ରାଷ୍ଟ୍ରପିତାଙ୍କ ବିଶ୍ଵ ପ୍ରସିଦ୍ଧିକୁ ନେଇ ଭୁଲ ବୟାନ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଗାନ୍ଧୀବାଦୀଙ୍କ ପତ୍ର
ମୋଦିରାଜରେ ବି ଗାନ୍ଧୀଙ୍କ ପ୍ରସିଦ୍ଧି ବଢି ଚାଲିଥିବାରୁ ଇର୍ଷାନ୍ଵିତ ପ୍ରଧାନମନ୍ତ୍ରୀ
ରିଚାର୍ଡ ଆଟେନବରୋଙ୍କ ଗାନ୍ଧୀ ସିନେମା ପରେ ପୃଥିବୀ ମହାତ୍ମା ଗାନ୍ଧୀଙ୍କୁ ଜାଣିଲା । ଏହାପୂର୍ବରୁ ୭୫ ବର୍ଷ ଧରି ତାଙ୍କୁ କେହି ଜାଣି ପାରିନଥିଲେ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପିତାଙ୍କ ପ୍ରତି ତାଙ୍କର ରହିଥିବା ଈର୍ଷା ମୋନୋବୃତ୍ତିକୁ ଦର୍ଶାଇଛନ୍ତି । ବାସ୍ତବରେ ଗାନ୍ଧୀହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଆରଏସଏସର ସ୍ଵୟଂସେବକ ଥିବା ନରେନ୍ଦ୍ର ମୋଦି ଚିରାଚରିତ ଭାବେ ନିଜର ଓ ନିଜ ସଂଗଠନର ମହାତ୍ମା ଗାନ୍ଧୀଙ୍କ ପ୍ରତି ରହିଥିବା ବିରୋଧାଭାବକୁ ଏହାଦ୍ଵାରା ଉଜାଗର କରିବାକୁ ଚାହାନ୍ତି । ୨୦୧୪ ମସିହା ପୂର୍ବରୁ ମୋଦି ନିଜେ ଭାରତରେ ସର୍ଭେ କରି ଜାଣିସାରିଛନ୍ତି ଯେ ଜନସଂଖ୍ୟାର ୧୮ ପ୍ରତିଶତ ଗାନ୍ଧୀଙ୍କ ଦର୍ଶନକୁ ସମ୍ମାନ କରନ୍ତି ଓ ଦେଶ ଗାନ୍ଧୀ ରାସ୍ତାରେ ଚାଲୁ ବୋଲି ଇଚ୍ଛା ରଖନ୍ତି, ଯାହା ଦ୍ରୁତଗତିରେ ବୃଦ୍ଧିପାଉଛି । ଏସବୁ ତଥ୍ୟ ତାଙ୍କର ଏକଛତ୍ରବାଦ ଦିଗରେ ବୃଦ୍ଧି ପାଉଥିବା ପଦକ୍ଷେପ ବିରୋଧରେ ଯାଉଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି ବକ୍ତବ୍ୟ ଦେଉଛନ୍ତି, ଯାହାକୁ ଓଡିଶାର ବିଭିନ୍ନ ଗାନ୍ଧୀବାଦୀ ସଙ୍ଗଠନମାନଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଗାନ୍ଧୀଙ୍କ ବିଶ୍ଵ ପ୍ରସିଦ୍ଧି ସମ୍ବନ୍ଧରେ ଜ୍ଞାନ ବର୍ଦ୍ଧନ ନିମନ୍ତେ ନୂଆଦିଲ୍ଲୀସ୍ଥିତ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠିକଣାରେ ତାଙ୍କ ନିକଟକୁ ୧୯୩୦ ମସିହାରେ ଆମେରିକାର ସୁପ୍ରସିଦ୍ଧ ଟାଇମ ମଗାଜିନରେ ପ୍ରକାଶିତ ‘ମ୍ୟାନ ଅଫ ଦି ଇୟର’ ଫଟୋ ସହିତ ଗାନ୍ଧୀଜୀଙ୍କ ବାବଦରେ ବିଶ୍ଵପ୍ରସିଦ୍ଧ ଲେଖକମାନଙ୍କ ଦ୍ଵାରା ଲିଖିତ ୫୦ ଖଣ୍ଡ ପୁସ୍ତକ ତଥା ଆମେରିକାର ସାନଫ୍ରାନସିସ୍କୋସ୍ଥ ଏ ଷ୍ଟାନଲୀ ନୀଲ ପ୍ରଡକସନ ଦ୍ଵାରା ୧୯୪୪ ମସିହାରେ ମୁକ୍ତିଲାଭ କରିଥିବା ସିନେମା Mahatma Gandhi The 20th Century Prophet ପଠା ଯାଉଛି।
ଭାରତର ପ୍ରଧାନମନ୍ତ୍ରୀ ଭାବରେ ଅଧିଷ୍ଠିତ ନରେନ୍ଦ୍ର ମୋଦି ଯେତେବେଳେ ରାଷ୍ଟ୍ରପିତାଙ୍କ ବିରୋଧରେ ଏତେ ବିଦ୍ଵେଷ କାହିଁକି ପୋଷଣ କରୁଛନ୍ତି ବୋଲି ଆମେ ପ୍ରଶ୍ନ କରୁଛୁ। ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନରତ ଥିବାବେଳେ ଗାନ୍ଧୀଜୀ ଏତେ ପ୍ରସିଦ୍ଧ ଥିଲେ ଯେ, ୧୯୦୯ ମସିହାରେ ସେଠାକାର ଜଣେ ପାଦ୍ରୀ ଯୋସେଫ ଜେ ଡୋକ ତାଙ୍କ ଜୀବନୀ ଲେଖିଥିଲେ। ସେହିବର୍ଷ ମଧ୍ୟ ବିଶ୍ଵପ୍ରସିଦ୍ଧ ଦାର୍ଶନିକ ଲିଓ ଟଲଷ୍ଟୟ ଗାନ୍ଧୀଙ୍କ ସହ ଅନେକ ପତ୍ରାଳାପ କରିଥିଲେ। ଯଦି ଫିଲ୍ମ ପୂର୍ବରୁ ଦୁନିଆରେ କେହି ଗାନ୍ଧୀଜୀଙ୍କୁ ଜାଣି ନଥାନ୍ତେ, ତେବେ ଆମେରିକାର ମାର୍ଟିନ ଲୁଥର୍ କିଙ୍ଗ ଏବଂ ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲା ଆଦି ମହାତ୍ମା ଗାନ୍ଧୀଙ୍କଠାରୁ କିପରି ପ୍ରେରଣା ପାଇଲେ ? ଭିଏତନାମର ହୋ ଚି ମିନ ଗାନ୍ଧୀଙ୍କ ପ୍ରେରଣାରେ ତାଙ୍କ ଦେଶରେ ଲୋକପ୍ରିୟତା ହାସଲ କରିଥିଲେ ବୋଲି ସ୍ଵୀକାର କରିଥିଲେ । ୧୯୩୧ ମସିହାରେ ବିଶ୍ଵ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନ ଷ୍ଟାଇନ ତାଙ୍କୁ ପତ୍ର ଲେଖିଥିଲେ। ସୁପ୍ରସିଦ୍ଧ ସିନେ ଅଭିନେତା ଚାର୍ଲି ଚାପଲିନ ଏହି ବର୍ଷ ତାଙ୍କୁ ସାକ୍ଷାତ କରିଥିଲେ । ୧୯୫୦ ମସିହାରେ ଲୁଇ ଫିଶର ଗାନ୍ଧୀଜୀଙ୍କ ଜୀବନୀ ଦି ଲାଇଫ ଅଫ ମହାତ୍ମା ଗାନ୍ଧୀ ରଚନା କରିଥିଲେ । ଯଦି ଫିଲ୍ମ ପୂର୍ବରୁ ବିଶ୍ଵ ତାଙ୍କୁ ଜାଣି ନଥାନ୍ତା, ତେବେ ୧୯୩୭, ୧୯୩୮, ୧୯୩୯, ୧୯୪୭ ମସିହାରେ ସେ କିପରି ପାଞ୍ଚ ଥର ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ? ଆଟେନବରୋଙ୍କ ଭଳି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଉପରେ ଏକ ବଡ଼ ଚଳଚ୍ଚିତ୍ର ନିର୍ମାଣ କରିବାର ପଦକ୍ଷେପ ନେଇଥାନ୍ତେ କି ? ଲୋକସଭା ଲାଇବ୍ରେରୀର ୱେବସାଇଟ୍ ତଥ୍ୟ ଅନୁଯାୟୀ, କେବଳ ଲୋକସଭା ଲାଇବ୍ରେରୀରେ ମହାତ୍ମା ଗାନ୍ଧୀଙ୍କ ଉପରେ ୨୧୦୦ରୁ ଅଧିକ ପୁସ୍ତକ ରହିଛି, ଯାହାକୁ ପ୍ରଧାନମନ୍ତ୍ରୀ ପଢିପାରିବେ । ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ଲୋହିଆ ଏକାଡେମୀ,ରାଷ୍ଟ୍ରୀୟ ଯୁବା ସଂଗଠନ ଆଦି ଗାନ୍ଧୀ ବିଚାରର ସଂଗଠନ ମାନଙ୍କ ପକ୍ଷରୁ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଦେବପ୍ରସାଦ ରାୟ, ମିହିର ପ୍ରତାପ ଦାସ, ଡାକ୍ତର ବିଶ୍ଵଜିତ, ମହମ୍ମଦ ସୁକୃ ପ୍ରମୁଖ ଭୁବନେଶ୍ଵରସ୍ଥିତ ଲୋହିଆ ଏକାଡେମୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ଷେଦୋକ୍ତି ପ୍ରକାଶ କରି ଭାରତର ପ୍ରଧାନମନ୍ତ୍ରୀ ଭାବରେ ରାଷ୍ଟ୍ରପିତାଙ୍କ ବାବଦରେ ଦେଇଥିବା ଦାୟିତ୍ଵହୀନ ମନ୍ତବ୍ୟର ନିନ୍ଦା କରିଛନ୍ତି ।