ଚତୁର୍ଥ ପାହାଚ ଆଡକୁ…………
ଷାଠିଏ ପୁରିଲେ ଅବସର, ଏକଥା ଷାଠିଏ ପୂର୍ବରୁ କେବେବି ଭାବନାରେ ଆସି ନଥିଲା l ହେଲେ ଦିନେ ସରକାରୀ ଭାବେ ଏହି ଅବସର ନେବାର ବୟସ ସାଥିରେ, ଧାର୍ଯ୍ୟ ତାରିଖ ମଧ୍ୟ ଆସିଗଲା l ଛୋଟ ଏକ ସମାବେଶ ସାଥିରେ ଫୁଲତୋଡ଼ା, ଉପଢୌକନ ଭାବେ ଟସର ଚାଦର ଖଣ୍ଡେ, ଆଉ ସାଥିରେ ସହକର୍ମୀ ମାନଙ୍କର ଭାବାବେଗ ଭରା ଭାଷଣ ମୋତେ ଅଭିଭୂତ କରୁଥିଲା l ସେଦିନ ଝିଟିପିଟି ଭଳିଆ ମୁଁ ଅନୁଭବ କରୁଥିଲି… ମୁଁ ଥିଲି ବୋଲି…. ମୁଁ ଆକାଶ ଟେକି ଧରିଥିଲି… ନ ହେଲେ……
ୟା ପର ଅବସ୍ଥା, ଘରେ, ଦୁଆରେ, ବାହାରେ, ଅବସର ପରେ, କେତେ କଣ ଘଟିଗଲା ଆଉ ଯାଉଚି… ଚାଲ ଟିକେ ତର୍ଜମା କରିବା…
1.ଟିକେ ଡେରିଯାଏ ଶୋଇରହିଲେ..
ଏବେ ଉଠିଯା l ତୁମ ଭଳିଆ କିଏ ଶୋଉଚି ଏତେ ଡେରି ଯାଏ,? ଅବସର ନେଲ ବୋଲି ୟା ନୁହେଁ ଯେ ଶୋଇ ରହିବ..!!!
2.ଜଲଦି ଉଠିଲେ…
ତୁମକୁ ଏଇ ବୁଢା ବୟସ ରେ ନିଦ୍ରାହୀନତା ରୋଗ ହେଇ ଗଲାଣି l ନିଜେ ଶୋଉନ ନା କାହାରିକୁ ଶୋଇବାକୁ ଦେଉଛ l କାଉ କୋଇଲି ରାବିବା ଆଗରୁ ଉଠି ପଡୁଛ l ବିନା ମତଲବ ରେ ଓଲଟା ପୋଲଟା କାମରେ ହାତ ମାରି ଖଡ଼ ଖଡ଼, ଧଡ ଧଡ଼ ଆରମ୍ଭ କରି ଦେଉଛ.. କି କାମ କରୁଚ, ଶୁଣେ l ଅବସର ନେଲ… ଅଫିସ ଯିବାର ନାହିଁ.. ଚୁପଚାପ ଶୁଅ ଆଉ ଅନ୍ୟକୁ ଶୋଇବାକୁ ଦିଅ l
3.ଘରେ ରହିଲେ….
ସକାଳ ନ ହେଉଣୁ ମୋବାଇଲ ଧରିକି ବସିଯାଉଚ l ଚା ପରେ ଚା ବରାଦ କରି ଚାଲିଛ… ନିଜ କାମ ନିଜେ କରୁନ… ସମସ୍ତଙ୍କର କିଛିନା କିଛି କାମ ଅଛି l କିଏ ଏମିତି ତୁମକୁ ଦିନସାରା ଚା ପିଆଇକି ସେବା କରୁଥିବ??
4.ବାହାରେ ଟିକେ ଡେରି ହେଲେ….
ଦିନସାରା କୁଆଡେ ଭେଟା ଭଳି ବୁଲୁଚ? ଏବେ ଚାକିରୀ ତ ନାହିଁ l କା ପାଖରେ ବେଠି ଖଟୁଥିଲ? ବୃଥା ଗୁଲିଖଟି ଛାଡିକି, ଟିକେ ଭଗବାନ ଙ୍କର ନାମ ନିଅ l
5.ଘରେ ଠାକୁର ପୂଜା କଲେ…
ଗଳା ଫାଡିକି, ବେସୁରା ଭଜନ, ଆଉ ଭୁଲ ଭାଲ ଶ୍ଳୋକ ପଢି ଘଣ୍ଟି ମାଡ଼ କଲେ କିଛି ହେବନି l ଏସବୁ ରେ ଯଦି କିଛି ହେଉଥାନ୍ତା, ତାହେଲେ ଆଜି ସବୁ ପଣ୍ଡିତ ଅମ୍ବାନୀ, ଆଦାନୀ, ଟାଟା, ବିରଳା ହେଇ ସାରିନ୍ତେଣି… ଟିକେ ଚୁପ ଚାପ ପୂଜା କର ଆଉ ଜଲଦି ସାର l
6.ଅନ୍ୟ କିଛି ରୋଜଗାର ରାସ୍ତା କଲେ….
ସଦାବେଳେ ଖାଲି କାମ, କାମ l ଆଗରୁ ଯାହା, ଅବସର ପରେ ବି ସେଇଆ l ଚାକିରୀ ରେ ଥିବା ବେଳେ ଲୋକେ ଦି ପଇସା ସଞ୍ଚି କି ଭବିଷ୍ୟତ ପାଇଁ ରଖନ୍ତି l ହେଲେ ତୁମେ ବାପା, ଭାଇ, ଭଉଣୀ, ଭଣଜା, ବନ୍ଧୁ, ସ୍ୱୀକୃତ ଙ୍କ ପଛରେ ପାଣି ଭଳି ପଇସା ଉଡେଇଲ? କାହା କଥା ଶୁଣିଲନି l ଏବେ ଭୋଗ l କିଏ ଆସୁଛି ପିଠିରେ ପଡିବା ପାଇଁ ଆଉ ଏବେ ବୁଢା କାଳକୁ ପଇସା ପଛରେ ଗୋଡ଼େଇଲେ କି ଲାଭ l ଯାହା ନ ହୋଇଛି ବାଳ କାଳେ… ତାହା କି ହୋଇବ, ପାଚିଲା ବାଳେ???
7.ନିଜକୁ ଟିକେ ଫିଟ ଫାଟ ରଖିଲେ……….
ବୟସ ହେଲା l ବାଳ, ନିଶ ଧଳା ହେବ ହିଁ ହେବ l ଦି ଦିନରେ ଧଳା ବାଳ ଆଉ ନିଶରେ କଳା ବୋଳା ହେଉଛି l କାହାକୁ ଦେଖେଉଚ? ସବୁଦିନ ଫେସବୁକ ରେ ବାଳ ଆଉ ନିଶ, ବାଗେଇକି ଫୋଟୋ ଛାଡ଼ୁଛ l ନିଜେ ଅନୁଭବ କର… ଏବେ ତୁମ ବୟସ ହେଇ ଯାଇଚି… ବୋହୁ, ଝିଅ, ଝିଆରୀ କଣ ଭାବୁଥିବେ!!
ମନେ ରଖନ୍ତୁ… ଆଜି କାଲି, ଆପଣ ସ୍ତ୍ରୀ, ପରିବାର, ସମାଜ, ସମସ୍ତଙ୍କର ଦୃଷ୍ଟି ଆଢୁଆଳ ରେ ଅଛନ୍ତି l ସତେ ଯେମିତି, ସମସ୍ତେ ଆପଣଙ୍କ ପାଇଁ ବିଶେଷ ଚିନ୍ତିତ….
ଷାଠିଏ ରୁ ସତୁରି.. ତୃତୀୟ ପାହାଚ ଛାଡି ଚତୁର୍ଥ ପାହାଚ, ଅର୍ଥାତ ଜୀବନ ନାଟକ ର ଅନ୍ତିମ ପର୍ଯ୍ୟାୟ କୁ ପ୍ରବେଶ ପୂର୍ବରୁ, ଆପଣଙ୍କ ଅବସର କେମିତି… ଟିକେ ଜଣେଇବେ ନିଶ୍ଚେ l
କେବଳ ଷାଠିଏ ବର୍ଷରୁ ଉର୍ଦ୍ଧ ମାନଙ୍କ ପାଇଁ….