⚫❗⚫
ll ଗରୁଡ଼ ଉତ୍ଥାପନ ଦ୍ୱାଦଶୀ ll
ସେବକ ପ୍ରତି ଚିରଦିନ ଉଦାର ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବାରୁ ବୈଷ୍ଣବ ଧର୍ମିନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ବା ଗରୁଡ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି।ମହାଭାରତରେ ବର୍ଣ୍ଣିତ ତଥ୍ଯ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀ କୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକାରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ। ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ସମୟରେ ମଧ୍ଯ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକାରେ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।
ଶ୍ରୀମନ୍ଦିରରେ ଗରୁଡ ଉତ୍ଥାପନ ଦ୍ଵାଦଶୀ ନିମନ୍ତେ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଥାଏ। ସେବକ ଗରୁଡ଼ ମହାପ୍ରଭୁଙ୍କ ଶୋଇବା ପରଦିନ ଯୋଗନିଦ୍ରାରେ ରହିଥିଲେ। ତେଣୁ, ଦେବୋତଥାପନ ଏକାଦଶୀର ଗୋଟେ ଦିନ ପରେ ଅର୍ଥାତ ଆଜି - ଗରୁଡ ଉତଥାପନ ଦ୍ବାଦଶୀରେ ଉଠିବେ ସେବକ। ଅଜ୍ଞାମାଳ ପାଇ ଶ୍ରୀ ମଦନମୋହନ ଶରତ ରାହସ ପାଇଁ ଜଗମୋହନ ରେ ପ୍ରସ୍ତୁତ ହୋଇଥିବା ଖଟଶେଜକୁ ବିଜେ କରନ୍ତି। ସେଠାରେ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥାନ୍ତି। ତାପରେ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହୋଇଥାଏ। ଚୂନରା ସେବକଙ୍କ ଦ୍ୱାରା ଗରୁଡ଼ ମଇଲମ ହୋଇ ପତ୍ରୀବଡ଼ୁ ସେବକଙ୍କ ଦ୍ୱାରା ପୂଜାଠା ହୋଇ ମହାସ୍ନାନ ହୋଇଥାଏ। ପରେ ବେଶ ହୋଇ ପଞ୍ଚ ଉପଚାରରେ ଶୀତଳ ଭୋଗ ସମାପନ ପରେ ପୂଜାପଣ୍ଡାଙ୍କ ଦ୍ଵାରା ଗରୁଡ଼ଙ୍କୁ ସ୍ବତନ୍ତ୍ର ବନ୍ଦାପନା ହୋଇଥାଏ।
ଯଦିଓ ଆଜିର ଏହି ଯୁଗରେ ବିରଳପ୍ରାୟ ଏହି ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ, ତଥାପି ଅନେକାଂଶରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତିୟ ପ୍ରାଣୀ ବୋଲି କୁହାଯାଇଥାଏ। ଅନେକ ଧର୍ମ ଗ୍ରନ୍ଥ ଏହାକୁ ଏକ କାଳ୍ପନିକ ଜୀବ ରୂପେ ଚିତ୍ରଣ କରିଛନ୍ତି। କିନ୍ତୁ ହିନ୍ଦୁ ଧର୍ମ ଗ୍ରନ୍ଥ ଓ ପୁରାଣ ଏହାକୁ ଏକ ଭିନ୍ନ ଧରଣର ମନୁଷ୍ଯ ଓ ପକ୍ଷୀ ର ମିଶ୍ରଣ ପ୍ରାଣୀ ଭାବେ ବର୍ଣ୍ଣନା କରିଛନ୍ତି। ଏହାର କର୍ମ ଓ ଚରିତ୍ର ହିନ୍ଦୁ ଓ ବୌଦ୍ଧଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି। ଗରୁଡଙ୍କ ସମ୍ପର୍କରେ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ କାହାଣୀ ମାନ ରହିଛି। ଏପରିକି "ଗରୁଡ ପୁରାଣ" ନାମରେ ଏକ ସ୍ଵତନ୍ତ୍ର ପୁରାଣ ରହିଛି। ତାହା ମୁଖ୍ଯ ପୁରାଣ ମାନଙ୍କ ମଧ୍ୟରୁଅନ୍ୟତମ।
ଯେମିତି ଦିଅଁ, ସେମିତି ସେବକ। ଏହି ଭାବକୁ ଶ୍ରୀ ଜଗନ୍ନାଥ ସଂସ୍କୃତିରେ କିଭଳି ଭାବେ ଯୋଡି ଦିଆଯାଇଛି। ମହର୍ଷି କଷ୍ୟପଙ୍କ ୨ ଜଣ ପତ୍ନୀ ଥିଲେ ବୀନତା ଆଉ କଦ୍ରୁ। ଦୁହେଁ ୨ ଭଉଣୀ ଥିଲେ । ଏକଦା ମହର୍ଷିଙ୍କ ପାଖରେ ଉଭୟ ଉଭଣୀ ପୁତ୍ର କାମନା କଲେ। କଦ୍ରୁ ୧୦୦୦ ନାଗଙ୍କ ଜନନୀ ହେବାକୁ ଇଚ୍ଛା କଲେ। ଏହା ଦେଖି ବୀନତାଙ୍କ ମନରେ ଅହଂକାର ଆସିଲା। ସେ ନାଗମାନଙ୍କଠାରୁ ବଳଶାଳୀ ପୁତ୍ର ଚାହିଁଲେ। ମହର୍ଷି ଉଭୟଙ୍କୁ ପୁତ୍ରବତୀ ହେବାକୁ ବର ଦେଲେ। ଆଉ ସମ୍ପର୍କ କ୍ରମେ ପ୍ରଥମେ ଗର୍ଭବତୀ ହୋଇଥିବା, କଦ୍ରୁ ବାସୁକୀ ଓ ଶେଷନାଗଙ୍କ ଭଳି ବଳବାନ ନାଗପୁତ୍ରଙ୍କ ଜନନୀ ହେଲେ । ଏହା ଦେଖି ବୀନତା ଦୁଃଖି ହେଲେ। ସେ ପ୍ରସବ କରିଥିବା ୨ଟି ଅଣ୍ଡା ଫୁଟୁ ନ ଥାଏ। ପରିପକ୍ଵ ହୋଇ ନ ଥିବାରୁ ଅଣ୍ଡାରୁ ଛୁଆ ବାହାରୁ ନ ଥାନ୍ତି। ଏଣୁ ଦୁଃଖ ଆଉ ଚଞ୍ଚଳ ମନରେ ବୀନତା ନିଜ ହାତରେ ଗୋଟିଏ ଅଣ୍ଡା ଫୁଟାଇ ଦିଅନ୍ତି।ଆଉ ଏଥିରୁ ଛୋଟ ଅପରିପକ୍ଵ ପକ୍ଷୀ ସାବକ ବାହାରେ। ଅଧା ଶରୀର ବିକଶିତ ହୋଇଥିବାରୁ ସେ ଦୁଃଖରେ ମା’ କୋଳରୁ ଉଡିଯାଅ ଓ ସୂର୍ଯ୍ୟଙ୍କ ରଥର ସାରଥୀ ହୁଏ। ନାଁ ହୁଏ ଅରୁଣ (ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭର ଦେବତା)। ଏହାପରେ ଅନ୍ୟ ଅଣ୍ଡାଟି ଫୁଟି ଆଉ ଗୋଟିଏ ଦିବ୍ୟ ପକ୍ଷୀ ଜନ୍ମହୁଏ। ସେ ହେଉଛନ୍ତି ଗରୁଡ। ଗୋଟିଏ ପୁଅ ପାଖରେ ନ ଥିବାରୁ ଭଉଣୀ କଦ୍ରୁଙ୍କ ଦାସୀ ପାଲଟିଥିବା ଦେଖି ଗରୁଡ କ୍ରୋଧିତ ହୁଅନ୍ତି। ଆଉ ମା’ଙ୍କୁ ମୁକୁଳାଇବାକୁ କଦ୍ରୁଙ୍କୁ ନିବେଦନ କରନ୍ତି। କଦ୍ରୁଙ୍କ ଭୟ ଥାଏ ଯେ, ବୀନତାଙ୍କ ପୁଅ ଗରୁଡ ତାଙ୍କ ନାଗପୁତ୍ରମାନଙ୍କୁ ମାରିଦେବାକୁ ଏକମାତ୍ର ସକ୍ଷମ । ଏଣୁ ସେମାନଙ୍କ ଜୀବନକୁ ସୁରକ୍ଷିତ କରିବାକୁ ସ୍ୱର୍ଗରୁ ଅମୃତ ଆଣିଲେ ତାଙ୍କ ମା’ ବୀନତା ଦାସିତ୍ୱରୁ ମୁକ୍ତ ହେବେ ବୋଲି ସର୍ତ୍ତ ରଖନ୍ତି। ମା’ଙ୍କୁ ମୁକ୍ତ କରିବାକୁ ଗରୁଡ ସ୍ୱର୍ଗରୁ ଅମୃତ କଳସ ନେଇ ଆସନ୍ତି। ଏହା ଦେଖି ଭଗବାନ ବିଷ୍ଣୁ ତାଙ୍କ ପଥ ଅବରୋଧ କରନ୍ତି। ବିଷ୍ଣୁ ଅମୃତ କଳସ ନେଇଯିବାର କାରଣ ପଚାରନ୍ତି ଆଉ ଗରୁଡ ନିଜ ମା’ଙ୍କ ମୁକ୍ତ ପାଇଁ ଅମୃତ ନେଉଥିବା ଓ ଏହାକୁ ପାନ କରିବାକୁ ତାଙ୍କ ମନରେ ତିଳେ ହେଲେ ଇଚ୍ଛା ନ ଥିବା ପ୍ରକାଶ କରନ୍ତି। ଏହା ଦେଖି ଖୁସି ହୁଅନ୍ତି ଭଗବାନ ବିଷ୍ଣୁ । ଅମୃତ କଳସ ଫେରାଇ ଦେବା ସହ ବର ଯାଚନ୍ତି। ଏହି ସୁଯୋଗରେ ଗରୁଡ ମା’ଙ୍କ ମୁକ୍ତି ଓ ବିନା ଅମୃତ ପାନରେ ନିଜର ଅମରତ୍ୱ ମାଗନ୍ତି। ଭଗବାନ ବିଷ୍ଣୁ ଏହି ବର ଗରୁଡଙ୍କୁ ଦେବା ସହ ମାତୃଭକ୍ତ ଗରୁଡଙ୍କୁ ନିଜ ଧ୍ୱଜାରେ ଧାରଣ କରନ୍ତି ଓ ସବୁଦିନ ପାଇଁ ନିଜ ବାହନ ଭାବେ ନିଯୁକ୍ତ କରନ୍ତି। ଗରୁଡ ନିଜକୁ ଅନୁଗୃହିତ ମନେ କରନ୍ତି ଆଉ ଚିରକାଳ ପ୍ରଭୁଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରନ୍ତି।