Spread the love


” ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି”—

(କ)
“ଏ ଦେଶରେ କମିଟି, କମିଶନ ପୋଷିବାରେ ଯେତେ ଖର୍ଚ୍ଚ ଟଙ୍କା ହେଉଛି, ସେତିକି ଟଙ୍କା ଯଦି ଜନସାଧାରଣଙ୍କ ପିଛାରେ ଖର୍ଚ୍ଚ ହେଉଥାନ୍ତା,ଅଭାବଗ୍ରସ୍ତ ମଣିଷ ଲାଗି ଖଣ୍ଡେ ଘର ତିଆରି ହେଉଥାଆନ୍ତା, ତା ଗାଁରେ ସ୍କୁଲଟିଏ ବସେଇ ଦିଆଯାଉଥାଆନ୍ତା ବା ତାର ରୋଗବେଳେ ତାକୁ ଗୋଟାଏ ଔଷଧ ଦିଆଯାଉଥାଆନ୍ତା, ତେବେ କେଡେ ଭଲ ହେଉଥାନ୍ତା! ଛାଡ, ରାଜନୀତି ଆଜି ଗୋଟେ ବିଳାସରେ ପରିଣତ ହୋଇସାରିଲାଣି।ସେଥିଲାଗି ଆଜି ଓକିଲ, ବାରିଷ୍ଟର ସମସ୍ତେ ଦେଶସେବକ ଓ ରାଜନୈତିଜ୍ଞ ବୋଲାଇ ପାରୁଛନ୍ତି”।
(ଏହା, “କମିଟି, କମିଶନ” ବାବଦରେ ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସ, ତାଙ୍କର ତା୧୫.୦୮.୧୯୪୫ରିଖର
( ସ୍ୱାଧୀନତା ପୂର୍ବର) ଡାଏରୀରେ -ରୋହିତର ଡାଏରୀ ବହିର ୮୯/୯୦ ପୃଷ୍ଠାରେ ଲେଖିଥିଲେ)

(ଖ)”ଓଡିଶାର ଚାରିଆଡେ ବୁଲୁଛି ତଦନ୍ତ ,
ସମସ୍ତ ତଦନ୍ତ କିନ୍ତୁ ବିଗଳିତ (ଗଳି ପଡ଼ିଥିବା)ଦନ୍ତ”

(ତଦନ୍ତ କମିଶନ ବାବଦରେ ଓଡିଶାର ସର୍ବକାଳୀନ ମୂର୍ଧଣ୍ୟ ସାମ୍ବାଦିକ ଶ୍ରୀ ଗୋଦାବରୀଶ ମହାପାତ୍ର, ତାଙ୍କ ସମ୍ପାଦିତ ନିଆଖୁଣ୍ଟା ପତ୍ରିକାର 1965 ମସିହା ଜୁଲାଇ ମାସର ଗୋଟିଏ ସଂସ୍କରଣରେ ଲେଖିଥିଲେ)
…………. 🦷………..

ତା୧୫.୧୧.୨୦୨୪ରିଖ ରାତି ୧୦.୪୫ ସମୟରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ଝାନସୀରେ ଥିବା “ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜ”ର “ନବଜାତ ଶିଶୁ ସୁରକ୍ଷା କକ୍ଷ-Neonatal Intensive Care Unit”ରେ ଅଗ୍ନୀକାଣ୍ଡ ଘଟି ୧୦ଜଣ ନବଜାତ ଶିଶୁ ପ୍ରାଣ ହରାଇଛନ୍ତି।ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ରାଜ୍ୟର “ମେଡିକାଲ
ଶିକ୍ଷା ଓ ତାଲିମବିଭାଗର ମହା- ନିର୍ଦ୍ଦେଶକ (Director General of Medical Education and Training)”ଙ୍କ ଅଧ୍ୟକ୍ଷତାରେ ଏକ ଚାରି ଜଣିଆ ତଦନ୍ତ କମିଟି ଗଢାଯାଇଛି, ଯାହା ସାତଦିନ ଭିତରେ ଏହା ଉପରେ ରିପୋର୍ଟ ଦେବେ। ରାଜ୍ୟର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ ଝାନସୀର ଡିଭିଜନାଲ କମିଶନର,ସେଠାର ପୋଲିସ ଡିଆଇଜି ତଥା ଅଗ୍ନିଶମ ବିଭାଗକୁ ବାରଘଣ୍ଟା ଭିତରେ ଏକ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରେ “ସମୟ ଅତିକ୍ରାନ୍ତ ତଥା ବ୍ୟବହାର ଅନୁପଯୋଗୀ ଅଗ୍ନି ନିର୍ବାକ ଯନ୍ତ୍ରପାତି-Expired Fire Extinguishersର ବ୍ୟବହାର ଯୋଗୁଁ ଏପରି ଘଟିଛି” ଭଳି ଆରୋପ ଉପରେ ରାଜ୍ୟର ଉପ-ମୂଖ୍ୟମନ୍ତ୍ରୀ
ଶ୍ରୀ ବ୍ରିଜେଶ ପାଠକ ମହାଶୟ କହିଛନ୍ତି ଯେ, ” ୨୦୨୪ ମସିହା ଫେବୃଆରୀ ମାସରେ ଏସବୁ ଯନ୍ତ୍ରପାତିର ଆବଶ୍ୟକୀୟ ଅବଧିର ନିରୀକ୍ଷା
( Periodical Audit and Mock drill)ରୁ ପ୍ରମାଣିତ ହୋଇଥିଲା ଯେ ଏହିସବୁ ଯନ୍ତ୍ରପାତି ବଢିଆ ଅବସ୍ଥାରେ ଅଛି”। ମେଡିକାଲ କଲେଜର ଅଧ୍ୟକ୍ଷ ଏହାସହିତ ସ୍ୱର ମିଳେଇ ( ଦେଶର କୈାଣସିଠାରେ କୈାଣସି ସରକାରୀ ଅଧିକାରୀ ମନ୍ତ୍ରୀଙ୍କ ସ୍ୱର ସହିତ ସ୍ୱର ନମିଳେଇବାର ଉଦାହରଣ ଅଛି କି?) କହିଛନ୍ତି ଯେ “ଏଭଳି ଆରୋପ ମୂଲ୍ୟହୀନ”।
“ବିଦ୍ୟୁତ ସଠସର୍କିଟରୁ ଏପରି ହୋଇଥାଇପାରେ “ଭଳି ମତ ବି ଆସୁଛି।

ଏଇଠି, ଉତ୍ତର ପ୍ରଦେଶର ଯଶସ୍ୱୀ ତଥା କଡା ମୂଖ୍ୟମନ୍ତ୍ରୀ ସମ୍ମାନିୟ
ଆଦିତ୍ୟନାଥ ମହାଶୟ( ବୁଲଡୋଜର ବାବା ନାମରେ ଖ୍ୟାତ ତଥା ଦେଶର ଭବିଷ୍ୟତ) ୨୦୧୭ ମସିହାରେ କେରଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରବେଳେ ସେଠାରେ ଦେଇଥିବା ମନ୍ତବ୍ୟଟିଏ ମନେ ପଡୁଛି। ତା୦୪.୧୦.୨୦୧୭ରିଖରେ ସେ କେରଳରେ ଥାଇ କହିଥିଲେ,
” ଡାକ୍ତରଖାନା କିପରି ଚଳେଇବାକୁ ହୁଏ , କେରଳ ସରକାର ତାହା ଉତ୍ତର ପ୍ରଦେଶରୁ ଶିଖିବା ଉଚିତ”।

ଭାରତର ନିତୀଆୟୋଗ ସଂସ୍ଥା ଦ୍ଵାରା “ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ର”ରେ,
ଭାରତର ରାଜ୍ୟଗୁଡ଼ିକ ଭିତରୁ କେରଳ କ୍ରମାଗତ ଭାବରେ ଏକନମ୍ବର ସ୍ଥାନରେ ରହିଆସୁଥିବା ତଥା ସମ୍ମାନୀୟ ଯୋଗୀଜୀ ଏପରି କହିବାର ପାଖାପାଖି ଦୁଇମାସ ଆଗରୁ ,ତା୧୦-୧୧.୦୮.୨୦୧୭ରିଖରେ,
ତାଙ୍କରି ଧର୍ମପୀଠସ୍ଥଳି ଗୋରଖପୁର ସ୍ଥିତ “ବାବା ରାଘବ ଦାସ ମେଡିକାଲ କଲେଜ” ଅନ୍ତର୍ଗତ ” ନେହେରୁ ଡାକ୍ତରଖାନା”ରେ ଅକ୍ସିଜେନ ଯୋଗାଣରେ
ବାଧାପ୍ରାପ୍ତ ହେବାରୁ ୬୩ଜଣ ଶିଶୁ ଓ ୧୮ଜଣ ବୟସ୍କ ବ୍ୟକ୍ତି ପ୍ରାଣ
ହରେଇଥିବା ସତ୍ତ୍ଵେ ମୋଦିଜୀ ଏପରି କହିବାର ଯଥାର୍ଥତା ଥିଲା।
ଏହାର କାରଣ ହେଉଛି, ସମ୍ମାନୀୟ ଯୋଗୀ ମହାଶୟ ଏପରି ଘଟିବାର ମାତ୍ର ପାଞ୍ଚମାସ ପୂର୍ବରୁ,ତା୧୮.୦୩.୨୦୧୭ରିଖରେ ପ୍ରଥମଥରପାଇଁ ରାଜ୍ୟର ମୂଖ୍ୟମନ୍ତ୍ରୀ ହୋଇଥିଲେ। ଆଗରୁ ସାଂସଦ ରହିଥିଲେ ମଧ୍ୟ, ସେ ସିଧାସଳଖ କେବେ ଶାସନ ଦାୟିତ୍ଵରେ ନଥିଲେ। ତେଣୁ ଶାସନଭାର ନେବାର ମାତ୍ର ପାଞ୍ଚମାସ ପରର ଘଟଣା ଉପରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିଥିବାରୁ ଘଟଣାର ପାଖାପାଖି ଦୁଇମାସ ଭିତରେ କେରଳ ପ୍ରଦେଶରେ ଏଭଳି ମନ୍ତବ୍ୟ ଦେବାକୁ ସକ୍ଷମ ହୋଇଥିଲେ।
” ଅଘଟଣ ଘଟିବା” ଏକ ସ୍ୱଭାବିକ ପ୍ରକ୍ରିୟା। କିନ୍ତୁ ଏସବୁର ସମୂଳ ମୂଳୋତ୍ପାଟନ ପାଇଁ ଯୋଗୀଜୀଙ୍କ କର୍ତ୍ତୃକ ନିଆଯାଉଥିବା
କାର୍ଯ୍ୟାନୁଷ୍ଠାନସମୂହ ମନରେ ପ୍ରତୟ ସୃଷ୍ଟି କରାଇଥାଏ ଯେ, ତାଙ୍କ ନେତୃତ୍ଵରେ ପରିଚାଳିତ ଉତ୍ତର ପ୍ରଦେଶ ସରକାରରେ ଆଉ ଅଘଟଣ ଘଟିବ ନାହିଁ।

ଅକସ୍ମାତ ଘଟିଲେ, ତାଙ୍କଦ୍ୱାରା ଗଠିତ ତଦନ୍ତ କମିଶନ ଏଭଳି ନିରପେକ୍ଷ ରିପୋର୍ଟ ଦେବେ ତଥା ତାହା ଉପରେ ଯୋଗୀଜୀ ଏଭଳି କଡ଼ା ପଦକ୍ଷେପ ନେବେ ଯେ, ” ମୂଳରୁ ମାଇଲେ ଯିଵ ସରି,ଦେବଙ୍କ ସଙ୍ଗେ କିମ୍ପା କଳି” ଭଳି ଓଡ଼ିଆ ଲୋକକଥାଟିର ମାହାତ୍ମ୍ୟ ପ୍ରତିପାଦିତ ହେବ। ତେଣୁ ତ , ବିଶ୍ୱଗୁଋ ମୋଦିଜୀଙ୍କ ଇଛାଧୀନ ଅବସର ଗ୍ରହଣ ପରେ,
ଯୋଗୀଜୀ ହିଁ ସେହି ସ୍ଥାନରେ ବସିବାକୁ ଉପଯୁକ୍ତ ଓ ଏକମାତ୍ର ବ୍ୟକ୍ତି।

ତା୧୮.୦୭.୬୪ରିଖରେ ତତ୍କାଳୀନ ରୋମ ସାମ୍ରାଜ୍ୟର ରୋମ ନଗରୀରେ ନିଆଁ ଲାଗି ସହର ଜଳିବା ଆରମ୍ଭ ହେବାପରେ ତତ୍କାଳୀନ ସମ୍ରାଟ ସେଥିପ୍ରତି ଦୃଷ୍ଟି ନଦେଇ ବୀଣାବାଦନ କରୁଥିଲେ ବୋଲି କୁହାଯାଏ।ତା୨୬.୧୧.୨୦୦୮ ରିଖ ରାତିରେ ପାକିସ୍ଥାନୀ ସନ୍ତ୍ରାସବାଦୀଙ୍କଦ୍ଵାରା
ମୁମ୍ବାଇ ସହରରେ ଆକ୍ରମଣ ପରେ, ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ
ଶ୍ରୀ ଶିବରାଜ ପାଟିଲ ଦିଲ୍ଲୀରୁ ଆସି ପୋଷାକ ବଦଳେଇ ଦେଖାଦେବା ଉପରେ, ତତ୍କାଳୀନ ଗଣମାଧ୍ୟମ ତାଙ୍କୁ ନୀରୋଙ୍କ ସହିତ ତୁଳନା କରିଥିଲେ। ଏଥିରେ ବିଚଳିତହୋଇ କଂଗ୍ରେସଦଳ ତରଫରୁ ତାଙ୍କୁ ଇସ୍ତଫା ଦିଆଯିବାକୁ କୁହାଯିବା ପରେ, ସେ ଦ୍ୱିତୀୟ ଇଉପିଏ ସରକାରରୁ ଇସ୍ତଫା ଦେଇଥିଲେ।ଏହି ଆକ୍ରମଣ ପରେ ପରେ ବର୍ତ୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ସେତେବେଳର ଗୁଜରାଟର ମୂଖ୍ୟମନ୍ତ୍ରୀ ମୋଦିଜୀ ମୁମ୍ବାଇ ଆସି ସାମ୍ବାଦିକମାନଙ୍କ ଆଗରେ ତତ୍କାଳୀନ ମହାରାଷ୍ଟ୍ର ତଥା କେନ୍ଦ୍ର ସରକାରଙ୍କ ଅପାରଗତା ଉପରେ ବୟାନ ଦେଇଥିଲେ।
ତା୧୫.୧୧.୨୦୨୪ରିଖ ରାତିରେ ଝାନସୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ଦଶଜଣ ନବଜାତ ଶିଶୁଙ୍କ ମୃତ୍ୟୁପରେ ସାଙ୍ଗେ ସାଙ୍ଗେ ମୋଦିଜୀ, ଯୋଗୀଜୀ ସେଠାକୁ ଗସ୍ତ ନ କରିବା ଉପରେ କଟ୍ଟର
ଦେଶଭକ୍ତ ଗଣମାଧ୍ୟମ ତରଫରୁ କିଛି ଆଲୋଚନା ହୋଇନଥିଲା, ଯାହା ଯଥାଯଥ ଥିଲା, ଯେହେତୁ ଏହା ମୁମ୍ବାଇ ଆକ୍ରମଣ ସହ ତୁଳନୀୟ ନୁହେଁ।
କିନ୍ତୁ,ମୂଖ୍ୟ ସ୍ରୋତ ଗଣମାଧ୍ୟମରୁ ଅପସାରିତ ତଥା ଲୋକଙ୍କଦ୍ଵାରା
ପ୍ରତ୍ୟାକ୍ଷାତ କିଛି ସାମ୍ବାଦିକ ସାମାଜିକ ଗଣମାଧ୍ୟମରେ ଏସବୁ ଉଠେଇ
ନିଜେ ନିଜେ ଉପାସିତ ହେଉଛନ୍ତି ଯାହା!

ଲେଖାର ପ୍ରଥମରେ ଦୁଇଜଣ ଓଡ଼ିଆ ମହାମାନବଙ୍କ ବର୍ଣିତ ଆକ୍ଷେପ
ଏ ପର୍ଯ୍ୟନ୍ତ ଓଡ଼ିଶାପାଇଁ ପ୍ରଯୁଜ୍ୟ ହୋଇଆସୁଛି। କିନ୍ତୁ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ନେତୃତ୍ଵରେ ପରିଚାଳିତ “ଡବଲ ଇଞ୍ଜିନ ସରକାରରେ
ଏଭଳି ଆଉ ନୁହେଁ” ବୋଲି ମୋର ଦୃଢବିଶ୍ୱାସ ଜାଗ୍ରତ ହୋଇଛି।

Related Post

Leave a Reply

Your email address will not be published. Required fields are marked *

You Missed