଦେବତାର ଅଭ୍ୟର୍ଥନା ପ୍ରକୃତ ଅର୍ଥରେ କରେ ତେବେ ଏହି ‘ବିଶାଳ କଳ୍ପ ବୃକ୍ଷର ଶୀତଳ ଛାୟା ତଳେ ତାକୁ ସେସବୁ ମିଳିପାରିବ ଯାହାକି ସେ ଅନ୍ୟତ୍ର ପାଇବାର ଆଶାପୋଷଣ କରିଥାଏ । ଜୀବନ ଦେବତାକୁ ପରିଷ୍କୃତ ଆତ୍ମା ବା ପରମାତ୍ମାର ପ୍ରତିକୃତି ମଧ୍ୟ କୁହାଯାଇପାରେ । ପରଂବ୍ରହ୍ମଙ୍କର ସମସ୍ତ କ୍ଷମତା ଓ ଋଦ୍ଧିସିଦ୍ଧି ଏହି କାୟ-କଳେବର ମଧ୍ୟରେ ସମାହିତ ରହିଛି । ଯଦି ସେ ସବୁକୁ ଜାଗ୍ରତ କରାଯାଇପାରେ ତେବେ ମନୁଷ୍ୟ ଯୋଗୀ, ଋଷି ମନୀଷୀ, ମହାପୁରୁଷ ଓ ସିଦ୍ଧପୁରୁଷ ସଦୃଶ ବିଭୁତିବାନ୍ ହୋଇପାରିବ । ଜୀବନ ଦେବତାର ସାଧନା ଦ୍ବାରା ମନୁଷ୍ୟକୁ ମମସ୍ତ ମହାସିଦ୍ଧି ମିଳିପାରିବ । କସ୍ତୁରୀ ମୃଗ ଭଳି ମନୁଷ୍ୟ ନିଜକୁ ନିଜର ମହାନତାର ମୂଳକେନ୍ଦ୍ରକୁ ବାହ୍ୟ ଜଗତରେ ଖୋଜିବାରେ ଲାଗିଛି । ସେ ଯଦି ଥରେ ମାତ୍ର ଆତ୍ମା ନିରୀକ୍ଷଣ କରି ନିଜର ଅନ୍ତଃକରଣକୁ ଦେଖିପାରିବ ତେବେ ତାକୁ ସେହି ଇଷ୍ଟସତ୍ତା ର ଦିବ୍ୟ ଦର୍ଶନ ମିଳିଯିବ, ଯାହାକି ତାକୁ ଉନ୍ନତିର ଚରମ ସୋପାନରେ ଉପନୀତ କରାଇବାରେ ସମର୍ଥ । ଯେଉଁଦିନ ଏହା ସମ୍ଭବ ହୁଏ ସେହିଦିନ ମନୁଷ୍ୟର ସୌଭାଗ୍ୟର ଦ୍ବାର ଉନ୍ମୁକ୍ତ ହୋଇଯାଏ । ଭଗବାନ୍ ମଧ୍ୟ ସର୍ବଦା ଏହି ସୁଦିନକୁ ପ୍ରତୀକ୍ଷା କରିଛନ୍ତି ।
ଯୁଗଶକ୍ତି ଗାୟତ୍ରୀ ମାର୍ଚ୍ଚ 1996