ଆଜି ଆସନ୍ତୁ ଜାଣିବା ( ଶ୍ରୀଜଗନ୍ନାଥଙ୍କ ବସନ୍ତ ଗୁଣ୍ଡିଚା ) ସମ୍ବନ୍ଧରେ ।।
ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରାକୁ କୁହାଯାଇଛି ‘ବସନ୍ତ ଗୁଣ୍ଡିଚା’। ଶାସ୍ତ୍ରଗ୍ରନ୍ଥମାନଙ୍କରେ ଏ ସଂପର୍କରେ ଉଲ୍ଲେଖ ଅଛି। ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ଯେଉଁମାନେ ଏହି ଉତ୍ସବରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କରନ୍ତି, ସେମାନେ ଶ୍ରୀଗୁଣ୍ଡିଚାଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାର ପୁଣ୍ୟଫଳ ପାଆନ୍ତି। ସେମାନଙ୍କର ଆଉ ପୁନର୍ଜନ୍ମ ହୁଏନାହିଁ।
ସେହିପରି, ସପ୍ତଦଶ ଶତାବ୍ଦୀର କବି ଦୀନକୃଷ୍ଣ ଦାସଙ୍କ ‘ରସବିନୋଦ’ କାବ୍ୟ। ଏହାର ଅନ୍ୟନାମ ‘ନିତ୍ୟ ତତ୍ତ୍ୱ ରାହାସ’। ସେଥିରେ ଦୀନକୃଷ୍ଣ ମୀନ ମାସର ଏହି ଯାତ୍ରାକୁ ‘ବସନ୍ତ ଗୁଣ୍ଡିଚା’ ବୋଲି କହିଛନ୍ତି। ତାଙ୍କ ଅନୁସାରେ- ବିଷ୍ଣୁଭକ୍ତମାନେ ଏହି ଯାତ୍ରାର ଭିଆଣ କରି, ଏହାକୁ ‘ବସନ୍ତ ଗୁଣ୍ଡିଚା’ ନାମରେ ଅଭିହିତ କଲେ। ସମସାମୟିକ ସଂସ୍କୃତ କବି ହଳଧର ମିଶ୍ର ମଧ୍ୟ ତାଙ୍କ ‘ବସନ୍ତଗୁଣ୍ଡିଚା ମହାକାବ୍ୟମ୍’ରେ ଏହାକୁ ‘ମୁରାରିଙ୍କ ରସମାଧୁରୀ’ ସଂପନ୍ନ ‘ନୂଆ ଗୁଣ୍ଡିଚା ଯାତ୍ରା’ ବୋଲି କହିଛନ୍ତି। ଏହା ‘ବସନ୍ତ ରାସ’ ଭାବରେ ମଧ୍ୟ ଲୋକପ୍ରିୟ।
ବର୍ଷର ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୨୪ଟି ବେଶ ହୋଇଥାଏ। ‘ପୁରୁଷୋତ୍ତମ-ଗୀତା’ରେ ଏ ସଂପର୍କରେ କୁହାଯାଇଛି :-
“ତୋର ବିବିଧବେଶ ଦେଖି। ନିର୍ମଳହେଲା ମୋର ଆଖି।
ଚତୁର୍ବିଂଶତି ତତ୍ତ୍ୱ କଥା। ଚବିଶ ବେଶର ବ୍ୟବସ୍ଥା।।
କିବା ଚବିଶ ଅବତାର। କଳ୍ପିତ ବେଶେ ତୋ ପ୍ରଚାର।।
କାହିଁ ସେ ବେଶର ଉପମା। ବାକ୍ୟେ କେ ବର୍ଣ୍ଣିବ ମହିମା।।
ଏହି ବେଶମାନଙ୍କ ମଧ୍ୟରେ ‘ଚାଚେରୀ ବେଶ’ ଅନ୍ୟତମ। ଏହା ଏକ ବସନ୍ତକାଳୀନ ବେଶ। ଶ୍ରୀଜଗନ୍ନାଥଙ୍କ ଶୀତକାଳୀନ ଶୃଙ୍ଗାର ବସନ୍ତ ପଞ୍ଚମୀରେ ଶେଷ ହୁଏ ଏବଂ ସେହିଦିନ ବସନ୍ତ ଉତ୍ସବର ଆରମ୍ଭ ହୁଏ। ସେଦିନ ଶ୍ରୀଜଗନ୍ନାଥ ଚନ୍ଦନମିଶ୍ରିତ ଫଗୁ ଲାଗି ହୁଅନ୍ତି। ତାହାପରେ ଫାଲଗୁନ୍ ଶୁକ୍ଳ ଦଶମୀ ଠାରୁ ପୁନଶ୍ଚ ବସନ୍ତ ଉତ୍ସବ ଆରମ୍ଭ ହୋଇ ଶେଷ ହୁଏ ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ। ଏହିଦିନ ଗୁଡ଼ିକରେ ଦୋଳଗୋବିନ୍ଦ ବସନ୍ତ ଋତୁର ଫୁଲରେ ଭୂଷିତ ହୋଇ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ବସନ୍ତ ବିହାର କରିଥାନ୍ତି।
ଏଣୁ ଏହି ଉତ୍ସବର ନାମ ବସନ୍ତ ଗୁଣ୍ଡିଚା। ଭକ୍ତମାନଙ୍କୁ ଏହି ଉତ୍ସବର ଆନନ୍ଦ ଆହରଣ କରିବାକୁ ପ୍ରଲୁବ୍ଧ କରି ଶାସ୍ତ୍ରରେ କୁହାଯାଇଛି- ରଥରେ ବାମନରୂପୀ ଶ୍ରୀଜଗନ୍ନାଥ ଏବଂ ଦୋଳରେ ଶ୍ରୀଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ।