ବାଲେଶ୍ୱର: ଭରା ସଭାରେ ସରକାରଙ୍କ ମୁଖା ଖୋଲିଲେ ନିଜ ଦଳର ବିଧାୟକ। ବାତ୍ୟା ‘ଦାନା’ରେ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଶହଶହ ବିଜୁଳି ଖୁଣ୍ଟ ମାଟିରେ ଶୋଇଛି। ଏବେ ବି ଗଛ ପଡ଼ି ବହୁ ଗାଁକୁ ରାସ୍ତା ବନ୍ଦ, ଘର ଅନ୍ଧାର। କିନ୍ତୁ ଉଦ୍ଧାରକାରୀ ଦଳଙ୍କ ଦେଖାନାହିଁ।
କେହି ଗଛ କାଟିବାକୁ ଆସୁଛନ୍ତି ନା ଖୁଣ୍ଟ ସଜାଡ଼ିବାକୁ; ମରାମତି କାର୍ଯ୍ୟ ଦୂରର କଥା। ବାଲେଶ୍ବର ଡିଆର୍ଡିଓ ସମ୍ମିଳନୀ କକ୍ଷରେ ଆଜି ହୋଇଥିବା ବାତ୍ୟା ସମ୍ବନ୍ଧୀୟ କ୍ଷୟକ୍ଷତିର ସମୀକ୍ଷା ବୈଠକରେ ଏପରି ଅଭିଯୋଗ ଆଣି ସରକାରଙ୍କ ମୁଖା ଖୋଲିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ଫଳରେ ସଫଳ ବାତ୍ୟା ପରିଚାଳନାର ଡିଣ୍ଡିମ ପିଟୁଥିବା ସରକାରଙ୍କ ମୁଖା ଖୋଲିଯାଇଛି। ପ୍ରଚାର ଓ ବାସ୍ତବତା ଭିତରେ କେତେ ଭିନ୍ନ, ତାହା ପଦାକୁ ଆସିଛି।
ଅପରପକ୍ଷେ ଏହି ଘଟଣାରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ] ଗୋଟିଏ ଛୋଟ ବାତ୍ୟାକୁ ଏ ଶିଶୁ ସରକାର ସଠିକ୍ ଭାବେ ମୁକାବିଲା କରିପାରିଲେ ନାହିଁ। ବିପର୍ଯ୍ୟୟ ମୁକାବିଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମଡେଲ୍ ତିଆରି କରିଥିଲେ, ସେ ମଡେଲ୍ ଆଜି ଦେଶରେ ଶ୍ରେଷ୍ଠ ବିବେଚିତ ହେଉଛି ଏବଂ ଅନ୍ୟମାନେ ଏହାକୁ ଅନୁସରଣ କରୁଛନ୍ତି। ଅଥଚ ସବୁ ପୁରୁଣା ବ୍ୟବସ୍ଥା ଥାଇ ମଧ୍ୟ ଏ ସରକାର ତାହାକୁ ଲାଗୁ କରିପାରିଲେ ନାହିଁ। ବର୍ତ୍ତମାନ ସେମାନେ ଡିଣ୍ଡିମ ପିଟୁଛନ୍ତି ଯେ ବାତ୍ୟାର ସଫଳ ମୁକାବିଲା କରିଛନ୍ତି।
ବିଧାୟକ ଶ୍ରୀ ଦାସ କହିଛନ୍ତି ଯେ ସରକାର କହୁଛନ୍ତି ବର୍ତ୍ତମାନ ସୁଦ୍ଧା ୯୬% କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଏବେ ବି ଶହ ଶହ ଗାଁରେ ଅନ୍ଧାର ରାଜୁତି କୁରଛି। ତେଣୁ ଏଇ ଯେଉଁ ମିଛ କଥା କହି ସରକାର ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି, ସେଥିରୁ କ୍ଷାନ୍ତ ରହିବା ଉଚିତ। ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି ବୈଠକରେ ଯେଉଁ ପ୍ରକାର ଅଭିଯୋଗ ଶୁଣିକି ଯାଇଛନ୍ତି, ସେଥିରୁ ସେ ନିଶ୍ଚୟ ଅନୁଭବ କରିପାରିଥିବେ ଯେ ପ୍ରଚାରଠାରୁ ବାସ୍ତବତା କେତେ ଭିନ୍ନ। କେତେ ମିଛ କୁହାଯାଉଛି।
କେବଳ ସେତିକି ନୁହେଁ, ବାତ୍ୟା ପୂର୍ବରୁ ସରକାର ଯେମିତି ଏକ ଉତ୍ସବ ପାଳନ କଲେ। ମନ୍ତ୍ରୀମାନେ ବାଲେଶ୍ବର ଗସ୍ତରେ ଆସିଲେ ଏବଂ ତାକୁ ରାଜନୀତୀକରଣ କଲେ। ପଞ୍ଚାୟତିରାଜ ମନ୍ତ୍ରୀ ବାଲେଶ୍ୱର ଆସିଥିଲେ ଏବଂ ସ୍ଥିତି ସମୀକ୍ଷା ମଧ୍ୟ କଲେ। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବୁଲିଲେ।
ତଥ୍ୟ ଡେଲି ହଣ୍ଟ