Spread the love

୨୯ତମ ନିମାପଡ଼ା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୫ରୁ ଆରମ୍ଭ ହେବ। ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ।

ଏନ. ଏ.ଏ ଅର୍ଥାତ ନିମାପଡ଼ା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବାରବାଟୀ ପଡିଆ ମିନି ଷ୍ଟାଡିୟମରେ ଖେଳାଯିବ। ଏହି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡିଶାର ବିଭିନ୍ନ ଜିଲ୍ଲା ପୁରୀ, କଟକ, ଭୁବନେଶ୍ୱର, ପାରାଦ୍ୱୀପ, ରାଉରକେଲା, ବ୍ରହ୍ମପୁର ଓ ରେଲୱେ ପ୍ରମୁଖ ୮ଟି ଟିମ୍ ଅଂଶଗ୍ରହଣ କରିବା ନିମନ୍ତେ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି।

ନିମାପଡ଼ା ଆଥଲେଟିକ ଆସୋସିଏସନ କ୍ରିକେଟ ସଂପାଦକ ଅକ୍ଷୟ ବେହେରାଙ୍କ ନେତୃତ୍ୱରେ ଆସୋସିଏସନ ପରିସରରେ ଗତ ସନ୍ଧ୍ୟାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ମଳ ମିଶ୍ର, ଅଭିନନ୍ଦନ ପାତ୍ର, ସରୋଜ ମହାନ୍ତି, ଅଭିଜିତ ମିଶ୍ର, ଆଶୁତୋଷ ରାୟ,ଡି.ଏସ୍.ମହାନ୍ତି, ଅଶୋକ ସାହୁ, ବାସୁଦେବ ଜୁଏଲାରୀ ପ୍ରୋପାଇଟର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ବରିଷ୍ଠ ସଭ୍ୟମାନେ ଯୋଗଦେଇ ୨୯ତମ ଟୁର୍ଣ୍ଣାମେଣ୍ଟକୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ସରସ ସୁନ୍ଦର କରିବା ନିମନ୍ତେ ଆଲୋଚନା କରିଥିଲେ।

ଦୀର୍ଘ ୨୮ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ଟୁର୍ଣ୍ଣାମେଣ୍ଟ ନିମାପଡ଼ାର କ୍ରିକେଟ ଖେଳ ଓ ଖେଳାଳିଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଚଳିତ ୨୯ତମ ସଂସ୍କରଣ ଅଧିକ ଆକର୍ଷଣୀୟ ତଥା ଧୂମଧାମ୍ ସହକାରେ ଆୟୋଜନ କରାଯିବ ବୋଲି ଜଣାପଡିଛି। ଟୁର୍ଣ୍ଣାମେଣ୍ଟର ପୂର୍ଣ୍ଣାଙ୍ଗ ଖେଳସୂଚୀ ଓ ସବିଶେଷ ବିବରଣୀ ପରବର୍ତ୍ତୀ ବୈଠକ ତଥା ପ୍ରେସ୍ ମିଟ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସଂପାଦକ ଅକ୍ଷୟ ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *