Spread the love

ପ୍ରିୟ ଓଡିଶା ବାସୀ!
ନିର୍ବାଚନ ପରିପ୍ରେକ୍ଷୀରେ ଓଡିଆ ଅସ୍ମିତା ଓ ସ୍ବାଭିମାନ ବିଚାର୍ଯ୍ୟ। ବିଭିନ୍ନ ଭାଷା,ଜାତି , ଧର୍ମ ଓ ବର୍ଣ୍ଣକୁ ନେଇ ଭାରତୀୟ ସଂସ୍କୃତି ଋଦ୍ଧିମନ୍ତ।ମରହଟ୍ଟା,ମୋଗଲ, ଇଂରେଜ ଶାସନକୁ ଏ ଜାତି ଅତି ନିକଟରୁ ଦେଖିଛି, ଅଙ୍ଗେ ନିଭାଇଛନ୍ତି। ମାନବିକତାର ମନ୍ତ୍ରରେ ଦିକ୍ଷୀତ ଭାରତବାସୀ ସବୁ ସମସ୍ୟା ମଧ୍ୟରେ ଗତି କରି ଆଜିବି ବିଶ୍ବ ଦରବାରରେ ଏକ ସର୍ବ ବୃହତ ଗଣତନ୍ତ୍ର ତଥା ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ତାର ଗାରିମା ବଜାୟ ରଖିଛି। ବାସ୍ତବିକ୍ ଭାବେ ସ୍ବାଧୀନତାର ୭୭ ବର୍ଷ ଅତିବାହିତ ହେବା ଭିତରେ କେତେ ନିର୍ବାଚନ ହୋଇଛି, କେତେ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ମାତ୍ର ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ଦିନ ଠାରୁ ଅଦ୍ୟାବଧି ଉତ୍କଳର ଅବା ଓଡ଼ିଶାର ବିକାଶ, ଓଡ଼ିଆ ଭାଷା, ସାହିତ୍ୟ,ଓ ସଂସ୍କୃତିର ବିକାଶ ତଥା ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ତତ୍ କାଳୀନ ସରକାର ମାନେ ଯାହା କରିଥିଲେ ବା କରିଛନ୍ତି ତାହାକୁ ଓଡ଼ିଶାବାସୀ ହୃଦବୋଧ କରିଛନ୍ତି।୨୦୧୪ ମସିହାରେ UPA ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରି ଓଡ଼ିଆ ଭାଷାକୁ ପରିଚୟପତ୍ର ଟିଏ ପ୍ରଦାନ କରିଥିଲେ।ତା ପରେ ଭାରତ ବର୍ଷରେ ଭାରତୀୟ ଜନତା ପାର୍ଟି ଶାସନକୁ ଆସିଲା। ଦୀର୍ଘ ୧୦ ବର୍ଷର ଶାସନ ଭିତରେ ଓଡ଼ିଆ ଅସ୍ମିତାକୁ ବା ଓଡ଼ିଆ ସଂସ୍କୃତିର ବିକାଶ ନିମନ୍ତେ କ’ଣ କ’ଣ କରିଛନ୍ତି ତାହା କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ସଂସ୍କୃତିରେ ପରିଚିତ ଓଡିଶା ବାସୀ ଅନୁଭବ କରିଛନ୍ତି।

ଭାରତର ଅନ୍ୟାନ୍ୟ ଭାଷାର ବିକାଶ ତଥା ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ବହୁ ଅର୍ଥ ପ୍ରଦାନ କରିଥିବା ବେଳେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ କେତେ ଅର୍ଥ ପ୍ରଦାନ କରିଛନ୍ତି ତାହା ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ଯଦି ଜାଣିଥାନ୍ତି ନିର୍ବାଚନ ପରିପ୍ରେକ୍ଷୀରେ ହିସାବ ଦେଲେ ଭଲ ହୁଅନ୍ତା। ଓଡ଼ିଆ ମାନଙ୍କ ପରିଚୟ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କାରୀ କରିବାକୁ ଓଡ଼ିଶା ସରକାରଙ୍କୁ କାହିଁକି ସର୍ବୋଚ୍ଚ ନ୍ୟାୟାଳୟକୁ ଯିବାକୁ ପଡିଲା, ଜଣେ ଓଡ଼ିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି କହୁଥିବା ବିହାରର ନନ୍ଦିନୀ ମାନନୀୟା ଅପରାଜିତା ଷଡ଼ଙ୍ଗୀ ଉତ୍ତର ଦେଲେ ଓଡ଼ିଶା ବାସୀ ଉପକୃତ ହୁଅନ୍ତେ। ମୁଁ ମାନୁଛି ତାଙ୍କ ପ୍ରଶାସନିକ ଅନୁଚିନ୍ତାରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଚଳଚଞ୍ଚଳ ହୋଇଥିଲା। ମାତ୍ର ନିଜ କର୍ମଭୂମି ବିହାରକୁ ଛାଡି ସେ କାହିଁକି ଓଡିଶାକୁ ନିଜର କର୍ମଭୂମି ବାଛିଲେ ତା’ର ଉତ୍ତର ଦେଲେ ଭଲ ହୁଅନ୍ତା,ଆଉ ଉତ୍ତର ଯଦି ଓଡିଶା ବାସୀଙ୍କ ଭଲପାଇବା ଓ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ତାଙ୍କୁ ଆକୃଷ୍ଟ କରିଥାଏ ତେବେ ମାନନୀୟ କାର୍ତ୍ତିକ ପାଣ୍ଡିୟାନ ଙ୍କ ପାଇଁ ତାଙ୍କର ଏତେ ଅସହିସ୍ନୁତା କାହିଁକି?ସେ ନିଶ୍ଚୟ ଜାଣିଥିବେ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଆ ଭାଷାର ବିକାଶ ତଥା ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶାରେ କରିଛନ୍ତି ଏବଂ ତାଙ୍କ ସରକାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଭଳି ଏକ ବିଭାଗ ରଖି ସ୍ବତନ୍ତ୍ର ବଜେଟର ବ୍ୟବସ୍ଥା କରିଛନ୍ତି।

ଓଡ଼ିଆ ମାନଙ୍କ ଗର୍ବ ଗୈାରବ କୋଣାର୍କ ସୂର୍ଯ୍ୟ ମନ୍ଦିର ବିକାଶ ନିମନ୍ତେ ପଦେକ୍ଷପ ନିଆଯାଇଛି। କଳିଙ୍ଗ ଉତ୍କଳର ପରିଚୟ ବିଶ୍ଵ ଦରବାରରେ ପରିଚିତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ବାବୁ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ, ଯେଉଁ ବରପୁତ୍ର ଶବାଧାରରେ ବିଶ୍ବର ଚାରୋଟି ଦେଶର ଜାତୀୟ ପତାକା ଆବୃତ କରାଯାଇଥିଲା, ତାଙ୍କୁ ଭାରତରତ୍ନ ଦେବାରେ ଧର୍ମେନ୍ଦ୍ର ବାବୁ ତାଙ୍କ ସରକାର ଠାରେ ୧୦ ବର୍ଷ ଭିତରେ କେବେ ସ୍ବର ଉତ୍ତୋଳନ କରିଥିଲେ କି? କେବଳ ଫାଙ୍କା ଆଓ୍ବାଜ, ଭାଷଣରେ ସରଳ ଓଡିଶା ବାସୀ ଭୁଲିବେନି।କଥା କମ୍ କାମ ଦରକାର, ଯାହା ନବୀନ ବାବୁଙ୍କ ନାରା। ସୁନାବେଡ଼ା ମିଗ୍ ବିମାନ କାରଖାନା, ହୀରାକୁଦ ନଦୀବନ୍ଧ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଦି କଂଗ୍ରେସ ସରକାର ଅମଳରେ ପ୍ରତିଷ୍ଠା ହୋଇଥିଲା,ଭାରତ ବାସୀଙ୍କ ଜୀବନ ରେଖା ସ୍ବର୍ଣ୍ଣ ଚତୁର୍ଭୁଜ ଜାତୀୟ ରାଜପଥ ବାଜପେୟୀଙ୍କ ଚିନ୍ତାଧାରା,ଏମ୍ସ UPAର ଯୋଜନା ଓ ବାଜପେୟୀଙ୍କ କାର୍ଯ୍ୟାନ୍ବୟନ,୧୦ ବର୍ଷ ଭିତରେ କେତୋଟି ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଭାଜପା ସରକାର ସହଯୋଗ କରିଛନ୍ତି? ଉତ୍ତରାଧିକାର ସୂତ୍ରରେ କଂଗ୍ରେସ ଠାରୁ ନବୀନ ବିବୁ ସରକାର ଗଠନ କଲାବେଳେ ୩୬୪ଦିନ ଓଭର ଡ୍ରାଫ୍ଟ ଥିଲା, ଆଜି ଓଡ଼ିଶାବାସୀ କେତେ ଆତ୍ମ ନିର୍ଭରଶୀଳ ତାହା ସମସ୍ତେ ଦେଖୁଛନ୍ତି।୨୫ ବର୍ଷର ସରକାର ବିରୋଧରେ ଅନ୍ତସ୍ରୋତ ଅଛି,ତା ପରେ ମଧ୍ୟ କେବେ ଘଟିନଥିବା ଓଡ଼ିଶାରେ ଚାରି ପର୍ଯ୍ୟାୟ ନିର୍ବାଚନ ଦେଖି ନଥିବା ଓଡିଶା ବାସୀ ଚଳିତ ଥର ଏହା ହେବା ଏଵଂ ଶେଷ ପର୍ଯ୍ୟାୟରେ ଓଡ଼ିଶାର ନିର୍ବାଚନ କରିବା ପଛରେ ରହସ୍ୟ ଟି ବୋଧହୁଏ ସମସ୍ତ ଭାରତ ବର୍ଷର ଭାଜପା ନେତୃତ୍ବ ଓଡ଼ିଶାରେ ଏକଜୋଟ ହେବାର ଗୁପ୍ତ ଏଜେଣ୍ଡା।ଅଳ୍ପ କିଛି ଦିନ ତଳେ ଚଣ୍ଡୀଖୋଲ ଠାରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଯାହାଙ୍କୁ ଭାରତର ସବସେ ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ କହିଥିଲେ, ଆଜି କିନ୍ତୁ ତାଙ୍କୁ ଅପାରଗ କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ନବୀନ ବାବୁ କାମକୁ ପସନ୍ଦ କରନ୍ତି, ଭାଷଣକୁ ନୁହେଁ, ଯେଉଁଥି ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ଯିବା ପାଇଁ ରାସ୍ତା ଛାଡ଼ି ଦେଲେ। ଓଡ଼ିଶାର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ନ କହି ଧର୍ମେନ୍ଦ୍ର ବା ଅପରାଜିତା ବା ମନମୋହନ ଗ୍ୟାରେଣ୍ଟି ଦେଇ ନବୀନ ଗ୍ୟାରେଣ୍ଟି କୁ ହଟାଇବାକୁ ମୋଦିଜୀ ପ୍ରୟାସ କଲେ ଭଲ ହୁଅନ୍ତା। କେବଳ ରାହୁଳ,ସୋନିଆ, ପ୍ରିୟଙ୍କା ପଛରେ ନପଡ଼ି, ସ୍ବାଧୀନ ଭାରତରେ ଦେଶ ପାଇଁ ଆତ୍ମ ବଳୀ ଦେଇ ଥିବା ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କୁ ଦେଶଦ୍ରୋହୀ ନ କହି ଜାତୀର ପିତାଙ୍କୁ ନିଧନ କରିଥିବା ଆତତାୟୀକୁ ଦେଶଦ୍ରୋହୀ କହିବା ମୋ ମତରେ ଉଚିତ ହେବ।ଗତ ଦଶ ବର୍ଷର ଶାସନ କାଳରେ ଓଡ଼ିଶାର ଭାଜପା ନେତୃତ୍ବ ମାନେ ଓଡ଼ିଶା ପାଇଁ କ’ଣ କରିଛନ୍ତି, ନବୀନ ବାବୁଙ୍କ ଭଳି ହିସାବ ଦିଅନ୍ତୁ, କ’ଣ କରିବେ ତାହା ପରକଥା। ଗତ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା ବାଲେଶ୍ଵର, ମୟୁରଭଞ୍ଜ ସୀମାରେ ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପକୁ କାର୍ଯ୍ୟ କ୍ଷମ କରିବା,ଧାନର MSP ବୃଦ୍ଧି କରିବା, ବେକାରୀ ସମସ୍ୟାର ସମାଧାନ କରିବା, ବାଜପେୟୀଙ୍କ ଅମଳରୁ ଶୀତଳ ଭଣ୍ଡାରରେ ଥିବା ନଦୀ ସଂଯୋଗୀ କରଣ ଯୋଜନା
ଆଦି ଅନେକ ପ୍ରତିଶ୍ରୁତିର ଉତ୍ତର ଓଡ଼ିଶା ଭାଜପା ନେତା ମାନଙ୍କ ପାଖରେ ନାହିଁ। କାଳିଆ ଯୋଜନାକୁ ଦେଖି ବଳିଆ ଯୋଜନା,ମିଶନ ଶକ୍ତିକୁ ଦେଖି ଲକ୍ଷପତି ମହିଳା,BSKY କୁ ଦେଖି ଆୟୁଷ୍ମାନ ଭାରତ କପି କରିଦେଲେ ହେବନି।BSKY ଓ ଆୟୁଷ୍ମାନ ଭାରତ ମଧ୍ୟରେ ତଫାତ କେତେ ଲୋକେ ଜାଣିଛନ୍ତି। ନୂତନ ଶିକ୍ଷା ନୀତି କଥା କହିଲେ ସରିବନି,ଯାହା ସାଂପ୍ରଦାୟିକତା ବୃଦ୍ଧି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ମଦ୍ରାସା ଶିକ୍ଷା ବାବଦରେ ଯେଉଁଠି କିଛିବି ଉଲ୍ଲେଖ ନାହିଁ। ଶିକ୍ଷା ବ୍ୟବସ୍ଥା ଯାହା କେନ୍ଦ୍ର ଆଉ ରାଜ୍ୟର ଯୁଗ୍ମ ଦାୟିତ୍ଵ, ଧର୍ମେନ୍ଦ୍ର ବାବୁ ୫ ବର୍ଷ ଶିକ୍ଷା ମନ୍ତ୍ରୀ ଥାଇ ଓଡ଼ିଶାରେ କ’ଣ କରିଛନ୍ତି କହିପାରୁନାହାନ୍ତି। ଆଜି କହୁଛନ୍ତି ଭତ୍ତା ବଢେଇବୁ,୧୦ ବର୍ଷ ହେଲା କୁଆଡେ ଥିଲେ? ଭାଜପା ଶାସିତ ଗୁଜରାଟରେ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ କେତେ କୁହନ୍ତୁ? ଧାନରMSP ମୂଲ୍ୟ ୩୧୦୦ କରିବେ କହୁଛନ୍ତି, ଯେତେବେଳେ ଓଡିଶା ବିଧାନସଭା ରେ ଧାନର MSP ୨୯୦୦ ଟଙ୍କା ରଖିବା ପାଇଁ ସର୍ବସମ୍ମତ ସଂକଳ୍ପ ପାସ କରି ପଠାଯାଇଥିଲା, ତାହା ଉପରେ ଆଲୋଚନା ହେଲାନି କାହିଁକି? କୃଷକ ମାନଙ୍କ ପାଇଁ ଭାଜପା ସରକାରଙ୍କ ଦରଦ କେତେ ଦିଲ୍ଲୀ,ପଞାବ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଓ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେବାର ଜ୍ଵଳନ୍ତ ନମୁନା ଲୋକଙ୍କ ମନରୁ ଲିଭିନି। ବିରୋଧୀଙ୍କ ଦୁର୍ବଳତା କୁ ହେୟଜ୍ଞାନ କରି ଆର.ଏସ୍.ଏସ୍.ର ମୁଖପାତ୍ର ସାଜି ଶାହା,ମୋଦି ମହୋଦୟ ଗଣତନ୍ତ୍ର କୁ ଜଣତନ୍ତ୍ରରେ ପରିଣତ କରି ତୃତୀୟ ବିଶ୍ଵ ଯୁଦ୍ଧ ଆଡ଼କୁ ଶାନ୍ତି, ମୈତ୍ରୀ, ପ୍ରଗତି ରେ ବିଶ୍ବାସ କରୁଥିବା ଭାରତ ବାସୀଙ୍କୁ ଧ୍ବଂସ ମୁହଁକୁ ଠେଲି ଦିଅନ୍ତୁ ନାହିଁ। ତେଣୁ ହେ ପ୍ରିୟ ଓଡିଶା ବାସୀ, ଓଡ଼ିଶା ପାଇଁ କେଉଁ ସରକାର ଆଉ ରାଷ୍ଟ୍ର ପାଇଁ କେଉଁ ସରକାର ଉପଯୁକ୍ତ, ମତଦାନ ଆପଣଙ୍କର…..……।🙏🏽🙏🏽

Leave a Reply

Your email address will not be published. Required fields are marked *