Spread the love


ପାଖେଇ ଆସିଲା ଧାର୍ମିକ ମାସ କାର୍ତ୍ତିକର ମହା ପଞ୍ଚୁକ ବ୍ରତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଞ୍ଚୁକରେ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ ।

କିନ୍ତୁ ଏହାପୂର୍ବରୁ ପବିତ୍ର ପଞ୍ଚୁକକୁ ନେଇ ଲୋକଙ୍କ ମନରେ ଦେଖାଦେଇଛି ଦ୍ୱନ୍ଦ୍ୱ । ୫ ଦିନ ବଦଳରେ ଏଥର ୪ ଦିନ ପାଳନ ହେବ ପଞ୍ଚୁକ । ତେଣୁ ଚଳିତ ବର୍ଷ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ତେବେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ ୧୫ରେ ଶେଷ ହେବ।

ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁଙ୍କର ପଞ୍ଚୁକ ନୀତି । କାର୍ତ୍ତିକ ମାସ ଆରମ୍ଭରୁ ମହାପ୍ରଭୁ ରାଧାଦାମୋଦର ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ, ୧୩ରେ ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ମହାପ୍ରଭୁଙ୍କର ପଞ୍ଚୁକରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ବେଶ ଗୁଡ଼ିକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଓ ହବିଷ୍ୟାଳି ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସେପଟେ ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏଣୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ସହିତ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ପୁରୀ ଏସପିଙ୍କ ସୂଚନା ଅନୁସାରେ ଶୃଙ୍ଖଳିତ ଦର୍ଶନ ପାଇଁ ମର୍ଚ୍ଚିକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଉଛି । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସପି କହିଛନ୍ତି।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ତାହା ପୁରୀ ପୋଲିସର ପ୍ରାଥମିକତା ଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ସେହିପରି ହବିଷ୍ୟାଳୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଏସପି କହିଛନ୍ତି । ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତମାନେ ବେଳାଭୂମିରେ ଡଙ୍ଗା ଭସାଇ ନିଜ ବ୍ରତକୁ ଉଦଯାପିତ କରିବାକୁ ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ନିୟୋଜିତ କରାଯିବ ବୋଲି ଏସପି କହିଛନ୍ତି।

ଆଜିର ଦିନଟି ସଭିଙ୍କ ପାଇଁ ମଙ୍ଗଳ ମୟ ହେଉ🙏

Related Post

Leave a Reply

Your email address will not be published. Required fields are marked *