Spread the love

ବିମୁଦ୍ରାୟନର ଆଠ ବର୍ଷ ପରେ
ଡ ସନ୍ତୋଷ କୁମାର ମହାପାତ୍ର
ଆଜକୁ ଠିକ୍ ୮ ବର୍ଷ ତଳେ ସରକାର ବିମୁଦ୍ରାୟନ ବା ବିମୁଦ୍ରିକରଣ ପରି କୃର ପଦକ୍ଷେପ ନେଇଥିଲେ । ୧୦୦୦ ଓ ୫୦୦ଟଙ୍କିଆ ନୋଟ୍ କୁ ଅଚଳ କରିଥିଲେ । ଏହା ଦୁର୍ନୀତି ଓ କଳାଟଙ୍କାର ବିଲୋପ ଘଟାଇବ, ଜାଲ ନୋଟ୍ କାରବାର ରୋକିବ ବୋଲି କୁହାଯାଇଥିଲା। ପରେ ଏହା ନଗଦ ବିହୀନ ଅର୍ଥନୀତି ସୃଷ୍ଟିକରିବ ବୋଲି ଆଉ ଏକ ଲକ୍ଷ୍ୟ ଯୋଡାଯାଇଥିଲା। ଏହାପରେ ଲୋକେ ଅଚଳ ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କରେ ଲମ୍ବା ଧାଡ଼ି ଲଗାଇଥିଲେ। ଏହି ସମୟରେ ଅନେକ ଅସୁବିଧା ଲୋକେ ସାମ୍ନା ବି କରି୍‌ଥିଲେ। ନିତିଦିନିଆ ଜୀବନ ବିପର୍ଯ୍ୟସ୍ତ ହୋଇଥିଲା। ଆର୍ଥିକ ଅଭିବୃଦ୍ଧି ମଧ୍ୟ ମନ୍ଥର ହୋଇଥିଲା। କିନ୍ତୁ ଆଜି ସୁଦ୍ଧା ଗୋଟିଏବି ଲକ୍ଷ୍ୟ ପୂରଣ ହୋଇନି ବରଂ ଦୁର୍ନୀତି ଓ କଳାଟଙ୍କା ବୃଦ୍ଧି ପାଇଛି । ବିମୁଦ୍ରାୟନ ସମୟରେ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ୍ ର ମୂଲ୍ୟ ୧୫.୪୧ ଲକ୍ଷ କୋଟି ଟଙ୍କା ଥିଲା। ଏହା ମୋଟ୍ ପ୍ରଚଳିତ ମୁଦ୍ରା ପରିମାଣର ୮୬% ଥିଲା। ସରକାର ଭାବିଥିଲେ ୩ ରୁ ୪ ଲକ୍ଷ କୋଟି ଟଙ୍କା ଫେରିବ ନାହିଁ। ଏଣୁ ସମପରିମାଣର ଅର୍ଥ ସରକାର ରିଜର୍ଭ ବ୍ୟାଙ୍କରୁ ପାଇବେ। କିନ୍ତୁ ଜୁନ୍ ୨୦୧୭ ସୁଦ୍ଧା ୧୫.୩୧ ଲକ୍ଷ କୋଟି ଟଙ୍କା ବା ମୋଟ୍ ଅଚଳ ଟଙ୍କାର ୯୯. ୯ % ଫେରିଥିଲା। କେବଳ,୧୦,୭୨୦ କୋଟି ଟଙ୍କା ଫେରି ନଥିଲା।
ଏଣୁ ବିମୁଦ୍ରାୟନ ମାଧ୍ୟମରେ ସରକାରଙ୍କ କଳା ଟଙ୍କା କାରବାର ରୋକିବାର ସିଦ୍ଧାନ୍ତକୁ ଅନେକ ପ୍ରଶ୍ନ କରୁଛନ୍ତି । ହାଇଦ୍ରାବାଦର ନାଲ୍ସାର ଆଇନ ବିଶ୍ୱବିଦ୍ୟାଳୟର ଏକ ଆୟୋଜିତ ବା ସମ୍ମିଳନୀରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି. ନାଗରଥନା (ମାର୍ଚ୍ଚ ୨୦୨୪) କହିଛନ୍ତି ଯେ ବିମୁଦ୍ରାୟନ କଳା ଟଙ୍କାକୁ ଧଳା ଟଙ୍କାରେ ପରିଣତ କରିବାର ଏକ ମାଧ୍ୟମ ହୋଇଥିଲ। । ଅବଶ୍ୟ ବିମୁଦ୍ରାୟନ ପୁର୍ବରୁ ରିଜର୍ଭ ବ୍ୟାଙ୍କ ଏହି ପ୍ରକ୍ରିୟାକୁ ବିରୋଧ କରିଥିଲା । ଭାରତରେ କଳାଧନ ପରିମାଣ କେତେ, କେହି ସଠିକ୍ ଭାବେ କହିପାରିବେ ନାହିଁ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ ଭାରତରେ କଳାଧନ ମୋଟ ଘରୋଇ ଉତ୍ପାଦ ( ଜିଡିପି) ର ୫୦%। କିନ୍ତୁ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ ) ଅନୁସାରେ ଏହା ୨୮ ଲକ୍ଷ କୋଟି ଟଙ୍କା ହୋଇଥିଲା ବେଳେ ବିଶ୍ୱ ବ୍ୟାଙ୍କ ଅନୁସାରେ ଏହା ମୋଟ ଘରୋଇ ଉତ୍ପାଦର ୨୦% । ଅଧିକାଂଶ କଳା ଟଙ୍କା ନଗଦ ଆକାରରେ ନୁହେଁ ବରଂ ସୁନା , ରୂପା ଏବଂ ଜମି, ବାଡି, ଘର ଦ୍ବାର ( ରିଏଲ୍ ଇଷ୍ଟେଟ୍ ) ତଥା ବିଦେଶର ଟିକସ ଭୂସ୍ବର୍ଗରେ ରଖା ଯାଇଥାଏ। ଏଣୁ ବିମୁଦ୍ରାୟନ କୌଣସି ପ୍ରଭାବ ପଡି ନଥିଲା ।
ବାସ୍ତବରେ ବିମୁଦ୍ରାୟନ ପରେ ଦୁର୍ନୀତି ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇଛି । ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ଦୁର୍ନୀତି ଧାରଣା ସୂଚକାଙ୍କ (ସିପିଆଇ) ୨୦୧୬ରେ ଭାରତର ସ୍ଥାନ ୭୯ ଥିଲା । ୨୦୨୩ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରେ ଭାରତ ୮୫ ତମ ସ୍ଥାନରେ ଥିଲା।୨୦୨୪ସୂଚକାଙ୍କରେ ଏହା ୯୩ ସ୍ଥାନକୁ ଖସି ଆସିଛି । ଏହାର ଅର୍ଥ ଦୁର୍ନୀତି ହଟାଇବାରେ ଭାରତ ୨୦୧୬ରେ ୭୮ଟି ଦେଶ ତଳେ ଥିଲାବେଳେ ୨୦୨୪ରେ ୯୨ଟିଦେଶ ପଛରେ ଅଛି। ଅର୍ଥାତ ବିମୁଦ୍ରାୟନ ପରେ ଦୁର୍ନୀତି ଦୂରକରିବାରେ ଭାରତର ସ୍ଥିତି ଆହୁରି ନିମ୍ନଗାମୀ । ଦୁର୍ନୀତି ସହିତ ବ୍ୟାଙ୍କ ଜାଲିଆତି ବୃଦ୍ଧି ପାଇଛି । ଧନୀ ଋଣ ନଶୁଝିବା ଯୋଗୁଁ ବ୍ୟାଙ୍କର ଅଚଳ ସମ୍ପତ୍ତି ବା ଖରାପ ଋଣ ବୃଦ୍ଧି ପାଇଛି । ୨୦୨୩-୨୪ ସୁଦ୍ଧା ଗତ ୫ ବର୍ଷରେ ବ୍ୟାଙ୍କଗୁଡିକ ୯.୯ଲକ୍ଷ କୋଟି ଟଙ୍କା ଖରାପ ଋଣ ‘ରାଇଟ ଅଫ ‘ କରିଛନ୍ତି , ସେଥିରୁ ମାତ୍ର ୧୮% ବା ୧.୮୪ ଲକ୍ଷ କୋଟି ଟଙ୍କା ଉଦ୍ଧାର ହୋଇଛି । ଏହାର ଅର୍ଥ ଅବଶିଷ୍ଟ ଲୁଟ୍ ହୋଇଛି ।
ବିମୁଦ୍ରାୟନର ଏକ ଲକ୍ଷ୍ୟ ନଗଦ କାରବାର ହ୍ରାସ କରିବା। କିନ୍ତୁ ନଗଦ କାରବାର ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଉଛି । ୨୦୧୬ ନଭେମ୍ବର୪ରେ ଭାରତରେ ଏହା ୧୭.୭୪ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଏହା ୨୦୨୩-୨୪ରେ ୩୫ ଲକ୍ଷ କୋଟିକୁ ବୃଦ୍ଧି ପାଇଲାବେଳେ ୨୫ ଅକ୍ଟୋବର ୨୦୨୪ ସୁଦ୍ଧା ୩୫.୩୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସଂଖ୍ୟା ଦୃଷ୍ଟିରୁ ବୃଦ୍ଧିହେବା ସ୍ଵଭାବିକ ପ୍ରକ୍ରିୟା, କିନ୍ତୁ ଜିଡିପି ଅନୁସାରେ ଏହା ମଧ୍ୟ ବୃଦ୍ଧି ପାଇଛି। ଜିଡିପି ଅନୁସାରେ ନଗଦ ମୁଦ୍ରା ୨୦୧୬-୧୭ରେ ୮.୭% ଥିଲା । କରୋନା ମହାମାରୀ ସମୟରେ (୨୦୨୦-୨୧ )୧୪.୫% ବୃଦ୍ଧି ପାଇଥିଲା। କିନ୍ତୁ,୨୦୨୩-୨୪ରେ ମଧ୍ୟ ୧୧.୫% ରହିଛି । ଅବଶ୍ୟ ଦୁର୍ନୀତି ସହିତ ନଗଦ ଟଙ୍କା କାରବାରର ସେମିତି ସମ୍ପର୍କ ନାହିଁ। ଏହା ଶାସନ ବ୍ୟବସ୍ଥାର ସ୍ବଚ୍ଛତା ଉପରେ ନିର୍ଭର କରେ। ଜାପାନ ପରି କିଛି ଦେଶରେ ନଗଦ କାରବାର ଅଧିକ ହେଲେ ମଧ୍ୟ ଦୁର୍ନୀତି କମ୍। ନାଇଜେରିଆ ପରି ଦେଶରେ ଏହା ୨% ପାଖାପାଖି ଥିଲାବେଳେ , ଏହା ଅପେକ୍ଷାକୃତ ଭାବେ ବହୁତ ଦୁର୍ନୀତିଗ୍ରସ୍ତ ଅଟେ। ଜିଡିପି ଅନୁସାରେ ନଗଦ କାରବାର ଜାପାନରେ ୧୮.୬୧ %, ହଂକଂରେ ୧୪.୬୫ %, ଥାଇଲ୍ୟାଣ୍ଡ, ୧୧.୩୭% , ସ୍ୱିଜରଲ୍ୟାଣ୍ଡ, ୧୧.୧୪ %, ୟୁରୋଜୋନ, ୧୦.୦୯ %, ତାଇୱାନ ୯.୩୭% ଥିଲା। ସେହିପରି ବିମୁଦ୍ରୟାନର ଏକ ଲକ୍ଷ୍ୟ ଥିଲା ଜାଲ ନୋଟ୍ କାରବାର ରୋକିବା। କିନ୍ତୁ ତାହା କଣ ସମ୍ଭବ ହୋଇଛି? ୨୦୨୩-୨୪ର ସମସ୍ତ ନକଲି ନୋଟ୍ ପରିମାଣରୁ କେବଳ ୫୦% ରୁ ଅଧିକ ହେଉଛି ୨୦୧୬ ବିମୁଦ୍ରାୟନ ପରେ ପ୍ରଚଳିତ ହୋଇଥିବା ନୂତନ ସିରିଜର ୫୦୦ ଏବଂ ୨୦୦୦ ଟଙ୍କିଆର ନୋଟ୍ । ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରୁ ୨୦୨୩-୨୪ ମଧ୍ୟରେ ଚିହ୍ନଟ ହୋଇଥିବା ନୂତନ ସିରିଜର ନକଲି ୫୦୦ ଟଙ୍କିଆ ନୋଟ ସଂଖ୍ୟା ପ୍ରାୟ ଚାରିଗୁଣ ବୃଦ୍ଧି ପାଇଥିଲାବେଳେ ନକଲି ୨୦୦୦ଟଙ୍କିଆ ନୋଟ ସଂଖ୍ୟା ୨୦୨୨-୨୩ ପରଠାରୁ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି।
ସରକାର ସର୍ବଦା ଦୁର୍ନୀତି ବିରୁଦ୍ଧରେ ଲଢେଇ କରୁଛନ୍ତି ବୋଲି କହୁଛନ୍ତି । ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପ୍ରତିବର୍ଷ ଡିସେମ୍ବର ୯ ରେ ପାଳନ କରାଯାଉଛି। ୨୦୨୪ରେ୨୮ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି।: ଏବର୍ଷର ଥିମ ହେଉଛି “ସାଧୁତା ସଂସ୍କୃତିରେ ରାଷ୍ଟ୍ରର ସମୃଦ୍ଧି। କିନ୍ତୁ ସାଧୁତା ଉପରେ ସ୍ତରରେ ଦେଖାଯାଉନି ।: ଯେଉଁମାନେ ଆଇନ କାନୁନ ପ୍ରଣେତା ଏବଂ ରକ୍ଷା କରିବାର ଦାୟିତ୍ଵ ନେଇଉଛନ୍ତି , ସେମାନେ ଠିକ ବିପରୀତ କରୁଛନ୍ତି ।: ଦୁର୍ନୀତି ପ୍ରକ୍ରିୟା ଆଜିର ନିର୍ବାଚନ ପ୍ରକ୍ରିୟାରୁ ସୃଷ୍ଟି ହେଉଛି ।: ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ଓ ନେତା ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି ।: ସେହି ଟଙ୍କା ବିଭିନ୍ନ ଅନୈତିକ ଉପାୟରେ ସଂଗ୍ରହ କରାଯାଉଥିବାରୁ ଦୁର୍ନୀତି ବୃଦ୍ଧି ପାଉଛି ।: ସରକାରୀ ଯୋଜନା , ପ୍ରକଳ୍ପ କାର୍ଯ୍ୟକାରୀ ହେଲାବେଳେ ଏକ ମୁଖ୍ୟ ଭାଗ ଦୁର୍ନୀତି ଆକାରରେ ବିଭିନ୍ନ ସ୍ତରରେ ବିଭିନ୍ନ ଲୋକ ବିଶେଷକରି ପ୍ରଶାସକ ଓ ନେତାଙ୍କ ହାତକୁ ଯାଉଛି । ବିଭିନ୍ନ ନିବେଶକ , କମ୍ପାନୀ ପ୍ରଚୁର ଚାନ୍ଦା ବିଭିନ୍ନ ରାଜନୈତିକ ନେତା ଓ ଦଳ ବିଶେଷକରି ଶାସକ ଶ୍ରେଣୀଙ୍କୁ ଦେଉଛନ୍ତି ।:ତାହାର ବଦଳରେ ସେମାନେ କୋଟି କୋଟି ଟଙ୍କା ଟିକସ ରିଆତି ପାଉଛନ୍ତି ; ରୁଣ ଛାଡ ହେଉଛି; ସାଗ ମାଛ ଦରରେ ଖଣିଜ ସମ୍ପଦ , ପ୍ରାକୃତିକ ସମ୍ପଦ ପାଉଛନ୍ତି , ଯାହା ଦୁର୍ନୀତିର ମୂଳ କାରଣ ସାଜିଛି l ପୁନଶ୍ଚ ଯଦି କିଏ ଦୁର୍ନୀତିରେ ଲିପ୍ତ ରହିଲା ବା ଇଡି , ସିବିଆଇ ଯାହା ଉପରେ ରେଡ୍ କଲା, ସେ ଶାସକ ଦଳରେ ଯୋଗଦେଲା ବା ସମର୍ଥନ କଲା ତାକୁ ଦଣ୍ଡରୁ ମୁକ୍ତ କରାଯାଉଛି ।

ମୋ:୯୪୩୭୨୦୮୭୬୨

Leave a Reply

Your email address will not be published. Required fields are marked *