Spread the love

୧୮୦୦ ମସିହା ବେଳକୁ ତିବ୍ବତ ଥିଲା ଅବଶିଷ୍ଟ ବିଶ୍ବ ପାଇଁ ‌ଗୋଟାଏ ରହସ୍ୟ। ପାଶ୍ଚାତ୍ୟ ଏହାକୁ ଅଗମ୍ୟ ଓ ଅଜ୍ଞାତ ଦେଶ ଭାବେ ଅଭିହିତ କରୁଥିଲା । ପଡ଼ୋଶୀ ଭାରତ ଓ ଚୀନ୍‌ର ସୀମାନ୍ତବର୍ତ୍ତୀ ଅଞ୍ଚଳର କତିପୟ ଜନଜାତି, ବୌଦ୍ଧଭିକ୍ଷୁ କିମ୍ବା ପରିବ୍ରାଜକଙ୍କୁ ଛାଡ଼ିଦେଲେ ସେଠାକୁ ଯିବା ଲାଗି ପ୍ରାୟ କାହାକୁ ଅନୁମତି ନଥିଲା। ତିବ୍ବତ ରୁଷ୍‌ର ନିକଟବର୍ତ୍ତୀ ହୋଇଥିବାରୁ ତା’ର ସମ୍ଭାବ୍ୟ ପ୍ରବେଶ ଆଶଙ୍କାରେ ବ୍ରିଟିସ୍ ଶାସକ ସେଠାରେ ନିଜ ପ୍ରଭାବ ବିସ୍ତାର କରିବାକୁ ବ୍ୟଗ୍ର ଥିଲେ। କିନ୍ତୁ, ଦୁର୍ଗମ ଗିରିପଥ ଓ ଘନ ଅରଣ୍ୟ ଦେଇ ‌ତିବ୍ବତକୁ ଲମ୍ବିଥିବା ବିପଜ୍ଜନକ ରାସ୍ତା ଅତିକ୍ରମ କରିବା ଥିଲା କାଠିକର ପାଠ। ତେଣୁ, ଆଗ ଗୁପ୍ତଚର ପଠାଇ ତିବ୍ବତର ମାନଚିତ୍ର ଓ ପରିସ୍ଥିତି ବିଷୟ ଜାଣିବାକୁ ବ୍ରିଟିସ୍ ସରକାର ଯୋଜନା କଲେ। ଯୋଜନା ସାକାର କରିବାକୁ ସେମାନେ ଜଣେ ଉଚ୍ଚଶିକ୍ଷିତ ଭାରତୀୟ ଇଂଜିନିୟର୍‌ଙ୍କୁ ଗୁପ୍ତଚର କରି ତିବ୍ବତ ପଠାଇଲେ। ସେ ଥିଲେ କଲିକତା ପ୍ରେସିଡେନ୍ସି କଲେଜ୍‌ ପଢୁଆ ଶରତ ଚନ୍ଦ୍ର ଦାଶ। ବୃତ୍ତିରେ ଶିକ୍ଷାବିତ୍‌ ହୋଇଥିଲେ ବି ଶରତ‌ ଥିଲେ ଜଣେ ଅସାଧାରଣ ପରିବ୍ରାଜକ। ସେ ଗୁପ୍ତ ଅଭିଯାନରେ ଦୁଇଥର ତିବ୍ବତ ଯାଇଥିଲେ, କିନ୍ତୁ ସେଠାରୁ ଫେରିଥିଲେ ଜଣେ ଖ୍ୟାତନାମା ବୌଦ୍ଧଶାସ୍ତ୍ରୀ ହୋଇ। ବ୍ରିଟିସ୍ ସରକାରଙ୍କୁ ସେ ତିବ୍ବତର ମାନଚିତ୍ର ପ୍ରସ୍ତୁତ କରିବାରେ ସହାୟକ ହେବାସହ ସେଠାକାର ଶାସନ ବ୍ୟବସ୍ଥା ଓ ସାମରିକ ସାମର୍ଥ୍ୟ ସଂପର୍କରେ ବହୁ ଅଜ୍ଞାତ ତଥ୍ୟ ପ୍ରଦାନ କରିଥିଲେ।   
୧୮୮୧ରେ ଦ୍ବିତୀୟ ପାଳି ତିବ୍ବତ ଗସ୍ତରେ ଯାଇ ଶରତ ଚଉଦ ମାସ ରହିଲେ। ରହଣି କାଳରେ ସେ ଦୁଇଟି ବର୍ଣ୍ଣନାତ୍ମକ ରିପୋର୍ଟ ଲେଖିଥିଲେ, ଯାହାକୁ ୧୯୦୨ ପର୍ଯ୍ୟନ୍ତ ଗୋପନୀୟ ରଖାଯାଇ ଶେଷକୁ ‘ଜର୍ଣ୍ଣି ଟୁ ଲାସା ଆଣ୍ଡ୍‌ ସେଣ୍ଟ୍ରାଲ୍‌ ତିବ୍ବେତ୍‌’ ନାମକ ପୁସ୍ତକ ଆକାରରେ ପ୍ରକାଶ କରାଗଲା। ସେଥିରେ ସେ ତିବ୍ବତୀୟ ସରକାରଙ୍କ ଶାସନ ବ୍ୟବସ୍ଥା, ଧର୍ମଗୁରୁ ଓ ସାମାଜିକ ଶ୍ରେଣୀ, ପ୍ରଶାସନ ଓ ଟିକସ ଆଦି କଥା ଉଲ୍ଲେଖ କରିଛନ୍ତି। ଏହାଛଡ଼ା, ବହୁ-ପତି ପ୍ରଥା, ଚା ପାନ ଆଦବକାଇଦା, ବ୍ୟଞ୍ଜନ, ପଲ୍ଲୀ ଜୀବନ ଓ ଉଦ୍ଭିଦ ଆଦି ବିଷୟରେ ମଧ୍ୟ ସେ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି। ସେ ତିବ୍ବତ ଦ୍ବାରା ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କ ଘରର ନାମ ରଖିଥିଲେ ‘ଲାସା ପାଲେସ୍‌’।

ବୌଦ୍ଧଭିକ୍ଷୁଙ୍କ ମୁଣ୍ଡକାଟ
ଗୁପ୍ତ କଥା ସବୁଦିନ ଗୁପ୍ତ ‌େହାଇ ରହିପାରେ ନାହିଁ। ସେ ଯେ ବାସ୍ତବରେ ଜଣେ ବ୍ରିଟିସ୍‌ ଗୁପ୍ତଚର ଏବଂ ତିବ୍ବତୀୟ, ରୁଷୀୟ ଓ ଚୀନା ଜନତାଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ ସେକଥା ଚୀନ୍‌ ଓ ତିବ୍ବତ ସରକାରୀ କର୍ତ୍ତୃପକ୍ଷ ଜାଣିପାରିଲେ। ସାଶି ଲୁନ୍‌ଫୋରେ ଶରତଙ୍କୁ ବୌଦ୍ଧ ଦର୍ଶନ ଶିକ୍ଷା ଦେଇ ପ୍ରତିବଦଳରେ ତାଙ୍କଠାରୁ ବିଜ୍ଞାନ ଓ ଗଣିତ ଶିକ୍ଷା କରିଥିବା ପ୍ରଖ୍ୟାତ ବୌଦ୍ଧଭିକ୍ଷୁ ଲାମା ସେଙ୍ଗ୍‌ସେନ୍‌ ଦୋର୍‌ଜେଚେନ୍‌ଙ୍କ ମୁଣ୍ଡକାଟ କରି ସେମାନେ ନଈରେ ତାଙ୍କ ଶବ ଫିଙ୍ଗିଦେଲେ। ଜଣେ ବିଦେଶୀଙ୍କୁ ପ୍ରବେଶାନୁମତି, ଶିକ୍ଷାଦାନ ଓ ତିବ୍ବତରେ ରଖିବା ଥିଲା ତାଙ୍କର ଅପରାଧ। ଏଥିରେ ଶରତଙ୍କୁ ସହାୟତା କରିଥିବା ଅନ୍ୟମାନେ ବି ସମଦଶା ଭୋଗିଲେ କିଂବା ଜେଲ୍‌ ଗଲେ।

ତିବ୍ବତରେ ପଶିଲେ ବ୍ରିଟିସ୍ 
ଶରତଙ୍କ ବିବରଣୀ ହିଁ ବ୍ରିଟିସ୍‌ମାନଙ୍କ ତିବ୍ବତ ଆକ୍ରମଣ ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲା। ୧୯୦୪ରେ କର୍ଣ୍ଣେଲ୍‌ ଫ୍ରାନ୍‌ସିସ୍‌ ୟଙ୍ଗ୍‌ହଜ୍‌ବ୍ୟାଣ୍ଡ୍‌ ତିବ୍ବତ ଆକ୍ରମଣ କଲେ। ପରାଜିତ ତିବ୍ବତ ସରକାର ବ୍ରିଟିସ୍‌ ସରକାରଙ୍କ ସହିତ ‘ତିବ୍ବତ ଚୁକ୍ତି’ ସ୍ବାକ୍ଷର କରିବାକୁ ବାଧ୍ୟ ହେଲେ। ଚୁକ୍ତି ଅନୁସାରେ ତିବ୍ବତରେ ବାଣିଜ୍ୟ କରିବା ଲାଗି ବ୍ରିଟେନ୍‌ ଅନୁମତି ପାଇଲା। କେନ୍ଦ୍ରୀୟ ଏସିଆରେ ରୁଷ୍‌ର ଅଗ୍ରଗତି ବି ପ୍ରତିହତ ହେଲା।

ମୂଳ ଠିକଣା: ସମ୍ବାଦ ଡିଜିଟାଲ

Leave a Reply

Your email address will not be published. Required fields are marked *